Unknown

 

 

 

 

 

 

 

 

 

 

ଜଙ୍ଗଲି ସହର

ଅନାଦି ସାହୁ

 

ଅଠେଇଶ ବର୍ଷ ତଳର କଥା–ମୁଁ ଥିଲି ପଳାତକ । ଦୁଇଦିନ ନଖାଇ ନପିଇ କଲିକତା ଫୁଟ୍‌ପାଥ୍‌ରେ ବୁଲୁଥିଲି ଦିଗଭ୍ରଷ୍ଟ ହୋଇ । ବଡ଼ି ଭୋର୍‌ବେଳା–ଫୁଟ୍‍ପାଥ୍‍ ଉପରେ ଦୁଧ ଦୁହୁଁଥିବା ଗୋୟେଲା ମୋତେ ଦେଖି ପାଖକୁ ଡାକିଲା । ପଚାରିଲା–ଘରସେ ଭାଗ୍‌ ଆଏ ହୋ । କୁଛ ଖାଏ ନେହିଁ ନ ?

 

ମୁଁ ମୁଣ୍ଡ ଟୁଙ୍ଗାରି ଥିଲି । ଗାଈ ପହ୍ନାରୁ ରାଜା ଦୁହିଁ ଦୁଇସରା ଦୁଧ ପିଇବାକୁ ଦେଇ, ହାବଡ଼ା ଷ୍ଟେସନ୍‌ରାସ୍ତା ବତେଇ ମୋତେ ଉପଦେଶ ଦେଇଥିଲା–ୟେ ସହର୍‌ ଆଛା ନେହିଁ ବେଟା–ଘର୍‌ ଚଲେ ଯାଓ ।

 

ତା’ପରଦିନ ସକାଳେ ଟ୍ରେନ୍‌ରୁ ଓହ୍ଲେଇ ସେମିତି ଉଦ୍‌ଭ୍ରାନ୍ତ ଭାବେ ଚାଲିଥିଲି ଖୋର୍ଦ୍ଧାରୋଡ଼ ଷ୍ଟେସନରୁ ପୁରୀ ଅଭିମୁଖେ । ଦୟାନଦୀ କୂଳରୁ ମୋତେ ଦେଖିନେଇ ମୋଟରୀ ଷ୍ଟେସନ୍‌ ଲେଭଲ୍‌ କ୍ରସିଂ ଜଗୁଆଳି ପଚାରିଥିଲା–ଘରୁ ଲୁଚିକରି ଆସିଯାଇଛୁ କିରେ ? କିଛି ଖାଇନୁ ବୋଧେ ।

 

ମୁଁ ସେମିତି ମୁଣ୍ଡ ଟୁଙ୍ଗାରିଥିଲି । ମୋଟରୀ ଷ୍ଟେସନ୍‌ରେ ସେ ମୋତେ ଦୁଇଛଟାଙ୍କି ପକୋଡ଼ି ଖାଇବାକୁ ଦେଇ କହିଥିଲା–ବାପା, ମୋ ପାଖରେ ଅଧିକା ପଇସା ନାହିଁ ଖାଇବାକୁ ଦେବାପାଇଁ । ପୁରୀ ଗାଡ଼ିର ବସେଇ ଦେଉଛି, ପୁରୀ ଯା । ମନ୍ଦିରରେ ଖାଇନେବୁ । ଘରକୁ ଚାଲିଯା–ଭଲ ମଣିଷ ହ’ !

 

ସେମାନଙ୍କ ସ୍ନେହ, କରୁଣାର୍ଦ୍ର ଆକ୍ଷି ମୁଁ ବହୁତ ଖୋଜିଛି । କେଉଁଠାରେ ପାଇନାହିଁ–ମୋ ଭିତରେ ମଧ୍ୟ ନୁହେଁ ।

 

କିନ୍ତୁ ଏମିତି କେତେକ ଅନାମଧେୟ, ସ୍ନେହଶୀଳ ଲୋକଙ୍କ ଯୋଗୁଁ ଏ ପୃଥିବୀ ବାସୋପଯୋଗୀ ହୋଇଛି–କେତେକ ଉଦ୍‌ଭ୍ରାନ୍ତ ଫେରି ଆସିଛନ୍ତି । ସେହି ଅନାମଧେୟ ଦୁଇ ବିଶିଷ୍ଟ ବ୍ୟକ୍ତିଙ୍କୁ ମୁଁ ଏହି ଜଙ୍ଗଲି ସହର’ ଅର୍ପଣ କରୁଛି ।

 

ଅନାଦି ସାହୁ

Image

 

ଚାରିପଦ

 

ଏ କାହାଣୀ କଟକ ସହରର–ବ୍ୟତିକ୍ରମ କେବଳ କାଳ ଏବଂ ପାତ୍ର । ପାର୍ଶ୍ଵ ଦେହରେ ପୁଟ ଦିଆଯାଇଛି–ଯେମିତିକି ରାମଗଡ଼ ଏବଂ କେଶରପୁର କାଳୀ ମେଢ଼ର ବ୍ୟକ୍ତିବିଶେଷ । ବ୍ୟକ୍ତି ସହ ବେଶୀ ଆତ୍ମିୟତା ଖୋଜିବା ଅନୁଚିତ–କାରଣ, ପୁଟର ମସଲାରେ କଳ୍ପନା ମିଶା ଯାଇଛି ।

 

ପୁଟଦିଆ ଚରିତ୍ର ସୃଷ୍ଟିବେଳେ ଲେଖକର ଦୋଷ ଦୁର୍ବଳତା ରହିଯାଏ । ମାନିନୀର କଲମ–ଚିତ୍ର ଆଙ୍କୁ ଆଙ୍କୁ ତାରି ଆଖି ଦୁଇଟି ସ୍ପଷ୍ଟ କରିପାରି ନଥିଲି । ବନ୍ଧୁ ଶ୍ରୀ ବୈଷ୍ଣବ ଚରଣ ସାମଲ ପାଣ୍ଡୁ ଲିପି ପଢ଼ି ମୋର କର୍ତ୍ତବ୍ୟ ସୂଚେଇ ଦେଇଥିଲେ । ତାଙ୍କର ଗଠନମୂଳକ ସମାଲୋଚନା ଫଳରେ ମାନିନୀ ଚରିତ୍ରକୁ ଆହୁରି ଜୀବନ୍ତ କରିପାରିଲି, ସେଇଥିପାଇଁ ବନ୍ଧୁ ଶ୍ରୀ ସାମଲଙ୍କ ନିକଟରେ ଋଣୀ ।

 

ନମସ୍ୟ ଫତୁରାନନ୍ଦ ପାଣ୍ଡୁ ଲିପି ପଢ଼ି ଶୁଣେଇ ଦେଲାବେଳେ ଖୁସି ହୋଇ ‘‘ଖୁବ୍‌ ଭଲହେଇଛି–ଚମତ୍କାର ଲେଖା’’ କହି ଯେଉଁ ଉତ୍ସାହ ଦେଉଥିଲେ । ସେଇଥିଯୋଗୁ ବୋଧହୁଏ ଉପନ୍ୟାସର ଲେଖା ଏତେ ଜଲଦି ଶେଷ କରି ପାରିଲି । ତାଙ୍କସହ ହାତ ମିଳେଇ ଥିଲେ ଶ୍ରୀ ଶ୍ୟାମସୁନ୍ଦର ମିଶ୍ର ଏବଂ ଶ୍ରୀ ବିଜୟାନନ୍ଦ ସିଂହ । ଏହି ଉପନ୍ୟାସର ମୂଲ୍ୟାୟନ ବେଳେ ହୁଏତ ସେମାନଙ୍କ ମନ୍ତବ୍ୟ ଏବଂ ଉତ୍ସାହ ଆଗେଇ ଦେବାପାଇଁ ପ୍ରେରଣା ବୋଲି ମନେ ହୋଇପାରେ । ଯାହା ହେଉନା କାହିଁକି–ପ୍ରେରଣା ଅରିଷ୍ଟ ଏବଂ ଆସବର କାମ କରିଛି, ଶକ୍ତି ଦେଇଛି

Image

 

–ଦୁଇ–

 

ଲେଖନୀ ଚାଳନା ପାଇଁ । ପରେ କିଏ କ’ଣ ମନ୍ତବ୍ୟ କରିବ ତାହା ଲେଖକକୁ ବାଧିବ ନାହିଁ । ତା ପାଇଁ ସେ ଶୁଭକାଂକ୍ଷୀମାନେ ଆଗରୁ ବର୍ମ ତିଆରି କରି ଦେଇଛନ୍ତି, ଯାହାକିଛି ଦୋଷ ତ୍ରୁଟି, ମୁଦ୍ରଣ ବେଳେ ‘ଡଗର ପ୍ରେସ’ ଭିତରେ ଭଲକରି ପରଖି ନେଇ ବର୍ମର ଦୁର୍ବଳ ଗ୍ରନ୍ଥିଗୁଡ଼ିକୁ ସଜାଡ଼ିବାରେ ସାହାଯ୍ୟ କରିଛନ୍ତି । ମୁଁ ସେମାନଙ୍କ ନିକଟରେ କୃତଜ୍ଞ ।

 

ଶେଷରେ ଓଡ଼ିଶା ବୁକ୍‌ଷ୍ଟୋର । ମୋର ପ୍ରଥମ ପୁସ୍ତକ ସେ ପ୍ରକାଶ କରିଛନ୍ତି । ଦ୍ୱିତୀୟ ଥର ପାଇଁ ପୁସ୍ତକ ପ୍ରକାଶନରେ ହାତ ଦେଇଥିବା ଶ୍ରୀ ବିଜୟ ପାତ୍ର ସମସ୍ତଙ୍କୁ ଏକାଠି କରେଇ ପାରିଛନ୍ତି–ମୁଁ ତାଙ୍କୁ ଧନ୍ୟବାଦ ଦେଉଛି ।

 

ଅନାଦି ସାହୁ

Image

 

 

 

 

 

 

 

 

 

 

 

 

ଜଙ୍ଗଲି ସହର

 

ଲେଖକଙ୍କର ଅନ୍ୟାନ୍ୟ ରଚନା

 

* ଭିନ୍ନ ବାଟ ଅନ୍ୟତୁଠ

* ପାଣ୍ଡୁର ବଳୟ

* ମୁଣ୍ଡ ମେଖଲା

 

ସଂଧ୍ୟା ଛ’ଟା ବାଜିଲେ ବକ୍‌ସିବଜାରଠାରୁ ତିନିକୋଣିଆ ବଗିଚା ପର୍ଯ୍ୟନ୍ତ ରାସ୍ତା ଜନାକୀର୍ଣ୍ଣ ହୁଏ । ଦିନମାନର କାମ ସାରି କଟକର ବହୁ ଲୋକ ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି । ଅଫିସ ଫେରନ୍ତା ବାବୁ ସାଇକେଲ ଚଳେଇଥାଏ ଚଞ୍ଚଳ ଘରକୁ ଯିବାପାଇଁ । ଘରଣୀମାନେ ବଜାର ସଉଦା କରି ସହଳ ଘରେ ପହଞ୍ଚିବା ପାଇଁ ବ୍ୟଗ୍ର । ସିନେମା–ପ୍ରେମୀମାନେ କେମିତି ସିନେମା ହଲ ଦୂରରେ ପଶିବେ ସେଥିପାଇଁ ଉତ୍ସୁକ । ଏହି ବିରାଟ ତତ୍ପରତା, ଉତ୍ସୁକତା ଓ ଆଶା ଉପରେ କଟକ ସହରର ଏହି ଅଞ୍ଚଳଟି ଜନାକୀର୍ଣ୍ଣ ଓ ଚଳମାନ ହୋଇଉଠେ । ରିକ୍‌ସାର ଟିଣ୍‌ଟିଣ୍‌ ଶବ୍ଦ ସହ କ୍ଷିପ୍ରଗତି, ସାଇକେଲ୍‌ ଆରୋହୀର ବେପରୁଆ ଚାଳନା, କାର, ଜୀପ୍‌ ପ୍ରଭୃତିର କାନଫଟା ହର୍ଣ୍ଣ ସାଙ୍ଗକୁ ବୁଲାବିକାଳିର ଗ୍ରାହକମାନଙ୍କ ଉଦ୍ଦେଶ୍ୟରେ ଚିତ୍କାର ବେଶ୍‌ ଆମୋଦଦାୟକ । ସେହି ବିରାଟ କୋଳାହଳ, ଅନ୍ୟକୁ ଠେଲି ଆଗକୁ ମାଡ଼ିଯିବା ପ୍ରବୃତ୍ତି ଭିତରେ ପରସ୍ପର ସୁଖ–ସୁବିଧା ପ୍ରତି ନଜର ନାହିଁ, ଅନ୍ୟକୁ ସମବେଦନା ଜଣେଇବାର ଅବକାଶ ନାହିଁ, ଅକ୍ଷମକୁ ସାହାଯ୍ୟ କରିବା ଇଚ୍ଛା ନାହିଁ । ବିଦ୍ୟୁତ୍‌ଆଲୁଅ ଜଳି ଉଠିଲେ ସେ ଅଞ୍ଚଳ ଯେତିକି ସୁନ୍ଦର ଦେଖାଯାଏ ସେତିକି ହିଂସ୍ର ହୋଇଉଠେ । ବାରପଥର ପାଖ ସିନେମା ହଲରେ କଳାବଜାରୀ ଟିକେଟ୍‌ବିକାଙ୍କ ଠେଲାପେଲା ସାଙ୍ଗକୁ ମକରବାସାହି ପଟେ ଦେଶୀ ମଦଦୋକାନରେ ପ୍ରବଳ ଭିଡ଼ ଓ ତା’ ସାଙ୍ଗକୁ ଟଣାଟଣି, ପାଟିତୁଣ୍ଡ, ପିଟାପିଟି, ମୁଥ ମରାମରି, ଗୋଟିଏ ଅଶ୍ୱସ୍ତିକର ପରିବେଶ ସୃଷ୍ଟି କରେ । ପ୍ରବଳ ଗହଳି ଭିତରେ କାହାର ପକେଟ୍‌ମାର ହୋଇ ସର୍ବସ୍ଵ ଚାଲିଯାଏ, କିଏ ଦୁର୍ଘଟଣାରେ ପଡ଼ି ରକ୍ତାକ୍ତ ହୁଏ, କିଏ ସାମୟିକଭାବେ ଧନୀ ହୋଇଯାଏ, ବିଜେତା, ଗର୍ବରେ ଛାତି ଫୁଲେଇ ଚାଲେ । ବିଜେତା–ଵିଜିତ, ଅପହର୍ତ୍ତା–ଅପହୁତର ବିରାଟ ନିତ୍ୟନୈମିତ୍ତିକ ଖେଳ ଭିତରେ ସୃଷ୍ଟି ପରିବେଶ ଅନନ୍ୟସାଧାରଣ ।

 

ଅଶ୍ୱସ୍ତିକର ପରିବେଶ ଉପରେ ଆରାମରେ ବସି ରହିବା ପ୍ରକୃତି ଥିଲା ଟଣିଆର । ବାରପଥର ଛକ ନର୍ଦ୍ଦମା–ପୋଲ ଉପରେ ବସି ସିଗାରେଟ୍‌ ଟାଣେ ସେ ପ୍ରତିଦିନ ସଂଧ୍ୟାରେ । ସିଗାରେଟ୍‌ ଟାଣିବା ଭିତରେ ସେ ଆଖି ରଖିଥାଏ ଚଳମାନ ଜନସମୁଦ୍ର ଉପରେ, ମଦଦୋକାନ, ସିନେମା ହଲ୍‌ ଏବଂ ଆରପାଖର ଦୋକାନଗୁଡ଼ିକ ଉପରେ । ସେ ସେହି ଅଞ୍ଚଳର ଦାଦା, ସିନେମା ହଲ୍‌ପାଏ ମାସକୁ ଶହେଟଙ୍କା । ମଦଦୋକାନୀ ଦିଏ ତିନିଶହ, ଛୋଟ ବଡ଼ ଦୋକାନୀଙ୍କ ପାଇଁ ଅଲଗା ଅଲଗା ହିସାବ ରହିଛି । ସେ ହିସାବ କାଗଜ ପତ୍ରରେ ନଥାଏ, ଥାଏ ପରସ୍ପର ବୁଝାମଣାରେ । ତା’ଛଡ଼ା କଳାବଜାରୀ ସିନେମା ଟିକେଟ୍‌ ବିକାଳି ମଧ୍ୟ ଭାଗ ଦିଅନ୍ତି–ସାଧ୍ୟମତେ । ସେହି ଟଙ୍କା ପଇସା ଦେବାର ମୂଳକାରଣ ଥିଲା ସୁରକ୍ଷା । ଜବରଦସ୍ତ ଚାନ୍ଦା ଆଦାୟ ବନ୍ଦ ପାଇଁ, ଗ୍ରାହକମାନଙ୍କ ମୁହଁ ବନ୍ଦପାଇଁ, କାମ କରୁଥିବା ଚାକରବାକରଙ୍କୁ ଠିକଣା ବାଟରେ ଚଳେଇବା ପାଇଁ ଏହି ‘ଦାଦା’ର ପ୍ରୟୋଜନ । ବ୍ୟବସାୟୀ ବୃଦ୍ଧି ଏଇଠି ମଧ୍ୟ ଖଟାଯାଏ । ଦୁଇଶହ ଟଙ୍କା ଖର୍ଚ୍ଚ କରି ପାଞ୍ଚଶହ ଟଙ୍କାର ଲାଭ ।

 

ଟଣିଆ ଯେ କେମିତି ‘ଦାଦା’ ପଦ ପାଇଛି ସେଇଟା ବଡ଼ ଆଶ୍ଚର୍ଯ୍ୟଜନକ । ପତଳା ଡେଙ୍ଗା ଲୋକଟା । ବୟସ ଚବିଶ–ପଚିଶ ହେବ । ଲମ୍ବା ହିପିବାଳ ସାଙ୍ଗକୁ ଫ୍ରେଞ୍ଚକଟ୍‍ ଦାଢ଼ି । ତା ମୁହଁକୁ ଦେଖିଲେ ହଠାତ୍‌ ମନେହେବ, ନୂଆହୋଇ ସେ ଯେମିତିକି ବିଶ୍ୱବିଦ୍ୟାଳୟରେ ଶିକ୍ଷକତା କରୁଛି । ତା’ ଆଖିରେ ହିଂସ୍ର ଆଚରଣ ନଥିଲା । ତା’ ହାତରେ ଛୁରା ନଥିଲେ । କଥା କହିବା ବେଳେ ଖୁବ୍‌ ଧୀରସ୍ଥିର ହୋଇ କହେ । ତେବେ ତା’ର ଗୋଟିଏ ବଡ଼ ଗୁଣ ଥିଲା ଛୁରା ଚଳେଇବା କୌଶଳ । ଆଖିପିଛୁଳାକେ ଛାତି ପକେଟ୍‌ରୁ, ନଳୀଗୋଡ଼ ପାଖରେ ଲମ୍ବିଥିବା ଖୋପଭିତରୁ ଅଥବା ମେରୁଦଣ୍ଡର ଖାଲପାଖରୁ ଲମ୍ବାଛୁରା ବାହାର କରି ସେ ପ୍ରତିପକ୍ଷକୁ ଆକ୍ରମଣ କରେ କ୍ଷିପ୍ର ଗତିରେ । ପ୍ରତିପକ୍ଷ ନିଜକୁ ପ୍ରସ୍ତୁତ କରିବା ପୂର୍ବରୁ ଛୁରାମାଡ଼ରେ ଘାଏଲ୍‌ ହୋଇଯାଏ । ଚାରି–ପାଞ୍ଚଜଣଙ୍କୁ ଅନାୟାସରେ ଆକ୍ରମଣ କରିପାରେ ଟଣିଆ, ଲକ୍ଷ୍ୟ ତା’ର ଅବ୍ୟର୍ଥ । ତା’ ଛୁରା ନିଶ୍ଚୟ ଛାତିରେ ଲାଗିବ ବା ପେଟରେ । ଅନ୍ୟର ରକ୍ତ ତାକୁ ହତଭମ୍ୱ କରିନାହିଁ । ଅନ୍ୟକୁ ଆଘାତ କରି ସେ କେବେ ଦୁଃଖିତ ହୋଇନାହିଁ ।

 

ତା ସାଙ୍ଗକୁ ତା’ର ଥିଲା ସଙ୍ଗଠନ ଗୁଣ । ପାଖଆଖ ଅଞ୍ଚଳର ଯେତିକି ବେକାର ଯୁବକ ସବୁ ତାର ସାଙ୍ଗ । ସମସ୍ତଙ୍କୁ କିଛି କିଛି ଟଙ୍କା ପଇସା ଦିଏ ସିନେମା ଦେଖିବା ପାଇଁ, ମଦ ପିଇବା ପାଇଁ, ପେଣ୍ଟ, ସାର୍ଟ କିଣିବା ପାଇଁ । ଦରକାର ପଡ଼ିଲେ ସେମାନେ କାମ କରନ୍ତି ତା’ ପାଇଁ ଜୀବନ ଦେଇ । ଟଣିଆ ମଧ୍ୟ ସେମାନଙ୍କ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ । କାହା ଘରେ କିଛି ଅସୁବିଧା ପଡ଼ିଲେ, ଡାକ୍ତରଖାନାକୁ ନେବା ଦରକାର ହେଲେ ବା ରାତି ଅଧରେ ମଲା ଘରୁ ଶବବାହାର କରି ଶ୍ମଶାନକୁ ନେବା ପାଇଁ ହେଲେ ଟଣିଆ ଆଗଭର ହୁଏ । ଦରଦୀର ଦରଦ ବୁଝିବାରେ ସେ ଧୁରନ୍ଧର । ନିଜର ଯେତେ ଅସୁବିଧା ଥାଉନା କାହିଁକି ନିଜର ସାଙ୍ଗସାଥୀମାନଙ୍କୁ ଆଗ ସାହାଯ୍ୟ କରିବ । ନିଜ ପେଟରୁ କାଟି ଅନ୍ୟମାନଙ୍କ ପେଟକୁ ଦାନା ଯୋଗାଇବ ।

 

ଆଗେ ଟଣିଆର ସାମ୍ରାଜ୍ୟ ଖୁବ୍‌ ବଡ଼ ଥିଲା । ଚୌଧୁରୀବଜାରଠାରୁ ମଣି ସାହୁ ଛକଯାଏ ସେ ଥିଲା ଦାଦା । ତା ହୁକୁମ ସମସ୍ତେ ପାଳୁଥିଲେ । କେଉଁ ହୋଟେଲରେ ଖାଇବ, କେଉଁ ଦୋକାନରୁ କନା ଲୁଗାପଟା ନେବ ସବୁ ତା ମର୍ଜି ଉପରେ ନିର୍ଭର କରୁଥିଲା । ସେତେବେଳେ ତାର ପୃଷ୍ଠପୋଷକ ଥିଲେ କ୍ଷମତା–ସୀନ ରାଜନୈତିକ ଦଳ । ଗଲା ନିର୍ବାଚନରେ ସେ ଦଳ ହାରିଯାଇ ଅନ୍ୟ ଦଳ ଆସିଥିଲେ କ୍ଷମତାକୁ । ବର୍ତ୍ତମାନ କ୍ଷମତାସୀନ ଦଳର ‘ଦାଦା’ ମକୁ ନିଜ ପାଇଁ ରାଜ୍ୟ ଖଣ୍ଡେ ଠିକ୍‌ କରିନେଇଥିଲା । ଚୌଧୁରୀ ବଜାରଠାରୁ ଆରମ୍ଭ କରି, ଗଙ୍ଗା ମନ୍ଦିର, ଓଡ଼ିଆବଜାର ଓ ଦେଓ ନୱାନବଜାର ଯାଏ । ସେହି ରାଜ୍ୟ ଗଢ଼ିବା ପାଇଁ ଏହି ବର୍ଷ ଭିତରେ ବହୁବାର ଯୁଦ୍ଧ ହୋଇଗଲାଣି ରାସ୍ତାଘାଟରେ । କେତେ କିଏ ସବୁ ଘାଏଲ୍‌ ହେଲେଣି । ନିରୀହ ଲୋକ ମଧ୍ୟ ବଳିପଡ଼ିଲେଣି । ପ୍ରତ୍ୟେକ ଯୁଦ୍ଧ ପରେ ଟଣିଆର କେତେ ସର୍ଦ୍ଦାର ଦଳ ବଦଳ କରି ଦିଅନ୍ତି ମିରଜାଫର ପରି । ଯୁଦ୍ଧରେ ହାରିଲେ ସେ ବେଶୀ ଭାଙ୍ଗି ପଡ଼େ ନାହିଁ । ନିଜେ କ୍ଷତ–ବିକ୍ଷତ ହେଲେ ତା’ର ପରବାଏ ନାହିଁ । ହାରିବା, କିଣିବା, କ୍ଷତ–ବିକ୍ଷର ହେବା ତା ପେଶାର ଅବିଚ୍ଛେଦ୍ୟ ଅଙ୍ଗ । ବେଶୀ ଦୁଃଖ କରେ ଯଦି କେହି ସର୍ଦ୍ଦାର ତାକୁ ଛାଡ଼ି ଦେଇ ଚାଲିଯାଏ ଅପର ପକ୍ଷକୁ । ଶତ୍ରୁ ଅପେକ୍ଷା ବେଶୀ ଘୃଣା କରେ ବିଶ୍ୱାସଘାତକକୁ ।

 

ସେହି ଦିନ ସଂଧ୍ୟାରେ ପୋଲ ଉପରେ ବସି ସିଗାରେଟ ଟାଣୁଥିଲା ବେଳେ ଟଣିଆ ଲକ୍ଷ୍ୟ କଲା କାବୁଲିକୁ । କାବୁଲି ଆଗରୁ ଥିଲା ତାର ଅତି ନିଜ ଲୋକ, ଭାରି ସାହସୀ । କାହାକୁ ଧରିବାକୁ କହିଲେ ମାରିଦେବ । ଏବେ କିନ୍ତୁ ମକୁ ଗ୍ୟାଙ୍ଗରେ ମିଶିଯାଇଛି । ତା ପାଖ ଦେଇ ସାଇକେଲରେ ଚାଲିଗଲା । କେତେ ସାହସ ହେଲାଣି ? ପଛେ ପଛେ ଦୌଡ଼ିଲା କିଛିବାଟ । କାବୁଲି ଚାଲିଥାଏ । ବକ୍‌ସିବଜାର ଛକ ଆଡ଼କୁ । ପେନ୍‌ସନ୍‌ଲେନ୍‌ ଭିତରକୁ ପଶିଗଲା ଟଣିଆ । ଡାକିନେଲା ତାର ଅନ୍ୟ ଏକ ସାଥୀ ନିକକୁ । ଦୁହେଁ ଯାଇ ଗୋପବନ୍ଧୁ ଭବନ ପେନ୍‌ସନ୍‌ଲେନ୍‌ ଛକରେ ଛିଡ଼ାହୋଇଗଲେ । ଲୋକଗହଳି ଭିତରେ କିଛି ବାରି ହେଉ ନଥାଏ । ଅସଂଖ୍ୟ ପରିବା ବିକାଳି ରାସ୍ତାର ଦୁଇ ପାଖରେ ପସରା ମେଲେଇ ବସି ଯାଇଥାଆନ୍ତି । ମଣିଷ, ତା ସାଙ୍ଗରେ ଷଣ୍ଢ, ବୁଲା ଗାଈ, ଗାଡ଼ି ଘୋଡ଼ା, ମଟର ପ୍ରବଳ ଗହଳି ସୃଷ୍ଟି କରୁ ଥାଆନ୍ତି । ସେଇଠି ପାଖ ବ୍ୟାଣ୍ଡପାର୍ଟିର ଲୋକମାନେ ଅଭ୍ୟାସ କରୁଥାନ୍ତି ବିଭିନ୍ନ ସିନେମା ସଂଗୀତର ସ୍ୱର । ଟଣିଆ ଦୂରରୁ ଲକ୍ଷ୍ୟକଲା କାବୁଲି ସାଇକେଲ ଗଡ଼େଇ ଗଡ଼େଇ ଆସୁଛି । ପାଖକୁ ଆସି ଟଣିଆକୁ ଦେଖିଦେଇ ସାଇକେଲ ଛାଡ଼ି ସଙ୍ଗେସଙ୍ଗେ ପକେଟରୁ ସ୍ପ୍ରିଙ୍ଗଲଗା ଛୁରୀ ବାହାର କରି ସେ ତିଆରି ହୋଇଗଲା ପ୍ରତି–ଆକ୍ରମଣ ପାଇଁ । ସାଧାରଣ ଲୋକ ହୋଇଥିଲେ ବିପଦ ମାଡ଼ି ଆସିଲେ ସୁଦ୍ଧା ଜାଣି ପାରନ୍ତା ନାହଁ; କିନ୍ତୁ ଗ୍ୟାଙ୍ଗ୍‌ ଯୁଦ୍ଧରେ ପୋଖତ ଲୋକ ପ୍ରତିପକ୍ଷକୁ ଦେଖିଲେ ଠଉରେଇ ନେବ ଆଗକୁ କଣ ହେବାକୁ ଯାଉଛି, ନିଜକୁ କଣ କରିବାକୁ ପଡ଼ିବ ।

 

ଆଖି ପିଛୁଳାକେ ଟଣିଆ ତା କମରପଟିରୁ ଟାଣି ଆଣିଲା ସାଇକେଲ୍‌ ଚେନ୍‌ । ସାଇକେଲ୍‌ ଚେନ୍‌ର ଆକ୍ରମଣରୁ କେମିତି ରକ୍ଷା ପାଇବାକୁ ହେବ କାବୁଲିକୁ ଜଣା । ସେ ଖପକରି ତଳେ ବସି ପଡ଼ିଲା । ସାଇକେଲ୍‌କୁ–ଆଢ଼ୁଆଳ କରି ଆଗେଇଗଲା ଟଣିଆ ପାଖକୁ । ଟଣିଆ ଫୋପାଡ଼ିଲା ସାଇକେଲ୍‌ ଚେନ୍‌ । ଚେନ୍‌ଟି ସାଇକେଲ ହେଣ୍ଡଲରେ ଗୁଡ଼େଇ ହୋଇଗଲା ଖୁବ୍‌ ଜୋରରେ । ଟାଣିଦେବାରୁ ସାଇକେଲ ଟଣିଆ ଆଡ଼କୁ ଟାଣି ହୋଇଗଲା । ଟଣିଆ ଗୋଟିଏ ଲାତ ମାରି ସାଇକେଲେକୁ ତଳେ ପକେଇ ଦେଇ କୁଦିପଡ଼ିଲା କାବୁଲି ଉପରକୁ । ସେଇ କୁଦିବା ଭିତରେ ବାହାର କରି ଆଣିଥାଏ ଗୋଡ଼ ପାଖ ଖୋପରୁ ତାର ଲମ୍ବା ଧାରୁଆ ଛୁରୀ । କାବୁଲି ଚେଷ୍ଟାକଲା ଗଡ଼ି ଗଡ଼ି ଦୂରକୁ ଚାଲି ଯିବାପାଇଁ; କିନ୍ତୁ ଆଖିପିଛୁଳାକେ ଟଣିଆ ଚଳେଇଦେଲା ଛୁରୀ କାବୁଲିର ଡାହାଣ ହାତ ଉପରେ । କାବୁଲି ହାତର ଛୁରୀ ପଡ଼ିଗଲା । ସେ ଦୌଡ଼ିଲା ମିସନ୍‌ରୋଡ଼ ଆଡ଼କୁ ତା’ର ଅଭୟ–ସ୍ଥଳୀକୁ–ଆଶ୍ରୟ ନେବାପାଇଁ । ରକ୍ତ ଟପ ଟପ ହୋଇ ବୋହି ଚାଲିଥାଏ ତା ହାତରୁ । ତାର ଛୁରୀ ପଡ଼ିଥାଏ ରାସ୍ତାରେ ।

 

ଏହି ଆକ୍ରମଣ ପ୍ରତିଆକ୍ରମଣ ସମୟରେ ଦୁହେଁ ଗର୍ଜନ କରି ଚାଲିଥାଆନ୍ତି । ପାଖରେ ଥିବା ବ୍ୟାଣ୍ଡପାର୍ଟିର କ୍କାରିଓନେଟ୍‌ବାଦକ ପ୍ରଥମେ ଏହି ଯୁଦ୍ଧକୁ ଦେଖି ତା’ର ପ୍ରିୟ ସୁର୍‍କୁ ଅଧାରେ ରଖିଦେଇ କବାଟ ବନ୍ଦ କରିଦେଲା । ସାମନା ଗ୍ୟାରେଜ ମିସ୍ତ୍ରୀ ଆଲୁଅ ଲିଭେଇ ଦେଇ ତିଆରି ହେଉଥିବା ଗାଡ଼ି ଉପରେ ଚୁପ୍‌ହୋଇ ବସିଗଲା । ପରିବାବିକାଳି–ସବୁ ଏ କାଣ୍ଡକାରଖାନା ଦେଖି ନିଜ ପରିବାପତ୍ର ଛାଡ଼ିଦେଇ ଦୌଡ଼ିଲେ ବକ୍‌ସିବଜାର ଛକଆଡ଼େ–ବାତ୍ୟାରେ ଭାଙ୍ଗି ପଡ଼ୁଥିବା ଝାଉଁଗଛ ପରି । ପାଖ ଦୋକାନ ବଜାର ସବୁ ସଙ୍ଗେ ସଙ୍ଗେ ଧଡ଼୍‌ଧାଡ଼ ବନ୍ଦ ହୋଇଗଲା । ମୁହୂର୍ତ୍ତକ ଭିତରେ ଏତେବଡ଼ ଜନଗହଳି ଜାଗାଟି ନିଶୂନ ହୋଇଗଲେ । ଏବେ ରିକ୍‌ସା, ଏତେ ସାଇକେଲ, ଏତେ ଗାଡ଼ି କୁଆଡ଼େ ଗଲା କହି ହେବ ନାହିଁ । ବୁଲାଷଣ୍ଢ ମଧ୍ୟ ସେଠାରେ ନଥିଲା ।

 

ସେହି ନିଶୂନ ଛକଟାରେ ଠିଆ ହୋଇ ରହିଲା ଲାଇଟ୍‌ଖମ୍ବ । ତଳେ ଥିଲା ତାଜାରକ୍ତ ଏବଂ ଭଙ୍ଗା ସାଇକେଲ । ଏକ କାବୁଲିର ଛୁରା ଉଠେଇ ନେଇଯାଇଥିଲା–ସତେ ସେମିତିକି ସେ ଖଣ୍ଡେ ରାଜ୍ୟ ପାଇ ଯାଇଛି ।

 

ପୁଲିସ ଆସିଲା ବେଳେ ସବୁ ନିଶୂନ । ପଚାରିଲେ କେହି କଛି କହୁ ନାହାନ୍ତି । ସମସ୍ତେ ସ୍ତବ୍‌ଧ-ମୁକ । ବହୁ ପଚରାପଚରିରେ କେବଳ ଗୋଟିଏ ଉତ୍ତର–‘‘ଆମେ କିଛି ଜାଣିନାହିଁ । ପାଟିତୁଣ୍ଡ ଶୁଣି କବାଟ ବନ୍ଦ କରିଦେଲୁ । ଲାଇଟ୍‌ଲଭେଇ ଲୁଚିଗଲୁ । କାହା କାହା ଭିତରେ ଗଣ୍ଡଗୋଳ ହେଲା ଆମେ କହି ପାରିଲୁ ନାହିଁ ।

 

କାହିଁକି କିଏ କହିବାପାଇଁ ଆଗୁଆ ହେବ ? ଛୁରୀକୁ ଭୟ ନାହିଁ କି ? ପୁଲିସ କ’ଣ ସବୁବେଳେ ଥିବ ସାହାଯ୍ୟ କରିବା ପାଇଁ ? ଟଣିଆ ଦାଦାକୁ ନ ଜାଣେ କିଏ ? ଏହି ଅଞ୍ଚଳ ତା’ର–ପୁଲିସର ନୁହେଁ । ପୁଲିସ ଆସେ ସବୁ ଗଣ୍ଡଗୋଳ ଶେଷ ହେବା ପରେ । ସେଥିରେ ସାଧାରଣ ଲୋକଙ୍କର କିଛି ଲାଭ ହୁଏ ନାହିଁ ।

 

ପୁଲିସ ଆସିଲା ପରେ ପୁଣି ଦୋକାନ ବଜାର ଗୋଟିଏ ଗୋଟିଏ ଖୋଲିଲା । ଅଳ୍ପ ସମୟ ଭିତରେ ପୂର୍ବପରି କୋଳାହଳ, ଜନସମାଗମ–ସତେ ଯେମିତି କି ଘଡ଼ିଏ ଆଗରୁ କିଛି ଅଘଟଣ ଘଟିନାହିଁ । ରାସ୍ତାରେ ଯାଉଥିବା ଲୋକେ ଅନାସକ୍ତ ଭାବେ ପୁଲିସ ଓ ତାଜା ରକ୍ତର ଚକଡ଼ାଟିକୁ ଅନେଇ ଦେଇ ଚାଲିଯାଆନ୍ତି । ପାଖରେ ଠିଆ ହେବାପାଇଁ କାହାରି ଆଗ୍ରହ ନଥାଏ ।

ପୁଲିସ ରକ୍ତଟୋପା ସବୁ ଅନୁସରଣ କରି ଫିଲ୍‌ପ୍‌ସ ପଡ଼ିଆ ଯାଏ ଗଲେ । ସେଇଠି ପୁଣି ତାଜା ରକ୍ତ ପୂଜା ମାଟି । ତାହାପରେ ଆଉ କିଛି ଜଣା ପଡ଼ିଲା ନାହିଁ । ଏତେବଡ଼ ମାରପିଟ୍‌ର ନାୟକ ଜଣାପଡ଼ି ସୁଦ୍ଧା ଜାଣିହେଲା ନାହିଁ । ସହରର ଜଙ୍ଗଲ ଭିତରେ ସମସ୍ତେ ଉଭେଇ ଗଲେ । ପଥଚାରୀ, ପଦଚାରୀ ଭୁଲିଗଲେ ଯେ ସେ ଅଞ୍ଚଳରେ କିଛି ସମୟ ଆଗରୁ ପ୍ରବଳ ଉତ୍ତେଜନା ଲାଗି ରହିଥିଲା । ସହରର ଜନସମୁଦ୍ର ଭିତରେ ସବୁ ଅଘଟଣ ଲୁଚିଯାଇଥିଲା ।

ଡାହାଣ ହାତ କହୁଣି ପାଖରେ ଟଣିଆର ଛୁରୀଟା ଖୁବ୍‌ଜୋରରେ ପଶିଯାଇଥିଲା । ରକ୍ତ ପିଚ୍‌ପିଚ୍‌ହୋଇ ବାହାରୁ ଥିଲା । ଡାହାଣ ହାତଟା ଅକାମି ହୋଇଯାଇଥିଲା । ତଥାପି କାବୁଲି ସାହସ ହରେଇ ନ ଥାଏ । ବାଁ ହାତରେ ଟଣିଆକୁ ଗୋଟିଏ ମୁଥମାରି ସେ ଦୌଡ଼ି ଚାଲିଗଲା ଫିଲିପସ ବଙ୍ଗଳା ଆଡ଼େ–କାଳେ ନିଜ ଗ୍ୟାଙ୍ଗର କିଏ ଥିବ ? ସତକୁ ସତ ଟିସୁ ଓ ଗରୁ ଗଞ୍ଜେଇ ଟାଣୁଥିଲେ ଫିଲିପ୍‌ସ ପଡ଼ିଆରେ । ସେମାନଙ୍କ ପାଖରେ କଚାଡ଼ି ହୋଇ ପଡ଼ିଲା କାବୁଲି । ହାତରୁ ପ୍ରବଳ ଭାବେ ରକ୍ତ ବହୁଥାଏ । ଟିସୁ ଓ ଗରୁ ତାକୁ ଦେଖି ଛିଡ଼ା ହୋଇପଡ଼ିଲେ ଆଗତ ଆକ୍ରମଣକୁ ପ୍ରତିହତ କରିବା ପାଇଁ । କିନ୍ତୁ ସେମାନଙ୍କ ଧାରଣା ଭୁଲ୍‌ଥିଲା । ଫିଲପ୍‌ସ ପଡ଼ିଆ ବର୍ତ୍ତମାନ ଟଣିଆ ରାଜ୍ୟରୁ ଚାଲିଯାଇଛି । ବିଦେଶରେ ଆକ୍ରମଣ କରିବାକୁ ହେଲେ ସୈନ୍ୟବଳ ଦରକାର । ତା’ ପାଖରେ ବର୍ତ୍ତମାନ ଗ୍ୟାଙ୍ଗ ସଭ୍ୟ କମ୍‌ ।

କାବୁଲିର ହାତକୁ ନିଜ ସାର୍ଟରେ ବାନ୍ଧିଦେଇ ତାକୁ ଟେକିନେଇ ଗଲେ ମକୁ ଘରକୁ । ମକୁ ଘର ଦିୱାନବଜାରରେ । ମକୁ ସେତେବେଳେ ଅନ୍ୟମାନଙ୍କ ସହ ଆଖଡ଼ାରେ ବ୍ୟସ୍ତ–ଗୋଡ଼ହାତ ସବୁକୁ ଲୁହାପରି ଟାଣ କରିବା ପାଇଁ । କାବୁଲିକୁ ଟେକି ଟେକି ଆଣିବାର ଦେଖି ତା’ ମୁଣ୍ଡକୁ ପିତ୍ତ ଚଢ଼ିଗଲେ । ଦୁଲ୍‌ଦାଲ କବାଟଟାକୁ ଦୁଇ ଗୋଇଠା ପକେଇ ସେ ପାଟି କରି ଉଠିଲା–‘କେଉଁ ଶଳା, ହାରାମଜାଦା ତାକୁ ମାରିଲା ବେ ?’’

କ୍ଷୀଣ କଣ୍ଠରେ କାବୁଲି କହିଲା–ଟଣିଆ । ଶଳାକୁ ଆଜି ଖତମ କରିଦେବି । ଗର୍ଜିଉଠିଲା ମକୁ । ପାଖରେ ଥିବା ଅନ୍ୟ ଦୁଇଜଣ ଗ୍ୟାଙ୍ଗ ମେମ୍ବରଙ୍କୁ ଡାକି କାବୁଲିକୁ ସେମାନଙ୍କ ଚିହ୍ନା ଡାକ୍ତର ପାଖକୁ ନେବାକୁ କହି ସଜ ବାଜ ହେଲା–ଟଣିଆ ସହ ସେହି ରାତି ଭିତରେ ମୁକାବିଲା କରିବା ପାଇଁ ଦୁଇଟା ଛୁରୀ ଖୋପ ସହ ପିଠି ଓ ଛାତି ପଟେ ବାନ୍ଧିଲା । ହାତରେ ଗୋଟିଏ ଭୁଜାଲି ଧରିଲା । ଟିସୁ ଓ ଗରୁ ଦୁଇଟା ଲମ୍ବା ତଲୁଆର ଧରି ତା’ ପଛେ ପଛେ ଗଲେ । ଖୁବ୍‌ ଜୋରରେ ସେମାନେ ଚାଲି ଆସିଲେ ତିନିକୋଣିଆ ବଗିଚା ଛକକୁ । ମକୁ ଲକ୍ଷ୍ୟ କଲା–ପୁଲିସ ଗାଡ଼ି ପଇଁତରା ମାରୁଛି । ଟିସୁ ଓ ଗରୁକୁ ଇସାରା ଦେଲା ପ୍ୟାରିମୋହନ ଏକାଡେମୀ ପାଚେରୀ ଡେଇଁ ତା ଉପରେ ଲୁଚି ରହିବା ପାଇଁ । ନିଜେ ସାର୍ଟକୁ ଭଲରୂପେ ସଜାଡ଼ି ଦେଇ ଆଗେଇଗଲା ଛକ ପାଖକୁ । ଛକକୁ ତା’ର ଡର ନାହିଁ । ବର୍ତ୍ତମାନ ପୁଲିସ ଅଛନ୍ତି ! ଏତିକି ବେଳେ ତାକୁ ଦେଖି ପଚରା ପଚରି କରିବେ ନାହଁ....ତା’ ଦଳ ସେ ଶାସନରେ ଅଛନ୍ତି ! ଗତ ନିର୍ବାଚନରେ ଏହି ଦଳକୁ ସେ କେତେ ସାହାଯ୍ୟ କରିଛି । ପୁଲିସ ସବୁ ଜାଣିଛନ୍ତି । ତେଣୁ କିଛି ପଚାରିବେ ନାହିଁ-। ସେମାନଙ୍କର ଏତେ ସାହସ କାହିଁ ?

ଜନଗହଳି ତିନିକୋଣିଆ ବଗିଚା ଛକରେ ଛିଡ଼ାହୋଇ ଚାରିଆଡ଼କୁ ଅନେଇଲା । ଅଳ୍ପ ଦୂରରେ ସବ୍‌ଇନସ୍‌ପେକ୍ଟର ଓ ଦୁଇଜଣ ସିପାହୀ ଛିଡ଼ା ହୋଇଥିଲେ.....ପେଟିନ୍‌ସାହିପଟେ ଆଉ କେତେ ପୁଲିସ ଯାଉଥିବା ଲକ୍ଷ୍ୟ କଲା ମକୁ ! ପୁଲିସବାବୁଙ୍କ ପାଖକୁ ଗଲା ଏବଂ କିଛି ନ ଜାଣିଲା ପର ପଚାରିଲା–ସାର୍‌ ! କ’ଣ ହେଇଛି ?

ସବ୍‌ଇନ୍‌ସପେକ୍ଟର ତାକୁ ଅନେଇଲେ, ଚିହ୍ନିଲେ; କିନ୍ତୁ କିଛି କହିଲେ ନାହିଁ । କିଛିସମୟ ପରେ କହିଲେ–ତୁ ଚାଲିଯା ଏଠୁ । ଆମେ ଟଣିଆକୁ ଖୋଜୁଛୁ । ସେ ଜାଣିପାରୁଥିଲେ ମକୁ କାହିଁକି ସେଠାକୁ ଆସିଛି; କିନ୍ତୁ ପଚାରି ପାରୁ ନଥିଲେ । ପଚାରିଥାନ୍ତେ କେମିତି–ତା’ ପଛରେ–ସରକାର ଦଳର ସମର୍ଥନ ରହିଛି । ଏବେ ସିଏ ରଜା–ଦୁଇବର୍ଷ ପୂର୍ବେ ଟଣିଆ ଯେମିତି ଥିଲା । ମନକୁ ମନ ସବ୍‌ଇନ୍‌ସପେକ୍ଟର ଭାବିଲେ–ମୂର୍ଖ ଗୁଡ଼ାକ । ମାରନ୍ତୁ ନିଜ ନିଜକୁ–ଫାଇଦା ଅନ୍ୟମାନେ ନିଅନ୍ତୁ ।

 

ମକୁ ଛିଡ଼ାହୋଇ ଚାରିଆଡ଼କୁ ନିଘା କରୁଥିବାଦେଖି ସବ୍‌ଇନ୍‌ସପେକ୍ଟର ପୁଣି କହିଲେ–ମକୁ । ତୁ ଏଠି ଚାଲିଯା । ଡି.ଏସ.ପି ଆସିବେ ।

 

ମକୁ ଏକାଡେମୀ ଭିତରକୁ ଚାଲି ଗଲା । ଡାକିନେଲା ଟିସୁ ଓ ଗରୁକୁ । କହିଲା–ଏବେ ଅପେକ୍ଷା କରି ଲାଭ ନାହିଁ । ଟଣିଆ ଲୁଚି ଯାଇଥିବ । ପୁଲିସ ତାକୁ ପାଇବେ ନାହିଁ । ପରେ ଆମେ ଆସି ଖୋଜିବା । ପୁଲିସ ପଇଁତରା ଦେଖି ଟିସୁ ଓ ଗରୁର ସେଠାରେ ଅଧିକା ସମୟ ରହିବାକୁ ଇଚ୍ଛା ନଥାଏ । ମକୁର ପ୍ରସ୍ତାବରେ ସେମାନେ ସଙ୍ଗେ ସଙ୍ଗେ ରାଜି ହୋଇଗଲେ । ସେମାନେ ବାହାରି ଗଲାବେଳେ ମକୁ ଗୋଟିଏ ଛୁରୀ ବାହର କରି ଏକାଡେମୀର କବାଟ ଉପରେ ଜୋର୍‌ରେ ମାରିଦେଇ ଚାଲି ଗଲା ସୁଯୋଗକୁ ଅପେକ୍ଷା କରି ।

 

ପୁଲିସ ସେତେବେଳକୁ ଖାନ୍‌ତଲାସ ଆରମ୍ଭ କରି ଦେଲେଣି ମକରବାସାହି, ପେଟିନ୍‌ସାହି ଅଞ୍ଚଳରେ । ହୁଇସିଲ୍‌ର ସ୍ଵର, ବୁଟ୍‌ର ଓଜନଦାର ପାଦ ଶବ୍ଦ ସାଙ୍ଗକୁ ଅଯଥା ଦଉଡ଼ାଦଉଡ଼ି ସେହି ଖଣ୍ଡମଣ୍ଡଳରେ ସମସ୍ତଙ୍କୁ ଜଣେଇ ଦେଉଥାଏ ପୁଲିସ କାହାକୁ ଖୋଜୁଛନ୍ତି । ଗୋପବନ୍ଧୁ ଭବନ ପାଖରୁ ଆସି ଅନ୍ନପୂର୍ଣ୍ଣା ପାଖରେ ବସିଥିଲା । ଟଣିଆ । ଗଞ୍ଜେଇଦିଆ ବିଡ଼ି ଟାଣି ଆଡ଼କୁ ଅନାଉଥାଏ । ଯେତେବେଳେ ପୁଲିସ ଭ୍ୟାନ ଯିବା ଆସିବା କଲା, ସେ ଜାଣିଲା ତାକୁ ଖୋଜା ଚାଲିଛି । ଏତେ ଚଞ୍ଚଳ ଖୋଜା ହେବ ବୋଲି ସେ ଭାବିପାରୁନଥିଲା । ଦୁଇବର୍ଷ ତଳେ କେହି ସାହସ କରି ତାକୁ ଖୋଜିବାକୁ ଆସୁ ନଥିଲେ । ଏବେ ସବୁ ଓଲଟପାଲ ହୋଇଯାଇଛି । ଖପ୍‌କରି ଡେଇଁ ସେ ଚାଲିଗଲା ରାସ୍ତାର ଆରପଟକୁ । କିଛି ସମୟ ବସିଲା ମକରବା ସାହି ମୁଣ୍ଡରେ । ସେ ଆଡ଼କୁ ପୁଲିସ ଆସୁଥିବା ଦେଖି ନିଜକୁ ସାଙ୍ଗରେ ନେଇ ଦଉଡ଼ିଲା ବାଇବେଲ ସୋସାଇଟି ଘର ପଛପଛକୁ । ସେ ଜାଗାଟି ଲୁଚିବା ପାଇଁ ଖୁବ୍‌ଭଲ । ସନ୍ଦେହ କରି କେହି ସେଠାକୁ ଆସିବେ ନାହିଁ । ଆସିଲେ ସନ୍ତସନ୍ତିଆ ମଇଳା ପାଣିର ଖାତ, କେହି ପାଖକୁ ଯିବେ ନାହିଁ-। ପୁଲିସ କାହିଁକି ଏତେ କଷ୍ଟକର ମଇଳା ପାଣିରେ ପଶିବ ? ଆଜି ଧରା ନ ପଡ଼ିଲେ ତାଙ୍କର ଯାଏ ଆସେ କେତେ ?

 

ମଇଳା ପାଣି ଖାତର ଅମରବାଡ଼ି ଉହାଡ଼ରୁ ଟଣିଆ ଦେଖୁଥାଏ ପୁଲିସବାବୁମାନଙ୍କୁ । ସେମାନେ କେତେ ଘର ତଲାସ କରି ପକେଇଲେଣି । ଚାରିଆଡ଼େ ହୋ...ହୋ । ତା’ ନିଜ ଘର କବାଟ ମା’ ଖୋଲୁ ନାହିଁ । କବାଟ ଉପରେ ଲାଠି ପ୍ରହାର ଖୁବ୍‌ ହେଲାଣି । ବଡ଼ ପାଟି, ଚିତ୍କାର ଓ ଧମକ ପରେ ମା’ କବାଟ ଖୋଲିଦେଲା । ପୁଲିସବାବୁମାନେ ଘର ତଲାସ କରି ବାହାରି ଆସିଲେ-। ଘରଭିତରୁ ବାହାରି ଆସିଲାବେଳେ ପୁଲିସବାବୁମାନେ ନିଜ ନିଜ ଉପରେ କଥାବାର୍ତ୍ତା ହେଉଥିବାର ଟଣିଆ ଶୁଣିପାରିଲା । ଜଣେ କିଏ କହୁଥାନ୍ତି–ଏତିକି ବେଳେ ଟଣିଆ କ’ଣ ଘରେ ଥିବ ? ମିଛରେ ଡି.ଏସ୍‌.ପି ଘର ଖୋଜିବା ପାଇଁ କହିଲେ !

 

ଆମ ପାଇଁ ଯାହା ଆଦେଶ ତାହା ପାଳନ କରିଦେଲେ ଗଲା । ସେ ମିଳୁ ବା ନ ମିଳୁ–ଅନ୍ୟଜଣେ କହିଲେ ।

 

ବାଟରେ ଯାଉଥିବା ଗୋଟିଏ ଲୋକକୁ ଜଣେ ପୁଲିସବାବୁ ପଚାରିଲେ–ଏ ପଟରେ କିଏ ସବୁ ଦୌଡ଼ି ପଳେଇବା ଦେଖିଥିଲ କି ?

 

ଲୋକଟି ସେ ଅଞ୍ଚଳରେ ନୂଆ ପରି ମନେହେଲା । ଖୁବ୍‌ ସରଳ ଭାବରେ ସେ କହିଲା–ବାଇବେଲ୍‌ ସୋସାଇଟି ଆଡ଼କୁ କିଏ ଦୁଇଜଣ ଧାଇଁ ପଳେଇଲେ ।

 

ସଙ୍ଗେ ସଙ୍ଗେ ପୁଲିସ ଦଳ ବାଇବେଲ ସୋସାଇଟି ଘର ଭିତରେ ପଶି ଖାନତଲାସ ଆରମ୍ଭ କରିଦେଲେ । ସେତିକିବେଳେ ଟଣିଆ ଓ ନିକ ମଇଳାଖାତ ଭିତରେ ପଶିଗଲେ । ଆଣ୍ଠେଇ ପଡ଼ିଲେ ପାଣି ଭିତରେ । ଦୁଇ ଚାରିଟା ଅମରୀ ଡାଳ ଭାଙ୍ଗ ଆଣି ମୁଣ୍ଡଉପରେ ରଖି ଦେଲେ । ମଇଳା ପାଣିର ଗନ୍ଧ ତାଙ୍କ ନାକରେ ବାଜୁ ନଥାଏ । ଅସଂଖ୍ୟ ମଶାର ଦଂଶନ ସେମାନଙ୍କୁ ବିବ୍ରତ କରି ନଥାଏ । ଚୁପ୍‌ଚାପ୍‌ ରହିଥାନ୍ତି ସେମାନେ । ପ୍ରଥମେ ଅମରୀ ବୁଦା ପର୍ଯ୍ୟନ୍ତ ଆସି ପୁଲିସ ଦଳ ଚାରିଆଡ଼େ ଟର୍ଚ୍ଚ ପକେଇଲେ । ସାମନାରେ ପାଣି ଦେଖି ଆଗକୁ ଗଲେ ନାହିଁ ।

 

ବହୁତ ସମୟ ଟର୍ଚ୍ଚ ପକେଇଲା ପରେ କିଏ ଜଣେ ପୁଲିସ ବାବୁ କହିଲେ–ଏଇଠୁ ପଳେଇ ଗଲେଣି । ଆମେ କେତେବେଳୁ ଆସିଲୁଣି । ଆଉ କ’ଣ ସେମାନେ ଏଇଠି ରହିଥବେ । ଚାଲ ପରେ ଦେଖିବା ।

 

ସବୁ ତଲାସୀ ପରି ଏହା ଭଲରେ ମଧ୍ୟ ପୁଲିସର ଆନ୍ତରିକତା ନ ଥିଲା–ଏତେ କଷ୍ଟ କିଏ କରୁଛି ? ଏପଟେ ସେପଟେ ବୁଲାବୁଲି କରି, ଗୁଡ଼ାଏ ଘର ଭିତର ବାହାର ଦେଖି ପୁଲିସ ଦଳ ଏକାଠି ହେଲେ । ତଲାସୀ ଆରମ୍ଭରେ ଯେମିତି ତମ୍ୱିତୋଫାନ, ହୁଇସିଲର ସୁର, ଭାରି ବୁଟ୍‌ର ଶବ୍ଦ ଶୁଣାଯାଏ, ଖୋଜାଖୋଜି, ଦୌଡ଼ାଦୌଡ଼ି ଶେଷରେ ସେମିତି ହୁଇସିଲର ସ୍ୱର, ଅଯଥା ଆଦେଶ, ହୁକୁମ ତାମିଲର ପାଦଶବ୍ଦ ଏବଂ କଣ୍ଠଶବ୍ଦ ଶୁଣାଯାଏ । ଫେରିଗଲା ବେଳେ ବାହାଦୁରୀ, ମାନ ଅପମାନ ବିଷୟରେ ଟିକ୍କା ଟିପ୍ପଣୀ ହୁଏ ।

 

ଥରେ ଫେରିଗଲେ ପୁଲିସ ସଙ୍ଗେ ସଙ୍ଗେ ଆସେ ନାହିଁ ତଲାସୀ କରିବା ପାଇଁ । ପୁଣି ଖବର ସଂଗ୍ରହ; ତା’ପରେ ଯୋଜନା ହେଲେ ଯାଇଁ ତଲାସୀ ହୁଏ । ସବୁଠାରୁ ନିରାପଦ ସମୟ ହେଲା ତଲାସୀ ପରର କେତେ ଘଣ୍ଟା ।

 

ପୁଲିସ ଦଳ ଚାଲିଗଲା ପରେ ଟଣିଆ ଜାଣିଲା ବର୍ତ୍ତମାନ ନିରାପଦ । ମଇଳା ପାଣି ଭିତରୁ ସେ ବାହାରି ଆସିଲା । ନିକକୁ ଟାଣି ଆଣିଲା । ଅସନା, ମଇଳା ପାଣିରେ ଦୁହେଁ ପରାପୂରି ବୁଡ଼ିଯାଇଥିଲେ । ବାଇବେଲ ସୋସାଇଟି ପଛପଟେ ଥିବା ପାଇପ୍‌ରେ ଗାଧୁଆ ପାଧୁଆ କଲେ । ଟଣିଆ ନିକର ପିଠିପଟେ ଲାଗିଥିବା ମଇଳା ସବୁ ନିଜେ ପୋଛି ପକେଇଲା । ଗାଧୁଆ ସରିଗଲା ପରେ ନିକକୁ କହିଲା–ସେ ଲୋକଟା ପୁଲିସବାଲାଙ୍କୁ ନ କହିଥିଲେ କ’ଣ ସେମାନେ ଏଠିକି ଆସିଥାନ୍ତେ ? ସେ ଶଳାଟା କିଏ ଟିକିଏ ବୁଝିଲୁ । କାଲି ତାକୁ ସିଧା କରିଦେବା ।

 

ପ୍ରତିଦିନ ସନ୍ଧ୍ୟା ହେଲେ ମକୁ ତା’ ଗ୍ୟାଙ୍ଗର ଦୁଇଜଣ ସାଥୀକୁ ପଠେଇ ଦିଏ ଏକାଡ଼େମୀ ପାଚେରୀ ଉପରକୁ । ସେମାନେ ଲକ୍ଷ୍ୟ କରୁଥାଆନ୍ତି ତିନିକୋଣିଆ ବଗିଚା ଓ ସଚ୍ଚିଦାନନ୍ଦ ମଠ ରାସ୍ତାକୁ । ଟଣିଆ କିମ୍ବା ତା’ ଦଳର କେହି ଗଲେ ସେମାନେ ସଙ୍ଗେ ସଙ୍ଗେ ଖବର ଦେବେ ମକୁକୁ । ସନ୍ଧ୍ୟା ହେଲାକ୍ଷଣି ମକୁ ଆସି ତାର ଆଡ୍‌ଡ଼ା ଜମାଏ–ମୋଚିସାହି ମଦ ଦୋକାନରେ । ଛୁରା, ଚାକୁ, ଫାର୍ଶା, ଭୁଜାଲି ସବୁ ଧରି ତା ଗ୍ୟାଙ୍ଗ ଲୋକ ପ୍ରସ୍ତୁତ । ଇଶାରା ପାଇଲେ ମାଡ଼ିଯିବେ ଟଣିଆ ଦଳକୁ ଆକ୍ରମଣ କରିବା ପାଇଁ । ବିଚରା ମଦ ଦୋକାନୀର ବହୁତ କ୍ଷତି । ଦୋକାନ ଭିତରେ ବସିଥିବା ଲୋକଙ୍କୁ ମଦ ଦେବାକୁ ପଡ଼େ–ତା’ଛଡ଼ା ସମୟ ସମୟରେ ଏକାଡ଼େମୀ କାନ୍ଥ ଉପରକୁ ମଦ ଯୋଗେଇବା ଆବଶ୍ୟକ । ସେ ବା କରିବ କ’ଣ ? ତା’ର ଯେଉଁ ବ୍ୟବସାୟ ସେଥିରେ ଭଲଲୋକ ଗ୍ରାହକ ନୁହନ୍ତି । ଯେଉଁମାନେ ଗ୍ରାହକ ତାଙ୍କ ଉପରେ ଅଧିକାଂଶ କଥା କଥାରେ ପିଟାପିଟି କରିଦେବେ । ସେହି ପ୍ରକାର ଲୋକଙ୍କୁ ଜବତ କରିବା ପାଇଁ ମକୁ ଦଳର ସାହାଯ୍ୟ ଆବଶ୍ୟକ । ଏବେ ସେମାନେ ଅଧିକା ପିଇଗଲେ ଚୁପ୍‌କରି ସହିବାକୁ ହେବ । ବରଂ ଅଧରାତି ବେଳକୁ ନିଶାଖୋରମାନଙ୍କ ଗ୍ଳାସରେ ଅଧା ମଦ ଅଧାପାଣି ଦେଲେ ସେମାନେ ଜାଣିପାରିବେ ନାହିଁ ।

 

ତିନିଦିନ ଅପେକ୍ଷା ପରେ ଖବର ଆସିଲା ଟଣିଆ ଗ୍ୟାଙ୍ଗର ନିକ ସିନେମା ଯାଇଛି–ସେକେଣ୍ଡ ସୋ । ସାଙ୍ଗରେ ଆଉ ଜଣେ ନୂଆ ଟୋକା ।

 

ପ୍ରସ୍ତୁତ ହୋଇଗଲା ମକୁ ତା’ ଦଳବଳ ସହ । ଚୁପ୍‌ଚାପ ଆସି ସେମାନେ ଲେପ୍‌ଟିଗଲେ ଏକାଡ଼େମୀ କାନ୍ଥ କଡ଼ରେ । ଅନ୍ଧାରରେ ସେମାନଙ୍କୁ ବାରି ହେଉ ନଥାଏ । ଜଣେ ଅଧେ ସେମାନଙ୍କୁ ହାତ ହତିଆର ଧରି ଛିଡ଼ା ହୋଇଥିବାର ଦେଖିଲେ କିଛି ନକହି ଦୂରେଇ ଯାଆନ୍ତି । ଏକାଡ଼େମୀ କାନ୍ଥ ପାଖରେ ବାଉଁଶ ଟୋକେଇ ବୁଣୁଥିବା ଲୋକମାନେ ଏସବୁ ଦେଖି ନ ଦେଖିଲା ପରି ରହି ଯାଆନ୍ତି । ସେମାନଙ୍କ ନିତିଦିନିଆ ଜୀବନରେ ଏହି ଦୃଶ୍ୟ ସାଧାରଣ । ଭଲ କରି ଦେଖିବା ମାନେ ବିପଦ, ବରଂ କିଛି ନ ଦେଖିବା ଅଭିନୟ କଲେ କେହି ସେମାନଙ୍କ ଚଲା ବାଟରେ କଣ୍ଟା ବିଛେଇବ ନାହିଁ । ସୁରୁଖୁରୁରେ ସେମାନେ ନିଜ ଘର, ନିଜ ପିଲାମାନଙ୍କ ପାଖରେ ରହି ପାରିବେ–ଦେହରେ ଆଘାତ ଲାଗିବ ନାହିଁ । ପୁଲିସର ପଚରା ଉଚରା ଜ୍ୱାଳାରେ ହନ୍ତସନ୍ତ ହେବେ ନାହିଁ । ସେମାନଙ୍କ ଛୋଟ କୁଡ଼ିଆ ଭାଙ୍ଗି ଯିବ ନାହିଁ, ବାଉଁଶ ଟୋକେଇ ସବୁ କେହି ପୋଡ଼ି ଦେବ ନାହିଁ ।

 

ସେକେଣ୍ଡ ସୋ ସିନେମା ପରେ ପରେ ନିକ ଓ ତା’ ସାଙ୍ଗ ଛକକୁ ଆସି ଗୋଟିଏ ଗୋଟିଏ ସିଗାରେଟ ଧରେଇଲେ । ସିନେମାରେ ବିଭିନ୍ନ ଦୃଶ୍ୟ ବିଷୟରେ କଥା ହେବାରେ ବ୍ୟସ୍ତ–ଅନ୍ୟ ଆଡ଼କୁ ନଜର ନାହିଁ । କଥାବାର୍ତ୍ତା ଭିତରେ ଅଶ୍ଳୀଳ ମନ୍ତବ୍ୟ, ନାୟକର ବାହାଦୁରୀର ତାରିଫ୍‌-। ହଠାତ୍‌ ଚାରି–ଛଅଜଣ ମୁହଁରେ ରୁମାଲ ବାନ୍ଧି ଆସି ନିକକୁ ଶୂନ୍ୟେ ଶୂନ୍ୟେ ଉଠେଇ ନେଇଗଲେ-। ତା’ର ସାଥୀଟାକୁ ଗୋଟାଏ ଧକ୍‌କା ପକେଇଥାନ୍ତି । ସେ ଉଠି ଛୁରୀ ବାହାର କଲାବେଳକୁ ଆକ୍ରମଣକାରୀମାନେ ଗଳିର ଅନ୍ଧାର ଭିତରେ ଉଭେଇ ଗଲେ । ମନେହେଉଥିଲା ସେମାନେ ସୁଚିନ୍ତତ ଯୋଜନା କରିଥିଲେ । ନିର୍ଭୟରେ ବୁଲାବୁଲି କରି ପାରୁଥିଲେ । ଏତେ ଜଣଙ୍କୁ ମୁକାବିଲା କରିବା ପାଇଁ ଅନ୍ୟ ଟୋକାଟିର ସାହସ ନଥିଲା । ପେଟିନ୍‌ସାହି ଦେଇ ଦୌଡ଼ିଲା ଟଣିଆ ପାଖକୁ ।

 

ଚାରି ଛଅଜଣ ମୁଖାଲଗା ଲୋକ ନିକକୁ ଶୂନ୍ୟ ଶୂନ୍ୟ ଉଠେଇ ନେଲାବେଳେ ତା’ ପକେଟ ଅଣ୍ଡାଳି ପକେଇଲେ । ପକେଟରେ କିଛି ପାଇଲେ ନାହିଁ । ଅଣ୍ଟା ଅଣ୍ଡାଳି ବଡ଼ ଛୁରୀଟିଏ ପାଇଲେ । ନିକ ପାଟି କରୁଥିବା ଦେଖି ଗୋଟିଏ ଟାଓ୍ୱାଲରେ ତା ପାଟିକୁ ବାନ୍ଧିଦେଲେ । ଅବଶ୍ୟ ପାଟି ଶୁଣି କେହି ତାର ସାହାଯ୍ୟ ପାଇଁ ଆଗେଇ ଆସି ନ ଥାନ୍ତା । ନିକକୁ ପହଞ୍ଚେଇ ଦେଲେ ମକୁ ସାମନାରେ–ଏକାଡ଼େମୀ ଖେଳ ପଡ଼ିଆ ଉପରେ । ଖେଳ ପଡ଼ିଆର ଅନ୍ଧାର ଭିତରେ ରଜାପରି ବସିଥାଏ ମକୁ । ପାଖରେ ଗ୍ୟାଙ୍ଗର ଅନେକ ସାଥୀ–ସେମାନେ ଯେମିତି କି ସଭାସଦ୍‌ ।

 

ନିକକୁ ପାଖକୁ ଆଣୁ ଆଣୁ ଜଣେ କିଏ ତା’ ଉପରେ ବର୍ଷଣ କରିଗଲା ବିଧା ଚାପୁଡ଼ା । ମାଡ଼ ବନ୍ଦ କରିବା ପାଇଁ କହି ମକୁ ନିକକୁ ପଚାରିଲା–

 

ଆବେ ଶାଲା । ଟଣିଆ କେଉଁଠି ଅଛି କହ ।

 

ନିକ ଜାଣେ ଟଣିଆ ଏତିକିବେଳେ କେଉଁଠି ଥିବ; କିନ୍ତୁ ନିଜ ଗ୍ୟାଙ୍ଗ୍‌ର ସର୍ଦ୍ଦାର କଥା କହିଦେବ କେମିତି ? ସେଇଟା ଗ୍ୟାଙ୍ଗ୍‌ର ନିୟମ ବାହାରେ । ସେ କିଛି କହିଲା ନାହିଁ ।

 

ମକୁ ଆଦେଶ ଦେଲା–ବଜା ଶଳାକୁ ।

 

ଅଣ୍ଟାର ବେଲ୍‌ଟ ବାହାରକରି ଜଣେ ବସେଇ ଗଲା ନିକ ଉପରେ । ବେଲ୍‌ଟର ‘ସପାତ୍‌, ସପାତ୍‌’ ଆୱାଜ ରାତିର ନିଃସ୍ତବ୍‌ଧତା ଭେଦ କରି ଚାରିଆଡ଼େ ବ୍ୟାପି ଯାଉଥାଏ । ମନେ ହେଉଥିଲା ସେହି ଶବ୍ଦ ସେ ଅଞ୍ଚଳରେ ମକୁର ଆଧିପତ୍ୟ ପ୍ରତିପାଦନ କରିବା ପାଇଁ ତତ୍ପର ।

 

ମାଡ଼ ସଙ୍ଗେ ନିକ କିଛି କହୁ ନଥାଏ । ତାର ଆନୁଗତ୍ୟ ଟଣିଆ ପାଖରେ । ସାମାନ୍ୟ ଶାରୀରିକ କଷ୍ଟ କିଛି ନୁହେଁ । ତା’ ପାଟିରୁ ରକ୍ତ ବାହାରିଲାଣି । ପିଠି ଅସମ୍ଭବଭାବେ ପୀଡ଼ା ହେଲାଣି । ତଥାପି ନିରୁତ୍ତର । କଷ୍ଟ ସହିବା ପାଇଁ ଆଗରୁ ସେ ତାଲିମ ନେଇଛି । ମାଡ଼ ସାମୟିକ ଦୁଃଖ ଦେବ; କିନ୍ତୁ ଟଣିଆ ପାଖରୁ ଟାଣିନେଇ ପାରିବ ନାହିଁ ।

 

ଶଳା ହାରମଜାଦା କିଛି କହିବନି । ଶଳେ କାବୁଲିକୁ ଛୁରା ମାରିବା ଫଳ ପାଇବ ଏବେ–କହିଲା ମକୁ । ଏକ ବେଳକୁ ସିନେମା ହଲ୍‌ପଟେ ହୋହଲ୍ଲା ଶୁଭୁଥାଏ । ପାଟି ଶବ୍ଦ ଶୁଣି ମକୁ କହିଲା–ଟଣିଆ ଆସିଗଲାଣି । ଏ ଶଳାଟାର ଡାହାଣ ହାତଟା କାଟିଦିଅ । ବେଟା ଆସି ଦେଖୁ କାହାର ପାବାର ବେଶୀ ।

ତା ଆଦେଶଟା ଥିଲା ଅତି ସ୍ଵାଭାବିକ–ଯେମିତି କି ସେ କାକୁଡ଼ି କଟିବା ପାଇଁ ଆଦେଶ ଦେଉଛି । ସେହିପରି ସ୍ଵାଭାବିକ ଓ ଅନାସକ୍ତ ଭାବ ଦେଖେଇ ଦୁଇଜଣ ନିଜକୁ ଧରିନେଲେ । ଆଉ ଜଣେ ଫାର୍ଶା ଚୋଟରେ ଡାହାଣ ହାତ ପାପୁଲିଟାକୁ କାଟିଦେଳା କଚଟି ପାଖରୁ–ଛେଳିର ବେକ କାଟିଲା ପରି । କଟା ହାତ ପାପୁଲି ତଳେ ପଡ଼ି ଛଟଛଟ ହେଲାବେଳେ ନିକ ବେହୋସ । ସେହ ମୁହୂର୍ତ୍ତରେ ମକୁ ଓ ତା ଗ୍ୟାଙ୍ଗର ସବୁ ସାଥୀ ପାଚେରୀ ଡେଇଁ ବାଉଁଶ ଗଳି ପଟେ ଉଭେଇ ଗଲେ । ବାଉଁଶ ଗଳି ତାଙ୍କ ସୀମା ଭିତରେ । ଏକାଡେମୀ ଅଞ୍ଚଳ କାହାର ନୁହେଁ ।

ଖପାଖପ୍‌ ପାଞ୍ଚ–ଛଅଜଣ ଡେଇଁପଡ଼ିଲେ ଏକାଡ଼େମୀ ହତାକୁ–ସବା ଆଗରେ ଟଣିଆ-। ନିକ ପଡ଼ି ଛଟପଟ ହେଉଥାଏ । ପାଟିରୁ କଥା ବାହାରୁ ନଥାଏ । ତା’ର କଟା ହାତଟାକୁ ଦେଖି ଟଣିଆ ପାଟିକରି ଉଠିଲା ଅସମ୍ଭବ ଭାବେ–ଖାଲି । ବଦ୍‌ଲା ଲେଙ୍ଗେ ।

ସଙ୍ଗେ ସଙ୍ଗେ ନିକ ଦେହଟାକୁ ଉଠେଇ ଚାଲିଲା ଫାଟକ ପଟକୁ । ପ୍ରତିପକ୍ଷକୁ ଖୋଜି ବାହାର କରିବା ଇଚ୍ଛା ନଥିଲା ସେତେବେଳେ । ସେ ଚାହୁଁଥିଲା ନିକକୁ ବଞ୍ଚେଇବ । ତାକୁ ଡାକ୍ତରଖାନାରେ ପହଞ୍ଚେଇବ । ରିକ୍‌ସାରେ ପକେଇ ଡାକ୍ତରଖାନା ନେଲାବେଳେ ସାଥୀମାନଙ୍କୁ ଆଦେଶ ଦେଉଥାଏ–ପେଟ୍ରୋଲ ପମ୍ପ ପାଖରେ ଜଗିବ । ଶଳେ ସେହି ବାଟ ଦେଇ ଆସିପାରନ୍ତି ।

ସେତିକିବେଳେ ପୁଲିସ ହୁଇସିଲ ଶୁଣାଗଲା–ଦରଘା ବଜାର ଛୋଟ ମସ୍‌ଜିଦ୍‌ପଟୁ । ରିକ୍‌ସାକୁ ପେଟିନ୍‌ସାହି ଦେଇ ନେବାପାଇଁ କହିଲା ଟଣିଆ । ବାଟ ଦୋକାନରୁ ମଦ ଟିକିଏ ଆଣି ପିଆଇଦେଲା ନିକକୁ–ତାର ଯନ୍ତ୍ରଣା କମେଇବା ପାଇଁ । ନିକ ମୁଣ୍ଡକୁ ନିଜ କୋଳରେ ରଖିଦେଲା । କଟା ହାତଟାକୁ ନିଜ ସାର୍ଟ ବାହାର କରି ବାନ୍ଧି ଦେଇଥାଏ ରକ୍ତସ୍ରାବ ବନ୍ଦ କରିବା ପାଇଁ । ଗଲାବେଳେ ନିକର ମୁଣ୍ଡ ଅଣ୍ଡାଳୁ ଅଣ୍ଡାଳୁ କହୁଥାଏ–ନିକରେ ! ମୋ ପାଇଁ ତୋର ଏ ଦଶା ହେଲା-

ମେଡ଼ିକାଲରେ ପହଞ୍ଚି ଡାକ୍ତରଙ୍କ ପାଖରେ ଜମାଦେଲା ନିକର ଅର୍ଦ୍ଧ ଜାଗ୍ରତ ଦେହକୁ । ତା’ ହାତରେ ଫାର୍ଶା ଦେଖି ଡାକ୍ତର କିଛି କହି ପାରିଲେ ନାହିଁ–କିଛି ପଚାରି ପାରିଲେ ନାହିଁ ।

ଡାକ୍ତରଙ୍କ ମନରେ ସ୍ଵାଭାବିକ ପ୍ରଶ୍ନ ଉଠୁଥାଏ–ଏ ଲୋକକୁ ମାରିଲା କିଏ ? କାହିଁକି ମାରିଲା ? ତାକୁ ଆଣିଥିବା ଲୋକର ନାଁ କ’ଣ ?

ସହରର ଅଳ୍ପ କେତେଦିନ ଅନୁଭୂତି ଭିତରେ ଡାକ୍ତର ଜାଣିଥିଲେ–ଗ୍ୟାଙ୍ଗ୍‍ ଯୁଦ୍ଧରେ ପରାଜିତ ଲୋକକୁ ପଚାରିବା ବିପଦ । ବିଜେତା ଆସେ ନାହିଁ, ଯଦି ଆସେ ରାଜକୀୟ ଠାଣିରେ–ସରକାରୀ ଜଳର ପୃଷ୍ଠପୋଷକତାରେ ସବୁଠାରୁ ଭଲ କିଛି ନ ପଚାରିବା । ନିକକୁ ମେଡ଼ିକାଲରେ ଛାଡ଼ିଦେଇ ସେହି ରିକ୍‌ସାରେ ଚାଲିଗଲା ଟଣିଆ–ପ୍ରତିଶୋଧର ବାଟ ଖୋଜିବା ପାଇଁ, ନିକ ଘରେ ଖବର ଦେବାପାଇଁ ।

ମେଡ଼ିକାଲ୍‌ରୁ ଖବର ପାଇ ପୁଲିସ୍‌ ଆସି ପହଞ୍ଚିଲେ । ସେତେବେଳକୁ ନିକର ହାତ ବ୍ୟାଣ୍ଡେଜହୋଇ ସାରିଥାଏ । ନିକର ମା ମଧ୍ୟ ଆସି ପହଞ୍ଚିଗଲେ । ସାଙ୍ଗରେ ଦୁଇ ତିନି ଜଣ ସାହିପିଲା ।

ଡାକ୍ତରବାବୁ ନିକ ମା’କୁ କହିଲେ–ରକ୍ତ ଦରକାର କିଣି ଆଣ ।

ସାଙ୍ଗରେ ଥିବା ପିଲାଟିଏ ପକେଟରୁ ତାଡ଼ାଏ ନୋଟ ବାହାର କଲା । ପାଖର ଥିବା ବେହେରାକୁ ଶହେ ଟଙ୍କାର ନୋଟ୍‌ଟିଏ ଦେଇ ରକ୍ତ ଆଣିବା ପାଇଁ କହିଲେ ।

ପୁଲିସବାବୁ ଅପେକ୍ଷା କଲେ ରକ୍ତ ଆସିବା ପର୍ଯ୍ୟନ୍ତ । ରକ୍ତ ଦିଆଗଲା ପରେ ପଚରା ପଚରି କରିବେ ନିକକୁ । ଏତିକି ବେଳେ ନିକର ମା’କୁ ପଚାରିଲେ–ତମ ପୁଅକୁ କିଏ ମାରିଲା ।

 

ମୁଁ କେମିତି କହିବି ? ସେ’ ତ ଗୋଟିଏ ଦଳରେ ମିଶିଛି । ଅନ୍ୟ ଦଳ ଲୋକ ମୋ ପୁଅକୁ ମାରି ପକେଇଲେ । କେତେ ମନାକଲି ଦଳରେ ନ ମିଶିବା ପାଇଁ । ମୋ କଥା କ’ଣ ଶୁଣିଲା ? କହୁ କହୁ ନିକ, ମା’ କାନ୍ଦି ପକେଇଲେ ଭୋ ଭୋ ହୋଇ । ପାଖରେ ବସିଥିବା ଯୁବକ ଦୁଇଜଣ ବୁଝାବୁଝି କରୁଥାନ୍ତି ତାଙ୍କୁ ।

 

ଦୁଇ ବୋତଲ ରକ୍ତ ଦେଲାପରେ ନିକ ଟିକିଏ ସୁସ୍ଥ ହେଲା । ପାଖରେ ବସିଥିବା ପୁଲିସବାବୁ ତାକୁ ପଚାରା ପଚରି କରିବାରେ ଲାଗିଗଲେ । ଲୋକର ଅବସ୍ଥା ପ୍ରତି ପୁଲିସ୍‍ ଲକ୍ଷ୍ୟ ରଖେ ନାହିଁ । ଖବର ଆଦାୟ କରିବା ଏବଂ ଖବର ପାଇଲା ପରେ ତା ଉପରେ କାର୍ଯ୍ୟନୁଷ୍ଠାନ ସେମାନଙ୍କ ପ୍ରଥମ ଦାୟିତ୍ଵ ବୋଲି ଭାବନ୍ତି । ମଣିଷର ପରିସ୍ଥିତି, ସୁଖ, ସ୍ଵାଚ୍ଛନ୍ଦ୍ୟ, ଅନ୍ୟପାଇଁ ସମବେଦନା ସେମାନଙ୍କ ପାଖରେ ଗୌଣ ।

 

ପୁଲିସବାବୁଙ୍କ ପ୍ରଶ୍ନରେ ନିକ କହିଥିଲା–ମକୁ ଓ ତା ଗ୍ୟାଙ୍ଗର ଟିସୁ, ଗରୁ, ପୀରୁ, ଭାଲୁ ଏବଂ ଅନ୍ୟ ଦୁଇଜଣ ମୋତେ ଏକାଡେମୀ ହତାକୁ ନେଇଗଲେ । ସେଠାରେ ଟଣିଆର ଠିକଣା ପଚାରିଲେ । ମୁଁ ଟଣିଆର ଠିକଣା ଜାଣେ ନାହିଁ କହିବାରୁ ମୋତେ ବହୁତ ପିଟାପିଟି କଲେ । ମୁଁ ଠିକଣା କହି ପାରିଲି ନାହିଁ । ସେହି ରାଗର ମୋ ହାତଟାକୁ ହାଣିଦେଲେ ।

 

ଦୁର୍ବଳତା ବଶତଃ ସେ ଆଉ କିଛି କହି ପାରିଲା ନାହିଁ । ପୁଲିସ୍‌ବାବୁ ଛାଡ଼ୁଛନ୍ତି କେତେକେ ? ସେ ଗୁଡ଼େଇ ତୁଡ଼େଇ ପଚାରୁ ଥାଆନ୍ତି–ଖାଲି ଟଣିଆର ଠିକଣା କହିଲୁ ନାହିଁ ବୋଲି କ’ଣ ତୋତେ ହାଣିଲେ ? ନିଶ୍ଚୟ ତା ଭିତରେ ଆଉ କିଛି ଅଛି । ତୁ ମକୁ ଗ୍ୟାଙ୍ଗ୍‌ର କାହାକୁ ଆଗରୁ ନିଶ୍ଚୟ ମାରିଥିବୁ । ସତ କହ ।

 

ନିକ ନିରୁତ୍ତର ।

 

ପୁଣି ପୁଲିସବାବୁ ପଚାରିଲେ–ତୁ ଟଣିଆ ଗ୍ୟାଙ୍ଗ୍‌ରେ ଅଛି କି ?

 

ମୁଁ କୌଣସି ଗ୍ୟାଙ୍ଗ୍‌ରେ ନାହିଁ ।

 

ଏହାପରେ ଅନ୍ୟ ପ୍ରଶ୍ନ ପଚାରିବା ନିରର୍ଥକ ଭାବି ପୁଲିସ୍‌ବାବୁ ଚୁପ୍‌ ରହିଲେ । ଗ୍ୟାଙ୍ଗ୍‌ଦର୍ଶନ ବିଷୟରେ ସେ ଭଲ ଜାଣିଥିଲେ । ନିଜ ସର୍ଦ୍ଦାରକୁ କେହି ପଦାରେ ପକେଇ ଦେବ ନାହିଁ । ଏହି ଏକତା ମନୋଭାବ ଗ୍ୟାଙ୍ଗ୍‌ଗୁଡ଼ିକୁ ଏକାଠି ରଖିଥାଏ । ସେମାନେ ଖୁସି ପଳେଇଯିବା ବାଟ ଠିକ୍‌ କରି ରଖି ଥାଆନ୍ତି । ଅନ୍ୟକୁ ଆକ୍ରମଣ କରିବା ସୁଯୋଗ ଉଣ୍ଡୁ ଥାଆନ୍ତି । ସେମାନଙ୍କର ଦଳ ଦଳ ଭିତରର ଝଗଡ଼ାକୁ ପୁଲିସ୍‌ଦ୍ୱାରା ସମାଧାନ କରିବା ପସନ୍ଦ କରନ୍ତି ନାହିଁ । ପରସ୍ପର ବିରୁଦ୍ଧରେ ପ୍ରତିଶୋଧ ନିଅନ୍ତି ରାସ୍ତା ଘାଟରେ, ଘର ଭିତରେ, ସିନେମା ହଲରେ । ପୁଲିସ ସାହାଯ୍ୟ ନେବା ଲୋକକୁ ସେମାନେ ମାଇଚିଆ କହନ୍ତି । ସେମାନଙ୍କ ମତରେ କେବଳ ଅସହାୟ, ଅକର୍ମଣ୍ୟ ବ୍ୟକ୍ତିହିଁ ପୁଲିସର ସାହାଯ୍ୟ ନିଏ ।

 

ଅଯଥା ସମୟ ନଷ୍ଟ ନ କରି ପୁଲିସ୍‌ବାବୁ ବାହାରି ପଡ଼ିଲେ ମକୁ ଗ୍ୟାଙ୍ଗ୍‌କୁ ଧରିବା ବନ୍ଦୋବସ୍ତ କରିବା ପାଇଁ । ସେ ଜାଣିଥିଲେ କୌଣସି ଗ୍ୟାଙ୍ଗ୍‌କୁ ଗିରଫ କରିବା ସହଜ ନୁହେଁ । ସେଥିପାଇଁ ସୁବିସ୍ତୁତ ଯୋଜନା ଦରକାର । ଅନେକ ପୁଲିସ୍‌ ଆବଶ୍ୟକ । ବହୁତ ଜାଗା ତଲାସୀ କରିବା ଦରକାର ।]

 

ପୁଲିସ୍‌ବାବୁ ଚାଲିଗଲା ପରେ ଟଣିଆ ଖଟ ପାଖକୁ ପାଦ ଚିପି ଚିପି ଆସିଲା । ପାଖରେ ବସିଥିବା ଦୁଇଜଣ ଯୁବକ ଦୁଆର ପାଖକୁ ଚାଲିଗଲେ ବାହାର ବାରଣ୍ଡାର ଚଳପ୍ରଚଳ ଲକ୍ଷ୍ୟ କରିବା ପାଇଁ । ସେମାନଙ୍କୁ କେହି ଇସାରା ଦେଇ ନଥାଏ, କେହି ଆଦେଶ ଦେଇ ନ ଥାଏ । ନିଜ ନିଜ ଭିତରେ ଏହା ଥିଲା ସେମାନଙ୍କର ସାଙ୍କେତିକ ବୁଝାମଣା । ଟଣିଆ ଫଳ, ହରଲିକ୍‌ସ, ନୂଆ ଟାୱାଲ୍‌ ରଖିଦେଲା ନିକର ଶେଯ ଉପରେ । ବସିପଡ଼ି ନିକର ଗୋଡ଼ ଆଉଁସିବାରେ ଲାଗିଲା-। ତା’ ଆଖିରେ ଲୁହ ଆସି ଯାଉଥାଏ । ଚେଷ୍ଟା କଲେ ସୁଦ୍ଧା ରୋକି ପାରୁ ନଥାଏ । ଲୁହ ଆଖିରେ ଟଣିଆ କହି ଚାଲିଥାଏ–ମୋ ପାଇଁ ତୋର ଏ ଦଶା ହୋଇଲାରେ ନିକ । ମୁଁ ତୋ ପାଇଁ ଦୋକାନଟିଏ କରିଦେବି । କଣା ମାରୁଆଡ଼ି ତୋତେ ସଉଦା ଦେବ । ତୁ ଭଲରେ ରହିବୁ । ସେ ଶଳାମାନଙ୍କୁ ଗୋଟି ଗୋଟି କରି ଆଜି ମାରିବି । ତୁ ଧୈର୍ଯ୍ୟ ଧର ।

 

ନିକ ଆସ୍ତେ ଆସ୍ତେ ଆଖିଖୋଲି ଅନେଇଲା ଟଣିଆକୁ । ନିଜ ବାଁ ହାତରେ ନେଇ ପକାଇଲା ଟଣିଆ ହାତ ଉପରେ । ସେ ଜଣେଇ ଦେବାକୁ ଚାହୁଁଥିଲା ସେ ଟଣିଆ ସାଙ୍ଗରେ ଅଛି । ଆଜିର ଦୁର୍ଦ୍ଦଶା କିଛି ନୁହେଁ ।

 

ଦୁଆର ପାଖରେ ପହରା ଦେଉଥିବା ଜଣେ ଯୁବକ ତରତରରେ ଭିତରକୁ ପଶି କହିଲା–ପୁଲିସ୍‌ ଇଆଡ଼େ ଆସିଲେଣି ଚାଲିଯାଅ ।

 

ବିଜୁଳି ସକ୍‌ମାରିଲାପରି ଟଣିଆ ଡେଇଁ ପଡ଼ି ପଛପଟେ ଦୁଆର ଦେଇ ରାତିର ଅନ୍ଧକାରରେ ମିଳେଇଗଲା । ତାର ପଳେଇବା ବ୍ୟବହାର ଥିଲା ଗୋଟିଏ ଚିତା ବାଘର ବ୍ୟବହାର ପରି ।

 

ସେହି ରାତିରେ ପୁଲିସ୍‌ ଆରମ୍ଭ କରିଦେଲେ ସେମାନଙ୍କ ଅଭିଯାନ–ମକୁ ଓ ତା’ ଗ୍ୟାଙ୍ଗକୁ ଧରିବାପାଇଁ । ଡି.ଏସ୍‌.ପି ପୁଲିସ୍‌ବାହିନୀର ନେତୃତ୍ୱ ନେଉଥାଆନ୍ତି । ଗ୍ୟାଙ୍ଗକୁ ଧରିବା ପାଇଁ ତାଙ୍କର ସେତିକି ଆଗ୍ରହ ନ ଥିଲା ତା’ ଠାରୁ ବେଶି ଥିଲା ନିଜର ସୁନାମ ବଜାୟ ରଖିବା । ତିନିଦିନ ଭିତରେ ଦୁଇ ଦୁଇଟା ଛୁରା ମାଡ଼ । ଉପରିସ୍ଥ ହାକିମ କ’ଣ କହିବେ, ସମ୍ବାଦପତ୍ର କ’ଣ କହିବ, ଜନସାଧାରଣ କ’ଣ କହିବେ–ଏ ଵିଷୟରେ ସେ ବେଶି ଚିନ୍ତିତ । ସମସ୍ତଙ୍କ ଅଗୋଚରରେ ସେମାନେ ଯଦି ମରାମରି ହୁଅନ୍ତେ ଡି.ଏସ୍‌.ପି ଚୁପ୍‌ଚାପ ଘରେ ରହିଯାଆନ୍ତେ । ସେ ଆହୁରି ଖୁସି ହୁଅନ୍ତେ ସେ ଗୁଣ୍ଡା ସବୁ ଆପେ ଆପେ ମୂଳପୋଛ ହୋଇଯାଇଛନ୍ତି । ରାସ୍ତା ଉପର ହିଂସା ତାଙ୍କୁ ବାଧ୍ୟ କରିଛି ଏହି ଅଭିଯାନ ଚଳେଇବା ପାଇଁ । ମକୁ ଗ୍ୟାଙ୍ଗର ଲୋକ କେଉଁଠି ଲୁଚିଥିବେ ପ୍ରାୟ ପ୍ରତ୍ୟେକ ପୁଲିସ୍‌ବାବୁଙ୍କୁ ଜଣାଥିଲା । ସେହି ସେହି ଜାଗାରେ ଖୋଜା ଖୋଜି ଚାଲିଲା । ମକୁ ଦଳ ଜାଣିଥିଲେ ପୁଲିସ୍‌ ଖୋଜିବେ । ସେମାନେ ଚାଲିଯାଇଥିଲେ କାଠଯୋଡ଼ି ପଠାକୁ । ସେମାନଙ୍କ ଉପରୁ ଯେଉଁମାନେ ବେଶି ନିଶାଖୋର ସେମାନେ ରହିଯାଇଥିଲେ ସହର ଭିତରେ । କୌଣସି ଓଜନିଆ କାମ ପଡ଼ିଲେ ଗରୁ ଆଗକୁ ଡେଇଁ ପଡ଼େ । କିନ୍ତୁ କାମ ସରିଗଲା ପରେ ତା’ର ଦରକାର ପ୍ରଚୁର ମଦ–ଓଜନିଆ ମନକୁ ହାଲୁକା କରିବା ପାଇଁ । ମୋର ସାହି ମଦ ଦୋକାନରୁ ପେଟେ ମଦ ପିଇ ଗରୁ ଚାଲି ପାରିଲା ନାହିଁ । ସେ ପଡ଼ିଗଲା ଭକ୍ତମଧୁ ବିଦ୍ୟାପୀଠ ସାମନାରେ । ତାକୁ ଟେକି ନେବା ପାଇଁ ତର ନ ଥାଏ । ମକୁ ଓ ଗାଁରୁ ତାକୁ ଟେକି ନେଇ ସାମନା ଖେଳ ପଡ଼ିଆ ଭିତରେ ଶୁଆଇ ଦେଇ ଚାଲିଗଲେ । ପୁଲିସ୍‌ ଆସିଲା ବେଳେ ଖେଳ ପଡ଼ିଆ ଭିତରୁ ଅଯଥା ପାଟି କରୁଥାଏ ଗରୁ । ତାକୁ ଧରିବା ପାଇଁ ପୁଲିସ୍‌କୁ କଷ୍ଟ କରିବାକୁ ପଡ଼ିନଥିଲା ।

 

ବିଦ୍ୟାପୀଠ ପଛ ପଟ ଗଳିରୁ ଲମ୍ବୁକୁ ପୁଲିସ୍‌ ପାଇଲେ । ଲମ୍ବୁ ନାଁରେ ଯଦିଚ ଅଭିଯୋଗ ନଥିଲା ତଥାପି ସେ ମକୁ ଗ୍ୟାଙ୍ଗର ଲୋକ ।, ସେହି ଗ୍ୟାଙ୍ଗ୍‌ର ଆଉ ଗୋଟିଏ ଲୋକକୁ ଧରିନେଲେ ଗ୍ୟାଙ୍ଗ୍‌ ଦୁର୍ବଳ ହୋଇଯିବ, ମନୋବଳ ଭାଙ୍ଗିଯିବ । ବହୁତ ଖୋଜାଖୋଜି ପରେ ଆଉ କାହାକୁ ନପାଇ ଭୋର ଭୋର ପୁଲିସ୍‌ବାହିନୀ ଫେରିଗଲେ ।

 

ତଲାସୀ ବେଳେ ମକୁ କାଠଯୋଡ଼ି ପଠାକୁ ଚାଲି ଯାଇଥାଏ । ଗ୍ୟାଙ୍ଗ୍‌ର ଅନ୍ୟମାନଙ୍କ ସହ ସେ ପଠା ବାଲି ଉପରେ କିଛି ସମୟ ଶୋଇଗଲା । ପରେ ଏକୁଟିଆ ବାହାରି ପଡ଼ିଲା । ସେଠାରୁ ଚାଲି ଚାଲି ମୁକାମେଶ୍ୱର ଘାଟ ଦେଇ ସେ ଉଠିଲା ଗୋପାଳପୁର, ଗୋପାଳପୁରରୁ ଚାଲିଲା ଭୁବନେଶ୍ଵର ।

 

ରାତି ତମାମ ଖୋଜାଖୋଜି ପରେ ଅନ୍ୟ କାହାକୁ ନପାଇ ଡି.ଏସ୍‌.ପି. ଘରକୁ ଫେରିଲେ । ରାତି ଅନିଦ୍ରା ଯୋଗୁ ଆଖି ସବୁ ଲାଲ–ଲାଲ । ମକୁକୁ ଧରି ନ ପାରି ଥିବା ଯୋଗୁ ନିଜ ଉପରେ ବିରକ୍ତି । ଆଶଙ୍କା ହେଉଥାଏ ପୁଣି ଛୁରାମାଡ଼ ହୋଇଯାଇପାରେ । ମିଛଟାରେ ନିଜ ସ୍ତ୍ରୀଙ୍କ ଉପରେ ରାଗିଯାଇ ଜୋତା ଖୋଲୁଥାଆନ୍ତି । ଏତିକି ବେଳେ ଟେଲିଫୋନ୍‌ ବାଜିଲା । ରିସିଭର ଉଠେଇଲେ । ସେ ପଟରୁ କଣ୍ଠସ୍ୱର ପରିଚିତ ମନେହେଲା । ନିଦୁଆ ଆଖି ଓ ବିରକ୍ତି ମନ ହଠାତ୍‌ ଚେଇଁ ଉଠିଲା । ସେ ପଟରୁ ଡାକୁଥାଆନ୍ତି ମନ୍ତ୍ରୀ ।

 

ମନ୍ତ୍ରୀ କହିଲେ–ଆପଣ ମକୁକୁ ଖୋଜୁଛନ୍ତି କି ?

 

ଆଜ୍ଞା ହଁ ।

 

କାହିଁକି ?

 

ମକୁ ଓ ତା ସାଥୀମାନେ ଟଣିଆ ଗ୍ୟାଙ୍ଗର ଗୋଟିଏ ପିଲାର ହାତ କାଟି ଦେଇଛନ୍ତି । ମକୁ ଓ ତା ଦଳକୁ ଗିରଫ ନ କଲେ ସହରରେ ଗଣ୍ଡଗୋଳ ବଢ଼ିଯିବ ।

 

ମୁଁ ମକୁକୁ ଜାଣେ । ସେ ମଧ୍ୟ ଗତ ନିର୍ବାଚନରେ ଆମକୁ ସାହାଯ୍ୟ କରିଛି । ସେ ଏମିତି କାମ କରି ନଥିବ । ଆପଣଙ୍କୁ ତା ବିପକ୍ଷ ଦଳ ଭୁଲ୍‌ ଖବର ଦେଇଛନ୍ତି ବୋଧହୁଏ ।

 

କିନ୍ତୁ ସାର୍‌.....ମକୁ ଦଳର ଦୁଇଜଣ ଧରା ପଡ଼ିଲେଣି । ସେମାନେ । ଡି.ଏସ.ପି ଘଟଣାଟି ପରିଷ୍କାର ଭାବେ ବୁଝେଇଦେବା ପୂର୍ବରୁ ମନ୍ତ୍ରୀ କହିଲେ–ହୋଇପାରେ, ମକୁ ଦଳର ଜଣେ ଅଧେ ଏମିତି କିଛି କାଣ୍ଡ କରିଥିବେ । ମକୁଟା ଭଲ ପିଲା । ସେ ଏମିତି କାମ କରିବ ନାହିଁ । ଆପଣ ତାକୁ ଗିରଫ କରିବେ ନାହିଁ । ଡି.ଏସ.ପି କଣ କହିବେ କିଛି ଜାଣି ପାରିଲେ ନାହିଁ । ସେ ରିସିଭରଟି ଧରି ଚୁପ ଚାପ୍‌ ଛିଡ଼ା ହୋଇ ରହିଲେ ।

 

କିଛି ଉତ୍ତର ନପାଇ ମନ୍ତ୍ରୀ ପୁଣି କହି ଉଠିଲେ–ଆପଣ ମକୁ ପ୍ରତି କିଛି କାର୍ଯ୍ୟାନୁଷ୍ଠାନ କରିବେ ନାହିଁ । ତା’ ଘର ଉପରେ ଆଉ ଚଢ଼ଉ କରିବେ ନାହିଁ । ମୁଁ ରହିଲି ।

 

ସେ ପଟର ରିସିଭର ରଖିବା ଶବ୍ଦ ହେଲା । ଡି.ଏସ.ପି. ନିଜ ରିସିଭରଟାକୁ କିଛି ସମୟ ଅନେଇ ରହିଲେ । ରିସିଭର ରଖିଦେଇ ପୁଣି ଜୋତା ପିନ୍ଧିବାରେ ଲାଗିଲେ । ଥାନାକୁ ଯାଇ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବନ୍ଦ କରିବାକୁ ହେବ । ଧରପଗଡ଼ ପାଇଁ ଯେଉଁସବୁ ସାଧା ପୋଷାକଧାରୀ ସିପାହୀ ମୁତୟନ ହୋଇଛନ୍ତି ସେମାନଙ୍କୁ ଫେରେଇ ଆଣିବାକୁ ହେବ । କାଗଜପତ୍ରରେ ମକୁକୁ ସଂଶ୍ଳିଷ୍ଟ କଲେ ଚଳିବ ନାହିଁ । ସବୁ କାଗଜ ପତ୍ରରେ ତାକୁ ଛାଡ଼ି ଦେବାକୁ ହେବ । ସାକ୍ଷୀଙ୍କ ବୟାନରୁ ତା ନାଁ ବାଦ୍‌ଦେବାକୁ ହେବ । କାମ ପୁଣି ଗୁପ୍ତ ଭାବେ କରିବାକୁ ହେବ ଯେମିତିକି ବିରୋଧୀ ଦଳର କେହି ନେତା ଜାଣି ପାରିବେ ନାହିଁ ।

 

ଗାଡ଼ି ପାଖକୁ ଗଲାବେଳେ ଡି.ଏସ.ପି.ଙ୍କ ସ୍ତ୍ରୀ ପଚାରିଲେ–ପୁଣି କୁଆଡ଼େ ବାହାରିଲଣି-? ରାତିରୁ କିଛି ଖାଇନାହଁ ।

 

ଅହେତୁକ ଭାବେ ରାଗି ଉଠିଲେ ଡି.ଏସ.ପି. । ବିରକ୍ତହୋଇ କହି ଉଠିଲେ–କୁଆଡ଼େ ଗଲାବେଳେ ଅଯଥା କାହିଁକି ପଚାରୁଛ ? ଜାଣୁନାହିଁ ଏଇଟା ପୁଲିସ୍‌ କାମ । ରାତିରେ ଧନ୍ଦା । ତମର ଆଉ କିଛି ଧନ୍ଦା ନାହିଁ ! ସବୁବେଳେ ପଚାରିବ ।

 

ନିଜ ଭିତରେ ଉଠି ଆସୁଥିବା ନିଷ୍ଫଳ କ୍ରୋଧକୁ ନିଜ ସ୍ତ୍ରୀଙ୍କ ଉପରେ ଅଜାଡ଼ି ଦେଲେ । ଏହା ଚିରାଚରିତ ବୋଧ ଉପଶମର ପନ୍ଥା । ଯେଉଁଠାରେ କିଛି କରି ହେବ ନାହିଁ ସେଇଠି ନିଜର ସ୍ତ୍ରୀଙ୍କ ଉପରେ ଦାଉ ସାଧିବ–ନିଜ ମନକୁ ଶାନ୍ତି ଦେବାପାଇଁ ।

 

ଡି.ଏସ.ପି. ଜାଣୁଥିଲେ. ସ୍ତ୍ରୀଙ୍କ ଆଖିରୁ ଲୁହ ବୋହି ଆସୁଥିବ । ସେ ମଧ୍ୟ ସାରାରାତି ତାଙ୍କୁ ଅପେକ୍ଷା କରିଥିବେ । କିନ୍ତୁ ସେ ସବୁକୁ ନଜର ନଦେଇ ଗାଡ଼ିରେ ଷ୍ଟାର୍ଟ ଦେଲେ–ସବୁ ଦିଗକୁ ଚାହିଁ କାମ କରିବା ଦରକାର, ଯୁଗ ଯେ ବଦଳି ଗଲାଣି ।

 

ଭୁବନେଶ୍ୱରରେ ମକୁ ମନ୍ତ୍ରୀଙ୍କ ପାଖରେ ବସି ରହିଥାଏ । ମନ୍ତ୍ରୀଙ୍କ ଇଚ୍ଛା ମକୁ କେମିତି ଜଲଦି ଯିବ । କିନ୍ତୁ ଭରସି କରି କିଛି କହି ପାରୁ ନ ଥାନ୍ତି ।

 

କିଛି ସମୟ ପରେ ମକୁ କହିଲା–ମୋତେ କିଛି ଟଙ୍କା ଦିଅନ୍ତୁ ।

 

ସାତଦିନ ତଳେ ହଜାରେ ଟଙ୍କା ଦେଇଥିଲେ । ଏବେ ଆଉ ଟଙ୍କା କାହିଁ ?

 

ସେ ଟଙ୍କା ଗ୍ୟାଙ୍ଗ ଚଳେଇବା ପାଇଁ ନେଇଥିଲି । ଏ ଟଙ୍କା ଦରକାର କେଶ୍‌ ଲଢ଼ିବା ପାଇଁ । ଜାମିନରେ ନେବାପାଇଁ ।

 

ମନ୍ତ୍ରୀ ଅଧିକା କିଛି ନକହି ହଜାରେ ଟଙ୍କା ଆଣି ମକୁକୁ ଦେଲେ । ମନେ ମନେ ଭାବୁଥାନ୍ତି ମକୁ କେମିତି ଜଲଦି ଯାଉ । ଆଜିକାଲି ତାର ଦୌରାମ୍ଭ୍ୟ ବଢ଼ି ଗଲାଣି । କିଛି କହି ହେଉନାହିଁ, ଅଥଚ ବହୁତ ଟଙ୍କା ପଇସା ଦେବାକୁ ପଡ଼ୁଛି ।

 

ମକୁ ତଥାପି ଯିବା ମତଲବରେ ନଥିଲା । ସେ ଅଧିକ ସମୟ ସେଠାରେ ରହିବା ଚାହେଁ । ଡି.ଏସ.ପି ଅନ୍ୟମାନଙ୍କୁ ଆଦେଶ ଦେବା ପାଇଁ ସମୟ ଲାଗିବ । ତା ଆଗରୁ କଟକ ଚାଲିଗଲେ ଅନ୍ୟ କେହି ପୁଲିସବାବୁ ତାକୁ ଗିରଫ କରିନେଇ ପାରନ୍ତି । ପୂର୍ବ ରାଗ ରଖି କୌଣସି ପୁଲିସବାବୁ, ତାକୁ ଧରିନେଇ ପାରନ୍ତି । ଗିରଫ ହୋଇଗଲେ ତାକୁ ଅପମାନ ଲାଗିବ । ଅପମାନ ସେ ସହି ପାରିବ ନାହିଁ । ତା ଛଡ଼ା ଦଳର ଅନ୍ୟମାନଙ୍କ ପାଖରେ ତାର ଭାବମୂର୍ତ୍ତି ନଷ୍ଟ ହୋଇଯିବ-

 

ସେ ନ ଯିବା ଦେଖି ମନ୍ତ୍ରୀ ଅନୁନୟ କରି କହିଲେ–ଆରେ ତୁ’ ଯା । ବହୁତ ଲୋକ ଏବେ ଘରକୁ ଆସିବେ । ତୋର ଏ ବେଶ ପୋଷାକ ଦେଖିଲେ ମୋତେ କ’ଣ କହିବେ ?

 

ମକୁ ମନେ ମନେ ହସିଲା–କହିବେ କ’ଣ ? ସେମାନଙ୍କୁ କ’ଣ କିଛି ଅଜଣା ଥିବ ? ଏହି ସମ୍ପର୍କ ସମସ୍ତଙ୍କୁ ଜଣା । ଯେଉଁମାନେ ଦେଖିବେ, ଲକ୍ଷ୍ୟ କରିବେ, ସେମାନେ ମଧ୍ୟ ଏ ପଦ୍ଧତି ବ୍ୟବହାର କରିଥିବେ । ସେମାନେ ମଧ୍ୟ ଗୁଣ୍ଡାଙ୍କର ସାହାଯ୍ୟ ଲୋଡ଼ିଥିବେ । ସେ କିଛି ନ କହି ମନ୍ତ୍ରୀଙ୍କ ଘରୁ ବାହାରି ଆସିଲା । ଗଲାବେଳେ ଭାବୁଥାଏ ଡି. ଏସ. ପି.ଙ୍କୁ ବଦଳି କରିବାକୁ ପଡ଼ିବ । ସେ ବେଶି କର୍ତ୍ତବ୍ୟନିଷ୍ଠା ଦେଖାଉଛନ୍ତି ।

 

ମେଡ଼ିକାଲରୁ ଫେରି ତିନିକୋଣିଆ ବଗିଚା ପାଖ ପେଟ୍ରୋଲ ପମ୍ପ ପଛପଟେ ବସିରହି ଟଣିଆ ପୁଲିସର ଗତିବିଧି ଲକ୍ଷ୍ୟ କରୁଥାଏ । ପଛପଟ ଗଳିଦେଇ କିଛି ବାଟ ଆଗକୁ ଚାଲିଯାଏ, ପୁଣି ଫେରିଆସେ । ପାହାନ୍ତା ପହରକୁ ଖବର ଆସିଲା ମକୁ ଗ୍ୟାଙ୍ଗର ଦୁଇଜଣ ଧରି ହୋଇଛନ୍ତି । ମକୁ ଓ ଅନ୍ୟମାନେ ଖସି ଚାଲିଯାଇଛନ୍ତି । ସେ ଜାଣିପାରିଲା ଆଉ କେହି ଧରା ପଡ଼ିବେ ନାହିଁ । ସକାଳ ହେଲେ କ୍ଷଣି ନିଜ ଘରକୁ ଫେରି ଆସିଲା । ରାତିର ପରିଶ୍ରମ ଏବଂ ବ୍ୟର୍ଥତା ତାକୁ କ୍ଳାନ୍ତ କରି ଦେଇଥିଲେ । ସେ ସଙ୍ଗେ ସଙ୍ଗେ ନିଘୋଡ଼ ନିଦରେ ଶୋଇ ପଡ଼ିଲା । ଉଠିଲା ବେଳକୁ ସନ୍ଧ୍ୟା-

 

ଦୁଇଟା ଛୁରୀ କମରପଟିର ଉପର ପଟେ ଖୋସିଦେଇ ଘରୁ ବାହାରି ଆସିଲା ବେଳେ ଦେଖିଲା ସେହି ଲୋକକୁ ଯିଏ ଆଗରୁ ପୁଲିସକୁ ସେମାନଙ୍କ ଲୁଚିଥିବା ଜାଗା ବି ବତେଇଥିଲା । ଦୌଡ଼ିଯାଇ ସେ ଲୋକର ବାଟ ଓଗାଳି ଛିଡ଼ା ହେଲା, ପଚାରିଲା–ନାଁ କଣ ?

 

ଏମିତି ଋକ୍ଷଭାବେ ହଠାତ୍‌ କିଏ କିଛି ପଚାରିବ ଏକଥା ଆଶା କରି ନଥିଲେ ସଞ୍ଜୟ ଦାସ । ସେ ଅନେଇଲେ ଲୋକଟିକୁ । ଲୋକର ଚେହେରା ଦେଖି ଟିକିଏ ଡରିଗଲେ । କିଛି ନ କହି ଛଡ଼ା ହୋଇ ରହିଲେ ।

 

କିବେ କିଛି କହୁନୁ ?

 

ସଞ୍ଜୟ ଦେଖିଲେ ଲୋକ ପାଖକୁ ଲାଗି ଆସୁଛି । ଆଖିରୁ ରାଗରେ ନିଆଁ ବାହାରି ଆସୁଛି । ପାଖଦେଇ ଯାଉଥିବା ଲୋକମାନେ ତାକୁ ଦେଖି ଆଡ଼େଇ ହୋଇ ଯାଉଛନ୍ତି । ଭୟର ଆବହାୱା ଯେମିତି ଚାରିଆଡ଼େ ଖେଳି ଯାଉଛି । ଭୟରେ ତାଙ୍କ ପାଟିରୁ ବାହାରି ଆସିଲା–ମୋ ନାଁ ସଞ୍ଜୟ ଦାସ । ସରକାର ଅଫିସରେ କାମ କରୁଛି ।

 

ଜଣାପଡ଼ୁଛି । ଶଳା ସେଦିନ ପୁଲିସକୁ କାହିଁକି ଆମ ଲୁଚିଥିବା ଜାଗା ବତେଇ ଦେଲୁ ?

 

ମୁଁ ବତେଇ ନାହିଁ ତ ! ପୁଲିସ ପଚାରିବାରୁ ଦୁଇଜଣ ଲୋକ ଦୌଡ଼ଯିବା କଥା କହିଥିଲି-

 

ଦୌଡ଼ିଯିବା ବିଷୟ କହିବୁ ନାହିଁ ଆଉ କ’ଣ ଆମ ଲୁଚିଥିବା ଜାଗା ଦେଖେଇ ଦେବୁ ? ଶଳାର ସାହସ ତ କିଛି କମ୍‌ ନୁହେଁ । ନୂଆ ଆସିଛି କିବେ ?

 

ସଞ୍ଜୟ ଦାସଙ୍କ ପାଟି ଖୋଲିଲା ନାହିଁ । ରାସ୍ତା ଉପରେ ଗୋଟାଏ ଲୋକ ଏମିତି ଅପଦସ୍ତ କରିବ, ଏକଥା ସେ ଆଦୌ ଭାବି ନ ଥିଲେ । ପନ୍ଦର ବର୍ଷ ଚାକିରୀ ଭିତରେ ସେ ଏମିତି ପରିସ୍ଥିତିର ସମ୍ମୁଖୀନ ହୋଇ ନ ଥିଲେ । ଫୁଲବାଣୀ ବରଂ ଭଲ ଥିଲା । କଟକ ବଡ଼ ଅସଭ୍ୟ, ବର୍ବର ଜାଗା ।

 

ସେ କିଛି ଉତ୍ତର ନ ଦେବା ଦେଖି ଟଣିଆ ରାଗି ଉଠିଲା । ଧକ୍‌କାଏ ପକେଇଲା । ସଞ୍ଜୟ ପଡ଼ୁ ପଡ଼ୁ ରହିଗଲେ । ସେ ଶୁଣିଲେ–ଶଳା ଖବରଦାର । ଆମ ବିଷୟ ଆଉ ସେମିତି ପୁଲିସବାବୁ ନ କହୁ । କହିଲେ– । ସଞ୍ଜୟ ଦେଖିଲେ ସେ ଛୁରୀ ବାହାର କରି ତାଙ୍କ ମୁହଁ ସାମନାରେ ରଖିଛି । ସେ ଭୟରେ ଥରି ଉଠିଲେ ।

 

ସେ ପୁଣି କହିଲା–ମୋ ନାଁ ଟଣିଆ । ମନେ ରଖିଥା । ଏ ସାହିରେ ରହିବାକୁ ହେଲେ ମୋ କଥା ଅନୁସାରେ ଚଳିବାକୁ ହେବ । ନ ହେଲେ– ।

 

ଛୁରୀଟାକୁ ସଞ୍ଜୟ ଆଡ଼କୁ ଜୋରରେ ଚଳେଇବା ଅଭିନୟ କଲା ଟଣିଆ । ଭୟରେ ପଛକୁ ଘୁଞ୍ଚିଗଲେ ସଞ୍ଜୟ ଦାସ । ସେଠାରୁ ଟଣିଆ ଚାଲି ଗଲା ହସି ହସି ।

 

ଭୟ ଓ ଆଶ୍ଚର୍ଯ୍ୟରେ ସଞ୍ଜୟ ଦାସ ସ୍ଥାଣୁ ହୋଇଗଲେ । ଛୁରୀ ଉଠେଇ ମାରି ଦେବାର ଧମକ ଦେଇ ଲୋକଟା ଚାଲିଗଲା, ଅଥଚ କେହି ସାହାଯ୍ୟ କରିବା ପାଇଁ ପାଖକୁ ଆସିଲେ ନାହିଁ । ସତେ ଯେମିତିକି ଲୋକଟା ମଧୁର ସମ୍ଭାଷଣ କରୁଛି–ଅନ୍ୟମାନେ ତା ବ୍ୟବହାରରେ କୌଣସି ବିଭୀଷିକା ଦେଖିନାହାନ୍ତି ! ସବୁ ଘଟଣା ଯେମିତିକି ତିନିଦିନିଆ ସୂର୍ଯ୍ୟ ଉଇଁଲା ପରି ବୈଚିତ୍ର୍ୟ ହୀନ-

 

ସଞ୍ଜୟ ଦାସ ବହୁତ ସମୟ ଖମ୍ବପରି ଛିଡ଼ା ହୋଇ ରହିଲେ । ସାହସ ହେଉ ନଥାଏ ଆଗକୁ ଯିବାପାଇଁ । କେତେ ସମୟ ପରେ ଆସ୍ତେ ଆସ୍ତେ ଆଗକୁ ଗୋଡ଼ ବଢ଼େଇଲେ ।

 

ଟଙ୍କା ପଇସାର ବହୁତ ଦରକାର ଥିଲା ଟଣିଆର । ନିକ ପାଇଁ ଖର୍ଚ୍ଚ କରିବା ଆବଶ୍ୟକ, ଗ୍ୟାଙ୍ଗର ମେମ୍ବରମାନଙ୍କୁ ଦେବାକୁ ହେବ, ନୂଆ ସାଥୀ ଯୋଗାଡ଼ କରିବା ଦରକାର । ପ୍ରଚୁର ଟଙ୍କା ପଇସା ନ ହେଲେ ନ ଚଳେ । ଟଣିଆ ସିଧା ଚାଲିଲା ତାର ପୃଷ୍ଠପୋଷକ ଗୋପାଳବାବୁଙ୍କ ଘରକୁ-। ଗୋପାଳ ବାବୁ ପୂର୍ବତନ ବିଧାୟକ । ବର୍ତ୍ତମାନ ରାଜନୀତିରୁ ସାମୟିକ ବିଦାୟ ନେଇଛନ୍ତି–ଗତ ନିର୍ବାଚନର ଝଡ଼ଝଞ୍ଜାରେ ବାତ୍ୟାହତ ଗଛପରି ଭାଙ୍ଗି ପଡ଼ିଛନ୍ତି । ପୂର୍ବର ବିଭବ ତଥାପି ରହିଛି-। ଘରର ହାବଭାବରୁ ଜଣାପଡ଼େ ପ୍ରଚୁର ଅର୍ଥ ରୋଜଗାର କରିଛନ୍ତି, ଅଳ୍ପଦିନ ଭିତରେ-

ଟଣିଆକୁ ଦେଖି ଖୁବ୍‌ଖୁସି ହୋଇଗଲେ ଗୋପାଳ ବାବୁ । ଘର ଭିତରକୁ ଡାକିନେଇ ଚାହା ଜଳଖିଆର ବନ୍ଦୋବସ୍ତ କରିଦେଲେ । ଟଣିଆର ପରିସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ଅବଗତ ଥାଇ ସୁଦ୍ଧା ନିଜ ପେଷାର ମର୍ଯ୍ୟାଦା ରକ୍ଷାକରି ପଚାରିଲେ–ଆଉ କଣ ? ସବୁ ଭଲ ତ ?

 

ନାଇଁ ଆଜ୍ଞା । ଭଲ କଣ ? ଆମ ଦଳ ନିର୍ବାଚନରେ ହାରିଗଲା ପରେ ମୋତେ ପୁଲିସ ବହୁତ ଅସୁବିଧାରେ ପକାଉଛନ୍ତି । ନିକକୁ କାଲି ମକୁ ଦଳ ହାଣି ଦେଇଛନ୍ତି । ଆପଣଙ୍କ ପାଖକୁ ଆସିଥିଲି କିଛି ଟଙ୍କା ନେବାପାଇଁ ।

 

ଟଙ୍କା କଥା ଶୁଣି ଗୋପାଳ ବାବୁଙ୍କ ମୁହଁ ଖଟା ହୋଇଗଲା । ତଥାପି ସେ ଚେଷ୍ଟା କଲେ ମୁହଁର ସରୁ ହସକୁ ଆହୁରି ସୁନ୍ଦର କରି ଦେବାପାଇଁ । ଦୁଇବର୍ଷ ହେଲା ରୋଜଗାରର ପନ୍ଥା ନାହିଁ । ତା ଉପରେ ଅକାଳେ ସକାଳେ ଦଳ ପାଇଁ ଅଧିକା ଖର୍ଚ୍ଚ । ଯାହା ସଞ୍ଚୟ କରି ରଖିଥିଲେ ସେ ସବୁ କମି ଆସୁଥିବା ନଈବଢ଼ି ପରି ତଳକୁ ଚାଲିଗଲାଣି । ଆଉ କିଛିଦିନ ପରେ ଶୁଖିଲା ବାଲି ରହିବ । ଆଗେ ଖୋଲା ହାତରେ ଖର୍ଚ୍ଚ କରୁଥିଲେ । ବର୍ତ୍ତମାନ ହାତକୁ ମୁଠା କରି ଦେଲେଣି । ହାତ ଖୋଲା କରିବା ପାଇଁ ସମ୍ବଳ ନାହିଁ । ତଥାପି ଟଣିଆକୁ ପାଖଛଡ଼ା କରି ଯାଇ ପାରିବ ନାହିଁ । ଭବିଷ୍ୟତରେ ତାର ଆବଶ୍ୟକତା ରହିଛି । ଏବେ ତା ଦଳର ଲୋକ ମାଡ଼ ଖାଇଚି । ଏତିକି ବେଳେ କରଛଡ଼ା କରାଯାଇ ନ ପାରେ ।

 

ତୁ ବସ୍‌ ମୁଁ ଆସୁଚି–କହି ଗୋପାଳ ବାବୁ ଘର ଭିତରକୁ ଗଲେ ! କିଛି ସମୟ ପରେ ପାଞ୍ଚଟି ନୂଆ ଶହେ ଟଙ୍କିଆ ନୋଟ୍‌ଆଣି ଟଣିଆ ହାତକୁ ବଢ଼େଇ ଦେଲେ । ନୂଆ ନୋଟ୍‌ସବୁକୁ ଦେଖି ଟଣିଆ ମନେ ମନେ ଭାବିଲା ଗୋପାଳ ବାବୁଙ୍କ ପାଖରେ ଆହୁରି ପ୍ରଚୁର ଟଙ୍କା ରହିଛି । କେବଳ ପାଞ୍ଚଶହ ଟଙ୍କା ଦେବା ଦେଖି ସେ କହିଲା–ଆଜ୍ଞା, ପାଞ୍ଚଶହ ଟଙ୍କାରେ କିଛି ହେବ ନାହିଁ । ମୋତେ ହଜାରେ ଟଙ୍କା ଦିଅନ୍ତୁ ।

 

ତୁ ଆଜି ଏତକ ନେଇଥା । ମୋ ପାଖରେ ବେଶି ଟଙ୍କା ନାହିଁ । ପରେ ଯୋଗାଡ଼ କରି ଦେବି–ଗୋପାଳ ବାବୁ କହିଲେ ।

 

ଟଣିଆର ସମୟ ନଥାଏ ଅଧିକ କଥାବାର୍ତ୍ତା କରିବା ପାଇଁ । ସେ ଚାଲି ଯାଉଥିଲା ବେଳେ ପଛରୁ ଗୋପାଳ ବାବୁ କହିଲେ–ତୋତେ କେତେବେଳେ ସୁବିଧା ହେଲେ ଆସିବୁ, ଆଉ ଗୋଟିଏ କାମ ବିଷୟରେ କଥାବାର୍ତ୍ତା କରିବା । ଆସନ୍ତା ମାସରେ ସରକାରୀ ଦଳର ସଭା ହେଉଛି ଗୌରୀଶଙ୍କର ପାର୍କରେ । ତୁ ଜାଣିଛୁ କି ନାହିଁ ?

 

ଟଣିଆ ଜାଣେ ଗୋପାଳ ବାବୁ ସଭା ଭଣ୍ଡୁର କଥା ବିଷୟରେ କହୁଛନ୍ତି । ସେ ମୁଣ୍ଡ ଟୁଙ୍ଗାରି ସେଠାରୁ ଚାଲିଗଲା । ଗଲାବେଳେ ଭାବୁଥାଏ ରାଜନୀତିର ଲୋକଙ୍କର ବୋଧହୁଏ ହୃଦୟ ନାହିଁ । ନିକକୁ ଗୋପାଳ ବାବୁ ଜାଣନ୍ତି, ଅଥଚ ସେ କେମିତି ଅଛି ପଦଟିଏ ସୁଦ୍ଧା ପଚାରିଲେ ନାହିଁ-। ଟଙ୍କା ଦେଲେ, ଅଥଚ ଦରଦ ଦେଖେଇଲେ ନାହିଁ ।

 

ଗୋପାଳ ବାବୁଙ୍କ ଘରୁ ଟଣିଆ ଚାଲିଲା କଣା ମାରୁଆଡ଼ି ଘରକୁ । ତାକୁ ଆଜି ଅଧିକା ଟଙ୍କା ଦରକାର । ପାଞ୍ଚଶହ କିଛି ନୁହେଁ । ସେଦିନ କଣା ଘରେ ନଥିଲା ।

 

ତା’ ପରଦିନ ସକାଳେ ପୁଣି କଣା ମାରୁଆଡ଼ି ଘରକୁ ଗଲା । ଟଣିଆ ଦିନବେଳା ତା ଘରକୁ ଆସିଥିବା ଦେଖି କଣା ମାରୁଆଡ଼ି ବିଚଳିତ ହୋଇ ପଡ଼ିଲା । ଅସ୍ତବ୍ୟସ୍ତ ହୋଇ କହିଲା–ଟଣିଆ ଭାଇ, ସକାଳୁ ସକାଳୁ କାହିଁକି ଆସିଗଲ ?

 

–ମୁଁ ଜାଣେ ତମେ ବ୍ୟସ୍ତ ହେବ । ମୋତେ ଟଙ୍କା ଦରକାର ।

 

ଟଙ୍କା ! ମୋ ପାଖରେ କାହିଁ ? ବ୍ୟବସାୟ ବଡ଼ ମାନ୍ଦାରେ ଚାଲିଛି । ଆଜିକାଲି ସିମେଣ୍ଟ କୋଟା ମିଳୁ ନାହିଁ । ଆମ ସରକାରୀ ଦଳର ଗଲାପରେ ମୁଁ ବହୁତ ଅସୁବିଧାରେ ପଡ଼ିଛି । କହିଲା କଣା ।

 

ମନେ ମନେ ହସିଲା ଟଣିଆ । ମିଛଗୁଡ଼ାକ କେଡ଼େ ସରଳ ଭାବରେ କହି ପକାଉଛି କଣା । ସେ ଜାଣେ କଣା ସରକାରୀ ଦଳର ଲୋକଙ୍କୁ ଖୁସ୍‌ ରଖାଉଛି । ସେମାନଙ୍କୁ ମଧ୍ୟ ଚାନ୍ଦା ଦେଉଛି । ବ୍ୟବସାୟୀ ବୁଦ୍ଧି । ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନଙ୍କୁ ଖୁସିରେ ନ ରଖିଲେ କୋଟା, ପରମିଟ୍‌ପାଇବ କେମିତି ? ତଥାପି ପୁରୁଣା ଲୋକଙ୍କୁ ଭୁଲି ନାହିଁ । ଟଙ୍କା ପଇସା ଦେଲାବେଳେ ଯାହା କୁନ୍ଥୁକୁନ୍ଥୁ । ତା’ର ଆସିବା ଅଭିପ୍ରାୟ ଜାଣିପାରି କଣା କେବଳ ଅଭିନୟ କରୁଛି ।

 

ଟଣିଆ କଥା ନ ବଢ଼େଇ କହିଲା–କଣ, ମୋତେ ହଜାରେ ଟଙ୍କା ଦରକାର, ଦିଅ ।

 

ଏତେ ଟଙ୍କା କାହିଁ ? –କହି କଣା ଟଣିଆର ହାତକୁ ଅନେଇଲା କାଳେ ସେ ଛୁରୀଟାଏ ବାହାର କରି ତାକୁ ଆକ୍ରମଣ କରିବ କି ? ଟଣିଆର ସେ ସବୁ ଅଭିପ୍ରାୟ ନଥିଲା । ତାର ଟଙ୍କା ନିହାତି ଦରକାର ।

 

ସେ ପୁଣି କହିଲା–ଯେମିତି ହେଲେ ତୁମକୁ ଯୋଗାଡ଼ କରିବାକୁ ପଡ଼ିବ ।

 

ଗଦିପାଖ କାଠ ବାକ୍‌ସରୁ ତିନିଶହ ଟଙ୍କା ବାହାର କରି କଣା ବଢ଼େଇ ଦେଲା ଟଣିଆକୁ-। ଟଣିଆ ଚାହୁଁ ଥିଲା ଅଧିକା ଟଙ୍କା । ସେ ସେଠାରୁ ଯିବାପାଇଁ ନାରାଜ । ଛୋଟ ପିଲାଙ୍କୁ ବୁଝେଇଲା ପରି କଣା କହିଲା–ଟଣିଆ ଭାଇ ! ଏବେ ତମେ ଯାଅ । ମୋ ପାଖରେ ଅଧିକା ଟଙ୍କା ପଇସା ହେଲେ ମୁଁ ପଠେଇ ଦେବି । ଏବେ ସତରେ ମୋ ପାଖରେ କିଛି ନାହିଁ । ବ୍ୟବସାୟ ବଡ଼ ମାନ୍ଦା ।

ରବିବାର ଦିନ ଆସିବି । କିଛି ଟଙ୍କା ଯୋଗାଡ଼ କରିଥିବ–କହି ଟଣିଆ ଚାଲିଗଲା ।

ମୋଟେ ଆଠଶହ ଟଙ୍କାରେ କିଛି ହେବ ନାହିଁ, ନିକର ହେପାଜତ ପାଇଁ ବହୁତ ଟଙ୍କା ଆବଶ୍ୟକ । ନିକର ଅବସ୍ଥା କଥା ଜାଣିଲା ପରେ ଗ୍ୟାଙ୍ଗର ଅନେକ ସାଥୀ ଲୁଚିଯିବେ । କାମ ପାଇଁ ଆସିବେ ନାହିଁ–ମରାମରି କଥା ଦୂରରେ, ଏକାଠି ସୁଦ୍ଧା ହେବେ ନାହିଁ । ସେମାନଙ୍କୁ କିଛି କିଛି ଟଙ୍କା ଦେବାକୁ ପଡ଼ିବ । ଅଧିକ ସଭ୍ୟ ଯୋଗାଡ଼ କରିବା ଦରକାର । ବେକାର ପିଲାଗୁଡ଼ାକୁ ଏକାଠି କରିବାକୁ ହେବ । ଅତି କମ୍‌ରେ ପାଞ୍ଚ ହଜାର ଟଙ୍କା ପ୍ରୟୋଜନ । କେମିତି ଟଙ୍କା ଯୋଗାଡ଼ କରିବ ଭାବୁ ଭାବୁ ରାସ୍ତା ଉପରେ ଛିଡ଼ା ହୋଇଗଲା ଟଣିଆ । ସିମେଣ୍ଟ ବସ୍ତା ବୋଝେଇ ହୋଇ ଯାଉଥିବା ରିକ୍‌ସାଟିଏ ତା’ପଛରେ ଆସି ଅଟକି ଗଲା । ରିକ୍‌ସାବାଲା ଘଣ୍ଟି ବଜେଇ ପାଟି କରୁଥାଏ ରାସ୍ତା ଛାଡ଼ିବା ପାଇଁ ।

ରିକ୍‌ସାବାଲାର ପାଟି ଶୁଣି ଟଣିଆ ପ୍ରକୃତିସ୍ଥ ହେଲା । ସଙ୍ଗେ ସଙ୍ଗେ ତା ମୁଣ୍ଡକୁ ନୂଆ ଯୋଜନା ଢୁକିଗଲା । ପେଟିନ୍‌ସାହି ସିମେଣ୍ଟ ଗୋଦାମରୁ ସିମେଣ୍ଟ ବହୁତ ବିକ୍ରି ହେଉଛି । ଚିନି, ଗହମର ବଡ଼ ଗୋଦାମ ଅଛି ମକରବା ସାହି ମୁଣ୍ଡରେ । ମେରିଆବଜାର ମୁଣ୍ଡରେ ଛେଳିକଟା ଘର ରହିଛି । ସେଇଠି ତା’ ଦଳର ଲୋକମାନଙ୍କୁ ରଖିଦେବ । ସିମେଣ୍ଟ ବସ୍ତା ପିଛା, ଗହମ, ଚିନି ବସ୍ତା ପିଛା ଏବଂ ହଣା ହେବାପାଇଁ ଆସୁଥିବା ଛେଳି ଓ ମେଣ୍ଢା ପାଇଁ ବି ଆଦାୟ କରିବ । ସେଥିରୁ ଦିନକୁ ତିରିଶି ଚାଳିଶ ଟଙ୍କା ମିଳିଯିବ । ଦଶ ପନ୍ଦର ଟଙ୍କା ଖର୍ଚ୍ଚ ହେବ । ବାକି ଟଙ୍କା ଦଳ କାମରେ ଲାଗିବ ।

ସେଠାରୁ ସେ ଚାଲିଲା ଭାରି ଖୁବ୍‌ପାଖ ସଭ୍ୟ ଆପ୍‌ପା ଓ ବେଲୁ ପାଖକୁ । ଦୁହିଁଙ୍କୁ ବସେଇ ତା ଯୋଜନା ବିଷୟରେ କହିଲା । ଦୁହେଁ ସମ୍ମତି ଦେଲେ । ସେହିଦିନ ସନ୍ଧ୍ୟାରୁ ମକରବା–ମେରିଆ ବଜାର–ପେଟିନ୍‌ସାହି ଯୁବକ ସଙ୍ଘର ପୁନର୍ଜୀବନ ହେଲା । ବହୁଦିନ ବିସ୍ମିତି ଗର୍ଭରେ ଲୁଚି ରହିବା ପରେ ସେ ଆତ୍ମପ୍ରକଶ କଲା ।

ଯୁବକ ସଙ୍ଘର ସଭ୍ୟମାନେ ବିଭିନ୍ନ ସାହି ମୁଣ୍ଡରେ ତାଲା ପକା ବାକ୍‌ସ ଧରି ବସି ରହିଲେ–ବଟି ଆଦାୟ ଆରମ୍ଭ ହୋଇଗଲା । ଯୁବକ ସଙ୍ଘ ନାଁରେ ।

ସକାଳୁ ଉଠି ପ୍ରସ୍ତୁତ ହେଉ ହେଉ ଦିନ ନ’ଟା ବାଜି ଯାଇଥାଏ । ବିଗତ କେତେ ଦିନର ଭାବନା, ଜଞ୍ଜାଳ ଏବଂ ଶାରୀରିକ ପରିଶ୍ରମ ଟଣିଆକୁ କ୍ଳାନ୍ତ କରି ଦେଇଥାଏ । ଗୋପାଳ ବାବୁ ତାକୁ ବଡ଼ି ଭୋରରୁ ଆସିବା ପାଇଁ କହିଥିଲେ । ଘରୁ ବାହାରୁ ବାହାରୁ ଦିନ ନ’ଟା ହୋଇ ଗଲାଣି । ତରତରରେ ବାହାରିଗଲା ଟଣିଆ । ସାହି ମୁଣ୍ଡରେ ଦେଖିଲା–ସଞ୍ଜୟ ଦାସ ଏବଂ ତାଙ୍କ ଭଉଣୀକୁ-। ସୁନ୍ଦର ନ ହେଲେ ମଧ୍ୟ ବେଶ୍‌ ମନଲୋଭା ଝିଅଟି । ଲମ୍ବା ଲମ୍ବା ପାଦ ବଢ଼େଇ ଆଗକୁ ଚାଲିଗଲା ଟଣିଆ ପାଖ ମନୋହାରୀ ଦୋକାନ ବାରଣ୍ଡା ଉପରେ ଛିଡ଼ା ହୋଇ ଅନେଇଲା ଦୁଇ ଭାଇ ଭଉଣୀଙ୍କୁ । ଭଲ ସାଙ୍ଗରେ ଭଉଣୀ ବେଶ୍‌ ନିର୍ଭୟରେ ଚାଲିଛି । ସାବନା ଦେହରେ ହଳଦିଆ ଶାଢ଼ି ଖୁବ୍‌ସୁନ୍ଦର ଦେଖାଯାଉଛି ।

ସଞ୍ଜୟଙ୍କର ଆଖି ଟଣିଆ ଉପରେ ପଡ଼ିଗଲା । ଟଣିଆ ଏକ ଲୟରେ ଅନେଇଥାଏ ଭଉଣୀକୁ । ସଞ୍ଜୟ ଡରିଗଲେ, କାଳେ ସେ ଦୁହିଁଙ୍କ ଉପରେ ଆକ୍ରମଣ କରିବ । ସେହି ଅଞ୍ଚଳ କେମିତି ପାରି ହେବେ ସେଇଥି ପାଇଁ ଭଉଣୀକୁ ଜଲଦି ଯିବାପାଇଁ କହିଲେ । ସେମାନେ ପାଖକୁ ଆସିଗଲା ପରେ ସମସ୍ତଙ୍କ ଉଦ୍ଦେଶ୍ୟରେ ଟଣିଆ କହିଲା–ମାଲ୍‌ଟା ଖୁବ୍‌ଭଲ ଅଛି । ଗଛ ତୋଳା କାକୁଡ଼ିଟାଏ ।

ସଞ୍ଜୟ ଭଉଣୀ ଶୋଭା ଏହି ମନ୍ତବ୍ୟ ଶୁଣି ଚାରିଆଡ଼କୁ ଅନେଇଲା । ଏତେ ଲୋକ ଭିତରେ କେଉଁ ଜାଗାରୁ ଏହି ମନ୍ତବ୍ୟ ଆସିଥିଲା ଜାଣି ପାରିଲା ନାହିଁ ! ତାକୁ ଏପଟେ ସେପଟେ ଅନାଉ ଥିବା ଦେଖି ଭାଇ ଜଲଦି ଚାଲି ଆସିବା ପାଇଁ କହି ଆଗେଇ ଗଲେଣି । ସେ କିନ୍ତୁ ତରତରରେ ଯାଇ ପାରୁନାହିଁ । ତରତରରେ ଯିବା ତା’ର ଅଭ୍ୟାସ ନଥିଲା । ଫୁଲବାଣୀରୁ ଆସିଥିଲା । ଏହା ସହସ୍ର ଜଙ୍ଗଲ ଭିତରେ ସେ ଏକାବେଳକେ ଅସ୍ତବ୍ୟସ୍ତ ହୋଇ ଯାଉଥାଏ । ମଣିଷଗୁଡ଼ାକ ଏତେ ହିଂସ୍ର ବୋଲି ସେ ଆଗରୁ ଜାଣି ନଥିଲା । ଏବେ ଯେତେବେଳେ ଘରୁ ବାହାରେ ଲୋକଙ୍କୁ ଅନେଇ ରହିଥାଏ । ସେମାନଙ୍କ ଚାଲିଚଳନ ଲକ୍ଷ୍ୟ କରୁଥାଏ । ଆଜି ଏମିତି ମନ୍ତବ୍ୟ କିଏ ଏବଂ କାହିଁକି କରୁଛି ଦେଖିବା ଇଚ୍ଛାରେ ଚାରିଆଡ଼କୁ ଅନାଉଥାଏ ।

ତା ପଛେ ପଛେ ଟଣିଆ ଚାଲି ଆସିଲା । –ପଛଟା ଭଲ ଦିଶୁଛି । ମୁଁ ବେଣୀ ହୋଇଥାନ୍ତି କି ନିତମ୍ବ ଛୁଇଁ ଛୁଇଁ ଚାଲି ଥାଆନ୍ତି । –ଟିପ୍‌ପଣି ଝାଡ଼ିଲା ଟଣିଆ । ଶୋଭା ଜାଣି ପାରିଲା ସେହି ଟିପ୍‌ପଣି ତା ଉଦ୍ଦେଶ୍ୟରେ । ପଛକୁ ବୁଲିପଡ଼ି ଦେଖିଲା ଟଣିଆକୁ । ତାର କଟା ହୋଇଥିବା ଦାଢ଼ୀ ଦେଖି ତା’ର ମନେହେଲା ସତେ ଯେମିତିକି ଗୋଟିଏ ମାଙ୍କଡ଼ ତାକୁ ଅନେଇ ଖତେଇ ହେଉଛି । ଗାଁରେ ମାଙ୍କଡ଼ଙ୍କୁ ହୁରୁଡେଇଛି ବହୁତ ଥର, ଇଏବା କେତେ ?

ଶୋଭା ଅଟକି ଯିବା ଦେଖି ସଞ୍ଜୟ ପ୍ରମାଦ ଗଣିଲେ । ଟଣିଆ ନିଶ୍ଚୟ କିଛି ଗୋଟାଏ ଅଘଟଣ ଘଟାଇବ । ରାସ୍ତାଟା ଉପରେ ଅପଦସ୍ତ କରେଇ ଦେବ । ଶୋଭାର ହାତଧରି ଆଗକୁ ଟାଣିବା ପାଇଁ ଚେଷ୍ଟା କଲେ । ଶୋଭା କିନ୍ତୁ ଆଗକୁ ଯିବାପାଇଁ ନାରାଜ । ମାଙ୍କଡ଼ଟାର ମୁକାବିଲା କରିବାକୁ ହେବ ।

ଆପଣ ମୋତେ କହିଲେ ? –ପଚାରିଲା ଶୋଭା ।

ଆଉ କାହାକୁ କହିବ ସଖୀ । ତୁ ଚାଲିଛୁ ଫକ୍‌ଫକ–ମୋ ମନ ସକ୍ ସକ୍– ।

ଅଧିକା କିଛି କହିବା ପୂର୍ବରୁ ଖପ୍‌କରି ଚପଲଟିଏ ପାଦତଳୁ ଉଠେଇଆଣି ଗୋଟିଏ ଶକ୍ତ ପାହାର କଷିଦେଲା ଟଣିଆ ମୁହଁରେ । ଦ୍ୱିତୀୟ ଥର ଆଘାତ କରିବା ପୂର୍ବରୁ ହାତଟାକୁ ଧରିନେଲା ଟଣିଆ । ଏହାଥିଲା ତା’ ପାଇଁ ନୂଆ ଅନୁଭୂତି । ଆଗରୁ କେହି ତାର ପ୍ରତିରୋଧ କରି ନ ଥିଲେ । କୁଆଡ଼ୁ ଆସିଥିବା ଛନକୀ ଟୋକୀଟା ତାକୁ ଚପଲରେ ପିଟିଦେବ ! ଏହା ଅସହ୍ୟ ହେଲା ଟଣିଆକୁ । ନିଜର ପରାକ୍ରମ ସତେ ଯେମିତିକି ମଉଳି ଯାଇଛି ଏହା ଝିଅଟି ପାଖରେ । ଶୋଭାକୁ ନିଜ ପାଖକୁ ଭିଡ଼ି ଆଣିଲା । ଶୋଭା ନଛୋଡ଼ବନ୍ଧା । କହୁଣୀରେ ଭୁଷିଦେଲା ଟଣିଆର ପେଟକୁ । ଟିକିଏ ପଛକୁ ହଟିଯାଇ ଟଣିଆ ଖୁବ୍‌ଜୋରରେ ପଛରୁ ଧରିନେଲା ଶୋଭାକୁ । ସଞ୍ଜୟ ତା ଉପରକୁ ମାଡ଼ି ଆସିବା ପୂର୍ବରୁ ପଛପଟୁ ବ୍ଲାଉଜ ଓ ବ୍ରାସିଅର୍‌କୁ ଛୁରାଟିଏ ବାହାର କରି କାଟି ପକେଇଲ । ବାଁ ହାତରେ ଶୋଭାର ବାଁ ପଟର ଛିଣ୍ଡା ବ୍ଲାଉଜ ଓ ଶାଢ଼ିକୁ ଟାଣି ବାହାର କରିଦେଲା-। ଅସଂଖ୍ୟ ଆଶାୟୀ ଆଖି ଶୋଭାର ବାଁ ଛାତି ଉପରେ କେନ୍ଦ୍ରୀଭୂତ ହୋଇଗଲା । ଆଖିଗୁଡ଼ିକ ସତେ ଯେମିତିକି ଅମୃତପାନ କରୁଛନ୍ତି ସେହି ଖୋଲା ବକ୍ଷୋଜରୁ । କେତେଜଣ ହୋ ହୋ ହୋଇ ହସି ଉଠିଲେ । ଚାରିଆଡ଼େ ଅଶ୍ଳୀଳତାର ଝଡ଼ ।

ଶୋଭା ତଳେ ବସି ପଡ଼ିଲା । କଇଁ କଇଁ ହୋଇ କାନ୍ଦି ପକେଇଲା । ସଞ୍ଜୟ ମନ ଦୃଢ଼କରି ଟଣିଆକୁ ଠେଲିଦେଇ ଭଉଣୀ ପଛରେ ଛିଡ଼ା ହୋଇଗଲେ । ଟଣିଆ ତାକୁ ଛୁରୀ ମାରିବି କି ନାହିଁ ସେ ବିଷୟରେ ଚିନ୍ତା ନାହିଁ । ଭୟାଳୁ ଲୋକ ମଧ୍ୟ ସମୟେ ସମୟେ ଅଶେଷ ସାହସର ଅଧିକାରୀ ହୋଇଯାଏ । ନିଜ ଭଉଣୀର ମାନ ଇଜ୍ଜତ ରକ୍ଷା କରିବାକୁ ଯାଇ ସେ ନିଜେ ସାହସୀ ହୋଇ ଯାଇଥିଲେ । ଆକ୍ରମଣ ଓ ଶାରୀରିକ ସୁରକ୍ଷା ପାଇଁ ନଜର ନଥିଲା ।

ଶୋଭା ଖୁବ୍‌ଜୋରରେ କାନ୍ଦି ଉଠିଲା । ଶାଢ଼ି ଓ ଛିଣ୍ଡା ବ୍ଲାଉଜ ସାହାଯ୍ୟରେ ନିଜର ଅନାବୃତ ସ୍ତନକୁ ସାଧ୍ୟମତେ ଘୋଡ଼େଇ ନେଲା । ଲଜ୍ଜା ଓ ଅପମାନ ତା ମୁଣ୍ଡ ଉପରେ ବୋଝପରି ବସିଗଲା । ସେ ଆଉ ମୁଣ୍ଡ ଉଠେଇ ପାରିଲା ନାହିଁ । ଶହ ଶହ ଆଖି ତା ଆଡ଼କୁ ଅଶ୍ଳୀଳ ଭାବେ ଅନେଇ ରହିଥିଲେ । ମୁଣ୍ଡ ଟେକି ସେହି ଆଖିଗୁଡ଼ିକର ମୁକାବିଲା କରି ପାରିଲା ନାହିଁ । ସହର ଆଖିଗୁଡ଼ିକ ଯେ ଜଙ୍ଗଲ ଆଖିଠାରୁ ଆହୁରି ହିଂସ୍ର ସେ ଆଗରୁ କେବେ ଚିନ୍ତା କରି ନଥିଲା । କେହି ଜଣେ ସୁଦ୍ଧା ଆଗେଇ ଆସୁନାହିଁ ସାହାଯ୍ୟ କରିବା ପାଇଁ । ଲୁଗାପଟା ଯଥାସାଧ୍ୟ ସଜାଡ଼ି ନେଇ, ମୁହଁ ତଳକୁ ପୋତି ସେଠାରୁ ଘରକୁ ଚାଲିଗଲା । ଘରେ ପହଞ୍ଚିଲା ବେଳେ ତା ଦେହ ଝାଳରେ ଜୁଡ଼ୁବୁଡ଼ୁ ହୋଇ ଯାଇଥାଏ ସତେ ଯେମିତିକି ବାଘ ହାବୁଡ଼ରୁ ଖସି ଆସିଛି ।

 

ଛୁରାରେ ବ୍ଲାଉଜ, ଶାଢ଼ି ଓ ବ୍ରାସିୟର କାଟି ଦେଇସାରି ପ୍ରକୃତିସ୍ଥ ହେଲା ଟଣିଆ । ନିଜ ସାହି ଭିତରେ ସେ ଏମିତି କେବେ ବ୍ୟବହାର କରି ନଥିଲା । ଝିଅମାନଙ୍କୁ ଅଶ୍ଳୀଳ ମନ୍ତବ୍ୟ କରିଛି, ସିଟି ମାରିଛି, ଆଖି ମାରିଛି କିନ୍ତୁ କାହାକୁ ଧରି ନଥିଲା । ନିଜ ଉପରେ ନିଜର ଅକ୍ତିଆର ନଥିବା ସେ ଅନୁଭବ କରି ପାରିଲା । କାହିଁକି ସେ ଝିଅଟାକୁ ଏମିତି କଲା ? ସେ କିଛି ଭାବି ପାରିଲା ନାହିଁ-। ସେଠାରୁ ଜଲ୍‌ଦି ଜଲ୍‌ଦି ପାଦ ବଢ଼େଇ ଚାଲିଗଲା ଆଗକୁ ।

 

ଅନ୍ୟ ସାହିର ଚାହା ଦୋକାନରେ ଯାଇ ବସିଗଲା–ମନ ଭଲ ଲାଗୁନାହିଁ । ଚାହା ଟିକିଏ ପିଇଦେଇ ଯିବ ଗୋପାଳବାବୁଙ୍କ ପାଖକୁ । ଚାହା ପିଆଲାରେ ଚୁମକ ଦେଲାବେଳେ ଦେଖିଲା ହାବିଲଦାର ରଜାକ୍‌ଚାହା ଦୋକାନ ଭିତରକୁ ପଶି ଆସୁଛନ୍ତି । ତାକୁ ଦେଖି ରଜାକ୍‌ ଅନ୍ୟଆଡ଼େ ମୁହଁ ବୁଲେଇ ଦେଲେ । ଚାହା ଦୋକାନର କୋଣରେ ଥିବା ବେଞ୍ଚରେ ବସିପଡ଼ି ଚାହା ପିଇଦେଇ ତରତରରେ ବାହାରକୁ ଚାଲିଗଲେ । ରଜାକ୍‌ ପଛେ ପଛେ ଚାଲିଲା ଟଣିଆ । ପଛରୁ ଟଣିଆ ଆସୁଥିବା ଦେଖି ରଜାକ୍‌ ଅଟକି ଗଲେ । ପଚାରିଲେ–କିରେ ମୋ ପଛରେ ଆସୁଛୁ କାହିଁକି-?

 

ମୋତେ ଆରେଷ୍ଟ କରିବେନି । ହାବିଲଦାରବାବୁ ?

 

ପଳା, ପଳା । ତୋ ସାଙ୍ଗରେ କଥା ହେଉଥିବା ଦେଖିଲେ ଇନିସ୍‌ପେ‌କ୍ଟର ମୋ ଚାକିରି ଖାଇଦେବେ । ଚାଲିଯା । ଏମିତି ନିର୍ଭୟରେ ଏଆଡ଼େ କାହିଁକି ଆସୁଛୁ ?

 

କାମ ଥିଲା ଆସିଥିଲି । ମୋ ନାଁରେ ୱାରଣ୍ଟ ଅଛି ନା ନାହିଁ ?

 

ଅଛି । ତୁ ଯା–କହି ହାବିଲଦାର ରଜାକ୍‌ ସାଇକେଲ ଚଢ଼ି ତରତରରେ ଚାଲିଗଲେ । ଗଲାବେଳେ ଛୁରାଆଡ଼କୁ ଅନାଉଥାଆନ୍ତି । ଟଣିଆ ସାଙ୍ଗରେ କଥାବାର୍ତ୍ତା ହେବା କେହି ଦେଖି ନାହାନ୍ତି ତ ?

 

ଟଣିଆ ଟିକେଏ ହସିଦେଲା । ଗରମ ଜାଗାରୁ ହାବିଲଦାର ଝାଳ ନାଳ ହୋଇ ଯେମିତିକି ପଳେଇ ଯାଉଛନ୍ତି । ଯିବା କଥା, ତାକୁ ଧରିବା ପାଇଁ ହାବିଲଦାର ବାବୁଙ୍କର ନିଶ୍ଚୟ ଇଚ୍ଛା ହେଉଥିବ । କିନ୍ତୁ ପାରୁ ନାହାନ୍ତି । ଡର– । ତା’ ମଧ୍ୟ ହେବା କଥା । ଦୁଇ ଦୁଇଟା ଝିଅ ସ୍କୁଲକୁ ଯାଉଛନ୍ତି । ସାନ ପୁଅ ସବୁବେଳେ ଦାଣ୍ଡରେ ଖେଳେ । ମେରିଆ ବଜାର ମୁଣ୍ଡରେ ଛୋଟ ଘରଟିଏ ଭଡ଼ାନେଇ ରହୁଛି । ଝିଅକୁ ଟାଣି ନେଇଗଲେ ବା ପୁଅକୁ ଛୁରା ମାରିଦେଲେ ରକ୍ଷା କରିବ କିଏ ? ନିଜପାଇଁ ସିନା ସବୁ ବାହାଦୂରୀ ବାହାରିବ ହେଲେ ପରିବାର ପାଇଁ ଅକଲ ଗୁଡ଼ୁମ୍‌ । ଯେତେଦିନ ମେରିଆ ବଜାରରେ ରହିବ ସେତେଦିନ ସେ ମେଣ୍ଢା ହୋଇଯିବ । ମନକୁ ମନ ହସି ଟଣିଆ । ସିଗାରେଟ ଲଗାଇ ଚାଲିଲା ଗୋପାଳବାବୁଙ୍କ ଘରକୁ ।

 

ଗୋପାଳବାବୁ ବ୍ୟସ୍ତ ହୋଇ ବାହାର ବାରଣ୍ଡାରେ ଅପେକ୍ଷା କରିଥିଲେ ଟଣିଆକୁ । ଟଣିଆ ଗଲାକ୍ଷଣି ତାକୁ ଭିତରକୁ ନେଇଗଲେ । କହିଲେ–

 

ଆସନ୍ତା କାଲି ସରକାରୀ ଦଳର ମିଟିଂ ଗୌରୀଶଙ୍କର ପାର୍କରେ ହେବ । ଆମକୁ ସେ ମିଟିଂ ଭାଙ୍ଗିବାକୁ ପଡ଼ିବ । ତୁ ସେ ଦାୟିତ୍ଵ ନେବୁ ।

 

ଟଣିଆ ଖୁବ୍‌ଖୁସି ମନେ ମନେ । ବହୁତ ଦିନପରେ ମକୁ ସହିତ ମୁକାବିଲା କରିବା ପାଇଁ ଗୋଟିଏ ସୁଯୋଗ ମିଳିବ । କିନ୍ତୁ ବାହାରକୁ କିଛି ଦେଖେଇଲା ନାହିଁ । ଉତ୍ସାହ ନ ଦେଖେଇଲେ । ଅଧିକା ଟଙ୍କା ମିଳବ । କିଛି ନ କହି ଚୁପ୍‌ଚାପ୍‌ ଛିଡ଼ା ହେଲା ।

 

ଟଣିଆର ଉତ୍ସାହ ନଥିବା ଦେଖି ଗୋପାଳବାବୁ ବ୍ୟସ୍ତ ହୋଇ ଉଠିଲେ । ଟଣିଆ ଛଡ଼ା ଏ ସବୁ କାମ ଆଉ କିଏ କରିବ ? ବ୍ୟସ୍ତ ହୋଇ କହିଲେ–

 

ତୁ ମୋ ଭାଇଟା ପରା । ଏ କାମଟା ନ କଲେ ନ ଚଳେ । ମୁଁ ତୋତେ ଦୁଇ ହଜାର ଟଙ୍କା ଦେବି ।

 

ଦୁଇ ହଜାର ଟଙ୍କା ଦେବାକଥା ଶୁଣି ଟଣିଆ ଆହୁରି ଖୁସି ହୋଇଗଲା । କହିଲା–ଠିକ୍‌ ଅଛି । ମୁଁ ସବୁ ବନ୍ଦୋବସ୍ତ କରିଦେବି । ଗୋପାଳବାବୁ ହଜାରେ ଟଙ୍କା ଦେଲେ ଟଣିଆକୁ ଏବଂ କହିଲେ–ଆର ହଜାର ଟଙ୍କା ପହରିଦିନ ଆସି ନେଇଯିବୁ । ବେଶି କିଛି କଥାବାର୍ତ୍ତା ନକରି ଟଣିଆ ଗୋପାଳ ବାବୁଙ୍କ ଘରୁ ଚାଲିଗଲା । ସେ ଗଲା ଚୌଧୁରୀ ବଜାର ଏବଂ ବିନୋଦ ବିହାରୀ । ସେହି ଅଞ୍ଚଳରେ ଚୋରାରେ ମିଳେ ଅନେକ ବିଷ୍ଫୋରକ ଜିନିଷ । କେହି ତା ପିଛା ନ କରୁ ଏବଂ କେହି ଯେମିତି ସନ୍ଦେହ ନକରୁ ସେଥିପାଇଁ ସେ ତତ୍ପର ହୋଇ ଲୁଚି ଲୁଚି ଗଲା । ଗୋଟିଏ ଜାଗାରୁ କିଣିଲା ମନଶୀଳା ପଟାସ୍‌, ଅନ୍ୟ ଜାଗାରୁ ଗନ୍ଧକ । ଅନ୍ୟ ଏକ ଦୋକାନରୁ ହରିତାଳା ଛୋଟ ଛୋଟ ଲୁହା କଣ୍ଟା ଏବଂ ସୁତୁଲି କିଣି ସେ ସିଧା ଚାଲିଲା ଆପ୍‌ପା ‌ଘରକୁ । ଆପ୍‌ପା ଗଡ଼ମା ତିଆରି କରିବାରେ ଓସ୍ତାଦ । ଗଡ଼ମା ଦେହରେ କିଛି ଗୋଡ଼ି ଓ କଣ୍ଟା ପୁରେଇ ଦେଲେ ସେ ହୋଇଯିବ ବୋମା । ବୋମା ତିଆରି କରିବା ପାଇଁ ଅତି କମ୍‌ରେ ଆଠ ଦଶ ଘଣ୍ଟା ଲାଗିଯିବ । ପଟ୍ଟାପୋଲ ନର୍ଦ୍ଦମା କଡ଼ରେ ଥିଲା ଆପ୍‌ପାର ଘର । ଏତେ ଦୁର୍ଗନ୍ଧ ପାଖରେ ଆପ୍‌ପା କେମିତି ରହିପାରେ ଭାବିଲେ ସବୁବେଳେ ଆଶ୍ଚର୍ଯ୍ୟ ହୁଏ ଟଣିଆ, ଆପ୍‌ପା ଘରେ ବେଶୀ ସମୟ ବସାଉଠା କରିବା ଦରକାର ପଡ଼ିଲେ ସେ ମଦ ପିଇଦିଏ । ନଚେତ୍‌ ତାର ନାକପୁଡ଼ା ଦୁଇଟା ବିଦ୍ରୋହ କରି ଉଠନ୍ତି ଏହି ଗନ୍ଧ ଶୁଂଘି ଶୁଂଘି ।

 

ଅନ୍ୟାନ ସରଞ୍ଜାମ ଆଣି ଛୋଟ ବଡ଼ ଦଶଟା ଗଡ଼ମା ତିଆରି ଶେଷ କଲା ବେଳେ ରାତି ଦୁଇଟା ବାକିଯାଇଥାଏ । ପଟ୍ଟାପୋଲ ମୁଣ୍ଡରେ କାଳେ ପୁଲିସ୍‌ ଜଗିଥିବେ ଭାବି ଟଣିଆ ପେନ୍‌ସନ୍‌ ‌ଲେନ୍‌ମୁଣ୍ଡ ଦେଇ ଚାଲିଲା ଗୋପବନ୍ଧୁ ଭବନ ଛକକୁ । ଛକ ମୁଣ୍ଡ ପୂର୍ବରୁ ଲକ୍ଷ୍ୟକଲା ଗୋଟିଏ ଟ୍ରେକର ଥୁଆ ହୋଇଛି । ତାର ଷ୍ଟେପନୀ ଟାୟାର ବଦଳା ଯାଉଛି । ପାଖରେ ମକୁ ଓ ତାର ସହଚର ପୀରୁ ଛିଡ଼ାହୋଇ ଗପ ଲଗେଇଛନ୍ତି । ଦୁହେଁ ଖୁବ୍‌ ପିଇଦେଇଛନ୍ତି । ପିଇଦେଇ ପରେ ବେଶୀ ବାହାଦୁରୀକଥା ବାହାରେ । ମକୁ ବାହାଦୁରୀ କରି କହୁଥାଏ–

 

ସ୍କଚ୍‌ ହୁଇସ୍କିଟା ଭାରି ଭଲ ଲାଗିଲାରେ । ଶଳାମାନଙ୍କର ଏମିତି ମିଟିଂ ସବୁ ପ୍ରତି ମାସରେ ହୁଅନ୍ତା କି ଆମେ ଆରାମରେ ଚଳି ଯାଆନ୍ତେ । ଗୋଟାଏ ମିଟିଂ ପାଇଁ ପାଞ୍ଚ ହଜାର ଟଙ୍କା ମିଳିଗଲା ।

 

–ମିଟିଂ ପାଇଁ ଲୋକ ଯୋଗାଡ଼ କରିବ, ମିଟିଂରେ ଗଣ୍ଡଗୋଳ କରେଇ ଦେବନି ବୋଲି ସେମାନେ ଟଙ୍କା ଦେଲେ । ତମେ ସେ ସବୁ ପାରିବଟି ?

 

ଆରେ ଶାଲା ଓ ହମାରା ବାୟେଁ ହାତ୍‌କା ଖେଲ୍‌ କହି ଗୋଟିଏ ଫୁଟୁକି ମାରିଲା ମକୁ ।

 

ତୁ ତମ ସାହିର ଶହେ ଦୁଇଶହ ଲୋକ ଡାକି ଆଣିବୁ ! ତମ ସାହି ଯୁବକ ସଙ୍ଘକୁ ଦୁଇଶହ ଟଙ୍କା ଦେଇଦେବୁ । ଆମ ଲୋକକୁ ମିଟିଂ ଭିତରେ ରଖିଦେବୁ । ମୁଁ ମଞ୍ଚ ପାଖରେ ଥିବି । ନେ ସ୍କଚ୍‌ହୁଇସ୍କି ଆଉ ଟିକିଏ ପିଇଦେ । ଆଉ କେତେଦିନ ମିଳି ନପାରେ । ଶଳା ଇଁଲିସ୍‌ବାଲା ଭଲ ହୁଇସ୍କି ବନଉଛନ୍ତି । ଆମର ଏ ବିହାରୀବାଲା ଗୁଡ଼ାକ ବେଓଖୁପ୍‌ । କିଛି ଜାଣନ୍ତି ନାହିଁ ମଦ ତିଆରି ବିଷୟରେ ।

 

ଦି ଢୋକ ପିଇସାରି ପୀରୁ ପୁଣି କହିଲା–ଓସ୍ତାଦ୍‌ । ଏହି ଗାଡ଼ିଟାରେ କୋଣାର୍କ ବୁଲି ଆସିଲେ କିମିତି ହୁଅନ୍ତା । ମିଟିଂ ସରିଲେ ଯିବା କି ?

 

ମିଟିଂ ସରିଲେ କାହିଁକି ? ତା ପରଦିନ ଯିବା । ଫୂର୍ତ୍ତି କରିବା ।

 

ଗାଡ଼ିଟା ପରା ‘ମନ୍ତ୍ରୀଙ୍କର । ସେ କାଲି ମିଟିଂ ପରେ ଫେରେଇ ଦେବାକୁ କହିଛନ୍ତି ।

 

ଆରେ ଶାଲା, ମାର୍‌ଗୋଲି ମିନିଷ୍ଟରକୁ । ଆମେ ପହରି ଦିନ ଫେରେଇବା ।

 

ମହାପାତ୍ର ଗଳି ଭିତରକୁ ଚାଲିଯାଇ ଟଣିଆ ଆଗ୍ରହର ସହ ଲକ୍ଷ୍ୟ କରୁଥାଏ ମକୁର ବ୍ୟବହାରକୁ । ଦୁଇବର୍ଷ ତଳର ନିଜ ବ୍ୟବହାର ପରି ମନେ ହେଲା । କ୍ଷମତାରେ ଥିଲାବେଳେ ସମସ୍ତେ ଏମିତି ବେପରୁଆ, ଉଦ୍‌ବାର୍ଯ୍ୟ ହୁଅନ୍ତି । କ୍ଷମତାରୁ ଗଲାପରେ ନିଜପରି ଗଳିର ବୁଲାକୁତୀ ପାଲଟି ଯାଆନ୍ତି ।

 

କେତେ ସମୟ ପରେ ଟ୍ରେକର ଠିକ୍‌ କରି ମକୁ ଓ ତାର ସାଥୀ ଚାଲିଗଲେ । ଟଣିଆ କେଶରପୁର ମସଜିଦ୍‌ପାଖ ଦେଇ ଚାଲିଲା ମେରିଆ ବଜାର । ମେରିଆ ବଜାର ଛକମୁଣ୍ଡ ଅନ୍ଧାରରେ କନେଷ୍ଟବଲଟିଏ ଛିଡ଼ା ହୋଇଥିଲା । ତାକୁ ଏକୁଟିଆ ଆସୁଥିବା ଦେଖି ହୁଇସିଲ୍‌ମାରି ତାର ଛୋଟ ଲାଠି ଉଠେଇ ନିର୍ଦ୍ଦେଶ ଦେଲା ଟଣିଆକୁ–ଛିଡ଼ା ହେବାପାଇଁ । ଟଣିଆର ହାତ ସଙ୍ଗେ ସଙ୍ଗେ ଚାଲିଗଲା ତାର ଅଣ୍ଟା ପାଖକୁ । ପାଖେଇ ଆସିଲାରୁ କନେଷ୍ଟବଲ ତାକୁ ଚିହିଁ ପାରିଲା । କାହିଁକି ତାର ହାତ ଅଣ୍ଟା ପାଖକୁ ଯାଇଛି କନେଷ୍ଟବଲ୍‌ଜାଣି ପାରିଲା । ବିନା ବାଧାରେ ଉଠି ଆସି ଥିବା ହାତ ତଳକୁ ଚାଲିଗଲା–ଝଡ଼ରେ ଭାଙ୍ଗି ପଡ଼ୁଥିବା କଦଳୀ ଗଛ ପରି । ମୁହଁରେ ଅନାଗତ ଭୟର ଆଶଙ୍କା ଲେପି ହୋଇଗଲା । କାଳେ ଛୁରୀଟା ବାହାର କରି ତାକୁ ମାରିଦେବ କି ? କିଛି କଥାବାର୍ତ୍ତା ନକରି ତଳକୁ ଚାଲି ଆସୁଥିବା ବାଡ଼ରେ ଇସାରା କଲା–ସେଠାରୁ ଚାଲିଯିବା ପାଇଁ । ଟଣିଆ ଛାଇ ଭିତର ଦେଇ ନିଜ ଘରକୁ ଫେରିଗଲା । ଆଲୁଅରେ ଯାଇ କନେଷ୍ଟବଲ୍‌କୁ ଅପମାନିତ କରିବା ଇଚ୍ଛା ତାର ନ ଥିଲା ।

 

ପରଦିନ ସକାଳୁ ଟଣିଆ ବକ୍‌ସି ବଜାର ଯାଇ କଳା ବୁଲା ଷଣ୍ଡଟାକୁ ଧରିନେଇ ହାତୀ ପୋଖରୀ ପାଖରେ ବାନ୍ଧିଦେଲା । ହାତୀ ପୋଖରୀରୁ ଧଣ୍ଡ ସାପଧରି ବ୍ୟାଗରେ ପୁରେଇଲା । ଆଠ ଦଶଟା କୋବି କିଣିନେଲା ବକ୍‌ସି ବଜାରରୁ–ଷଣ୍ଡର ଫଳାହାର ପାଇଁ । ଦିନ ଦୁଇ ପହର ବେଳେ ସାଙ୍ଗ ସାଥି ନେଇ ଚାଲିଲା ଗୌରୀଶଙ୍କର ପାର୍କ । ଚୌଧୁରୀ ବଜାର ଧର୍ମଶାଳା ଗଳିରେ ଜଣେ ସାଥୀକୁ ଷଣ୍ଢ ପାଖରେ ରଖିଦେଇ ବନ୍ଧା କୋବି ସବୁ ଭାଲୁ ବଢ଼େଇ ଦେଲା । ଷଣ୍ଢର କାମ କଣ ସବୁ ବୁଝେଇ ଦେଲା । ଅନ୍ୟ ଜଣେ ନୂଆ ହୋଇ ତାଲିମ ପାଇଥିବା ସତ୍ୟକୁ ଧଣ୍ଡସାପ ମୁଣିଟା ବଢ଼େଇ ଦେଇ ସିଟି ହସପିଟାଲ ପାଖ ପାନଦୋକାନରେ ବସେଇ ଦେଲା । ରେଭେନ୍‌ସା ଗାର୍ଲ ସ୍କୁଲ ଛୁଟି ହୋଇଗଲା ପରେ ସେ ଓ ଆପ୍‌ପା ତା ଭିତରେ ପଶିଗଲେ । ପାଚେରୀ ସେପଟେ ଲୁଚି ରହିଲେ ଦଳର ଅନ୍ୟ ଏକ ସାଥିର ଇସାରା ପାଇଁ । ସେହି ସାଥୀ ଦୁଇଟା ଛୋଟ ବାଣନେଇ ମିଟିଂ ଉପରେ ବସିବ । ତାର ବାଣ ଫୁଟିଲା ପରେ ଏମାନେ ଗଡ଼ମା ଫୋପାଡ଼ିବେ ମିଟିଂ ଭିତରକୁ ଏବଂ ରାସ୍ତା ଉପରକୁ ।

 

ନିର୍ଦ୍ଧାରିତ ସମୟର ଘଣ୍ଟାଏ ପରେ ମିଟିଂ ଆରମ୍ଭ ହେଲା । ମକୁ ଓ ତାର ସାଥୀମାନେ ଖୁବ୍‌ପିଇ ଦେଇଥାନ୍ତି । ମନ୍ତ୍ରୀ ଭାଷଣ ଦେବାକୁ ଉଠିଲା ବେଳେ ସେମାନେ ଟୁଳ୍‌ଟୁଳ୍‌ । ଅଳ୍ପ ପଇସା ଥିବା ଲୋକ ଖୁବ୍‌ବେଶୀ ଟଙ୍କା ପଇସାର ଅଧିକାରୀ ହୋଇଗଲେ ଯେମିତି ନିଜ ଉପରେ କର୍ତ୍ତୃତ୍ୱ ହରେଇ ବସେ, କଥାବାର୍ତ୍ତା, ଚାଲିଚଳନରେ ଶାଳୀନତା ରହେ ନାହିଁ ସେମିତି ହୋଇଥିଲା ମକୁ ଓ ତା ଗ୍ୟାଙ୍ଗର ସାଙ୍ଗ ମାନଙ୍କର । ସମସ୍ତଙ୍କ ପାଖରେ ପଇସା, ପେଟର ତିନିପା ଭାଗ ମଦରେ ଭର୍ତ୍ତି ।

 

ମନ୍ତ୍ରୀଙ୍କ ବକ୍ତୃତା ଆରମ୍ଭ ହେଉ ହେଉ କଳା ବୁଲା ଷଣ୍ଡଟା ମାଡ଼ି ଆସିଲା–ଷ୍ଟେଜ ପଛପଟେ ଛିଡ଼ା ହୋଇ ଗପ କରୁଥିବା ଲୋକଙ୍କ ଆଡ଼କୁ । ଠିକ୍‌ ସେତିକିବେଳେ ଦୁଇଟା ସାପ ଲୋକ ଗହଳି ଭିତରେ ପଶି ଯାଉଥିଲା । ପୂର୍ବ ଓ ଉତ୍ତରପଟେ ଲୋକ ହାଉଳି ଖାଇ ଉଠିଲା ବେଳକୁ ଦୁଇଟା ଗଡ଼ମା ଫୁଟିଗଲା ପଶ୍ଚିମପଟେ । ଲୋକେ ପଡ଼ିଉଠି ଦୌଡ଼ିବାରେ ଲାଗିଲେ । ଅଣଓସାରିଆ ଗେଟ୍‌ଦେଇ ବାହାରକୁ ଯିବା କଷ୍ଟକର ବ୍ୟାପାର । ଠେଲାପେଲା ଭିତରେ ଗୁଡ଼ାଏ ଲୋକ ଦଳି ଚକଟି ହୋଇଗଲେ । ଅମାନିଆ ଷଣ୍ଢଟା ଲୋକ ଗହଳ ଦେଖି, ତରକି ଯାଇ ମୁଣ୍ଡଟାକୁ ନୁଆଁଇ ଆକ୍ରମଣ ଭଙ୍ଗିରେ ମାଡ଼ି ଆସିଲା । ସାପଗୁଡ଼ାକ ବାଟ ନପାଇ ଏପଟେ ସେପଟେ ଦୌଡ଼ିଲେ । କୋଳାହଳ ଭିତରେ ସାପର ଜାତି କିଏ ଚିହ୍ନଟ କରୁଛି ? ମଞ୍ଚ ଉପରୁ ମନ୍ତ୍ରୀଙ୍କର ଅନୁରୋଧ କେହି ଶୁଣିବା ପାଇଁ ନାରାଜ । ଆପେ ବଞ୍ଚିଲେ ବାପର ନାଁ, ମନ୍ତ୍ରୀ କଅଣ ବଞ୍ଚେଇ ଦେବେ କି ?

 

ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଆସିଥିବା ପୁଲିସ୍‌ବାବୁମାନେ ପଛପଟ ପାନ ଦୋକାନରେ ବସି କେତେ କୁଜି ନେତାଙ୍କ ସହ ଭାବ ବିନିମୟରେ ବ୍ୟସ୍ତ । ଏପଟେ କଅଣ ହେଉଛି ହଠାତ୍‌ ଜାଣିପାରି ନଥିଲେ । ହୋ, ହଲ୍ଲା ଦୌଡ଼ା ଦୌଡ଼ି ଦେଖି ସେମାନେ ମଞ୍ଚ ପାଖକୁ ଲାଗି ଆସିଲେ–ପ୍ରଥମେ ସିଂହାବଲୋକନ କରିବା ପାଇଁ । ସିଂହାବଲୋକନ କରୁ କରୁ ଛ’ ସାତଟା ଗଡ଼ମା ଗାର୍ଲ ସ୍କୁଲ ରାସ୍ତା ପଟେ ଫୁଟିଲା–ଏକାଥରକେ । ସତେ ଯେମିତିକି ଶତ୍ରୁ ପକ୍ଷ କଟକ ସହର ଉପରେ ବୋମା ଆକ୍ରମଣ କରୁଛନ୍ତି । କେତେ କରୁଣ ଚିତ୍କାର ଏବଂ ତା ପରେ ପରେ ଲୋକଙ୍କର ଦୌଡ଼ା ଦୌଡ଼ି, ପାଟିତୁଣ୍ଡ । ମିଟିଂ ସଙ୍ଗେ ସଙ୍ଗେ ସଙ୍ଗ ଗଲେ । ମନ୍ତ୍ରୀ ଆଁ କରି ଛିଡ଼ା ହୋଇ ରହିଥାନ୍ତି–ଜନଶୂନ୍ୟ ପାର୍କକୁ ଅନେଇ । ତାଙ୍କ ଗୋଡ ଟିକିଏ ଟିକିଏ ଥରି ଯାଉଥାଏ । ଯେତେ ଚେଷ୍ଟା କଲେ ସୁଦ୍ଧା ଗୋଡ଼ ଦୁଇଟା ଅମାନିଆ–ଖାଲି ଥରୁଛି । ସୋଫା ଉପରେ ବସି ପଡ଼ୁ ପଡ଼ୁ ପୁଲିସ୍‌ ଉପରେ ରାଗ ଆସିଗଲା । ପାଖରେ ଛିଡ଼ା ହୋଇଥିବା ସବ୍‌ଇନିସ୍‌ପେକ୍ଟରଙ୍କ ଉଦ୍ଦେଶ୍ୟରେ କହିଲେ–ଇଏ ହେଉଛି ପୁଲିସର ସୁରକ୍ଷା ଯୋଜନା । ଆପଣମାନେ ଏମିତି ହେବ ବୋଲି ଜାଣି ସୁଦ୍ଧା ଆଗରୁ ପ୍ରତିଷେଧକ ବ୍ୟବସ୍ଥା କରି ନଥିଲେ । ରାଗ ଓ ଭୟରେ ମନ୍ତ୍ରୀ ଅଧିକ କିଛି କହି ପାରିଲେ ନାହିଁ । ସେ ଭୟ ପାଇ ଯାଇଛନ୍ତି ବୋଲି କାଳେ ପୁଲିସ୍‌ବାଲା ଜାଣିଯିବେ ଭାବି ଚୁପ୍‌ ହୋଇଗଲେ ।

 

ଅଭ୍ୟାସ ବଳରେ ସବ୍‌ଇନିସ୍‌ପେକ୍ଟର କିଛି ନ କହି ସାଲ୍ୟୁଟ କରିଦେଲେ । ଉପର ହାକିମଙ୍କ ରାଗ ଶେଷ ଶୁଣି ଶୁଣି କାନ ବଧିରା । ମନ୍ତ୍ରୀଙ୍କ ରାଗ ସେତେ ଉପରକୁ ଯିବନାହିଁ । ତେବେ ରାଗଟା ସେହି ଗୋଟିଏ ପ୍ରକାରର । ମନ୍ତ୍ରୀ ଉଠି ଚାଲିଗଲେ ନିଜ କାରକୁ । ସବ୍‌ଇନସ୍‌ପେକ୍‌ଟର ଅନ୍ୟ ଦୁଇ ଜଣ କନେଷ୍ଟବଲଙ୍କୁ ନେଇ ଏପରି ସେପଟେ ଦୌଡ଼ାଦୌଡ଼ି କଲେ । କିନ୍ତୁ ଗଡ଼ମା ଫୁଟିବା ଜାଗାକୁ ଗଲେ ନାହିଁ । ଗଲେ ବିପଦ–ଦେହ ଉପରେ ଗଡ଼ମା ଫୁଟି ଯାଇପାରେ, ହାତ ଗୋଡ଼ ଉଡ଼ି ଯାଇପାରେ । ବୋମା ବର୍ଷଣ ଦୁଇଦଳ ଭିତରେ–ପ୍ରାଧାନ୍ୟ ବିସ୍ତାର ପାଇଁ । ପୁଲିସ ବିରୁଦ୍ଧରେ ହୋଇ ନଥିବ । ତେଣୁ ମିଛଟାରେ ଯୁଦ୍ଧ କ୍ଷେତ୍ରରେ ପ୍ରବେଶ କରିବା ବିଜ୍ଞତାରେ କାର୍ଯ୍ୟ ହେବ ନାହିଁ । ପୁଲିସ୍‌ଦଳ ରହିଗଲେ ମନ୍ତ୍ରୀଙ୍କ କାର୍‌ପାଖରେ ।

 

ମକୁ ଓ ତା ସାଙ୍ଗମାନେ ମଞ୍ଚ ପାଖରେ ବସି ଢୁଳାଉ ଥିଲେ । ଗଡ଼ମା ଫାଟିବା ଶବ୍ଦ ଶୁଣି ଚମକି ଉଠିପଡ଼ିଲେ । ଦୌଡ଼ିଲେ ଗାର୍ଲ ସ୍କୁଲ ଆଡ଼କୁ । ଅନ୍ଧାର ଭିତରୁ କିଏ ଦୁଇଜଣ ପାଚେରୀ ଡେଇଁ ଗଙ୍ଗା ମନ୍ଦିର ଆଡ଼କୁ ଦୌଡ଼ିବା ଦେଖାଗଲା । ମଦ ନିଶାରେ ଗୋଡ଼ର ଶକ୍ତି ଚାଲି ଯାଇଛି । ଆଖି ଦୁଇଟା ଝାପ୍‌ସା ଧରିଛି । ସେମାନେ ପିଛା କରି ପାରିଲେ ନାହିଁ । ପୀରୁ ହାତରେ ଦୁଇଟା ଗୋଡ଼ିବାଣ ଥିଲା । ଖୁବ୍‌ ଜୋରରେ ଫୋପାଡ଼ି ଦେଲା ଆଗରେ ଦୌଡ଼ୁଥିବା ଦୁଇଜଣଙ୍କ ଉପରକୁ । ପଛ ଲୋକଟା ଆଘାତ ପାଇ ବସି ପଡ଼ିଲା । ସାମନା ଲୋକଟା ତାକୁ–ଟେକି ନେଇ ଅନ୍ଧାରରେ ମିଳେଇ ଗଲା ।

 

ଆପ୍‌ପା ଗୋଡ଼ିବାଣ ମାଡ଼ରେ ଆଘାତ ପାଇ ଯାଇଥାଏ । କିଛି ବାଟ ଟେକି ଟେକି ଆଣି ଟଣିଆ ତାକୁ ଛିଡ଼ା କରେଇଦେଲା । ଆପ୍‌ପା ନିଜେ ଚାଲିବା ଆରମ୍ଭ କଲା । ଗୋଟାଏ ବାଣ ତାର ବାଁ ପେଣ୍ଡା ପାଖରେ ବାଜି ରକ୍ତ ବାହାରୁ ଥାଏ । ଟଣିଆ ତାର ରକ୍ତ ପୋଛିଦେଲା । ଦୁହେଁ ପଟ୍ଟାପୋଲ ଚାଲିଲେ ।

 

ଆପ୍‌ପା ପାଇଁ ଔଷଧର ବନ୍ଦୋବସ୍ତ କରି ବାହାରିଲା ବେଳେ ରାତି ଅନେକ ହୋଇ ଯାଇଥାଏ । ପଟ୍ଟା ପୋଲ ସ୍କୁଲ ପାଖ ଦେଇ ଆସିଲା ବେଳେ ଟଣିଆ ଲକ୍ଷ୍ୟକଲା ଗୋଟିଏ ଲୋକ ନର୍ଦ୍ଦମା ଉପରେ ଚାଲି କରି ଯିବାପାଇଁ ପଡ଼ିଥିବା ଅଣଓସାରିଆ ପଟ୍ଟା ଉପରେ ଶୋଇ ପଡ଼ିଛି । ଟିକିଏ ହଲ୍‌ଚଲ୍‌ହେଲେ ନର୍ଦ୍ଦମା ଭିତରକୁ ଗଳି ପଡ଼ିବ । ଦେହ ଉପରେ ମଶା ବିଛେଇ ହୋଇ ଯାଇ ରକ୍ତ ଶୋଷି ନେଉଛନ୍ତି । ସେ ଜାଣି ପାରିଲା ଲୋକ ମଦ ପିଇ ନର୍ଦ୍ଦମା ପଟ୍ଟା ଉପରେ ଶୋଇ ଯାଇଛି –ସ୍ୱର୍ଗ ସୁଖ ପାଇବା ପାଇଁ । ପାଖକୁ ଯାଇ ମଶା ସବୁକୁ ହୁରୁଡ଼େଇ ଦେଲା । ଟେକି ଆଣି ପଟ୍ଟାପୋଲ ସ୍କୁଲ ବାରଣ୍ଡାରେ ଶୁଆଇ ଦେଲା I ହାତରେ ଧରିଥିବା ଖବର କାଗଜ ଘୋଡ଼ାଇଁ ଦେଲା ତା ଉପରେ’ ମଶା ଦାଉରୁ ରକ୍ଷା କରିବା ପାଇଁ । ମଶା କାମୁଡ଼ାରୁ ରକ୍ଷା ପାଇଥିବା ଲୋକଟି ବିଳବିଳଉ ଥାଏ–ଆଉ ଗୋଟାଏ ଗ୍ଲାସ ଦେ । କାଲି ପଇସା ଦେଇଦେବି ।

 

କିଛି ସମୟ ରହି ପୁଣି କହିଲା–ଆଜି ଦିନଯାକ ଖାଇନି, ଦେଇଥା ଆଉ ଗୋଟାଏ ଗ୍ଲାସ–ରିକ୍‌ସା ଟାଣି ପଇସା ଆଣିଲେ ତତେ ଦେଇଦେବିନି କି ?

 

ନିଦ୍ରିତ, ବୁଭୁକ୍ଷୁ ମୁହଁଟାକୁ ଅନେଇଲା ଟଣିଆ । ଘର ନାହିଁ, ଦ୍ୱାର ନାହିଁ, ଭବିଷ୍ୟତ ନାହିଁ–କାହିଁକି ବଞ୍ଚିଛନ୍ତି ଏମିତି ଲୋକ ଏ ସହର ଭିତରେ ! ନିଜେ ତାର କିଛି ଉତ୍ତର ପାଇପାରିଲା ନାହିଁ ।

 

ଚାରିଆଡ଼କୁ ଅନେଇ ଗୋଡ଼ କାଢ଼ିଲା–ଘରକୁ ଯିବାପାଇଁ ।

 

ସକାଳୁ ସକାଳୁ ବେଲୁର ଡାକ ଶୁଣି ଟଣିଆର ନିଦ ଭାଙ୍ଗି ଗଲା ।

 

ବେଲୁ କହିଲା–ଗୋଟିଏ ଟ୍ରକରେ ଦୁଇଶହ ବସ୍ତା ସିମେଣ୍ଟ ଯାଉଥିଲା । ଯୁବକ ସଂଘ ପାଇଁ ଚାନ୍ଦା ମାଗିବାରୁ ଦେଉ ନାହିଁ । ଟ୍ରକରେ ତିନି ଜଣ ଲୋକ ଅଛନ୍ତି । ଡ୍ରାଇଭର୍‌ କହୁଛି ମୋଟ ପଚାଶ ଟଙ୍କା ଦେବ ।

 

ବେଶି କିଛି କଥାବାର୍ତ୍ତା ନକରି ବେଲୁ ସାଙ୍ଗରେ ଟଣିଆ ଚାଲିଲା ଟ୍ରକ ଅଟକା ଯାଇଥିବା ଜାଗାକୁ । ଏତେ ସିମେଣ୍ଡ ଏକାଥରକେ ଗୋଟାଏ ଗାଡ଼ିରେ ଯିବା ଦେଖି ଟଣିଆ ଆଶ୍ଚର୍ଯ୍ୟ ହେଲା । ଭାବିଲା କିଣିଲାବାଲା ଜୋରଦାର ଥିବ । ସରକାରୀ ଦଳର ଲୋକ ହୋଇଥିବ-। ତାର ଅନୁମାନ ସତ ଜଣାପଡ଼ିଲା ଟିକିଏ ପରେ, । ଡ୍ରାଇଭର କହିଲା–ତୁଳସୀପୁର ପିଲିବାବୁଙ୍କର ଏ ସିମେଣ୍ଟ । ମକୁ ଯୋଗାଡ଼ କରି ଦେଇଛି ।

 

ମକୁ କେତେ ଟଙ୍କା ପାଇଲା ?

 

ହଜାରେ ଟଙ୍କା ।

 

ଆଣିଲ କେଉଁଠୁ ?

 

କଣା ମାରୁଆଡ଼ି ପାଖରୁ । ସେ ମଧ୍ୟ ବସ୍ତାପିଛା ଅଧିକା ପାଞ୍ଚଟଙ୍କା ନେଇଛି ।

 

ଟଣିଆ ଜାଣିପାରିଲା ସମସ୍ତଙ୍କ ପାଇଁ ଏହା ଗୋଟିଏ ଲାଭଜନକ ବ୍ୟବସାୟ । ସମସ୍ତେ ନିଜ ନିଜ ଫାଇଦା ଉଠାଇବାରେ ଲାଗିଛନ୍ତି । ମକୁର ଅର୍ଥ ଆଦାୟ ବାଟ ସୁଗମ ହୋଇଯାଇଛି, କୋଟା, ପରିମିଟ୍‌ରୁ ନିଶ୍ଚୟ ଅଜସ୍ର ଆଦାୟ ହେଉଥିବ ।

 

ଡ୍ରାଇଭର ଉଦ୍ଦେଶ୍ୟରେ କହିଲା–ହଉ, ଠିକ୍‌ ଅଛି । ତମେ ବସ୍ତାପିଛା ଟଙ୍କାଏ ଦେବାକଥା । ଏବେ ଆମ ଯୁବକ ସଂଘକୁ ଶହେଟଙ୍କା ଦେଇଦିଅ । ବେଶି ମାଗୁ ନାହିଁ । ବେଶି ମାଗିଲେ ଗଣ୍ଡଗୋଳ ହେବ । ପୁଲିସ୍‌ ଆସିବେ । ପୁଲିସ୍‌ ଆସିଲେ ସେ କିଛି କରିପାରିବି ନାହିଁ, କାରଣ ତାକୁ ସାହାଯ୍ୟ କରିବା ପାଇଁ ପଛରେ ସରକାର ସମର୍ଥନ ନାହିଁ । ଥରେ ପୁଲିସ୍‌ ଆସି ଚାନ୍ଦା ଆଦାୟ ବନ୍ଦ କରିଦେଲେ ଆଉ ଥରେ ଆରମ୍ଭ କରିବା କଷ୍ଟକର ହେବ ।

 

ଡ୍ରାଇଭର ଶହେଟଙ୍କା ଦେଇ ସିମେଣ୍ଟ ଟ୍ରକ୍‌ଟି ସେଠାରୁ ନେଇଗଲା । ଟଣିଆ ଠଉରେଇ ନେଇଥିଲା କଣା ମାରୁଆଡ଼ି ବେଶ୍‌ ରୋଜଗାର କରୁଛି । ତା’ଠାରୁ କିଛି ଟଙ୍କା ଆଣିବା ମତଲବ୍‌ରେ କଣାପାଖକୁ ସଙ୍ଗେ ସଙ୍ଗେ ଚାଲିଲା । ଅନେକ ଟ୍ରଲି ରିକ୍‌ସା, ଦୁଇଟା ଟ୍ରକ ଓ ତିନି ଚାରିଟା ଶଗଡ଼ ତା ଗୋଦାମ ସାମନାରେ ଛିଡ଼ା ହୋଇଥାଏ । କାହା ସାଙ୍ଗରେ କଛି କଥାବାର୍ତ୍ତା ନକରି ଟଣିଆ ସିଧା ଘର ଭିତରକୁ ପଶିଗଲା । କଣା ଟଙ୍କା ଗଣିବାରେ ବ୍ୟସ୍ତ । ଟଣିଆକୁ ଦେଖି ହଡ଼ବଡ଼େଇ ଗଲା । ଦୁଇ ଚାରିଟା ନୋଟ୍‌ତଳେ ପଡ଼ିଗଲା ।

 

ନୋଟ ଗୋଟେଇ, ଛେପ ଢୋକୁ ଢୋକୁ ପଚାରିଲା–

 

ଏତେ ସକାଳୁ କଣ ମନେ ପଡ଼ିଗଲା ?

 

କ’ଣ କଣା ! ସିମେଣ୍ଟ୍‌ରେ ବହୁତ ରୋଜଗାର ହେଉଛି । କିଛି ଏ ଆଡ଼କୁ ଆସିଯାଉ ।

 

ଭାଇ ରୋଜଗାର କ’ଣ ? ବସ୍ତାପିଛା ମକୁ ନେଇଛି ଟଙ୍କାଏ । ଯୋଗାଣ ବାଲା ଦୁଇଟଙ୍କା । ମୁଁ ବସ୍ତାପିଛା ଦୁଇଟଙ୍କା ଅଧିକ ପାଇଛି ।

 

ଭଲ କରିଛୁ । ଦେ ମୋତେ କିଛି ଟଙ୍କା ।

 

ବିନା ବାକ୍ୟବ୍ୟୟରେ କଣ ତାକୁ ପାଞ୍ଚଶହ ଟଙ୍କା ଦେଲା । ଦୀର୍ଘନିଶ୍ଵାସ ଛାଡ଼ି କଣା କିଛି ସମୟ ବସିଗଲା ପରେ କହିଲା–ଆଉ ଗୋଟିଏ କାମ ଥିଲା ।

 

କ’ଣ କାମ ? ଟଙ୍କା ପଇସା ମିଳିବତ ?

 

ହଁ, ବହୁତ ଟଙ୍କା ମିଳିବ । ଭଗତ୍‌ପୁରର ଗୋଟିଏ ପିଲା ବଙ୍ଗାଳୀ ସାହିର ଗୋଟିଏ ଝିଅକୁ ଭଲ ପାଉଛି । ଝିଅ ମଧ୍ୟ ତାକୁ ଭଲ ପାଏ । ଝିଅର ବାପା, ଭାଇ ଏସବୁ ପସନ୍ଦ କରନ୍ତି ନାହିଁ । ଝିଅ ମହିଳା କଲେଜ୍‌ରେ ଫାଷ୍ଟ ଇଅର ପଢ଼ୁଛି ତା ଭାଇ ଏ ପୁଅଟାକୁ ଥରେ ତାର ସାଙ୍ଗ ସାଥୀକୁ ଲଗେଇ ପିଟେଇ ଦେଇଥିଲା । ଭଉଣୀକୁ ଆଉ କଲେଜକୁ ପଠାଉ ନାହିଁ । ଦୁହେଁ ଘରୁ ଚାଲି ଯିବାପାଇଁ ଇଚ୍ଛୁକ । ସେ ଝିଅଟାକୁ ଉଠେଇ ଆଣିଲେ ପୁଅ, ଝିଅ ନରାଜ ଚାଲିଯିବେ । ତୋତେ ଦୁଇହଜାର ଟଙ୍କା ମିଳିବ ।

 

ଠିକ୍‌ ଅଛି । ସେ ପିଲାକୁ କହ ମୋ ସାଙ୍ଗରେ କଥାବାର୍ତ୍ତା କରିବ । ଗୋଟାଏ କାର୍‌ମଧ୍ୟ ଯୋଗାଡ଼ କରିଥିବ । ମୁଁ ସବୁ ସୁବିଧା କରିଦେବି ।

 

ନୂଆ କାମ ଏବଂ ନୂଆ ଅର୍ଥ ଉପାର୍ଜ୍ଜନର ବାଟ ମିଳିଯିବା ଦେଖି ଟଣିଆ ଖୁବ୍‌ଖୁସି । ଆଜିକାଲି ଟଙ୍କା ପଇସା ରୋଜଗାରର ବାଟ କମିଗଲାଣି । ଗ୍ୟାଙ୍ଗ୍‌ର ସଭ୍ୟମାନଙ୍କୁ ଟଙ୍କା ଦେଇ ହେଉ ନାହିଁ ନା କାମ ଯୋଗେଇ ହେଉନାହିଁ । ମଝିରେ ମଝିରେ ଏମିତି ଗୋଟିଏ ଯୋଡ଼ିଏ କାମ ହାତକୁ ଆସିଗଲେ ଅର୍ଥ ରୋଜଗାର ସୁବିଧାରେ ହେବ । ସମସ୍ତେ ହାତରେ ରହିବେ । ଗ୍ୟାଙ୍ଗ ଭାଙ୍ଗିବ ନାହିଁ । ଲୋକମାନେ ଖାତିର କରିବେ ! ସହର ଭିତରେ ମଝିରେ ମଝିରେ ଏମିତି ଆଖିଦୃଷ୍ଟିଆ କାମ ନକଲେ ଲୋକେ ଗ୍ୟାଙ୍ଗ୍‌ର ଅସ୍ତିତ୍ୱ ପୂରାପୂରି ଭୁଲିଯିବେ ।

 

ଖୁବ୍‌ ଖୁସି ହୋଇ ଟଣିଆ ତିନିକୋଣିଆ ବଗିଚା ମୁଣ୍ଡରେ ଥିବା ପାନ ଦୋକାନକୁ ଚାଲିଗଲା । ଗଞ୍ଜେଇଦିଆ ଦୁଇଟା ବିଡ଼ି ଟାଣିଦେଇ ମନକୁ ମନ ଗୁଣୁଗୁଣୁ କରି ଗୀତ ଗାଇ ଗାଇ ମକରବା ସାହି ଆଡ଼କୁ ଚାଲିଲା । ସେତେବେଳେ ତା’ର ମନେ ହେଉଥାଏ ସେ ଯେମିତିକି କଟକ ସହରର ରାଜା । ଯାହାର ଯାହା ହାନିଲାଭ, ଭଲମନ୍ଦ, ଆପଦ ବିପଦ ପାଇଁ ଫେରାଦ କରିବେ–ତା ପାଖରେ । ସେ ସବୁ ସମାଧାନ କରିଦେବ । ବଡ଼ ଗୋଟାଏ କୋଠା ତିଆରି କରେଇବ । ସେଇଠି ପ୍ରତିଦିନ ଶହ ଶହଲୋକ ତାକୁ ଦେଖା କରିବେ । ସେମାନଙ୍କ କଥା ଶୁଣିବ । ଯାହାର ଅଭାବ ଥିବ ତାକୁ ପଇସାପତ୍ର ଦେବ । ସାହି ବିବାଦ ସବୁ ନିଜେ ସମାଧାନ କରିଦେବ । ନିଜର ଦଳ ଖୁବ୍‌ବଡ଼ ହେବ । ବିପକ୍ଷ ଦଳ କେହି ରହିବେ ନାହିଁ । ତା କଥାରେ ସମସ୍ତେ ଚାଲିବେ । ଶେଷକୁ ସେ ହେବ ବିଧାନସଭା ସଦସ୍ୟ–ମନ୍ତ୍ରୀ ।

 

କାହାର କରୁଣ ଅନୁନୟ ଶୁଣି ଟଣିଆର ରଙ୍ଗିନ୍‌ ସ୍ଵପ୍ନ ଉଭେଇ ଗଲା ।

 

ସାମନାରେ ସେ ଦେଖିବାକୁ ପାଇଲା ଶୋଭାର ବାଟ ବନ୍ଦ କରି ଛିଡ଼ା ହୋଇଛି ବେପାରୀ ସାହିର ଗୋଟିଏ ଯୁବକ । ପେଟେ ପିଇ ଦେଇଛି, ଏବଂ ମଦ ନିଶାରେ କହୁଛି–ଆଲୋ ଦେଖା ଛାତିଟା । ଥରେ ତ ଦେଖେଇଛୁ । ଆଉ ଥରେ ଦେଖେଇଲେ କଅଣ ସେଥିରୁ କିଛି ସରିଯିବ ? ମୋ ଆଖି ବରଂ ଟିକିଏ ପବିତ୍ର ହୋଇଯାଉ !

 

ଶୋଭା ସେଠାରୁ ଚାଲି ଯିବାପାଇଁ ବାଟ ପାଉ ନଥାଏ । ଶିକାରୀର ଜାଲରେ ପଡ଼ିଯାଇଥିବା ହରିଣୀ ପରି ଖାଲି ଛାଟିପିଟି ହେଉଥାଏ । ଖସି ଯିବାପାଇଁ ବାଧ୍ୟ ଖୋଜିବା ବେଳେ ତା ପାଖକୁ ଲାଗି ଆସୁଥାଏ ସେହି ମଦୁଆ ଯୁବକଟି । ପାଖଆଖରେ ଥିବା କୌଣସି ଲୋକ ତାକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁନଥାନ୍ତି । ପାଖକୁ ଲାଗି ଆସି ଯୁବକଟି ତା କାନ୍ଧ ଉପରେ ହାତ ପକେଇ ଦେଲା । ଭୟରେ ଶୋଭା ଚିତ୍କାର କରି ଉଠିଲା । ଦେଖଣାହାରୀ ଓ ଯୁବକ ଜଣକ ହୋ ହୋ ହୋଇ ହସି ଉଠିଲେ । ଲମ୍ଫଦେଇ ପଛରୁ ଯୁବକକୁ ଟାଣି ଧରି ଟଣିଆ ଗୋଟିଏ ଶକ୍ତ ବିଧା ବସେଇଦେଲା ତା ପିଠି ଉପରେ । ବିଧାମାଡ଼ରେ ଯୁବକଟି ତଳେ ପଡ଼ିଗଲା । ସେତିକିବେଳେ ଶୋଭା ସେଠାରୁ ଦୌଡ଼ି ପଳେଇଗଲା ।

 

ଯୁବକଟିକୁ ତଳୁ ଉଠେଇ ଛିଡ଼ା କରେଇଲ ଟଣିଆ । ମୁହଁକୁ ଟିକିଏ ଅନେଇ କହିଲା–ଶଳା ମା’..... । ଆମ ସାହିକୁ ଆସି ନବରଙ୍ଗ ଦେଖଉଛୁ । ଯା ପଳା । ଟଣିଆ କବଳରୁ ରକ୍ଷାପାଇ ଯୁବକ ଏକ ନିଶ୍ୱାସରେ ଦୌଡ଼ିଲା ନିଜ ସାହି ଆଡ଼କୁ–ସତେ ଯେମିତିକି ସେ ପାଗଳ ହାତୀ କବଳରୁ ରକ୍ଷା ପାଇଯାଇଛି ।

 

ନିଜ ଉପରେ ରାଗ ଆସିଗଲା ଟଣିଆର । କାହିଁକି ସେ ଶୋଭାର ଲୁଗାପଟା କାଟି ଦେଇଥିଲା ସେ ଦିନ । ସେଇଥି ଯୋଗୁଁ ଏସବୁ ଅଘଟଣ, ନିଜ ସାହି ଭିତରେ । ସେ ନିଜେ ଯାଇ ଶୋଭାକୁ କ୍ଷମା ମାଗି ଆସିବ । ଶୋଭା ଘରକୁ ଚାଲିଲା ଟଣିଆ । ସାହି ମୁଣ୍ଡରେ ଜଣେ ସିପାହୀ ଟହଲ ମାରୁଥାଏ । ଖୁବ୍‌ଡେଙ୍ଗା–କସରତ କରୁଥିବା ଦେହଟା ସ୍ପଷ୍ଟ ବାରି ହୋଇ ଉଠୁଥାଏ ପୁଲିସ୍‌ ପୋଷାକ ଭିତରୁ । ଟଣିଆକୁ ଦେଖି ସିପାହୀ କହିଲା–ତୋ ନାଁ ଟଣିଆ ? ଆସ୍‌ ମୋ ସାଙ୍ଗରେ ।

 

ସଙ୍ଗେ ସଙ୍ଗେ ଟଣିଆର ହାତ ତା ପିଠିପଟକୁ ଚାଲିଗଲା । ସିପାହୀ ଖପ୍‌କରି ତା’ର ଦୁଇଟା ହାତକୁ ଧରି ମୋଡ଼ି ଦେଲା । ସେହି ମୋଡ଼ି ଦେବାରେ ନୂଆ କୌଶଳ ଥିଲା । ସେହି କୌଶଳ ଟଣିଆ ସିନେମାରେ ଦେଖିଥିଲା । ନିଜର ଶିଖିବା ଇଚ୍ଛା ଥିଲା କିନ୍ତୁ କଟକରେ କେହି ଶିଖେଇବା ଲୋକ ନଥିଲେ । ଏତେ ସହଜ କୌଶଳ ଅଥଚ ଏତେ ଜଲ୍‌ଦି ଲୋକକୁ କାବୁ କରିଦିଏ ବୋଲି ସେ ଆଗରୁ ଚିନ୍ତାକରି ନଥିଲା । ଏବେ ଜାଣିପାରିଲା । ସେହି କୌଶଳର ଦକ୍ଷତା-

 

ଚାରିଦିଗକୁ ଅନେଇ ଅନୁନୟ କରି କହିଲା–ସିପାହୀବାବୁ ମୋତେ ଛାଡ଼ି ଦିଅନ୍ତୁ, ମୁଁ କିଛି କରିବି ନାହିଁ ।

 

କିଛି କରିବୁ ନାହିଁ ନା ? କେତେ ଟଙ୍କା ରଖିଛୁ ବାହାର କର । ତା’ପରେ ଛାଡ଼ିବି, କହିଲା ସିପାହୀବାବୁ । ସଙ୍ଗେ ସଙ୍ଗେ ପକେଟ୍‌ରୁ ପଚାଶଟଙ୍କା ବାହାର କରି ସିପାହୀ ହାତକୁ ଚୁପ୍‌ଚାପ ବଢ଼େଇ ଦେଲା । ସିପାହୀ କିଛି ନ କହି ଟଙ୍କା ପକେଟସ୍ଥ କଲା ଏବଂ କହିଲା–ଯା, ମୋ ଆଗରେ ଛୁରୀ ବାହାର କରିବୁ ନାହିଁ । ମୁଁ ଜୁଡ଼ୋ କାରାଟେ ଜାଣେ ! ତୋତେ ସାବାଡ଼ କରିଦେଇ ପାରିବି । ବୁଝିଲୁ ?

 

ସିପାହୀ ତାକୁ ଛାଡ଼ି ଚାଲିଗଲା ପରେ ଟଣିଆ ଚାରିଆଡ଼କୁ ଅନେଇଲା । ସିପାହୀ ତାକୁ ଧରିନେଇ କାବୁ କରି ଦେଇଥିବା କେହି ଦେଖିଛି କି ନାହିଁ ଅନୁଧ୍ୟାନ କଲା । ରାସ୍ତାରେ ସେତେବେଳେ କେହି ନ ଥିଲେ । ସାମନା ପାଚିରୀ ତାକୁ ସୁବିଧା ଦେଇଥିଲେ ଅନ୍ୟମାନଙ୍କ ନଜରରୁ ରକ୍ଷା ପାଇବା ପାଇଁ । ଅନ୍ୟ କେହି ଦେଖି ଦେଇଥିଲେ ତାର ବଡ଼ପଣିଆ ନଷ୍ଟ ହୋଇଯିବ-। ସାହିରେ ଆଉ କେହି ମାନିବେ ନାହିଁ । ସମସ୍ତେ ଭାବିବେ ସେ ଦୁର୍ବଳ ହୋଇ ଯାଇଛି-। ତା’ର କ୍ଷମତା ଲୋପ ପାଇଯାଇଛି । ଅପମାନରେ ଜର୍ଜରିତ ହୋଇ ନିଜ ଉପରେ ନିଜେ ରାଗିଗଲା । ପାଚେରୀ କଡ଼ରେ ଛିଡ଼ାହୋଇ ହାତ ଦୁଇଟା ସିଧା କରୁ କରୁ ସେ ଭାବୁଥାଏ ଯେମିତି ହେଲେ କାରାଟେ ଶିଖିବ । ସିପାହୀ ହାତରୁ ଖସିବା ବାଟ ଜାଣିବ । ଅନ୍ୟ ଗୁଣ୍ଡା ଦଳଙ୍କୁ ସାବାଡ଼ କରିବ । ଏହି ନୂଆ କୌଶଳ ଶିଖିଲେ ଛୁରୀ, ଚାକୁର ବ୍ୟବହାର ଦରକାର ହେବ ନାହିଁ, ଅଯଥା ରକ୍ତପାତ ଏଡ଼େଇ ହେବ ।

 

ଶୋଭା ଘରେ ପହଞ୍ଚି ଦେଖିଲା କବାଟ ବନ୍ଦ ଅଛି । କିଛି ସମୟ ଡାକିଲା ପରେ ଶୋଭାର ଭାଇ ବାହାରକୁ ଆସିଲେ । ଟଣିଆକୁ ଦେଖି ପ୍ରଥମେ କିଛି କହିଲେ ନାହିଁ । ପରେ ପରେ ସେ କାନ୍ଦି ଉଠି କହିଲେ–

 

ତମେ ମୋ’ ଭଉଣୀର ସର୍ବନାଶ କରିଦେଲ । ବିଚାରୀ ଘରୁ ବାହାରି ପାରୁନାହିଁ । ଲଜ୍ଜାରେ ମୁଣ୍ଡ ଟେକି ଚାଲି ପାରୁନାହିଁ । ଅମେ କ’ଣ କରିବୁ ଜାଣିପାରୁ ନାହୁଁ । ପାରିବ ଯଦି ମୋ ଭଉଣୀର ଗଳା ଦବେଇ ଦିଅ । ସେ ମରିଯାଉ ।

 

ସିପାହୀ ପାଖରୁ ମାଡ଼ଖାଇ ଯେତିକି ଅପମାନିତ ହୋଇଥିଲା ଟଣିଆ ତା’ଠାରୁ ବେଶି ଅପମାନିତ ମନେକଲା ଶୋଭା ଭାଇର କରୁଣ ଆବେଦନ ଶୁଣି । ନିଜେ ଲଜ୍ଜିତ ହୋଇ ଅତି ଧୀର ଭାବରେ କହିଲା–

 

ମୋର ଖୁବ୍‌ ଭୁଲ୍‌ ହେଇଛି । ମୁଁ ଆସିଥିଲି ଭୁଲ ସ୍ୱୀକାର କରିବା ପାଇଁ । କ୍ଷମା ମାଗିନେବା ପାଇଁ । ଶୋଭାଦେବୀ କେହି ଯେମିତି କିଛି ନ କହେ ଭାର ବନ୍ଦୋବସ୍ତ ମୁଁ କରିବି । ସଞ୍ଜୟବାବୁ, ମୋତେ କ୍ଷମା କରନ୍ତୁ । ଶୋଭା ଦେବୀଙ୍କୁ ଡାକି ଦିଅନ୍ତୁ । ମୁଁ କ୍ଷମା ମାଗିନେବି ।

 

ଟଣିଆର ବହୁ ଅନୁନୟ ପରେ ସଞ୍ଜୟ ଶୋଭାକୁ ଡାକିବା ପାଇଁ ଭିତରକୁ ଗଲେ । ବହୁତ ଡାକିବା ପରେ ମଧ୍ୟ ଶୋଭାକୁ ଆସିଲା ନାହିଁ । ଶେଷରେ ନିରାଶ ହୋଇ ଟଣିଆ ଚାଲିଗଲା-। କୁଆଡ଼େ ଯିବ ଭାବି ଭାବି, କଲେଜ ଛକ ଆଡ଼କୁ ଚାଲିଲା । କଲେଜ ଛକରେ ଗୁଡ଼ାଏ କାଗଜପତ୍ର ଧରି ବେପାରୀ ସାହିର କଣ୍ଟ୍ରାକ୍‌ଟରେ ପରିଜାବାବୁ ଛିଡ଼ା ହୋଇ ଥାଆନ୍ତି । ତାଙ୍କ ମୁହଁ ବିଷଣ୍‌ଣ ଦେଖା ଯାଉଥାଏ । ଟଣିଆକୁ ଦେଖି ତାଙ୍କ ମୁହଁରେ ହସ ଫୁଟି ଉଠିଲା । ଟଣିଆ ପାଖକୁ ଆସି ପରିଜା ବାବୁ କହିଲେ–ଟଣିଆ, ମୁଁ ତୋତେ ମନେ ମନେ ଖୋଜୁଥିଲି । ମୋତେ ଟିକିଏ ସାହାଯ୍ୟ କରିବୁ ?

 

କଣ ସାହାଯ୍ୟ ?

 

ଜୋବ୍ରା ଜଳସେଚନ ଅଫିସରେ ଆଜି ଟେଣ୍ଡର ଦିଆଯିବ । ତୁ ଛୁରୀଟାଏ ଧରି ଟେଣ୍ଡର ବାକ୍‌ସ ପାଖରେ ଛିଡ଼ା ହେବୁ । ଯିଏ ଟେଣ୍ଡର ପକେଇବା ପାଇଁ ଆସିବ ମୁଁ ଟେଣ୍ଡର କାଗଜ ସବୁ ନେଇଯିବୁ ! ସେମାନଙ୍କୁ କିଛି କିଛି ଟଙ୍କା ମଧ୍ୟ ଦେବି । ମୋ ଛଡ଼ା ଆଉ କାହାର ଟେଣ୍ଡର କାଗଜ ଯେମିତି ପଡ଼ିବ ନାହିଁ । ତା ହେଲେ ମୁଁ କାମଟା ପାଇଯିବି । ଯିବୁ ?

 

କେତେ ଟଙ୍କା ଦବ ?

 

ଦୁଇଶହ ଟଙ୍କା ।

 

କେତେ ସମୟ ରହିବାକୁ ହେବ ?

 

ଚାରି, ପାଞ୍ଚ ଘଣ୍ଟା ।

 

ଚାଲ ।

 

ଯୋବ୍ରାର ଜଳସେଚନ ଅଫିସ ସାଧାରଣତଃ ଜନଶୂନ୍ୟ ଥାଏ । ସେଦିନ ଟେଣ୍ଡର କାଗଜ ଦେବାପାଇଁ ଅନେକ ଲୋକ ଆସିଥିଲେ । ଅଫିସ ବାରଣ୍ଡାରେ ଛୋଟ ବଡ଼ କଣ୍ଟ୍ରାକ୍ଟର ସବୁ ହାଉଯାଉ । ଟଣିଆ ଟେଣ୍ଡର ବାକ୍‌ସ ପାଖକୁ ଯାଇ ଛିଡ଼ା ହୋଇ ଚାରିଆଡ଼କୁ ଅନେଇଲା । ତାକୁ ଦେଖି ଜଣେ ଦୁଇଜଣ ବାରଣ୍ଡାରୁ ତଳକୁ ଓହ୍ଲେଇ ଆସିଲେ । ଟଣିଆ ତାର ନଳୀଗୋଡ଼ ପାଖରେ ରଖିଥିବା ଲମ୍ବା ଛୁରୀଟାକୁ ବାହାର କରି ଟେଣ୍ଡର ବାକ୍‌ସ ଉପରେ ରଖିଦେଲା । ହାତ ଗୋଡ଼ ସିଧା କରିବା ଭଳି ଅଭିନୟ କରି, ହାଇ ମାରିବାରେ ଲାଗିଲା । ଛୁରୀକୁ ଦେଖି ଟେଣ୍ଡର କାଗଜ ଦେବାକୁ ଆସିଥିବା ଲୋକଙ୍କ ଭିତରୁ ଅଧାଅଧି ଚାଲିଗଲେ । ଦୁଇ ଚାରିଜଣ ସାହସ କରି ଟଣିଆ ପାଖକୁ ଆସିଲେ ।

 

ଜଣେ କହିଲା–ଛୁରୀ ଧରି ତମେ କାହିଁକି ସେଇଠି ଛିଡ଼ା ହୋଇଛ ?

 

ତମକୁ ଟେଣ୍ଡର କାଗଜ ଦେବାରୁ ବଞ୍ଚିତ କରିବା ପାଇଁ ।

 

ମୁଁ ଯାଇ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟରଙ୍କୁ କହିବି ।

 

କୁହନ୍ତୁ । ଫେରିଲା ପରେ ଆପଣଙ୍କ ଲାସ୍‌ଟା ଜୋବ୍ରା ଆନିକଟରେ ଭାସିବ । ଆପଣଙ୍କର ସ୍ତ୍ରୀ ବିଧବା ହେବେ । ପିଲାମାନେ ଅନାଥ ହେବେ । ନିର୍ଲିପ୍ତ ଭାବେ ଖବର କାଗଜରୁ ପଢ଼ିଲା ପରି କହିଲା ଟଣିଆ ।

 

ପ୍ରତିବାଦ କରୁଥିବା ଲୋକଟି ନିଜ ଅଜାଣତରେ ଜୋବ୍ରା ଆନିକଟକୁ ଅନେଇଲା । ଗଭୀର ନୀଳ ପାଣି ଉପରେ ସୂର୍ଯ୍ୟ କିରଣ ଅସଂଖ୍ୟ ପ୍ରତିଫଳନ ସୃଷ୍ଟି କରୁଥାଏ । ପ୍ରତ୍ୟେକ ପ୍ରତିଫଳିତ ତରଙ୍ଗ ତାକୁ ବଡ଼ ବଡ଼ ଛୁରୀପରି ଦେଖାଗଲା । ଭୟରେ ବୁଲିପଡ଼ି ଛୁରୀଟାକୁ ଅନେଇଲା ହାତରେ ଧରିଥିବା ଟେଣ୍ଡର କାଗଜ ସବୁ ଟଣିଆ ହାତକୁ ବଢ଼େଇ ଦେଇ ସେ ଚାଲିଗଲା ।

 

ଯେଉଁମାନେ ସାହସ କରି ସାଙ୍ଗରେ ଆସିଥିଲେ । କଥାବାର୍ତ୍ତା ନ କରି ଚୁପ୍‌ଚାପ୍‌ ଚାଲିଗଲେ–ଗଲାବେଳେ ପଛକୁ ଅନେଇ ଦେଉ ଥାଆନ୍ତି କାଳେ ଛୁରୀଟା ପିଠିରେ ଲାଗିଗଲା କି-?

 

ଟଣିଆ କାଗଜସବୁ ପକେଟରେ ପୂରେଇ ପୁଣି ଗୋଡ଼ହାତ ସିଧା କଲା । କାହାଠାରୁ ଖବର ପାଇ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ରାଗ ତମ ତମ ହୋଇ ଟେଣ୍ଡର ବାକ୍‌ସ ଆଡ଼କୁ ଆସିଲେ-। ଏତେ ରାଗିଯାଇ ଥିଲେ ଯେ କ’ଣ କହିବେ କିଛି ଜାଣିପାରୁ ନଥିଲେ । ଏତିକି ବେଳେ ତାଙ୍କ ଅଫିସର୍‌ ଡିଭିଜନାଲ ଏକାଉଣ୍ଟାଣ୍ଡ ଆସି କାମରେ କଅଣ ଫିସ୍‌ଫିସ୍‌ କରି କହିଲେ । ରାଗରେ ଲାଲ ପଡ଼ିଥିବା ଏକ୍‌ଜକ୍ୟୁଟିଭ୍‌ଇଞ୍ଜିନିୟରଙ୍କ ମୁହଁ ଭୟରେ କଳାକାଠ ହୋଇଗଲା । କୁଆଡ଼େ ନ ଅନେଇ ମୁହଁ ତଳକୁ କରି ସେ ନିଜ ଅଫିସ ଭିତରକୁ ପଶିଗଲେ । ଟେଣ୍ଡର ବାକ୍‌ସ ପାଖକୁ କେହି ଗଲେ ନାହିଁ । ବାକ୍‌ସ ଭିତରେ ସତେ ଯେମିତିକି ବାଘ ମହୁମାଛି ବସା ବାନ୍ଧିଥିଲେ–ରାଣୀ ମହୁମାଛିଟା ବଡ଼ ଶୁଣ୍ଢଟାକୁ ବାକ୍‌ସ ଉପରେ ଥୋଇ ଦେଇ ସତେ ଯେମିତିକି ଆରାମ କରୁଛି-

 

ଧମକ ଚମକରେ ଟେଣ୍ଡର କାଗଜ ପଡ଼ୁଛି । ଛୁରୀ ଧରି ଲୋକ ଛିଡ଼ା ହୋଇଛି । ଅଥଚ କେହି ସାହସ କରି ଥାନାରେ ଖବର ଦେଉନାହିଁ । ଖବର ଦେବେ କାହିଁକି, ଦେଲେ ବିପଦ । ଦେଖି ନ ଦେଖିଲା ପରି ଚାଲିଗଲେ ସୁବିଧା । ସନ୍ଧ୍ୟା ସମୟକୁ ଦୁଇଶହ ଟଙ୍କା ଧରି ଟଣିଆ ବାହାରିଲା ଅଫିସ ବାରଣ୍ଡାରୁ । ରାସ୍ତାରେ ଲୋକଙ୍କର କୋଳାହଳ ଜମି ଆସିଲାଣି । ଆନିକଟ ପାଖରେ ବସି ପବନ ଖାଇବା ପାଇଁ ଲୋକ ଆସି ପହଞ୍ଚି ଗଲେଣି । ପାଖରେ ଗୋଟିଏ ତାଣ୍ଡବଲୀଳା ଅଭିନୀତ ହୋଇଯାଇଥିଲା । କିନ୍ତୁ ତାର ଚେର ସୁଦ୍ଧା କେହି ଜାଣି ପାରିଲେ ନାହିଁ । କେତେଜଣ–ଜାଣି ସୁଦ୍ଧା ନ ଜାଣିବା ଅଭିନୟ କରି ଜୋବ୍ରା ପାଣି ଭିତରକୁ ଅନେଇ ରହିଲେ । ଟଣିଆ ଜନଗହଳି ଭିତରେ ମିଶିଗଲା ବେଳେ ଶେଷଥର ପାଇଁ ଅଫିସ ପଟକୁ ଅନେଇଲା । ଏକ ଏକଜିକ୍ୟୁଟିଭ ଇଞ୍ଜିନିୟର ଝରକା ଦେଇ ତାକୁ ଅନେଇ ରହିଥିଲେ । ତା ନଜର ଯେମିତି ଏକ୍‌ଜିକ୍ୟୁଟିଭ୍‌ଇଞ୍ଜିନିୟରଙ୍କ ଉପରେ ପଡ଼ିଛି ସେ ସଙ୍ଗେ ସଙ୍ଗେ ଝରକାଠାରୁ ଦୂରକୁ ଚାଲିଗଲେ । ....ଚାହାଣୀ ଯେମିତିକି ତାଙ୍କୁ ଘାଏଲ୍‌ କରିଦେଲା ।

 

ସନ୍ଧ୍ୟାବେଳେ ଟଣିଆ ଘରକୁ ଫେରି ଦେଖିଲେ ଆପ୍‌ପା ବସିଛି । ତାକୁ ଦେଖି ଟଣିଆ ପଚାରିଲା–କିରେ ଏଇଠି କ’ଣ କରୁଛ ?

 

ଆମର ଯେଉଁମାନେ ସିନେମା ଟିକେଟ କଳାବଜାରୀ କରୁଛନ୍ତି ତାଙ୍କୁ ଧମକ ଦେଇ ଅନ୍ୟ ଗୋଟିଏ ଗ୍ୟାଙ୍ଗ ଟିକେଟ୍‌ ବିକିକା ପାଇଁ ଚେଷ୍ଟା କରୁଛନ୍ତି । ବୁକିଂ କ୍ଳର୍କଟା ମଧ୍ୟ ସେମାନଙ୍କୁ ସାହାଯ୍ୟ କରୁଛି ।

 

ଟଣିଆର ଅନ୍ୟ ଏକ ରୋଜଗାରର ପନ୍ଥା ଥିଲା ସିନେମା ଟିକେଟ୍‌ କଳାବଜାରୀ କରିବା । ବହୁଦିନ ତଳେ ନିଜେ ସିନେମା ଟିକେଟ କଳାବଜାରୀ କରୁଥିଲେ । ଏବେ ନିଜେ ଟିକେଟ ବିକିବା ପାଇଁ ଯାଏ ନାହିଁ । ପଇସା ଦେଇ ଅନ୍ୟମାନଙ୍କୁ ଲଗେଇଥାଏ । ସେମାନେ ପ୍ରତିଦିନ ଟଙ୍କା ଆଣି ଦିଅନ୍ତି । ପୁଲିସ ଟିକେଟ୍‌ ଜବତ କରିଦେଲେ ସେ ପଇସା ନିଜେ ଭରଣା କରିଦିଏ । କେଶ୍‌ର ଖର୍ଚ୍ଚ ନିଜେ ବହନ କରେ । କେଉଁ ସିନେମା ବେଳେ କେମିତି ଟିକେଟ ଅଣାହେବ, ଟିକେଟ ବଢ଼ୁଥିବା କ୍ଳର୍କକୁ କେତେ ପଇସା ଦିଆଯିବ–ସବୁ ଯୋଜନା ସେ ନିଜେ କରେ ।

 

ସିନେମା ଘର ପାଖରେ ପହଞ୍ଚି ଦେଖିଲା–ସତକୁ ସତ ଅଜଣା ପିଲା ଦୁଇଟା କଳାବଜାରୀ କରୁଛନ୍ତି । କିଛି ନକହି, ନ ପଚାରି ଛୁରାଟାକୁ ବାହାର କରି ଗୋଟିଏ ପିଲାର ହାତରେ ଭୂଷିଦେଲା । ପିଲାଟା ଚିତ୍କାର କରି ଟିକେଟ ସବୁ ତଳେ ପକେଇ ଦେଇ ଦୌଡ଼ିଲା । ତା ସାଙ୍ଗ ପିଲା ମଧ୍ୟ ଦଉଡ଼ି ପଳେଇଗଲା । ଟଣିଆ ଓ ଆପ୍‌ପା ସେମାନଙ୍କୁ ଗୋଡ଼େଇ ଗଲେ କିଛି ବାଟ । ଫେରି ଆସିଲା ବେଳକୁ ଦେଖିଲେ ଲୋକମାନେ ଦଉଡ଼ା ଦଉଡ଼ି କରି ପଳେଇ ଯାଉଛନ୍ତି–ସତେ ଯେମିତିକି ସିନେମା ହଲ ପାଖରେ ଭୂମିକମ୍ପ ହୋଇ ଯାଇଛି । ଟିକେଟ ସବୁ ବିଛାଡ଼ି ହୋଇ ଚାରିଆଡେ ପଡ଼ିଛି ପବନରେ ଉଡ଼ୁଛି । ନିଜ ଗ୍ୟାଙ୍ଗର ପିଲାମାନଙ୍କୁ ଏକାଠି କରି ଟଣିଆ ଦେଖିଲା ସେମାନଙ୍କ ପାଖରେ ଶହେଟି ଟିକେଟ ରହି ଯାଇଛି । ସେଦିନ ଆଉ ସେ ସବୁ ବିକ୍ରି ହେବ ନାହିଁ ଭାବି ସବୁ ଟିକେଟ ଚିରି ପକେଇଲା ।

 

ବୁକିଂ ଅଫିସ ପାଖକୁ ଯାଇ ବୁକିଂକ୍ଳର୍କ ଉଦ୍ଦେଶ୍ୟରେ କହିଲେ–ଶୁଣ୍‌ ଶଳା । ସେ ପିଲାମାନଙ୍କୁ ଯଦି ଆଉଥରେ ଟିକେଟ ଦେବୁ ତୋତେ ଛୁରୀ ଭୂଷି ଦେବି ।

 

ବୁକିଂ କ୍ଳର୍କର ପାଟି ଅଠା ଅଠା ହୋଇ ଯାଉଥାଏ । ଟଣିଆ ଓ ତା’ ମଝିରେ ଯଦି ଲୁହାଜାଲି ବାଡ଼ ଥାଏ ତଥାପି ତାର ମନେ ହେଲା ଲୁହାଜାଲି ଭାଙ୍ଗି ତାକୁ ଛୁରୀ ଭୁଷିଦେବ । ସେ ଭୟରେ ଥରି ଥରି ଶହେଟଙ୍କିଆ ନୋଟିଏ ବଢ଼େଇ ଦେଲା ।

 

ନୋଟଟା ନେଇ ଟଣିଆ ଜାଣିପାରିଲା ସେତିକି ଲାଭ କରିଥିଲା ବୁକିଂକ୍ଳର୍କ । ସେତିକି ବେଳେ ଅପ୍‌ପା ପାଟିକଲା–ପୁଲିସ୍‌ ।

 

ଏକା ଡିଆଁକେ ଟଣିଆ ପଶିଗଲା ପୋଲ ତଳ ନର୍ଦ୍ଦମା ଭିତରକୁ । ନର୍ଦ୍ଦମା ଦେଇ ଗୁରୁଣ୍ଡି ଗୁରୁଣ୍ଡି ଚାଲିଲା ପାଖ ଗଳିକୁ । ପୁଲିସ୍‌ ଆସିଲା ବେଳେ ସିନେମା ଘର ଶୂନ୍‌ଶାନ୍‌ । ସତେ ଯେମିତିକି ସେଇଠି କିଛି ହୋଇନାହିଁ । ଲୋକେମାନେ ପୁଣି ଯିବା ଆସିବା ଆରମ୍ଭ କଲେଣି । ଚିନାବାଦାମ୍‌ବାଲା ଉପର ମୁହଁ ମୋଡ଼ା ହୋଇଥିବା ଚିନାବାଦାମ୍‌ବସ୍ତା ପାଖରେ ନିର୍ବିକାର ଭାବେ ବସିଥାଏ–ଗ୍ରାହକକୁ ଅପେକ୍ଷାକରି ।

 

ରାତି ଦଶଟା ବେଳକୁ ଟଣିଆ ଘର ଉପରେ ଚଢ଼ାଉ ହେଲା ପୁଲିସ୍‌ର । ଚଢ଼ଉ ହେବାର ଅଧଘଣ୍ଟା ଆଗରୁ ସେ ଜାଣି ପାରିଥିଲା କିଛି ଗୋଟାଏ ହେବ । ଦୁଇ ଚାରିଟା ପୁଲିସ୍‌ଗାଡ଼ି ତା ଆଗରୁ ସେହି ବାଟ ଦେଇ ଯାଇଥିଲା । ସାଧାପୋଷାକଧାରୀ ପୁଲିସ୍‌ବାଲା ତା ଘର ସାମନାରେ ଲସରପସର ହେଉଥିଲେ । ସାଧାପୋଷାକଧାରୀ ପୁଲିସ୍‌ବାଲାଙ୍କୁ ଦେଖିଲେ ଟଣିଆକୁ ହସ ମାଡ଼େ । ସେମାନେ ଭାବନ୍ତି ତାଙ୍କୁ କେହି ଚିହ୍ନି ପାରିନାହିଁ । କିନ୍ତୁ ସେମାନଙ୍କର ଚାଲିଚଳନ ସେମାନଙ୍କୁ ଧରି ପକେଇ ଦିଏ । ଉପର ହାକିମ କେହି ସେହି ବାଟଦେଇ ଚାଲିଗଲେ ଚିରାଚରିତ ଅଭ୍ୟାସରେ କାଠପରି ଛିଡ଼ାହୋଇ ଯାଆନ୍ତି । ରାସ୍ତାରେ ଚାଲିଲା ବେଳେ ସବୁଆଡ଼କୁ ନିଘାକରି ଚାଲି ଥାଆନ୍ତି–କାଳେ କିଛି ନ ଦେଖି ଆଗକୁ ମାଡ଼ିଯିବେ କି ? ସେମାନଙ୍କୁ ଦେଖିଲାକ୍ଷଣି ଟଣିଆ ଜାଣିପାରେ ପୁଲିସ୍‌ର କିଛି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହେବ କିମ୍ବା ସେମାନେ ଆସିଛନ୍ତି କିଛି ଖବର ସଂଗ୍ରହ ପାଇଁ ।

 

ପୁଲିସ୍‌ ଚଢ଼ଉ ପୂର୍ବରୁ ଟଣିଆ ଘର ଛାଡ଼ି ଚାଲିଯାଇଥିଲା । ପୁଲିସ୍‌ ଆସି ତା ଘର ପରସ୍ତେ ଖୋଜିଗଲେ । ପାଖପଡ଼ିଶାଙ୍କୁ ପଚରା ପଚରି କଲେ, ଫେରିଗଲେ । ପୁଲିସ୍‌ର ତଲାସୀ ଚିରାଚରିତ ପ୍ରଥା ଅନୁସାରେ । ଆସିବେ, ଦେଖିବେ, ପଚାରି ଦେଇ ଚାଲଯିବେ ! ପାଖପଡ଼ିଶା ଲୋକ ଶତ୍ରୁ ହୋଇଥିଲେ ସୁଦ୍ଧା କିଛି କହିବେ ନାହିଁ । କହିଲେ ପ୍ରାଣ । କେତେବେଳେ ଚାଲିଯାଇପାରେ, ଘରେ ନିଆଁ ଲାଗିଯାଇପାରେ । ପୁଲିସ୍‌ଗଲା ପରେ ସେ ଫେରି ଅସିଲା । ରାତି ବାରଟା ବେଳକୁ କଣା ମାରୁଆଡ଼ି ଜଣେ ଯୁବକକୁ ସାଙ୍ଗରେ ନେଇ ପହଁଞ୍ଚିଲା । ପରିଚୟ କରେଇ ଦେଇ କହିଲା–ଏ ବାବୁ ଭଗତପୁରର । ତାଙ୍କ ନାଁ ବିକାଶ । ସେ ତୋତେ ସବୁ କହିବେ ।

 

ବିକାଶଠାରୁ ସବୁ ଶୁଣିସାରି ଟଣିଆ ତା’ର ଯୋଜନା ତିଆରି କଲା । ସେହି ଯୋଜନା ଅନୁସାରେ ସେ ଓ ନିକ ଗୋଟିଏ କାର୍‌ରେ ଝିଅଟିକୁ ସଂଧ୍ୟା ବେଳେ ଉଠେଇ ନେବେ । ପ୍ରକାଶ ମୁଣ୍ଡଳୀରେ ଘର ଯୋଗାଡ଼ କରିଥିବ । ସେଠାରେ ନେଇ ତାକୁ ପହଞ୍ଚେଇ ଦେବେ । ବିକାଶ ମନକୁ ଯୋଜନାଟି ପସନ୍ଦ ହେଲା । ସେ କାମ ପାଇଁ ହଜାରେ ଟଙ୍କା ଦେଇ ସାରି ଯିବାପାଇଁ ବାହାରିଲା ବେଳେ ଟଣିଆ କହିଲା–ତମେ ଠିକ୍‌ କାଲି ଛ’ଟା ବେଳେ କାର୍‌ନେଇ ମୋ ଘରକୁ ଆସିବ । ଏଠାରୁ ସମସ୍ତେ ଯିବା ।

 

ବିକାଶ ସାଙ୍ଗରେ ଯିବାପାଇଁ ନାଟକ । ସେ କହିଲା–ମୁଁ ତମମାନଙ୍କ ସାଙ୍ଗରେ ଗଲେ ପୁଲିସ୍‌ ମୋତେ ଖୋଜିବେ । ମୋତେ ପାଇଗଲେ ମାନିନୀକୁ ଉଦ୍ଧାର କରିନେବା ସେମାନଙ୍କ ପକ୍ଷରେ ସହଜ ହୋଇ ଯିବ । ବରଂ ମୁଁ କଟକରେ ରହୁଛି । ପୁଲିସ୍‌ର ତଦନ୍ତ ଶେଷ ହେଲାପରେ ମୁଁ ପହଞ୍ଚି ଯିବି । ପ୍ରଥମ ତିନି ଚାରିଦିନ ପୁଲିସ୍‌ ଖୁବ୍‌ ତୁମ୍ୱି ତୋଫାନ କରି ଖୋଜାଖୋଜି କରିବେ, ତଦନ୍ତ କରିବେ । ତା ପରେ ଅନ୍ୟ କାମ ପଡ଼ିଲେ ସେମାନେ ଏହି ଘଟଣାକୁ ପୂରାପୂରି ଭୁଲିଯିବେ-। ସେତିକିବେଳେ ମୁଁ ପହଞ୍ଚିଯିବି ।

 

କିନ୍ତୁ ମାନିନୀ ଆମ ସାଙ୍ଗରେ ଯିବ ତ ?

 

ଆସନ୍ତା କାଲି ସଂଧ୍ୟାବେଳେ ଘରୁ ଚାଲିଯିବା ପାଇଁ ପ୍ରସ୍ତୁତ ହେବାକୁ ଖବର ପଠେଇଦେବି । କିନ୍ତୁ ତମ ସାଙ୍ଗରେ ଯିବ ବୋଲି କହିବି ନାହିଁ । କାଳେ କଥାଟା ପ୍ରଘଟ ହୋଇଯିବ-

 

ଠିକ୍‌ ଅଛି । ଯେଉଁ କାର୍‌ଟି ପଠେଇବ ତା’ର ନମ୍ବରପ୍ଲେଟ୍‌ କାଢ଼ି ଦେଇଥିବ ।

 

ଯୋଜନା ଅନୁସାରେ ତା ପରଦିନ ସଂଧ୍ୟାରେ ଗୋଟିଏ କଳା କାର୍‌ ପହଞ୍ଚିଲେ । ନିକ, ନୂଆ କାମରେ ଯିବାପାଇଁ ଭାରି ଇଚ୍ଛୁକ । ତା’ର ହାତ କଟିଗଲା ପରେ ପ୍ରଥମଥର ପାଇଁ ବାହାରିଛି ବଡ଼ କାମରେ । ଗାଡ଼ିଟାରେ ବସି ସେ ଘେରାଏ ବୁଲି ଆସିଲା ସହର ଭିତରେ । ଛକ ଜାଗାରେ ଗାଡ଼ି ଅଟକେଇ ଠିଆ କରେଇ ସିଝା ଅଣ୍ଡା ଖାଇଲା, ଚିନାବାଦାମ ଖାଇଲା, ପାନ ଚୋବେଇଲା । ସେ ପ୍ରତିପାଦିତ କରି ଦେବାକୁ ଚାହୁଁଥିଲା ଯେ ସେମାନେ ମଧ୍ୟ କାରରେ ବୁଲି ପାରନ୍ତି ! ସେମାନଙ୍କର ମଧ୍ୟ ପ୍ରତିପତ୍ତି ରହିଛି ।

 

ଭଗତପୁରରେ ମାନିନୀ ଘର ଆଗରେ ଗାଡ଼ି ରହିଲା ପ୍ରାୟ ସାତଟା ବେଳେ । ରାସ୍ତା ଲୋକାରଣ୍ୟ । ବହୁ ଲୋକ କାଠଯୋଡ଼ି ପଟୁ ଫେରୁଥାନ୍ତି । ଗାଡ଼ିରୁ ଓହ୍ଲେଇ ଟଣିଆ ଚାରିଆଡ଼କୁ ଚାହିଁଲା । କେହି ତା ଆଡ଼କୁ ଅନାଉ ନାହିଁ । ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ । ପାଖଆଖରେ ପୁଲିସ୍‌ର ଦେଖା ନାହିଁ । ମୁନସ୍‌ପାଲ୍‌ଟି ବିଜୁଳୀବତୀ ଅନ୍ଧାରକୁ ପୂରାପୂରି ତଡ଼ି ଦେଇ ପାରୁନାହିଁ । ରାସ୍ତାର ଠାଏଁ ଠାଏଁ ଦୁଇ ଘର ସନ୍ଧିରେ, ବାରଣ୍ଡା ପାଖରେ ଅନ୍ଧାର ରାଜୁତି କରୁଥାଏ । ମାନୀଙ୍କ ଘର କବାଟ ଖୋଲା ଥିଲା । ଦାଣ୍ଡଘରେ ମାନିନୀ ବସି ବହିଟିଏ ଓଲଟାଉ ଥିଲା ଏବଂ ସମସ୍ତେ ସମସ୍ତେ ବାହାରକୁ ଅନାଉଥିଲା–ସେ ଯେ ପ୍ରତୀକ୍ଷା କରିଚି ତାହା ସ୍ପଷ୍ଟ ଜଣାପଡ଼ି ଯାଉଥାଏ । ପାଖ ଟେବୁଲ୍‌ ଉପରେ ତା ଭାଇ ବସି କ’ଣ ସବୁ କାଗଜପତ୍ର ଖେଳାଉଥାଏ । ବାହାର ବାରଣ୍ଡାରେ ମଧ୍ୟ କିଏ ଜଣେ ବସିଥାଏ । ଟଣିଆ ଅନୁଭବ କଲା ବାରଣ୍ଡାରେ ବସିଥିବା ଲୋକଟାକୁ ଆକ୍ରମଣ ନ କଲେ ଭିତରକୁ ଯାଇହେବ ନାହିଁ ।

 

ନିକକୁ ବାରଣ୍ଡାରେ ବସିଥିବା ଲୋକକୁ କାବୁ କରିବା ପାଇଁ କହି ଡ୍ରାଇଭରକୁ ଗାଡ଼ି ଷ୍ଟାର୍ଟରେ ରଖିବାପାଇଁ ଆଦେଶ ଦେଲା । ହନୁମାନ ପରି ଗୋଟିଏ ଡିଆଁ ଦେଇ ଘର ଭିତରେ ପଶିଗଲା । ଏକା ଖେପାକେ ମାନିନୀକୁ ଟେକିଆଣି କାର ଭିତରେ ପୂରାଇ ଦେଲା । ନିକ ବାରଣ୍ଡାରେ ବସିଥିବା ଲୋକକୁ ସେତିକି ବେଳେ ଗୋଟାଏ ଧକ୍‌କା ପକେଇଲା । ତା’ପରେ ପରେ ସେ ଆସି କାର୍‌ର ସାମନା ସିଟ୍‌ରେ ବସି ପଡ଼ିଲା । ଗାଡ଼ି ଚାଲିଲା ଆଗକୁ । ମାନିନୀର ଭାଇ ଓ ବାରଣ୍ଡାରେ ବସିଥିବା ଲୋକଟି ଏହି ଅପ୍ରତ୍ୟାଶିତ ଆକ୍ରମଣ ପାଇଁ ପ୍ରସ୍ତୁତ ନ ଥିଲେ । ସେମାନେ ଅଚାନକ ଆକ୍ରମଣରେ ନିଜର ଭାରସାମ୍ୟ ହରେଇଥିଲେ । ପ୍ରକୃତିସ୍ଥ ହୋଇ ଦାଣ୍ଡକୁ ଆସିଲା ବେଳେ କାର୍‌ଟି ଚାଲି ଯାଉଥାଏ କାଠଯୋଡ଼ି ପଟେ । ବାଟରେ ମାନିନୀର ମୁହଁ ଘୋଡ଼େଇ ଦେଇଥିଲା ଟଣିଆ । ଭୁବନେଶ୍ୱର ରାସ୍ତାରେ ଗାଡ଼ି ରଖି ନମ୍ବରପ୍ଲେଟ ଲଗେଇଲା ବେଳେ ମୁହଁରୁ ଘୋଡ଼ଣୀଟି ବାହାର କରିଦେଲା ।

 

ଟଣିଆକୁ ଦେଖି ମାନିନୀ ଭୟରେ କମ୍ପି ଉଠିଲା । ଟଣିଆକୁ ସେ ଚିହ୍ନେ । ତା’ର ଅପବାଦ ସବୁ ଶୁଣିଛି । ଏତେ ପାଖରେ ତାକୁ ଦେଖିବ ବୋଲି ଆଶା କରି ନ ଥିଲେ । ଗାଡ଼ି ଭିତରେ ବିକାଶକୁ ନ ଦେଖି ସେ ଆହୁରି ଭୟ ପାଇଗଲା । ଡରି ଡରି କହିଲା–ବିକାଶ କାହାନ୍ତି ?

 

‘ବିକାଶ, ଆସିନାହିଁ । ପରେ ଆସିବ ।

 

ମୁଁ ତୁମକୁ ବିଶ୍ଵାସ କେମିତି କରିବି ? ତମେ ନିଜେ ମୋତେ ଉଠେଇ ନେଇ ଯାଉଥିବ । ମୋତେ ଏଇଠି ଛାଡ଼ିଦିଅ ମୁଁ ଘରକୁ ଚାଲିଯିବି । ନଚେତ୍‌ ବିକାଶକୁ ଏଠାକୁ ଡାକିଆଣ ।

 

ଟଣିଆ ଯେତେ ବୁଝେଇଲା ମାନଙ୍କର ଜିଦ୍‌ ସେତେ ବଢ଼ିଲା ଟଣିଆ ଅନୁଭବ କଲା ରାସ୍ତା ଉପରେ ମାନନୀ ଚିତ୍କାର କରି ଉଠିବ । ଶେଷକୁ ବାଧ୍ୟ ହୋଇ ମାନିନୀକୁ ଜବରଦସ୍ତ ଗାଡ଼ିରେ ପୂରେଇ, ମୁହଁରେ ଲୁଗା ବାନ୍ଧିଦେଇ ଭୁବନେଶ୍ୱର ବାଟଦେଇ ମୁଣ୍ଡଳି ନେଇଗଲା । ମୁଣ୍ଡଳିର ପୂର୍ବନିର୍ଦ୍ଧାରିତ ଘର ଭିତରେ ରଖି ବାହାରୁ ଦରଜା ବନ୍ଦ କରି ଦେଲା ।

 

ମାନିନୀ ପାଇଁ ଯେତେବେଳେ ଖାଇବା ଆଣିଦେଲା ମାନିନୀ ଟଣିଆକୁ ଘୃଣା ଓ ଭୟରେ ଅନେଇଥାଏ । ଅନାଗତ ଭୟରେ ଶିହରୀ ଉଠୁଥାଏ–କାଳେ ଟଣିଆ ତା ଉପରେ ଆକ୍ରମଣ କରିବ–ତା ଉପରେ ପାଶବିକ ଅତ୍ୟାଚାର କରିବ । ମାନିନୀକୁ ଏମିତି ଡରି ଥରି ଘରର ଗୋଟିଏ କଣରେ ଛିଡ଼ା ହୋଇଥିବା ଦେଖି ଟଣିଆ କହିଲା–ତମେ ଆଦୌ ଭୟ କର ନାହିଁ । ମୁଁ କିଛି କରିବି ନାହିଁ । ବିକାଶ ଆସିଲା ପରେ ମୁଁ ଏଠାରୁ ଚାଲିଯିବ ।

 

ମାନିନୀ ବିଶ୍ୱାସ କରି ପାରୁ ନଥାଏ କିମ୍ବା ଘର ବାହାରକୁ ଯାଇ ପାରୁ ନଥାଏ । ଘରୁ ଯେତେବେଳେ ଗୋଡ଼ କାଢ଼ିଛି ସେ ଯିବ କୁଆଡ଼େ !

ତା ପରଦିନ ନିକକୁ ଘର ଜଗିବା ପାଇଁ କହି ଟଣିଆ କାରରେ ମୁଣ୍ଡଳି, ନରାଜ, ନନ୍ଦନକାନନ ବୁଲି ଆସିଲା । ସେ ଭାବୁଥାଏ ସେ ମଧ୍ୟ କାର୍‌ ଯୋଗାଡ଼ କରିପାରେ । ଏବେ ସୁଦ୍ଧା ତାର କ୍ଷମତା ରହିଛି । ସେ ମଧ୍ୟ କଟକରେ ଗୋଟିଏ ପ୍ରଧାନ ଲୋକ । ତାର ଇସାରାରେ ମଧ୍ୟ କିଛି ଲୋକ ଚାଲନ୍ତି । ତା ପାଖକୁ ମଧ୍ୟ କେତେ ଲୋକ ଆସନ୍ତି ସାହାଯ୍ୟ ପାଇଁ ।

 

ଦିନକ ପରେ କାର୍‌ଟିକୁ ଫେରେଇ ଦେଲା ।

 

ଗୋଟିଏ ଦିନ ବିତି ଯାଇଥାଏ, ଅଥଚ ବିକାଶର ଦେଖାନାହିଁ । ନଖାଇ, ନପିଇ, ଭୟରେ ଜୁଡୁସୁଡ଼ୁ ହେଇ ଘର କଣରେ ପଡ଼ିଥାଏ ମାନିନୀ । ଟିକିଏ ଶବ୍ଦ, ‘କବାଟ ଫାଙ୍କରେ ସାମାନ୍ୟ ଆଲୁଅ ଦେଖିଲେ ଚମକି ପଡ଼େ ମାନିନୀ । ଟଣିଆ ତାକୁ ଆକ୍ରମଣ କରିବ କି ? ତାକୁ ଏକୁଟିଆ ଦେଖି, ଅସହାୟ ଦେଖି ତାର ଦେହ ଟାକୁ ଛିନ୍ନଭିନ୍ନ, ନଷ୍ଟଭ୍ରଷ୍ଟ କରି ଦେବକି ? ସେ ଦ୍ୱନ୍ଦ୍ୱ ଭିତରେ ପଡ଼ିଗଲା । ଟଣିଆକୁ ‘ସତରେ କଣ ବିକାଶ ପଠେଇଥିଲା ନା ଅନ୍ୟ ଜାଗାରୁ ଖବର ପାଇ ଟଣିଆ ତାକୁ ଜବରଦସ୍ତ ଏଠାକୁ ନେଇ ଆସିଛି । ଟଣିଆ ଖାଇବା ନେଇ ଆସିଲା ବେଳେ ତାର ଇଚ୍ଛା ହୁଏ ପଚାରିଦେବ–କାହିଁକି ମୋତେ ଏଠାରେ ରଖିଛ ? ବିକାଶ କାହାନ୍ତି ? ତମର ମତଲବ୍‌ କ’ଣ ?

 

କିନ୍ତୁ ତା’ର ପାଟି ଖୋଲେ ନାହିଁ । ବିଜଡ଼ିତ ଆଖିରେ ସେ କେବଳ ଅନେଇ ରହେ ଟଣିଆକୁ । ସେ ବେଶି ଆଗକୁ ନ ଆସୁ, କବାଟ ପାଖରେ ରହୁ । କାଳେ ଏକୁଟିଆ ଯୁବତୀ ଝିଅଟିଏ ଘର ଭିତରେ ଦେଖିଲେ ସେ ହିଂସ୍ର ହୋଇ ଉଠିବ ! ପଶୁ ପ୍ରବୃତ୍ତି ଚରିତାର୍ଥ କରିବା ପାଇଁ ଝପଟି ଆସିବ, ଲମ୍ଫ ଦେବ, ସର୍ବନାଶ କରିବ ।

 

ନିଜ ଅଜାଣତରେ ମାନିନୀର ହାତ ଦୁଇଟି ତାର ଛାତି ଉପର ଲୁଗା ପାଖକୁ ଚାଲିଯାଏ-। ଦୁଇହାତ ଛାତି ଉପରେ ରଖି, ନିଶ୍ୱାସ ବନ୍ଦକରି ଅନେଇ ରହେ । ତାର ଦେହ ଝାଳରେ ବୁଡ଼ିଯାଏ ।

 

ଟଣିଆ ଯେତେବେଳେ ମାନିନୀ ପାଖକୁ ଯାଏ ମାନିନୀ ଡରରେ ଘରର ଗୋଟିଏ କୋଣକୁ ଚାଲିଯାଏ, କାନ୍ଥସହ ଲାଗିଯାଏ, ଆକ୍ଷି ଭୟରେ ବଡ଼ ବଡ଼ ହୋଇଯାଏ । ମାନିନୀର ହାବଭାବ ଦେଖି ଟଣିଆ ଭାବିଲା ବହୁତ ଝିଅ ବୋଧହୁଏ ତା ବିଷୟରେ ଖରାପ ଧାରଣା ରଖିଥିବେ । ସେ ଯେ ଆଜିକାଲି କୌଣସି ଝିଅକୁ ଖରାପ ଆଖିରେ ଦେଖୁ ନାହିଁ ସେ କଥା ମାନିନୀକୁ ବୁଝେଇବ କିମିତି ? ରୁମ୍‌ ଭିତରକୁ ଗଲେ ସେ କେବଳ କହିଦିଏ–ମାନିନୀ ତମେ ଡର ନାହିଁ । ଆରାମରେ ରୁହ । ମୁଁ ତମର କିଛି କ୍ଷତି କରିବି ନାହିଁ ।

 

ମାନିନୀ କିନ୍ତୁ ତାକୁ ବିଶ୍ୱାସ କରିପାରେ ନାହିଁ । ପ୍ରଥମ ଦିନ କିଛି ନଖାଇ ରହି ଯାଇଥିଲା, କିନ୍ତୁ ଦ୍ୱିତୀୟ ଦିନ ଭୋକ ସମ୍ଭାଳି ପାରିଲା ନାହିଁ । ଖାଇବା ରଖିଦେଇ ଚାଲିଗଲା ପରେ କିଛି ଖାଇଦେଇ ଶୋଇ ପଡ଼ିଲା ।

 

ଦ୍ୱିତୀୟ ଦିନ ପରେ ଲକ୍ଷ୍ୟକଲା ଟଣିଆ ଓ ନିକ ବାହାର ବାରଣ୍ଡାରେ ବସୁଛନ୍ତି ବେଶି ସମୟ ! ତା’ ପାଇଁ ଖାଇବା ଜିନିଷ ଆଣିଲା ବେଳେ କେବଳ ଟଣିଆ ଘର ଭିତରକୁ ଆସୁଛି । ଭିତରକୁ ଆସିବା ପୂର୍ବରୁ ପାଟିକରି ତାକୁ ଡାକୁଛି । ଖାଇବା ଆଣି ରଖିଦେଇ ସଙ୍ଗେ ସଙ୍ଗେ ବାହାରକୁ ଚାଲିଯାଉଛି । ଟଣିଆ ସାଙ୍ଗରେ ଥିବା ଅନ୍ୟ ଲୋକ ଆଦୌ ଭିତରକୁ ଆସୁନାହିଁ । ବାହାରେ ସେମାନଙ୍କ କଥାବାର୍ତ୍ତା ବେଶ୍‌ଭଦ୍ର, ବେଶ୍‌ସଞ୍ଜତ । ଆସ୍ତେ ଆସ୍ତେ ମାନିନୀ ଟଣିଆକୁ ଭକ୍ତି କରିବାକୁ ଲାଗିଲା । ଲୋକଟା ଏଡ଼େ ଭୟଙ୍କର, କିନ୍ତୁ କିନ୍ତୁ ହିଂସ୍ର ଆଚରଣ ଦେଖାଉ ନାହିଁ । ଖୁବ୍‌ଭଦ୍ର ବ୍ୟବହାର ଦେଖାଉଛି । ତାକୁ ଭଉଣୀ ପରି ବ୍ୟବହାର କରୁଛି । ବୁଝେଇବା ପାଇଁ ଚେଷ୍ଟା କରୁଛି । ଇଚ୍ଛା କରିଥିଲେ ସେ କୌଣସି ଦିନ ତାକୁ ଆକ୍ରମଣ କରି ପାରି ଥାଆନ୍ତା । କିନ୍ତୁ ତା’ର ହାବ ଭାବରେ ସେ ସବୁ ଇଙ୍ଗିତ କିଛି ନାହିଁ । ବରଂ ସେ ବ୍ୟସ୍ତ ହେଲାଣି ଏତେ ଦିନଧରି ବିକାଶ ନ ଆସିବା ଯୋଗୁଁ ।

 

ଚାହୁଁ ଚାହୁଁ ସାତଦିନ କଟିଗଲା । ବିକାଶର ଦେଖା ନାହିଁ । ମାନିନୀ ପୁଣି ସନ୍ଦେହରେ ପଡ଼ିଗଲା । ବିକାଶ ଗଲା କୁଆଡ଼େ ? ତାର ଆଶଙ୍କା ହେଲା ବିକାଶ ହୁଏତ ଆସିବ ନାହିଁ । –ତାକୁ ଠକି ଦେଇଛି ଅଥବା ପୁଲିସ୍‌ଦ୍ୱାରା ଧରା ହୋଇ ଯାଇଛି ।

 

ସାହସ ସଞ୍ଚୟ କରି ଟଣିଆକୁ ପଚାରିଲା–ବିକାଶ ଆସିଲେନି ? କ’ଣ ହେଲା ଟିକିଏ ବୁଝନ୍ତୁ ।

 

କିଛି ବ୍ୟସ୍ତ ହେବାର ଦରକାର ନାହିଁ । କଟକରେ କିଛି ଅସୁବିଧା ହେଉଥିବ । ମୁଁ ନିକକୁ ଆଜି ପଠାଉଛି, ବୁଝି ଆସିବ ।

 

ନିକ ଚାଲିଯିବ ଏବଂ ଟଣିଆ ଏକୁଟିଆ ରହିଯିବ ଭାବି ମାନିନୀ ପୁଣି ଡରିଗଲା । କାଳେ ଏକୁଟିଆ ଦେଖି ତା ଉପରେ ଆକ୍ରମଣ କରିବ କି ? ଇଚ୍ଛା ହେଉଥିଲା କହିବା ପାଇଁ ନିକ ନ ଯାଉ । କିନ୍ତୁ କିଛି କହିପାରିଲା ନାହିଁ । ନିକ ଗଲାପରେ ସେ ଘର କବାଟ ବନ୍ଦକରି ରହିଲେ । ଆଉ କବାଟ ଖୋଲିଲା ନାହିଁ । ଟଣିଆ ଖାଇବା ଆଣି ଆସିବାରୁ ମଧ୍ୟ କବାଟ ସେମିତି ବନ୍ଦ ରହିଲେ । ବାହାରପଟୁ ଥରେ ଦୁଇଥର ବୁଝେଇବା ପାଇଁ ଚେଷ୍ଟା କରି ଟଣିଆ ବିଫଳ ହେଲା । ଘର ଭିତରେ ଭୋକରେ ମାନିନୀ ଚୁପ୍‌ହୋଇ ପଡ଼ିରହିଲା । ଟଣିଆ ଚୁପ୍‌ଚାପ୍‌ବାହାର ବାରଣ୍ଡାରେ ବସି ପଡ଼ିଲା । ମାନିନୀ ପାଇଁ ଆଣିଥିବା ଖାଦ୍ୟ ପାଖରେ ରଖିଦେଲା । ନିକ ପାଇଁ ଆଣିଥିବା ଖାଇବା ଜିନିଷସବୁ ଫୋପାଡ଼ି ଦେଲା । ଝିଅଟା ତାକୁ ଭୁଲ୍‌ ବୁଝିଛି, ସନ୍ଦେହ କରୁଛି ଭାବି ସେ ମୁହ୍ୟମାଣ ହୋଇ ଉଠୁଥାଏ ।

 

ରାତିରେ ପ୍ରବଳ ପବନ ସାଙ୍ଗରେ ଅବିରାମ ବର୍ଷା ହେଲା । ନିଦ ଭାଙ୍ଗି ଯିବା ପରେ ଝରକା ଦେଇ ମାନିନୀ ବାହାରକୁ ଅନେଇଲା । ବାରଣ୍ଡାରେ ଟଣିଆ ଓଦା ସରସର ହୋଇ ବସିଛି-। ବାରଣ୍ଡା ସାରା ପାଣି । ମାନିନୀର ଦୟା ହେଲା–ଟଣିଆ ତା ପାଇଁ ଏତେ କଷ୍ଟ ସହିଛି, ଅଥଚ ସେ ତାକୁ ଭୁଲ୍‌ ବୁଝିଛି ।

 

କବାଟ ଖୋଲି କହିଲା–ଟଣିଆ ଭାଇ । ଭିତରକୁ ଚାଲିଆସ । ତମେ ପୂରାପୂରି ତିନ୍ତିଗଲଣି ।

 

ହଠାତ୍‌ ଭାଇ ଡାକ ଶୁଣି ଆଶ୍ଚର୍ଯ୍ୟ ହୋଇଗଲା ଟଣିଆ । ଝଡ଼ ବର୍ଷା ପରେ ପରେ ମନରେ ଆସିଥିବା ବିରକ୍ତି କୁଆଡ଼େ ଉଭେଇଗଲା । ତାଙ୍କୁ ସେ ମାନିନୀ ଭୁଲ ବୁଝୁ ନାହିଁ ସେତିକି ହଁ ଯଥେଷ୍ଟ । ଖୁସି ହୋଇ ସେ କହିଲା–କିଛି ଯାଏ ଆସେ ନାହିଁ । ମୁଁ ଏମିତି କେତେ ତିନ୍ତିଛି । ତମେ କବାଟ କିଳି ଶୋଇଯାଅ ।

 

ମାନିନୀର ଅନୁରୋଧ କିଛି କାମ ଦେଇ ନାହିଁ । ଟଣିଆ ସେମିତି ବର୍ଷା ପାଣି ଭିତରେ ବସି ରହିଲା । ଶେଷରେ ଝରକା ବନ୍ଦ କରି ଘର ଭିତରେ ରହିଲା ମାନିନୀ । ତା’ର ମନେହେଲା ଝଡ଼ବର୍ଷା । ଭିତରେ ଟଣିଆ ପ୍ରତି ଥିବା ତା’ର ଘୃଣା, ଆଶଙ୍କା, ଭୟ ଉଡ଼ି ଯାଇଛି, ପୋଛି ହୋଇ ଯାଇଛି । ତା ବଦଳରେ ଉଙ୍କି ମାରୁଛି ନିଷ୍କପଟ ସ୍ନେହ । ସେ ଭାବିଲା ଟଣିଆପରି ଆଉ କେହି ଏତେ ସୁବିଧା କରିପାରି ନଥାନ୍ତା । ଟଣିଆ ପରି ଅନାବିଳ ମନ ଆଉ କାହା ପାଖରେ ନଥିବ । ତା ପାଖରେ ରହି ସେ ନିରାପଦ ।

 

ତା ପରଦିନ ବିକାଶ ଆସି ପହଞ୍ଚିଲା । ସେ ମାନିନୀ ପାଖକୁ ଗଲାବେଳେ ଟଣିଆ ବାରଣ୍ଡାରୁ ଚାଲି ଯାଇଥାଏ । ବହୁତ ସମୟ ପରେ ଫେରିଲା । ବିକାଶ ଖୁସିରେ ଗଦ୍‌ଗଦ୍‌ହୋଇ ଟଣିଆର ହାତଧରି କହିଲା–ଭାଇ ମୁଁ ତୁମ ଋଣ ଶୁଝିପାରିବ ନାହିଁ । ତମେ କେତେ ଯେ କଷ୍ଟ ସହିଛ ତାହା ମାନିନୀଠାରୁ ଶୁଣିଲି । ସେ ତୁମକୁ ଭୟ କରୁଥିଲା ବୋଲି ଲଜ୍ଜିତ ।

 

ଟଣିଆ କିଛି ନକହି ହସିଦେଲା । ବିକାଶ ତାକୁ ଦୁଇହଜାର ଟଙ୍କା ବଢ଼େଇ ଦେଲା ଏବଂ କହିଲା–କଟକରେ ପୁଲିସ୍‌ ଭାବୁଛନ୍ତି ତମେ ମାନିନୀକୁ ଉଠେଇ ନେଇ ଯାଇଛ, ତମକୁ ଖୋଜା ଚାଲିଛି । ମୋତେ ଥରେ ଦୁଇଥର ପଚରାପଚରି କରିଥିଲେ । ତା’ପରେ ମୋତେ ଆଉ ପଚାରୁ ନାହାନ୍ତି । କଟକ ଗଲେ ତମେ କିନ୍ତୁ ଅସୁବିଧାରେ ପଡ଼ିବ ।

 

ମୋର ସେଥିରେ ଯାଏ ଆସେ ନାହିଁ । ଦଶଟା କେଶ୍‌ରେ ପଡ଼ିଛି । ଏଇଟା ହେବ ଏଗାର ନମ୍ବର । ତମେ ଦୁହେଁ ଭଲରେ ରୁହ । ଆଗେ ତୁମେ ଦୁହେଁ ଚାଲିଯାଅ, ପରେ ମୁଁ କଟକ ଯିବି ।

 

ବିକାଶ ମାନିନୀର ହାତ ଧରି ଘରୁ ବାହାରି ଗଲାବେଳେ ସାମନା ଦରଜା ପାଖରେ ଟଣିଆ ଛିଡ଼ା ହୋଇଥିଲା । ଦୁହିଁଙ୍କୁ ହାତ ଧରାଧରି ହୋଇ ଯିବା ଦେଖି ମେ ହଠାତ୍‌ କାନ୍ଦି ପକେଇଲା । ତା’ର ମନେ ହେଉଥାଏ ସେ ଯେମିତିକି ନିଜ ଭଉଣୀକୁ ତା ସ୍ୱାମୀ ସାଙ୍ଗରେ ବିଦା ଦେଉଛି । ତା’ର କାନ୍ଦ ଦେଖି ମାନିନୀ ହଠାତ୍‌ ଛିଡ଼ା ହୋଇଗଲା ।

 

ବୁଲିପଡ଼ି ଟଣିଆର ପାଦତଳେ ମୁଣ୍ଡ ଲଗେଇଲା । ଅଶ୍ରୁଳ ଆଖିରେ କହିଲା–ଭାଇ, ମୋର ଦୋଷ କ୍ଷମା କରିବ । ମୋତେ ବିଦାୟ ଦିଅ ।

 

ଟଣିଆ ଆଖିରୁ ଅମାନିଆ ଭାବେ ଲୁହ ବହିଗଲା । ବିକାଶ ଦେଇଥିବା ଦୁଇହଜାର ଟଙ୍କା ବାହାର କରି ମାନିନୀ ହାତରେ ଦେଉ ଦେଉ କହିଲା–ମୋ ସୁନା ଭଉଣୀଟା । ଭଲରେ ରହ, ଏହି ଟଙ୍କାରେ ଶାଢ଼ି କିଣିବୁ I ମୁଦିଟାଏ ମଧ୍ୟ କିଣିବୁ । ତୋ ଭାଇର ଏହା ଉପହାର ।

 

କଥା ଶେଷ କରିସାରି ସେ ଝଡ଼ ବେଗରେ ସେଠାରୁ ଚାଲିଗଲା । ମାନିନୀ ଓ ବିକାଶ ତା’ ଯିବାବାଟକୁ ଅନେଇ ଥାଆନ୍ତି ।

 

ବର୍ଷା ଶେଷରେ ଗଣେଶ ଚତୁର୍ଥୀ ଆରମ୍ଭ । ଶୀତ ଆରମ୍ଭରେ ବାଲିଯାତ୍ରା ଶେଷ । କଟକ ସହରରେ ମେଳା, ମହୋତ୍ସବ, ଜାନୀଯାତ୍ରାର ଏହା ସମୟ । ଇଞ୍ଚିକିଆ ଗଣେଶଠାରୁ ଆରମ୍ଭ କରି ପେଟୁ, ବୁଢ଼ା ଗଣେଶକୁ ନ’ ଫୁଟିଆ କରି ତିଆରି କରିବା, ଗଣେଶ ବ୍ରହ୍ମଚାରୀ ହୋଇଥିଲେ ମଧ୍ୟ ତାଙ୍କ ନିକଟରେ ନୃତ୍ୟରତା ଅପ୍‌ସରୀ, କିନ୍ନରୀମାନଙ୍କୁ ଛିଡ଼ା କରେଇବା, ମୂଷିକ ତାଙ୍କ ବାହନ ହୋଇଥିଲେ ସୁଦ୍ଧା ତାଙ୍କୁ ହାତୀ ଉପରେ ବସେଇ ନେବା, ତାଙ୍କ ଗଣ୍ଡସ୍ଥଳ ‘ବ୍ୟାଲୋଳ’ ତଥା ରୁଧିର ରଞ୍ଜିତ ହୋଇଥିଲେ ସୁଦ୍ଧା ସେଥିରେ ଅନ୍ୟରଙ୍ଗ, ଅନ୍ୟ ଆକୃତି ଦେବା ଏବଂ ସର୍ବୋପରି ପୁରାଣବର୍ଣ୍ଣିତ ଗଣେଶ ପରିବର୍ତ୍ତେ ଆଧୁନିକ ରୁଚିସମ୍ପନ୍ନ ସାହି ବା କ୍ଲବର ସଭ୍ୟମାନଙ୍କ ମନୋରଞ୍ଜନ କରୁଥିବା ଗଣେଶ ତିଆରି ହୁଏ ବିଭିନ୍ନ ଜାଗାରେ । ଗଣେଶ ସାଙ୍ଗକୁ ଗଣେଶଙ୍କ ପାର୍ଶ୍ଵଚର ମଧ୍ୟ ଅଜବ ଆକୃତିର । ଗଣେଶ ପରେ ପରେ ବିଶ୍ୱକର୍ମ– । ବିଶ୍ୱକର୍ମା ପୂଜା ସହିତ ଆରମ୍ଭ ହୁଏ, ଷୋଳପୁଅ ମା ପୂଜା ଏବଂ ତା’ପରେ ପରେ ଦୁର୍ଗାପୂଜା । କଟକର ଗଳିକନ୍ଦି, ସାହି ସାହିରେ ଦୁର୍ଗାମେଢ଼ ନଚେତ୍‌ଶିବ ପାର୍ବତୀ ମେଢ଼ । ଦୁର୍ଗା ମୂର୍ତ୍ତି ଗଢ଼ିବାରେ ମଧ୍ୟ ଆଧୁନିକତାର ଛାପ । ଦୁର୍ଗା ଦୁର୍ଗତି ନାଶିନୀ । ମହିଷାସୁରକୁ ତ୍ରିଶୂଳ ଆଘାତ କଲାବେଳେ ସେ ପ୍ରଚଣ୍ଡ ରାଗି ଯାଇଥିଲେ । ଆଖିରୁ ତାଙ୍କର ଅଗ୍ନି ସ୍ଫୁଲିଙ୍ଗ ନିର୍ଗତ ହେଉଥିଲା । ସେ ଥିଲେ ଉଲଗ୍ନା । ସୁରାପାନ କରି ଉତ୍କୃଷ୍ଟ । ତାଙ୍କ କ୍ରୋଧଦୀପ୍ତ, କ୍ଳାନ୍ତ ମୁଖମଣ୍ଡଳ ଚତୁର୍ଦ୍ଦିଗରେ ଭୟର ସଞ୍ଚାର କରୁଥିଲା । କିନ୍ତୁ କଟକର ଦୁର୍ଗାମେଢ଼ ସ୍ଵତନ୍ତ୍ର ଧରଣର । ସେହି ଦୁର୍ଗାଙ୍କ ମୁହଁରୁ ହସ ଫୁଟି ଉଠେ, କେଉଁଠି କେଉଁଠି ଦୁର୍ଗ । ଲାସ୍ୟମୟୀ ହୋଇ ଆପାଙ୍ଗ ଚାହାଣୀ ଛାଡ଼ିଦିଅନ୍ତି, ଅନ୍ୟ କେଉଁଠି କବଳିତ, ଦୁର୍ଦ୍ଦଶାଗ୍ରସ୍ତକ ରୁଧିରାକ୍ତ ମହିଷାସୁର ପ୍ରତି ପ୍ରେମ ନିବେଦନ କଲାପରି ମନେ ହୁଅନ୍ତି । ଶିବ ପାର୍ବତୀ ମୂର୍ତ୍ତି ଗଠନର ଚାତୁରୀ ରହିଯାଏ ଶୃଙ୍ଗାରମୁଖୀ । କାଳିଦାସଙ୍କର ବର୍ଣ୍ଣିତ ନାୟିକା ପାର୍ବତୀଙ୍କର ଅପରୂପ ରୂପ ଲାବଣ୍ୟ, ନାଭି ଓ ନିତମ୍ବର ଗଠନ, କେଶ ବିନ୍ୟାସ, ବକ୍ଷ ଶୋଭା ଓ ଚକିତ, କାମୋଦ୍ଦୀପନ ଚାହାଣୀ ଶିଳ୍ପୀ ଫୁଟେଇଥାଏ ବିଭିନ୍ନ ମୂର୍ତ୍ତିରେ । ସମୟେ ସମୟେ ମନେହୁଏ ଶିବ ଅଧମିନିଟିଏ ଭିତରେ ପାର୍ବତୀଙ୍କୁ ‘ସ୍ତନଭିନ୍ନ ବଳ୍‌କଳା’ କରି ପକେଇବେ ।

 

ଦୁର୍ଗା । ପୂଜାପରେ କାଳୀପୂଜା । କାଳୀ ମୂର୍ତ୍ତି ତିଆରିରେ କିଛି ବିଶେଷତ୍ଵ ନଥାଏ–ଲହଲହଜିହ୍ୱକାଳୀ, ନୃମୁଣ୍ଡ ମାଳିନୀ, ଦିଗମ୍ବରୀ, ଲମ୍ବୋଦରୀ, ଶ୍ୟାମା । ସେଥିରେ ଶିଳ୍ପୀର ଗୁରୁତ୍ୱ ପ୍ରଦର୍ଶନର ଅବକାଶ ନାହିଁ । କିନ୍ତୁ ପାର୍ଶ୍ଵବର୍ତ୍ତୀ ଚଣ୍ଡୀ, ଚାମୁଣ୍ଡା, କିନ୍ନରୀମାନଙ୍କ ଶରୀରରେ ଦୈନ୍ୟ, ବୁଭୁକ୍ଷୁ ମନର ଗୃଧ୍ରସ୍ଵଭାବ, ଅଭାବକ୍ଳିଷ୍ଟ ସମାଜର ଅବହେଳିତ ସ୍ତ୍ରୀମାନଙ୍କର ଶ୍ଳଥଚର୍ମ ସ୍ତନ, କଙ୍କାଳସାର ଦେହ ଫୁଟେଇବାରେ ଅବହେଳା ହୋଇ ନ ଥାଏ । କଟକରେ ଅନେକ ଅସହାୟା କିନ୍ନରୀ ଘୁରି ବୁଲୁଛନ୍ତି, ରକ୍ତପିପାସୁ ଚାମୁଣ୍ଡା ଅଛନ୍ତି, ବିଗତ ଯୌବନା ଚଣ୍ଡୀ ଅଛନ୍ତି ସେମାନଙ୍କ ଆକୃତି, ପ୍ରକୃତିକୁ ଶିଳ୍ପୀ ଫୁଟେଇ ଥାଏ ପାଳଦଉଡ଼ି, ମାଟି, ଗୋବର ଓ ରଙ୍ଗର ମାଧ୍ୟମରେ ।

 

ପରେ ପରେ କାର୍ତ୍ତିକେଶ୍ୱର ମେଢ଼ । କାର୍ତ୍ତିକେଶ୍ୱର ମେଢ଼ ସୁଶ୍ରୀ, ବପୁବନ୍ତ ଯୁବକ ଓ ସୁଠାମ ଯୁବତୀଙ୍କର ସମାହାର । ସେଠାର ସୌନ୍ଦର୍ଯ୍ୟ ଏବଂ ଯୌନ ଉଦ୍ଦୀପନା ଖୋଲାଖୋଲି । ବିଭିନ୍ନ କଥାବସ୍ତୁ, ଉପକଥାର ଆଧାରରେ ତିଆରି ହୁଏ ମେଢ଼ ।

 

ଖାଲି ମେଢ଼ ତିଆରି କରିଦେଲେ ଚଳେ ନାହିଁ । ମେଢ଼ ପାଖରେ ବିଭିନ୍ନ ସାଜସଜ୍ଜା ଦରକାର । ରଙ୍ଗ ବେରଙ୍ଗ ଆଲୁଅ ଦରକାର । ପଇସା ଦେଇ ବିଜୁଳି ଆଲୁଅ କିଣିଲେ ଖର୍ଚ୍ଚ ବେଶୀ ହୋଇଯିବ । ପାଣି, ପବନ ଯେମିତି ବିନା ମୂଲ୍ୟରେ ମିଳୁଛି ସେମିତି ବିଜୁଳି ଆଲୁଅ ମଧ୍ୟ ମାହାଳିଆରେ ମିଳିବା ଆବଶ୍ୟକ । ସେଥିପାଇଁ ମେଢ଼ ପାଖରେ ଅନଧିକାର ଭାବେ ତାର ପକାଇ ବିଜୁଳି ଆଲୁଅ ଟଣାଯାଏ । ସାହିର ଯୁବକମାନେ ଏହି ‘ହୁକ ପକା’ ସହ ଅଭ୍ୟସ୍ତ । ବିଜୁଳି ବିଭାଗ କର୍ମଚାରୀଙ୍କର ସେଇଟା ପର୍ବ ପର୍ବାଣୀ ପାଇଁ ଦାନ । ବହୁତ ଦିନ ହେଲା ଏହା କଟକରେ ଚାଲି ଆସିଛି ତେଣୁ କେହି ପ୍ରତିରୋଧ କରନ୍ତି ନାହିଁ ବା ଯେଉଁମାନେ ଆଲୁଅ ନିଅନ୍ତି ସେମାନେ ପ୍ରତିରୋଧ ବିଷୟ ଚିନ୍ତା ମଧ୍ୟ କରନ୍ତି ନାହିଁ !

 

ଏହି ମେଢ଼ ସବୁ ତିଆରି କରିବା ପାଇଁ ଯୋଜନା ଅନେକ । ସେଥିପାଇଁ ଟଙ୍କା ପଇସା ଦରକାର । ସାରା ବର୍ଷ ଧରି ବିଭିନ୍ନ ଦୋକାନ, ଘର ମାନଙ୍କରୁ ବଟି ଆଦାୟ ହେଉଥାଏ । ତା’ ଛଡ଼ା ପ୍ରତ୍ୟେକ ପର୍ବପର୍ବାଣି ବେଳେ ରାସ୍ତାରେ ଛଡ଼ା ହୋଇ ଅଥବା ଘରେ ଜବରଦସ୍ତ ପଶି ଚାନ୍ଦା ଆଦାୟ ହୁଏ । ସେଥିରେ ପ୍ରତିରୋଧ କରିବା । ଶକ୍ତି କାହାର ନାହିଁ । ଯେଉଁମାନେ ପ୍ରତିରୋଧ କରି ପାରନ୍ତେ ସେମାନେ ଚାନ୍ଦା ଆଦାୟର କର୍ମକର୍ତ୍ତା । ଚାନ୍ଦା ଆଦାୟକୁ କେନ୍ଦ୍ର କରି ସୀମା ନିର୍ଦ୍ଧାରଣ ଉପରେ ତୁମୁଳ ହଟ୍ଟଗୋଳ, ମାଡ଼ ଫୌଜଦାରୀ, କେଶ୍‌ । ସେ ବିଷୟରେ ଶହେ ବର୍ଷର କାଗଜପତ୍ର, ତଳ ଉପର କୋର୍ଟର ନଜୀର, ହିନ୍ଦୁ ଧର୍ମର ରୀତିନୀତି–କେତେ କଣ ମାମଲତକାରମାନେ ଗାଇ ଯାଆନ୍ତି । ଗୋଟିଏ ଗୁମୁଟି, ଫାଳେ ଉଠା ଦୋକାନ ପାଇଁ ସାହି ସାହି ଭିତରେ ଝଗଡ଼ା ଆରମ୍ଭ ହୁଏ । ମାରପିଟ ଚରମ ସୀମାରେ ପହଞ୍ଚିଯାଏ । ଏହି ମାରପିଟ ଧର୍ମ ଉପରେ ସୀମାବଦ୍ଧ ରହେ ନାହିଁ–ଏହା ସାହି ସାହି ଭିତରେ–ଧର୍ମର ଊର୍ଦ୍ଧ୍ୱରେ ।

 

ଚାନ୍ଦା ଆଦାୟ ଛଡ଼ା ବାଦବିସମ୍ବାଦର ଅନ୍ୟ ଏକ କାରଣ ମେଢ଼ ଶୋଭାଯାତ୍ରା । ଗତବର୍ଷ ଗୋଟିଏ ସାହି ମେଢ଼ ଆଗରେ ଅନ୍ୟ ସାହି ମେଢ଼ କି ପ୍ରକାର ଆଚରଣ ପ୍ରଦର୍ଶନ କରିଥିଲେ, ତାକୁ ଟପି ଆଗକୁ ଯାଇଥିଲା କି ନାହିଁ, ସାମନା ମେଉ ଜାଣିଶୁଣି ଡେରିଡେରି କରିଥିଲା କି ନାହିଁ, ଛକ ଯାଗାରେ ଦୁଇ ପରିବର୍ତ୍ତେ ସୁରକ୍ଷା ମହାତାପ୍‌ ମାରିଥିଲା କି ନାହିଁ, କେତେଟା ଗଡ଼ମା ଫଟେଇ ଦେଲା, କେତେଟା କାଙ୍କରା ଜଳେଇଲା ଓ କ’ଣ କଥା କହିଥିଲା–ବାଜାବାଲା କେମିତି ବାଜା ବଜେଇଲେ–ନାଈ ଗାମୁଛା କେହି ଉଡ଼େଇ ଥିଲା କି ନାହିଁ–ଏମିତି ଚଳରେ କ’ଣ ଅହେତୁକ ବିଷୟ ବିଚାରକୁ ନେଇ ପରବର୍ଷ ଝଗଡ଼ା ଆରମ୍ଭ ହୋଇଯାଏ । ସେ ଝଗଡ଼ା ଏତେ ବ୍ୟାପକ ହୁଏ ଯେ ଦଙ୍ଗା ହାଙ୍ଗାମା, ମାଡ଼ି ଫୌଜଦାରୀ ଓ ଶେଷରେ ହତ୍ୟାରେ ପରିଣତ ହୁଏ । ଯେହେତୁ ଦୁର୍ଗା ପାନରତା, କାଳୀ ତନ୍ତ୍ରର ପରିଚାୟକ–ତେଣୁ ମଦ ଗଙ୍ଗାଜଳ ପରି ଚାରିଆଡ଼େ ବ୍ୟାପିଯାଏ, ପରିସ୍ଥିତିକୁ ସଙ୍ଗୀନ୍‌ କରିଦିଏ । ଏହି ଅସ୍ୱାଭାବିକ ଅବସ୍ଥା କଟକ ସହରର ଜୀବନଯାତ୍ରାର ଏକ ସ୍ୱାଭାବିକ ଅଙ୍ଗ । ଗତାନୁଗତିକ, ଅଭାବକ୍କିଷ୍ଟ ଏବଂ ସୀମିତଦର୍ଶନ ଲୋକଙ୍କ ପାଇଁ ଏହା ଏକ ଉପରୋଗର ସମୟ । ନୂଆ ଲୁଗା ପିନ୍ଧି, ରିକ୍‌ସାରେ ବସି ସହର ପରିକ୍ରମା କରିବା ସଉକ ଅନେକଙ୍କର । ଠାଏ ଠାଏ ଟିକିଏ ଅଟକି ଯାଇ ପ୍ରସିଦ୍ଧ ଗାୟକ ରତ୍ନଙ୍କ କିଛି ଶ୍ଳୀଳ, କିଛି ଅଶ୍ଳୀଳ ସଙ୍ଗୀତ ଶୁଣି ଘରକୁ ଫେରିବା ମଉଜ ଖୁବ୍‌ କମ୍‌ ଜାଗାରେ ଯୁଟେ । ସେହିଦିନମାନଙ୍କରେ ପିଇବା ପାଇଁ ସୁଯୋଗ ପ୍ରଚୁର ମିଳେ । ଧରାପଗଡ଼ କମ୍‌ ହୁଏ, ଚାନ୍ଦା ପଇସାରୁ ମଦ ଖର୍ଚ୍ଚ ତୁଲେଇ ହୁଏ । ଅନ୍ୟର ପଇସାରେ ନିଜର ରସନା ତୃପ୍ତ ହୁଏ, ଆଖି ପବିତ୍ର ହୁଏ ।

 

ଗତ ବର୍ଷର ଅପମାନକୁ ମନରୁ ପୋଛି ଦେବାପାଇଁ ଏବର୍ଷ କେଶରପୁର କାଳୀ ମେଢ଼ର କର୍ମକର୍ତ୍ତାମାନେ ଟଣିଆର ସାହାଯ୍ୟ ଲୋଡ଼ିଲେ । ସେ ଯେମିତି ଏଥର ରାମଗଡ଼ର କାଳୀମେଢ଼ ଗଲାବେଳେ ଗଣ୍ଡଗୋଳ କରିବ । ସେଥିପାଇଁ ଯୋଜନା ପ୍ରସ୍ତୁତ ହୋଇଗଲା–ଟଙ୍କା ପଇସା ଖର୍ଚ୍ଚ କରିଗଲା ।

 

ସାମନା ସାମନି ହେବା, ମହାତାପ୍‌ ମାରିବା, ବାଣ ଫୁଟେଇ ଆଗରେ ଚାଲିବା, ବନାଟି କୌଶଳ ଦେଖେଇବା, କାଙ୍କଡ଼ା ଜଳେଇବାକୁ କାଳୀ ଲଢ଼େଇ କୁହାଯାଏ । କାଳୀ ଲଢ଼େଇର ବଡ଼ ଆକର୍ଷଣ ମହାତାପ୍‌, ବଡ଼ ବଡ଼ ମାଲପାପରି ଦେଖା ଯାଉଥିବା ନାଲି, ନୀଳ, ବାଇଗଣି ରଙ୍ଗର ହାଲୋଳମୟ ବାଣ । ମହାତାପ୍‌-ଉର୍ଦ୍ଦୁ ମେହେତାବ୍‌ର ଅପଭ୍ରଂଶ । ଫାରସୀ କବି, ଉର୍ଦ୍ଦୁସାଏର ମେହେତାବ୍‌ ଉପରେ ଅନେକ ରୋମାଞ୍ଚକର କବିତା, ପଂକ୍ତି, ସାଏରୀ ଲେଖି ନିଜକୁ ପ୍ରସିଦ୍ଧ କରେଇ ପାରିଛନ୍ତି । ଭାବୁକ, ପ୍ରେମିକ ସୌନ୍ଦର୍ଯ୍ୟ ପିପାସୁର ମାନସ ପଟରେ ନୂତନ ଛବି ଆଙ୍କି ପାରୁଛନ୍ତି । କାଳୀ ମେଢ଼ର ମହାତାପ୍‌ ଶ୍ୟାମା କାଳୀଙ୍କର ଦିଗମ୍ବର ମୂର୍ତ୍ତିକୁ ଅପରୂପ ଶୋଭା ପ୍ରଦାନ କରିଥାଏ । ରାତିର ଘନ ଅନ୍ଧକାର ଭିତରେ–ଚତୁର୍ଦ୍ଦିଗରେ ଦିନର ଆଲୋକ ଖେଳେଇ ଦିଏ–ଅନ୍ଧାର ଭିତରେ ମେଢ଼ପାଇଁ ବାଧ୍ୟ ପ୍ରସ୍ତୁତ କରେ–ପରସ୍ପରକୁ ପରସ୍ପର ସହ ଚିହ୍ନା ପରିଚୟ ହେବାରେ ସାହାଯ୍ୟ କରେ । କିନ୍ତୁ ସେହି ଆଲୋକର ବନ୍ୟା ଭିତରେ ହିଂସା, ପରଶ୍ରୀକାତରତା, ଅନ୍ୟକୁ ନ୍ୟୂନ କରେଇବାର ଅବଦମିତ ଇଚ୍ଛା ପ୍ରକଟିତ ହୁଏ । ସେହି ଅବଦମିତ ଇଚ୍ଛା ରୂପ ନିଏ ଅନେକ ମହତାପ୍‌ଜଳେଇବାରେ–ହିଂସ ପ୍ରକୃତିକୁ ଜାହିର୍‌କରିବାରେ, ଲଢ଼େଇ ପାଇଁ ବାହାସ୍ପୋଟ ମାରିବାରେ– ।

 

ଏ ଲଢ଼େଇ ବ୍ୟକ୍ତି ବ୍ୟକ୍ତିର ନୁହେଁ–ଏହା କାଳୀ କାଳୀ ଭିତରେ, ବାଣବାଲା ବାଣବାଲା ଭିତରେ ଏବଂ ସାହି ସାହି ଭିତରେ । ଏ ଲଢ଼େଇ ବେଳେ ସମସ୍ତେ ଭୁଲି ଯାଆନ୍ତି ଯେ ଶଙ୍କର ଭାବୁଥିଲେ କ୍ରୋଧଦୀପ୍ତା ଦୁର୍ଗ । ନିଜ ଉପରେ ମାଡ଼ିଯାଇ ଶାନ୍ତ ହୁଅନ୍ତୁ । ଦୁର୍ଗା । ସ୍ଵାମୀଙ୍କ ଉପରେ ଦଣ୍ଡାୟମାନା ହୋଇ ହାତେ ଜିଭ କାମୁଡ଼ି ସ୍ତବ୍‌ଧ ହୋଇ ଯାଇଥିଲେ । ତାଙ୍କ ରାଗ ଶାନ୍ତ ପଡ଼ିଯାଇଥିଲା । ଗୋଟିଏ ଦୃଷ୍ଟିରୁ–ବିଶ୍ୱର କଲ୍ୟାଣ ଏବଂ ସଂଯମ ତଥା ଅନ୍ୟର ସାହାଯ୍ୟ କରିବା ମନୋଭାବ ଏହି କାଳୀ ମେଢ଼ର ପ୍ରତୀକ । କିନ୍ତୁ କାର୍ଯ୍ୟତଃ ଦେଖାଯାଏ ଏହି କାଳୀ ମେଢ଼ ସବୁ ଗଣ୍ଡଗୋଳର ସୂତ୍ରପାତ କରେ । ବୀଜ ବୁଣିଦିଏ ଅନ୍ୟଯାତ୍ରା ବେଳେ ଗଣ୍ଡଗୋଳ କରିବା ପାଇଁ ।

 

ଟଣିଆ କ୍ଷେତ୍ର ପ୍ରସ୍ତୁତ କରୁଥାଏ ରାମଗଡ଼ ମେଢ଼ ବାରପଥର ଛକଦେଇ ଗଲାବେଳେ ଗଣ୍ଡଗୋଳ କରିବା ପାଇଁ–ସମୁଚିତ ଶାସ୍ତି ଦେବାପାଇଁ ।

 

ସେ ବର୍ଷ ରାମଗଡ଼ ମେଢ଼ ବକ୍‌ସିବଜାର ଛକକୁ ଆସିବା ପାଇଁ ବହୁର ଡେରି ଲଗେଇ ଦେଇଥାଏ । ସାହିବୁଲା, କାନ୍ଧେଇବା ଲୋକଙ୍କ ପାଇଁ ଖାଇବା ପିଇବା ବୁଝିବା, ଲାଇଟ୍‌, ବାଜାବାଲା, ବାଣ, କାଙ୍କଡା, ବନାଟି, ମାଇଚିଆ ନାଚ ଚଇତିଘୋଡ଼ା ଏମିତି କେତେସବୁ ଯୋଗଡ଼ା କରୁ କରୁ ରାତି ସାତ । ତା ଛଡ଼ା ସାହିପିଲାଙ୍କୁ ମଦ ଯୋଗେଇବା ପାଇଁ ପଡ଼ିଥିଲା । ମଦ ନିଶାରେ ମେଢ଼ ଶୋଭାଯାତ୍ରା ଆଗରେ ସାହିର ପିଲାମାନେ ନାଚିବାରେ ବ୍ୟସ୍ତ ! ନାଚ ଜଣାଥିବା ନଥିବା ବଡ଼ କଥା ନୁହେଁ । ପେଟେ ପେଟେ ମଦ ପିଇଦେଇ ତୁଚ୍ଛାଟାରେ ଗୋଡ଼ହାତ ହଲେଇ, ବାଜାବାଲାଙ୍କୁ ଜୋର୍‌ଜୋର୍‌ ବାଜା ! ବଜେଇବା ପାଇଁ କହି ମେଢ଼ର ଗତି ମନ୍ଥର କରିବା କାମ ସେମାନଙ୍କର । ବାଜାବାଲାଙ୍କ ମୁରବୀକୁ ବିଭିନ୍ନ ଗୀତରେ ଫରମାସ୍‌ତା’ ସହିତ ନାଚ । ସମୟେ ସମୟେ ମାଇଚିଆ ସାଙ୍ଗରେ ନାଚିଦେବା, ତା ଗୁଣ୍ଡ ଉପରେ ପାଞ୍ଚଟଙ୍କିଆ, ଦୁଇଙ୍କିଆ, ଟଙ୍କିକିଆ ନୋଟ୍‌ ଗୁନ୍ଥିଦେବା କାମ ମଧ୍ୟ ହୁଏ, ସତେ ଯେମିତିକି ମାଇଚିଆ ଛାତରେ ନୋଟ୍‌ଗୁଞ୍ଜି ଦେଲେ କିଛି ଉତ୍ତାପ ମିଳିଯିବ !

 

ବକ୍‌ସିବଜାର ଛକରେ ବନାଟି ବୁଲାହେଲା ଖୁବ୍‌ ଜୋରରେ । କାଙ୍କଡ଼ା ଜଳିଲା । ବାଣରେ ରୋଷଣୀ ଚାଲିଲା । ଭଳିକି ଭଳି ମହାତାପ ମରାହେଲା । କ୍ଳାରିଓନେଟ୍‌, ଫ୍କୁଟ୍‌ରେ ନୂଆ ସୁର ଦିଆଗଲା–ନୂଆ ନାଚ ହେଲା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ କଶରପୁରର ଜଣେ ମଦୁଆ ବୃତ୍ତ ଆକାରରେ ବୁଲୁଥିବା ବନାଟି ପାଖକୁ ଲାଗିଲା । ବନାଟିର ନିଆଁ ହୁଳା ତା ଦେହରେ ବାଜି ଛିଟିକା ଚାରିଆଡ଼େ ପଡ଼ିଲା । ଦଉଡ଼ି ଲଗା ବନାଟି । ସେଇଟା ହାତରୁ ଖସିଯାଇ ଦେଖଣାହାରିଙ୍କ ଗୋଡ଼ତଳେ ପଡ଼ିଗଲା । ସେତିକିବେଳେ ନିକ ପାଟିକରି ଉଠିଆସିଲା–‘ଶଳେ, ରାମଗଡ଼ିଏ ଲୋକଙ୍କୁ ମାରିଦେବେ । ଶଳେ ଉପରମୁହାଁ ହୋଇଗଲେଣି ।

 

ନିଆଁ ହୁଳା ପାଖକୁ ଲାଗି ଆସିଥିବା ମଦୁଆ ଲୋକଟି ପାଟି କରୁଥାଏ–ହମି୍‍ ସାହି ଥିଲା ପିଲା କୁଆଡ଼େ ଅଛରେ । ଦୌଡ଼ି ଆସ–ଶଳାଙ୍କର ମୁକାବିଲା କରିବା ।

 

ପାଟି ଶୁଣି ବାଜାବାଲା ବାଜା ବନ୍ଦ କରି ଅନେଇଲେ–ଚାରିଆଡ଼କୁ–ପଳାୟନର ପଥ ସ୍ଥିର କରି ନେଲେ ।

 

ଟଣିଆ ଆକ୍ରମଣ ପାଇଁ ପ୍ରସ୍ତୁତ ହେଲାବେଳେ ଲକ୍ଷ୍ୟ କଲା ଶୋଭା ତା ଭାଉଜ ସହ ଛିଡ଼ା ହୋଇଛି ଗୋଟିଏ ପାଖରେ । ବାଣ ରୋଷଣୀ ପ୍ରତି ତାର ଲକ୍ଷ୍ୟ–ଗଣ୍ଡଗୋଳ ପ୍ରତି ନଜର ନାହିଁ । ଗଣ୍ଡଗୋଳ ହେଲେ ସେ ଅସୁବିଧାରେ ପଡ଼ିଯିବ । ଦଳା ଚକଟା ଭିତରେ ପେଷି ହୋଇଯିବ-। ଶୋଭା ଅସୁବିଧାରେ ପଡ଼ୁ ଏକଥା ଚାହୁଁ ନଥିଲା ଟଣିଆ । ସେଇଥିପାଇଁ ପାଖକୁ ଯାଇ କହିଲା–ଶୋଭା, ତମେ ସବୁ ଚାଲିଯାଅ, ଗଣ୍ଡଗୋଳ ହେବ ।

 

ଶୋଭାର ସେହି ବେପରୁଆ ଭାବ । ସେ କହିଲା–ଆମେ ଯିବୁ ନାହିଁ । ତମେ ଯାଅ । ଗଣ୍ଡଗୋଳ ହେଲେ ଆମେ ଆମ କଥା ବୁଝିବୁ ।

 

ଟଣିଆ ଅନୁଭବ କଲା ଶୋଭା ତା କଥା ଶୁଣିବା ପାଇଁ ନାରାଜ । ଅଧିକା କିଛି କଥା ବାର୍ତ୍ତା ନ କରି ସେହି ମଦୁଆ ଓ ନିକକୁ ଟାଣି ଟାଣି ବାରପଥର ଆଡ଼କୁ ନେଇଗଲା । ଟାଣିଲା ବେଳେ ମଦୁଆ ଲୋକଟି କହୁଥାଏ–ମାର ଶଳାଙ୍କୁ । ମାଇଚିଆର ଚୁଟି ଟାଣିଦିଅ, ଛାତିରୁ ଲୁଗା ଖୋଲିଦିଅ ।

 

ଟଣିଆ ଚୁପ୍‌ଚୁପ୍‌ କରି କହିଦେଲା–ଅବେ, ବକ୍‌ସିବଜାରରେ ପୁଲିସ ବେଶି ଅଛନ୍ତି । ଆମକୁ ସାବାଡ଼ କରିଦେବେ । ଆସ, ଆଗରେ ଦେଖିବା ।

 

କିଛି ସମସ୍ତେ ହୈ ଚୈ ପରେ ପୁଣି ବାଜା ବାଜିଲା । ପୁଲିସବାଲା କିଏ କୁଆଡ଼େ ହାଲିଆ ହୋଇ ବସି ଯାଇଥିଲେ । ସେମାନେ ମଧ୍ୟ ମେଢ଼ ପାଖକୁ ଆସିଲେ । ମାଇଚିଆ ନାଚ ଖୁବ୍‌ ଜୋରରେ ହେଲା । ପେଁ କାଳୀ ସାଙ୍ଗକୁ ଢୋଲ ମାଡ଼ ଖୁବ୍‌ ହେଲା । ପୁଲିସ୍‍ବାଲାଙ୍କ ଗଳାରେ ଗୋଟିଏ ଯୋଡ଼ିଏ କର୍ପୂରମାଳ ପଡ଼ିଲା । ମେଢ଼ କାନ୍ଧେଇବା ଲୋକ ମେଢ଼ ପଛରେ ଝୁଲୁଥିବା ବୋତଲରୁ ମଦ ଟିକିଏ ଟିକିଏ ପିଇଲେ । ମହାତାପ ଜଳିଲା–ମେଢ଼ ଉଠିଲା ।

 

ଅନ୍ନପୂର୍ଣ୍ଣା ଥିଏଟରେ ପାଖାପାଖି ହେଲାବେଳକୁ ରାତି ବାର । ଶୋଭଯାତ୍ରାର ସବୁ ଲୋକ ମଦ ନିଶାରେ ଭୋଳ । ସେମାନେ ନା କାହା କଥା ମାନୁଛନ୍ତି ନା କାହାକୁ କିଛି ଆଦେଶ ଦେଇ ପାରୁଛନ୍ତି । ତୁହାକୁ ତୁହା ହାବେଳି ବାଣ ଛଡ଼ା ଯାଉଛି ଆକାଶକୁ–ସତେ ଯେମିତିକି ସ୍ଵର୍ଗର ଦେବତାମାନଙ୍କୁ ସୂଚନା ଦିଆଯାଉଛି ସେ ତାଙ୍କ କାଳୀମେଢ଼ ସବୁଠାରୁ ପ୍ରସିଦ୍ଧ ଏବଂ ସେମାନେ କେବଳ ଜାକ ଜମକରେ ଶୋଭାଯାତ୍ରା କରି ପାରନ୍ତି । ନାଚ ପ୍ରବଳ ହେଲା ମନେ ହେଉଥାଏ ମହାତାପ ରୋଷଣୀ । ଭିତରେ କାଳୀ ଖୁସି ହୋଇ ଜିଭ ଆହୁରି ଲମ୍ବେଇ ଦେଉଥିଲେ । କଟା ମୁଣ୍ଡ ସବୁ ହସି ଉଠୁଥିଲା ।

 

ସେମାନଙ୍କ ମନ୍ଥର ଗତି ଯୋଗୁ ବହୁତ ମେଢ଼ ପଛକୁ ପଛ ଲାଗି ଯାଇଥାଏ । ପଛରୁ ପାଟି ହେଉଥାଏ । ଆଗ ମେଢ଼ ବିରୁଦ୍ଧରେ ଅଶ୍ରାବ୍ୟ ଗାଳିବର୍ଷଣ ହେଉଥାଏ । ଶାନ୍ତିଶୃଙ୍ଖଳା ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀ ବାଘପରି ବିପଦର ଗନ୍ଧ ପାଇ ଯାଇଥିଲେ–ସେମାନଙ୍କ ଭୟ ପଛ ମେଢ଼ବାଲା ବିରକ୍ତ ହୋଇ କେତେବେଳେ କଣ କରି ପକେଇବେ । ଜଳନ୍ତା କାଙ୍କଡ଼ାରେ କାହାକୁ ପାହାରେ ଦେବେ । ବ୍ୟବଧାନ କମ୍‌ କରି ଦେଇ ଆଗକୁ ମାଡ଼ି ଆସିବେ । ପଛରୁ ଗୋଟାଏ ଗଡ଼ମା କିମ୍ବା ହାବେଳି ବାଣ ଛାଡ଼ିଦେବେ–କିଛି ନହେଲେ ଘୋଡ଼ାନାଚ ବାଲାକୁ ଆଗକୁ ଛାଡ଼ି ଦେବେ । ଏସବୁକୁ ଏଡ଼େଇବା ପାଇଁ ପୁଲିସବାବୁମାନେ ତତ୍ପର । କ୍ଳାନ୍ତ ଗୋଡ଼କୁ ଆଗକୁ ବଢ଼େଇ, ତେଲିଆ ମୁହଁରେ ହସ ଖେଳେଇ ବାପ ଧନ କରି ମେଢ଼କୁ ଆଗକୁ ନେବାରେ ବ୍ୟସ୍ତ ।

 

ଏତିକି ବେଳେ ରାମଗଡ଼ ମେଢ଼ର ହାବେଳି ଉଠିଲା ଆକାଶକୁ । ସେହି ହାବେଳି ସାଙ୍ଗକୁ ଟଣିଆ ଦୁଇଟା ଚେଙ୍ଗା ବାଣ ଛାଡ଼ିଦେଇ ଜନତା ଭିତରକୁ । ତା ପରେ ପରେ ଦୁଇଟା ଗୋଡ଼ିବାଣ । ମାଇଚିଆ ନାଚ–ବାଣ, ରୋଷଣୀ ଏବଂ ବ୍ୟାଣ୍ଡ ବାଜାରେ ତନ୍ନୟ ହୋଇଥିବା ଜନତା ଏପଟ ସେପଟ ହେଲା ବେଳକୁ ଟଣିଆ ରଡ଼ିଟାଏ କରିଦେଲା–ମରି ଗଲିଲୋ ମା, ଶଳେ ମାରି ପକେଇଲେ ।

 

ସଙ୍ଗେ ସଙ୍ଗେ ଦୁଇ ଚାରିଟା ଟେକା ଶୂନ୍ୟରୁ ଆସି ପଡ଼ିଲା ଓ ପରେ ପରେ କିଏ ଗୋଟାଏ’ ପାଟି କରିଦେଲା–ଦୌଡ଼ରେ ଶଳେ । କେଶରପୁରିଆ ମାରି ପକେଇଲେ । ଟେକା ପଡ଼ିଲାଣି, ବୋମା ପଡ଼ିବ ।

 

ଆଖି ପିଛୁଡ଼ାକେ ଦେଖଣାହାରି ସବୁ ପବନରେ ଉଡ଼ିଯାଉଥିବା ଶୁଖିଲା ପତ୍ର ପରି ଯେ ଯୁଆଡ଼େ ଚାଲିଗଲେ ! ଲାଇଟ ଧରିଥିବା ତେଲେଙ୍ଗା ମାଇକିନିଆମାନେ ଦୁଇ କଡ଼ର ଦୋକାନ ବାରଣ୍ଡା ପରେ ଆଉଜି ଗଲେ । ଝାଳ ନାଳ ହୋଇଥିବା ମାଇଚିଆ ଲୁଗା ଉଠେଇ ଦୌଡ଼ି ଚାଲିଗଲା ଗଳି ଭିତରକୁ । ବାଜାବାଲା ବାଜା ଛାଡ଼ିଦେଇ ଆଗକୁ ଦୌଡ଼ି ଗଲେ । ମୁହୂର୍ତ୍ତକ ମଧ୍ୟରେ ମେଢ଼ ଆଗରେ ଛିଡ଼ା ହୋଇ ନାଚ କୁଦ କରୁଥିବା ଲୋକ କିଏ କୁଆଡ଼େ ଛିନ୍ନଛତ୍ର ହୋଇଗଲେ । ସବୁଆଡ଼େ ଭୟ ଓ ଆତଙ୍କ–କାଳେ ବୋମା ମାଡ଼ ହେବ, ଲାଠି ଚାଲିବ, ପଥର ବର୍ଷଣ ହେବ, କାଙ୍କଡା ବର୍ଚ୍ଛାର କାମ କରିବ ।

 

ସେତିକି ବେଳେ ଟଣିଆ ହନୁମାନ ପରି ମେଢ଼ ଉପରକୁ ଉଠିଯାଇ କାଳୀ ମୁଣ୍ଡଟାକୁ ମୋଡ଼ି ବାହାର କରି ଦୌଡ଼ି ଚାଳିଗଲା ଗଳି ଭିତରକୁ ! ହାଁ ହାଁ କରି ପୁଲିସ ଆସିବା ବେଳକୁ ତା’ ଦଳର ସମସ୍ତେ ଉଭେଇ ଯାଇଥିଲେ । କାମ ସରିଲା ପରେ ପୁଲିସ ପହଞ୍ଚିଛନ୍ତି ସେତେବେଳକୁ ପାଖରେ କେହି ନଥାଏ ।

 

କବନ୍ଧ କାଳୀ ମେଢ଼ଟା ରାସ୍ତା ଉପରେ ପଡ଼ିରହିଲା । ରାମଗଡ଼ ଲୋକ ମେଢ଼କୁ ଛାଡ଼ି ଘରକୁ ଚାଲିଗଲେ । ପୁଲିସବାବୁମାନେ ହୁତ୍‌ହାତ୍‌କରି ଗୁଡ଼ାଏ ଏପଟେ ସେପଟେ ଦୌଡ଼ିଲେ । ବହୁତ କଷ୍ଟକରି ସେମାନେ ଅନ୍ୟ ମେଢ଼ ସବୁକୁ ପାର କରେଇଲେ–ସକାଳ ସୁଦ୍ଧା ।

 

ସକାଳ ବେଳକୁ କବନ୍ଧ କାଳୀ ମେଢ଼ଟା ରାସ୍ତା ମଝିରେ ଛିଡ଼ା ହୋଇ ବୀଭତ୍ସ ଦେଖାଯାଉଥାଏ । ସେ ଯେମିତିକି ସୂଚେଇ ଦେଉଥାଏ–ସାହିବାଲା ପ୍ରବଳ ପରାକ୍ରମୀ, ସେମାନେ କାଳୀର ମଧ୍ୟ ମୁଣ୍ଡ ମୋଡ଼ି ଦେଇ ପାରନ୍ତି ।

 

ହାତେ ଜିଭ ବାହାର କରିଥିବା ପ୍ରାଣହୀନ, ସମ୍ମାନ ବିହୀନ ମାଟି କାଳୀମୁଣ୍ଡ ଗଳି ମୁଣ୍ଡରେ ଗଡ଼ୁଥାଏ ଅସହାୟ ଭାବେ–ପ୍ରାଣ ସଞ୍ଚାର ହେଲେ ହୁଏତ ସେ ଲଜ୍ଜାରେ ସହର ଛାଡ଼ି ହିମାଳୟକୁ ଚାଲି ଯାଆନ୍ତା । ଜଙ୍ଗଲି ସହରର ବୀଭତ୍ସ ରସ ତାର ବୀଭତ୍ସ ରୂପକୁ ମ୍ଳାନ କରି ଦେଉଛି । ସେ ଗୋଟିଏ ମହିଷାସୁରକୁ ଧରାଶାୟୀ କଲାବେଳେ ସହରରେ ଅସଂଖ୍ୟ ମହିଷାସୁର ଉତ୍ପନ୍ନ ହେଉଛନ୍ତି–ସମସ୍ତେ ଏକକୁ ଆରେକ ବଳୀୟାନ । ସେମାନଙ୍କ ସମ୍ମୁଖରେ ସେ ଖଡ଼୍‌ଖର୍ପରଧାରିଣୀ ଦୀପ୍ତିମୟୀ ମା’ ନୁହଁନ୍ତି କେବଳ ମାଟିର ଗୋଟିଏ ଖେଳନା ।

 

ଯେଉଁ ରାଜା କଟକ ସହର ସ୍ଥାପନ କରିଥିଲେ ତାଙ୍କର ଗୋଟିଏ ଉଦ୍ଦେଶ୍ୟ ଥିଲା । ଉଦ୍ଦେଶ୍ୟ ହେଲା ଚାରିଆଡ଼େ ପାଣି ଭରି ରହିଥିବା କଟକ ସହର ଭିତରକୁ ଶତ୍ରୁ ସହଜରେ ପଶି ପାରିବେ ନାହିଁ । ତିନିଆଡ଼େ ନଦୀ ଯଦି ନଦୀ ପାରହେଲେ ତା’ ହେଲେ ସନ୍ତସନ୍ତିଆ କାଦୁଆ ଜମି ଉପରେ ସୈନ୍ୟ ଚଲେଇ ବାରବାଟୀ ଦୁର୍ଗକୁ ଆକ୍ରମଣ କରି ହେବ ନାହିଁ । ସହର ସ୍ଥାପନର କେତେ ଶହ ବର୍ଷ ବିତିଗଲାଣି, ରାମଗଡ଼ ସହିତ ବିଶିନାବର ମିଶିଗଲାଣି, ଶିଖରପୁର ଅଲଗା ଗାଁ-। ହୋଇ ରହିନାହିଁ, ଅପନ୍ତରାରେ ତିଆରି ଫିରିଙ୍ଗି ବଜାର ଆଧୁନିକ ବଡ଼ ବଡ ବଜାର ଭିତରେ ସତ୍ତା ହରେଇ ସାରିଲାଣି, ବିଡ଼ାନାସୀ ସହ ବୀରବାଟୀ ମିଶିଗଲାଣି । ଏତେ ସିନା ହେଲାଣି ହେଲେ ସହରର ଖାଲୁଆ ଜାଗା ଯେମିତି ସନ୍ତସନ୍ତିଆ ବର୍ଷା । ହୋଇଗଲେ ସେହି ଅଞ୍ଚଳରେ ପାଣି ଲହଡ଼ି ଭାଙ୍ଗେ, ମାଛ ଧରା ହୁଏ । ବାରବାଟି ଦୁର୍ଗ ଦୂରର କଥା–ପାଖପଡ଼ିଶା ଘରକୁ ଯିବା ମଧ୍ୟ କାଠିକର ପାଠ ହୋଇ ଉଠେ ।

 

ବାଲି ପଡ଼ି, ମାଟି ପଡ଼ି ବଡ଼ ବଡ଼ ଘର ତିଆରି ହେଉଛି, କୋଠା ତିଆରି ହେଉଛି, ଯେଉଁ ଅଞ୍ଚଳ ଖାଲି ହୋଇ ରହିଯାଇଛି ସେ ଅଞ୍ଚଳ ପୋଖରୀରେ ପରିଣତ ହୋଇ ଯାଇଛି । ବର୍ଷା ହେଲେ ପାଖ ଆଖ ଅଞ୍ଚଳରେ ସବୁ ପାଣି ଏହି ପୋଖରୀ ଭିତରେ ପଶେ । ବେଶି ବର୍ଷା । ହେଲେ ମ୍ୟୁନସିପାଲିଟି ନର୍ଦ୍ଦମା ଉତ୍କଳ ସେହି ପାଣି ମଧ୍ୟ ପୋଖରୀ ଭିତରେ ପଶେ । ଏତେ ପାଣି ହୁଏ ସେ ଖାଲୁଆ ଅଞ୍ଚଳର ଘର ଭିତରେ ପଶିଯାଏ । ଘର ଭିତର ପାଣି ସାଙ୍ଗରେ କଟକ ଉଠା ପାଇଖାନାରୁ ମେଞ୍ଚା ମେଞ୍ଚା ଗୁହ, ମ୍ୟୁନିସିପାଲିଟି ନର୍ଦ୍ଦମାର କଳା କଳା ପ୍ରଙ୍କମିଶା ମଇଳା, ଚେଙ୍ଗ ମାଛ, କେରାଣ୍ଡି ସବୁ ଘର ଭିତରେ ପଇଁତରା ମାରନ୍ତି । ବଡ଼ ବଡ଼ ଘର । ଉଚ୍ଚା ରାସ୍ତା ତିଆରି ହେବା ଫଳରେ ପାଣି ନିଷ୍କାସିତ ହୋଇ ପାରେନାହିଁ ଚାରିଆଡ଼େ ପାଣି ଅସହାୟ ହୋଇ ମଥା ପିଟେ । ନଦୀ ବଢ଼ିଲେ କୂଅ ଉଛୁଳି ଛୋଟ ଛୋଟ ଝରଣା ତିଆରି କରେ । କଟକରେ ଏମିତି କେତେ ଖାଲୁଆ ଅଞ୍ଚଳ ରହିଛି ଯେଉଁଠାରେ ବର୍ଷର ଚାରିମାସ ମାଛ ଓଦା ହୋଇ ରହେ । ବର୍ଷା ପାଣି, ନାଳ ପାଣି, ଗୁହପାଣି, କୂଅପାଣି ଘରର ମାଟି କାନ୍ଥ ଉପରେ ପିଟିହୁଏ । ପଟ୍ଟାପୋଲ, ମକରବା ସାହି, ମେରିଆ ବଜାର, କେଶରପୁର, ସାଆନ୍ତସାହୀ, ବଳଭଦ୍ରପୁରର ନର୍ଦ୍ଦମା କଡ଼ ଅଞ୍ଚଳ ବର୍ଷା । ଦିନେ ରୌରବ ନର୍କ ପରି ଜଣାପଡ଼େ । ଟଣିଆର ଘର ସେହି ନର୍ଦ୍ଦମା କୂଳରେ । ବର୍ଷାଦିନେ ସନ୍ତସନ୍ତିଆ ଚଟାଣ ଉପରେ ବସି, ଘରୁ ବାହାରକୁ ବାହାରୁ ଘରକୁ ହେଇ ତା’ ମା ନୟାନ୍ତ ହୋଇଯାଏ । ଜ୍ୱର, ମୁଣ୍ଡବ୍ୟଥା, କାଶ ସବୁବେଳେ ଲାଗି ରହିଥାଏ । ଟଣିଆର ସେସବୁ ପ୍ରତି ନଜର ନ ଥାଏ । ଘରେ ମା ଖାଇବାକୁ ଦେଇ ପାରିଲେ ଭଲ, ନଚେତ ବାହାରେ ଖାଇଦେବ-। ମା ବେଶି ବାଧିକା ପଡ଼ିଲେ, ଶେଯରୁ ଉଠି ନ ପାରିଲେ ଟଣିଆ ଅନିଚ୍ଛାସତ୍ତ୍ୱେ ମା ପାଖରେ କିଛିଦିନ ରହିଯାଏ । ଟିକିଏ ଭଲ ହୋଇଗଲେ ଜାଲରୁ ଖସି ଯାଇଥିବା ହରିଣ ପରି ଘର ଛାଡ଼ି ପଳାଏ । ଘରର ବାଡ଼ିପଟେ ଜମି ଆସୁଥିବା ପାଣିକୁ ଦେଖିଲେ ସେ ଖୁବ୍‌ବିରକ୍ତ ହୁଏ । ବଢ଼ିଲା ପାଣି ରୋଗ ଆଣିବ, ତାର ଚଳପ୍ରଚଳରେ ପ୍ରତିବନ୍ଧକ ସୃଷ୍ଟି କରିବ, ମା ପାଇଁ ଔଷଧ ପଥିର ବନ୍ଦୋବସ୍ତ କରିବାକୁ ପଡ଼ିବ ।

 

ଲାଗ୍‌ ଲାଗ୍‌ ତିନିଦିନ ଧରି ବର୍ଷ ହେବା ଫଳରେ ବାଡ଼ିପଟେ ଆଣ୍ଠୁଏ ପାଣି ଜମା ହୋଇଯାଇଥାଏ । ଘର ଉପରକୁ କେତେବେଳେ କେମିତି ପାଣି ପଶି ଆସୁଥାଏ–ବୁଲା କୁକୁର ପଶି ଆସିଲା ପରି । ଟଣିଆ ଚିଡ଼୍‌ଚିଡ଼ ହୋଇ ଘର ଉପରେ ଚୁପ୍‌ଚାପ ବସିଥାଏ, କେତେବେଳେ କେମିତି ଓଦା ହୋଇ ପାଖ ଦୋକାନରୁ ମା ପାଇଁ ଚାହା ଟିକିଏ ଆଣିଦିଏ । ବାହାରକୁ ଅନେଇ ରହେ–ଆକାଶ କେତେବେଳେ ଫର୍ଚ୍ଛା ହେବ । କୁଆଡ଼େ ଯାଇ ନପାରି ଖୁବ୍‌ବିରକ୍ତ ହୁଏ ବର୍ଷା ଉପରେ । ତୃତୀୟଦିନର ବର୍ଷା ଭିତରେ ଗୋଟିଏ ଜିପ୍‌ରେ ତିନି ଚାରିଜଣ ଲୋକ ତା ପାଖକୁ ଆସିଲେ । ଅଚିହ୍ନା ଲୋକ, ଆଗରୁ ସେମାନଙ୍କୁ ଟଣିଆ କେବେ ଦେଖି ନଥିଲା । ସେମାନେ ଏମିତି କଥାବାର୍ତ୍ତା କରୁଥାଆନ୍ତି ସତେ ଯେମିତିକି ତାକୁ ଚିହ୍ନିଛନ୍ତି ବର୍ଷ ବର୍ଷ ଧରି ।

 

ଅଳ୍ପ ସମୟ କଥାବାର୍ତ୍ତା ପରେ ଟଣିଆ ଜାଣିପାରିଲା ଗୋପାଳ ବାବୁ ସେମାନଙ୍କୁ ପଠେଇଛନ୍ତି ତା’ ପାଖକୁ–ସାହାଯ୍ୟ ପାଇଁ । ସେମାନଙ୍କର ଅନୁରୋଧ ଥିଲା ବଡ଼ ସରଳ । ସେମାନେ ସିଭିଲ କୋର୍ଟରୁ ଡିଗ୍ରୀ ପାଇଛନ୍ତି–ଜମି ଦଖଲ ନେବେ, ଚାଷ କରିବେ । ଟଣିଆ ଓ ତା ଦଳ ଯାଇ କେବଳ ଜମି ପାଖରେ ଛିଡ଼ା ହେବେ । ସେମାନଙ୍କର ଏହି ଅନୁରୋଧ ଶୁଣି ପ୍ରଥମେ ଟଣିଆ କିଛି ବୁଝି ପାରିଲା ନାହିଁ । ଏମିତି ପ୍ରକାରର ଅନୁରୋଧ ସେ ଆଗରୁ କେବେ ଶୁଣି ନଥିଲା-। ପ୍ରତିପକ୍ଷ ଗଣ୍ଡଗୋଳ କରିବା ଆଶଙ୍କା ନଥାଇ ସୁଦ୍ଧା କାହିଁକି ଏମାନେ ସାହାଯ୍ୟ ଲୋଡ଼ୁଛନ୍ତି ? ଭାବି ଭାବି ଟଣିଆ ପଚାରିଲା–ସେମାନେ ଗଣ୍ଡଗୋଳ କରିବେ ନାହିଁ, ମୋର ସାହାଯ୍ୟର ଆବଶ୍ୟକତା କ’ଣ ?

 

ଗୋଟିଏ ପୋଖତ ମାମଲତକାର ପରି ଦେଖା ଯାଉଥିବା ବୟସ୍କ ଲୋକ ଜଣକ କହିଲେ–ଗଣ୍ଡଗୋଳକାରୀମାନେ ସାମନା ସାମନି ମାଡ଼ ଫୌଜଦାରୀ କରିବେ ନାହିଁ । କିନ୍ତୁ ଆମେ ଜମି ଦଖଲ ନେଇ ଚାଷ କଲା ପରେ ସେମାନେ ତା ଉପରେ ଚାଷ କରିଦେବେ । ଆମର ତଳି ଓପାଡ଼ି ଫୋପାଡ଼ି ଦେବେ । ସେମାନଙ୍କର ତଳି ଲଗେଇ ଦେବେ । ଏମିତି ସାକ୍ଷ୍ୟ ପ୍ରମାଣ ଯୋଗାଡ଼ କରିଦେବେ ଯେ ପରେ ସାବ୍ୟସ୍ତ ହୋଇଯିବ ସେମାନେ ଚାଷ କରିଛନ୍ତି । ଆପଣମାନେ ସେଠାରେ ରହିଲେ ଏସବୁ କାମ କରିବେ ନାହିଁ, ଡରି ଯିବେ, ଜମି ଆମର ହୋଇଯିବ ।

 

ଆପଣ ପୁଲିସକୁ ଡାକୁ ନାହାନ୍ତି–କହିଲା ଟଣିଆ ।

 

ଏସବୁ କାମରେ ପୁଲିସ କିଛି କରି ପାରିବ ନାହିଁ । ଜମି ଦଖଲ ଦେଲାପରେ ପୁଲିସ ଚାଲିଯିବ । ସେମାନେ ତଳି ଓପାଡ଼ି ଫୋପାଡ଼ି ନିଜେ ଚାଷ କଲାପରେ ପୁଲିସ ଆସିବ, କେଶ୍‌ ହେବ । କଥାଟା ବଢ଼ିବ ସିନା କମିବ ନାହିଁ । ଆମର କ୍ଷତି ହେବ । ମୂଳରୁ ସେମାନେ ନ ଆସିଲେ ଭଲ । ପୋଖତ ମାମଲତକାର ଶିକ୍ଷାନବୀଶକୁ ବୁଝେଇଲା ପରି କହିଲେ ।

 

ଠିକ୍‌ ଅଛି । ମୁଁ ଯିବି । ମୋ ଦଳ ଯିବେ । କାଲି ଗାଡ଼ିନେଇ ଆସନ୍ତୁ । ନ ହଜାର ଟଙ୍କା ନେବି ।

 

ଆମେ ପ୍ରସ୍ତୁତ ଅଛୁ । ଏଇ ନିଅନ୍ତୁ ଆଡଭାନ୍‌ସ–ହଜାରେ–ଟଙ୍କା–ବୟସ୍କ ଲୋକ କହିଲେ ।

 

ଏତେ ଚଞ୍ଚଳ ସେମାନେ ଟଙ୍କା ଦେବାପାଇଁ ରାଜି ହୋଇ ଯିବାରୁ ଟଣିଆ ମନେ ମନେ ଭାବିଲା–ଅଧିକା ଟଙ୍କା କହିଥିଲେ ଭଲ ହୋଇ ଥାଆନ୍ତା । ବୋଧହୁଏ–ମାଲ୍‌ଦାର ପାର୍ଟି ।

 

ମନର କଥା ମନରେ ରଖି ସେମାନଙ୍କୁ ବିଦା କରିଦେଇ ଆସିଲା । କିଛି ସମୟ ପରେ ସେହି ବର୍ଷା ଭିତରେ କିଏ ଦୁଇଜଣ ରିକ୍‌ସାରୁ ଓହ୍ଲାଇ ତା ଘରକୁ ଆସୁଥିବା ଲକ୍ଷ୍ୟ କଲେ । ବର୍ଷା ସତ୍ତ୍ୱେ ଓଦା ସରସର ହୋଇ ମାନିନୀ ଓ ବିକାଶ ତା ଘର ଭିତରକୁ ପଶିଆସିବା ଦେଖି ଟଣିଆ ଆଶ୍ଚର୍ଯ୍ୟ ହୋଇଗଲା । ଓଦା ଚଟାଣ ଉପରେ ବସିବା ପାଇଁ ଜାଗା ନଥିଲା । ପାଖରେ କେବଳ ଗୋଟିଏ ଟୁଲ ଓ ଖଣ୍ଡିଏ ଭଙ୍ଗା ଚୌକୀ । ନିଜକୁ ନିଜେ ଲଜ୍ଜିତ ମନେକରି ଟଣିଆ କହିଲା–ଏମିତି ଅପ୍ରତ୍ୟାଶିତ ଭାବେ ତମେ ଦୁହେଁ ଆମ ଘରକୁ ଆସିବ ବୋଲି ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲା । ମୋ ଘରେ ବସିବା ବହୁତ ଅସୁବିଧା । ବର୍ଷା ହେଲେ ଆହୁରି ଅସୁବିଧା ।

 

କଥାର ଗୁରୁତ୍ୱକୁ ହାଲୁକା କରି ଦେବାପାଇଁ ମାନିନୀ କହିଲା–ଭାଇ, ତମେ କିଛି ବ୍ୟସ୍ତ ହୁଅନାହିଁ । ଆମେ ଆଜି ପାରଦ୍ୱୀପରୁ ଆସିଛୁ । ଆଜି ଚାଲିଯିବୁ । ତମ ପାଖକୁ ଗୋଟିଏ ପ୍ରସ୍ତାବ ନେଇ ଆସିଛୁ ।

 

ପ୍ରସ୍ତାବ କ’ଣ ?

 

ପାରାଦ୍ୱୀପରେ ଆମର ବ୍ୟବସାୟ ଖୁବ୍‌ ଭଲ ଚାଲିଛି । ମୁଁ କଣ୍ଟ୍ରାକ୍ଟରୀ ମଧ୍ୟ କରୁଛି । ତମେ ଯଦି ଆମ ସାଙ୍ଗରେ ଯାଆନ୍ତ ଆମେ ଦୁହେଁ ମିଶି ବ୍ୟବସାୟ କରନ୍ତେ । ମାନିନୀ ମଧ୍ୟ ସେଇୟା ଚାହେଁ–ବିକାଶ କହିଲା ।

 

ଟିକିଏ ରହିଯାଇ ଟଣିଆ କହିଲା–ମୋ ପାଇଁ ତୁମେ ଦୁହେଁ ଏତେ ଚିନ୍ତା କରୁଛ ? ମୋର ମଙ୍ଗଳ କାମନା କରି ଯେ ତୁମେ ଦୁହେଁ ଏଠାକୁ ଆସିଛ ମୁଁ କଳ୍ପନା ସୁଦ୍ଧା କରି ପାରି ନଥିଲେ-। କିନ୍ତୁ ମୁଁ ଯାଇ ପାରିବି ନାହିଁ । ମୁଁ ଆଗେ ନିଜେ ନିଜ ଗୋଡ଼ରେ ଛିଡ଼ା ହୁଏ, ତାପରେ ଯିବି ।

 

ଭାଇ ତମେ ଚାଲ ।

 

ଟଣିଆ ଦେଖିଲା ମାନିନୀ ଆଖିରେ ଅନୁନୟ । ସେ ବୁଝି ପାରୁଥିଲା ମାନିନୀ ଚେଷ୍ଟା କରିଛି ତାକୁ ଏହି ବିଭୀଷିକାମୟ ପରିବେଶ ଭିତରୁ ବାହାରକୁ ନେଇ ଯିବାପାଇଁ । କିନ୍ତୁ କଟକର ଏହି ପରିବେଶରୁ ଚାଲିଗଲେ ତାର ବ୍ୟକ୍ତିତ୍ୱ ଲୋପ ପାଇଯିବ । ସେ ଅନ୍ୟମାନଙ୍କ ପରି ପରାଙ୍ଗପୁଷ୍ଟ ହୋଇଯିବ । ତା’ ଦଳର ଲୋକେ ମଧ୍ୟ ତାକୁ ଘୃଣା କରିବେ । ତା’ ଛଡ଼ା ଯୁଦ୍ଧ କରିବାରେ ଯେଉଁ ଉନ୍ମାଦନା ତାହା ଶାନ୍ତ, ବ୍ୟବସାୟିକ ପରିବେଶ ଭିତରେ ମିଳିବ ନାହିଁ । ତାର ଲଢ଼ୁଆ ମନୋବୃତ୍ତି ଖୋସାମତିଆର ପ୍ରବୃତ୍ତିରେ ପରିଣତ ହୋଇଯିବ । ସେ ମଧ୍ୟ ଅନ୍ୟର ଦୟା ଉପରେ ନିର୍ଭର କରି ଚଳିପାରିବ ନାହିଁ ।

 

ଭାବୁ ଭାବୁ ଟଣିଆ ଅନେଇଲା ବିକାଶ ଓ ମାନିନୀକୁ । କାହିଁକି ସେମାନେ ତା ଉପରେ ଦୟା କରୁଛନ୍ତି । କ’ଣ ବା ସେ କରିଥିଲା ସେମାନଙ୍କପାଇଁ । ଅର୍ଥର ବିନିମୟରେ ଯାହା କାମ କରିଥିଲା । ଆଜି ସେମାନେ ତା ପ୍ରତି ସାହାଯ୍ୟର ହାତ ବଢ଼େଇଛନ୍ତି ନା ତା’ର ବ୍ୟକ୍ତିତ୍ଵକୁ ନ କରି ଦେବାପାଇଁ ବସିଛନ୍ତି ! ତା ମନ ସନ୍ଦିଗ୍‌ଧ ହୋଇ ଉଠିଲା । କିଛି ନକହି ସେମାନଙ୍କୁ ଅନେଇ ରହିଲା ।

 

ମାନିନୀ ଟଣିଆର ମୁଖଭଙ୍ଗିକୁ ଲକ୍ଷ୍ୟ କରୁଥାଏ । କିଛି ସମୟ ପରେ ସେ ପୁଣି କହିଲା–ତମର କିଛି ଅସୁବିଧା ହେବନାହିଁ, ଭାଇ । ତମେ ନିଜେ ସବୁକାମ କରିବ । ଆମେ ତମଠାରୁ ସାହାଯ୍ୟ ନେବୁ । ତମକୁ ଆମେ କିଛି ସାହାଯ୍ୟ କରିବୁନାହିଁ ।

 

ନାଇଁ ମାନିନୀ । ମୁଁ ପାରିବିନି । ମୋର ସାହାଯ୍ୟ ଦରକାର ହେଲେ ମୁଁ ନିଜେ କହିବି । ତମର ଶ୍ରଦ୍ଧା ପ୍ରକୃତରେ ମୋତେ ତମମାନଙ୍କ ପାଖରେ ଋଣୀ କରି ଦେଉଛି, କିନ୍ତୁ ମୁଁ ପାରିବି ନାହିଁ-

 

ବିକାଶ ଓ ମାନିନୀର ଅନୁରୋଧ କିଛି କାମ ଦେଲାନାହିଁ । ଟଣିଆ ଏକପ୍ରକାର ବାଧ୍ୟକରି ସେମାନଙ୍କୁ ବିଦା କରିଦେଲା ।

 

ଗଲାବେଳେ ମାନିନୀ କାନ୍ଦି ପକାଇଲା ଏବଂ କହିଲା–ଭାଇ, ତମେ ମୋତେ ପର ବୋଲି ଭାବୁଛ । ମୁଁ ପରା ତମ ଭଉଣୀଟା । ତମେ ଚିନ୍ତାକର । କିଛି ନହେଲେ ସୁଦ୍ଧା ଯେତେବେଳେ ଦରକାର ହେବ ମୋତେ ଡାକିବ ।

 

ମୋ ଭଉଣୀ ବୋଲି ତ ମୁଁ ମନା କରି ଦେଇଛି । ତୁ କିଛି ଚିନ୍ତା କରନା । ମୁଁ ପାରୀଦ୍ୱୀପ ଯାଇ ତମମାନଙ୍କ ଘରେ ଖାଇପିଇ ଆସିବି ।

 

ରିକ୍‌ସାରେ ଗଲାବେଳେ ମାନିନୀ ବିକାଶକୁ କହିଲା–ସ୍ୱାଭିମାନ ହିଁ ପ୍ରତିବନ୍ଧକ । ନିଜର ବ୍ୟକ୍ତିତ୍ଵକୁ ସେ ଏତେ ଚଞ୍ଚଳ ନଷ୍ଟ କରିଦବ ନାହିଁ । ମୁଁ କଟକରେ ରହିଲି । ଆହୁରି ଚେଷ୍ଟା କରିବି । ତାକୁ ବାଟକୁ ଆଣିବି ।

Unknown

 

ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଟଣିଆ ତା’ ଦଳକୁ ଧରି ଚାଲିଲା ସୁଦୂର ଦୀକ୍ଷି ତପଡ଼ା । ମଫସଲର ମାଟି କାଦୁଅ, ଚାଷବାସର ଅଦ୍ଭୁଦ ଗନ୍ଧ ପୂତିଗନ୍ଧମୟ ସହରୀ ଅନୁଭୂତି ଠାରୁ ଖୁବ୍‌ ଭଲ ଲାଗିଲା । ଦୀକ୍ଷରପଡ଼ା ଲୋକେ ଆଉ କିଛିଦିନ ରହିବ ପାଇଁ କହିବାରୁ ଟଣିଆ ମନା କଲା ନାହିଁ । ସେ ଜାଣିପାରୁ ନ ଥିଲା ଦକ୍ଷିତପଡ଼ାର ଲୋକଗୁଡ଼ିକ ତା’ର ରହିବା ପାଇଁ ଏତେ ଆଗ୍ରହୀ କାହିଁକି ଥିଲେ । ସେମାନେ ଖୁବ୍‌ ଅତିଥି–ପରାୟଣ ଭାବି ଟଣିଆ ସେଠାରେ ପନ୍ଦର ଦିନ ରହିଗଲା । ଦୀକ୍ଷିତପଡ଼ା ଲୋକଙ୍କର ସୁବିଧା ହେଲା–ସବୁ ଜମିବାଡ଼ର ଚାଷବାସ ସୁରୁଖ ଖୁରୁରେ କରି ପାରିଲେ । ଥାନାକୁ ଯିବା ଦରକାର ପଡ଼ିଲା ନାହିଁ, କୋର୍ଟ କଚେରୀରେ ଖର୍ଚ୍ଚାନ୍ତ ହେବା ଆବଶ୍ୟକତା ନ ଥିଲା । ପ୍ରତିପକ୍ଷ ସାମନାକୁ ଆସିବା ପାଇଁ ସାହସ କଲେ ନାହିଁ, କରି ଥାଆନ୍ତେ ବା କେମିତି ? ଟଣିଆ ଦଳର ସାଥୀମାନେ ଛୁରୀଗୁଡ଼ାକ ଧରି ମିଛରେ ଏପଟ ସେପଟେ ହେଉ ଥାଆନ୍ତି । ଛୁରୀରେ ନଡ଼ିଆଗଛ ଗଣ୍ଡିରେ ନାଁ । ସବୁ ଲେଖୁଥାଆନ୍ତି । କିଛି କାମ ନ ଥିଲେ ଦଣ୍ଡ ବୈଠକ ମାରୁଥାଆନ୍ତି । ପାଟିକରି ଗାଁ । କମ୍ପେଇ ଦେଉଥାଆନ୍ତି ।

 

ବିକାଶ ସହ ଟଣିଆ ଘରୁ ଫେରିବା ପରେ ମାନନୀର ମନ ମାନୁ ନଥାଏ । ସବୁବେଳେ ଭାବୁଥାଏ ଟଣିଆ ପରି ଗୋଟାଏ ଭୁଲ୍‌ବାଟରେ ଯାଇଥିବା ଲୋକକୁ କଟକରୁ ନେଇ ଆସିଲେ ସେ ଦେବତା ହୋଇଯିବ । ତା ପାଖରେ ଦେବତାର ଗୁଣ ରହିଛି କିନ୍ତୁ ନିଜେ ଜାଣିପାରୁ ନାହିଁ । କେହି ତାକୁ ତା’ର ଭଲଗୁଣ ସବୁ ଦେଖେଇ ଦେଇ ନାହିଁ । କେହି ତାକୁ ବୁଝେଇ ଦେଇନାହିଁ ଯେ ତା ବ୍ୟକ୍ତିତ୍ଵ କେବଳ ଛୁରୀ ଚାକୁର ବ୍ୟବହାର ଉପରେ ଆଧାରିତ ନୁହେଁ । ଛୁରା, ଚାକୁ, ଗୁଣ୍ଡାମୀ ଛାଡ଼ିଦେଲେ ତାର ନିଜତ୍ୱ ଲୋପ ପାଇବ ନାହିଁ, ବରଂ ତାର ଦେବତ୍ୱ, ତାର ସମ୍ବେଦନଶୀଳ, ଦୟାର୍ଦ୍ର ହୃଦୟ ବିକଶିତ ହେବ । ସେ ଦେବତାର ଆସନ ପାଇବ । ମାନିନୀର ଇଚ୍ଛା ସେ ଚେଷ୍ଟାକରି ଟଣିଆକୁ ବାଟକୁ ଆଣିବ ।

 

ସାତଦିନ ପରେ ଶୁଖିଲା ପାଗ ଦେଖି ମାନିନୀ ପୁଣି ବାହାରିଲା ଟଣିଆ ଘରକୁ । ସନ୍ତସନ୍ତିଆ ଘର ଭିତରେ ଟଣିଆର ମା ଜରରେ କମ୍ପୁଥିଲା । ଟଣିଆର ଖୋଜଖବର ନଥିଲା ସାତଦିନ ଧରି । ତାର ମା’ ଜାଣେ ନାହିଁ ସେ କୁଆଡ଼େ ଯାଇଛି । ମାନିନୀ ଅନୁମାନ କରୁଥିଲେ ସେ କି ପ୍ରକାର କାମରେ ଯାଇଥିବ । ଭଲ କାମରେ ଲାଗିଥିଲେ ସୁନା ଫଳେଇ ପାରନ୍ତା । ପରିବେଶ ଓ କୁସଙ୍ଗ ତାର ପ୍ରତିଭାକୁ ନଷ୍ଟ କରି ଦେଉଛି । ଅବହେଳାରେ ମା’ଟା ରୋଗରେ ସଡ଼ୁଛି ଅଥଚ ଟଣିଆର ଦେଖା ନାହିଁ । ଟଣିଆର ମା ପ୍ରତି ମାନିନୀର ମମତା ଜାଗି ଉଠିଲା । ପୁଅର ହେପାଜତ ବିନା ବୁଢ଼ୀ କେତେ କଷ୍ଟ ପାଉଛି, ରୋଗରେ ସୁଦ୍ଧା ଦେଖିବା ପାଇଁ କେହି ନାହିଁ । ନିଜ ଘରକୁ ନ ଫେରି ମାନିନୀ ଟଣିଆ ଘରେ ରହିଗଲା–ବୁଢ଼ୀର ହେପାଜତ କରିବା ପାଇଁ ।

 

ତାର ଶତ ଚେଷ୍ଟା ସତ୍ତ୍ୱେ ବୁଢ଼ୀର ଦେହ ଭଲ ହେଲା ନାହିଁ । ଡାକ୍ତର ଆଣି ଦେଖେଇଲା । ସବୁପ୍ରକାର ଔଷଧ, ପଥ୍ୟ ବନ୍ଦୋବସ୍ତ କଲା । ତଥାପି କିଛି ହେଲା ନାହିଁ । ସାତଦିନ ପରେ ଟଣିଆର ଅନୁପସ୍ଥିତିରେ ବୁଢ଼ୀ ଆଖି ବୁଜିଲା । ମଲାବେଳେ ଅନେଇ ରହିଥିବା ଆଖିକୁ ଦେଖି ମାନିନୀ ପ୍ରଥମେ ଶଙ୍କିଗଲା, ଭାବିଲା ଶବଟାକୁ ଛାଡ଼ି ନିଜ ଘରକୁ ଚାଲିଯିବ । ପରେ ପରେ ଭାବିଲା–ସେ ଯଦି ମୋର ମା ହୋଇ ଥାଆନ୍ତା ମୁଁ କଣ ଛାଡ଼ି ଦେଇ ଚାଲି ଯାଆନ୍ତି ?

 

ମନରେ ତାର ଅପୂର୍ବ ସାହସ ଆସିଗଲା । ପାଖ ପଡ଼ିଶାର ଲୋକଙ୍କୁ ଡାକି ଶବ ଉଠେଇବା ବନ୍ଦୋବସ୍ତ କରିଦେଲା । ଶବ ପଠେଇଲା ବେଳେ ଭାବୁଥାଏ ଟଣିଆ ଅନ୍ତତଃ ଶେଷରେ ଆସି ମା’ର ଶବକୁ ଦେଖି ଯାଆନ୍ତା କି ? କିନ୍ତୁ ଟଣିଆ ଆସିଲା ନାହିଁ । ମାନିନୀ ଶବ ସଂସ୍କାରର ସବୁ ବନ୍ଦୋବସ୍ତ କଲା–ଏକୁଟିଆ ।

 

ଶବ ସଂସ୍କାରର ପରଦିନ ଟଣିଆ ପହଞ୍ଚିଲା । ମା ମରି ଯାଇଥିବା ଖବର ମାନିନୀ ଠାରୁ ଶୁଣି ପ୍ରଥମେ ତା ଆଖିରେ ଲୁହ ଆସିଗଲା । ପର ମୁହୂର୍ତ୍ତରେ ଦୁଃଖକୁ ଦବେଇ, କୋହକୁ ଚାପିରଖି ଟଣିଆ ଅନେଇଲା ମାନିନୀକୁ I କଣ ବା ସାହାଯ୍ୟ ସେ କରିଥିଲା ସେ ମାନିନୀ ତାର ରୋଗିଣୀ ମା’ର ସେବା କଲା ଶେଷ ମୁହୂର୍ତ୍ତଯାଏ । ସେ ଯାହା କାମ କରିଥିଲା ଟଙ୍କା ପାଇଁ । ଅଥଚ ମାନିନୀ ଆଗେଇ ଆସିଛି ଅକୁଣ୍ଠିତ ଭାବେ–ତାକୁ ସାହାଯ୍ୟ କରିବା ପାଇଁ । ତା’ର କ’ଣ ବା ସ୍ଵାର୍ଥ ଥାଇପାରେ ? କି ପ୍ରକାରର ପ୍ରତିଦାନ ସେ ଆଶା କରୁଥିବ ! ଟଣିଆ ମଣିଷ ମନର କୁହେଳିକା ଭିତରେ ପଶି ପାଇଲା ନାହିଁ । ସେ ମାନିନୀକୁ ଧନ୍ୟବାଦ ଦେଇ ପାରିଲା ନାହିଁ । ତାର ମନେ ହେଲା । ନିଜ ଭଊଣୀ ମା ପାଇଁ କାମ କରିଛି । ଧନ୍ୟବାଦ ଦେଲେ ସେ ପର ହୋଇଯିବ । ଆପଣାର ହୋଇ ରହିବ ନାହିଁ । ଚାପି ହୋଇ ରହିଥିବା କୋହ ଲୁହ ହୋଇ ବାହାରି ଆସିଲା ତାର ଦୁଇ ଆଖିରୁ–ମା ପାଇଁ ନୁହେଁ–ନିଜ ଭଉଣୀର ଅନାବିଳ ସ୍ନେହ ଯୋଗୁଁ ।

 

ଭୂତ ଦେଖିଲେ ମଣିଷ ଯେମିତି ଚମକି ଉଠେ ଶୋଭକୁ ଦେଖି ଟଣିଆ ସେମିତି ଚମକି ଶେଯରୁ ଉଠି ପଡ଼ିଲା !

 

ଏତେ ରାତିରେ କୁଆଡ଼େ ?

 

ଶୋଭାର ମୁହଁ କଠୋର ଦେଖା ଯାଉଥିଲା । ଆଖିରୁ ନିଆଁ ବାହାରୁଥିଲା ପରି ମନେ ହେଲା । ତାର ଚାଲି ଚଳନ, ଦୀର୍ଘ ଶ୍ଵାସରୁ ମନେ ହେଉଥିଲା । ସେ ଏକ ଆହତ ଫଣିନୀ । ଟଣିଆର ମନେ ହେଲା ଶୋଭା ତା ପ୍ରଶ୍ନ ଶୁଣି ପାରିନାହିଁ ।

 

ଅତି ଦୃଢ଼ କଣ୍ଠରେ ଶୋଭା କହିଲା–ତୁମେ ମୋତେ ବିବାହ କର । ସେହି ପ୍ରସ୍ତାବ ନେଇ ଆସିଛି ।

 

ଆହୁରି ଚମକି ପଡ଼ିଲା ଟଣିଆ । ସେ କେବେ ଭାବିପାରି ନଥିଲା ଶୋଭା ଏମିତି ଏକ ପ୍ରସ୍ତାବ ବାଢ଼ିବ । ଅବଶ୍ୟ ଏ ଭିତରେ ସେ ବହୁଥର ଶୋଭାର ସାନ୍ନିଧ୍ୟ ପାଇଛି । ନିଜର ଭୁଲ ପାଇଁ କ୍ଷମା ମାଗି ନେଇଛି, ତାକୁ ଅନ୍ୟମାନଙ୍କର ବୁଭୁକ୍ଷ୍‌ଆଖିରୁ ବଞ୍ଚେଇବା ପାଇଁ ଚେଷ୍ଟା କରିଛି । କିନ୍ତୁ ଶୋଭା ଯେ ନିଜ ଆଡ଼କୁ ଅକୃଷ୍ଟ ହୋଇଛି ତାହା । ସେ ଜାଣିପାରି ନଥିଲା । ଟଣିଆ କହିଲା–ଏ ପ୍ରସ୍ତାବ କାହିଁକି ?

 

ମୁଁ ଆଉ ରାସ୍ତା ଘାଟରେ ଚାଲିପାରୁ ନାହିଁ । ଲୋକେ ଟାହିଟାପରା କରୁଛନ୍ତି । ହ୍ରିଂସ, ଲୋଲୁପ ଆଖି ସବୁ ମୋତେ ଅତିଷ୍ଠ କରି ପକେଇଲେଣି । ତମେହିଁ ମୋତେ ରକ୍ଷା କରି ପାରିବ । ସେଇଥିପାଇଁ ମୁଁ ତମକୁ ବିବାହ କରିବାକୁ ଚାହେଁ ।

 

କିନ୍ତୁ, ମୋତେ ସେ ତମେ ଘୃଣା କର । ଏ ବିବାହରେ ସୁଖୀ ହୋଇ ପାରିବି ନାହିଁ । ତା’ଛଡ଼ା ମୋ ଧନ୍ଦା ବିଷୟ ତମେ ଜାଣିଛି ।

 

ମୁଁ ଆଗେ ଘୃଣା କରୁଥିଲେ । ଏବେ ଭାବୁଛି ଏହି ସାହିରେ ତମେହିଁ ଜଣେ ମଣିଷ । ଅନ୍ୟମାନେ ପଶୁ । ମୁଁ ମଧ୍ୟ ତମ ପ୍ରତି ଆକୃଷ୍ଟ । କୁହ ତମେ ବିବାହ କରିବ କି ନାହିଁ ?

 

ଟଣିଆକୁ ନିରୁତ୍ତର ଦେଖି ଶୋଭା ପୁଣି କହିଲା–କୁହ ।

 

ନିଶ୍ଚୟ ବିବାହ କରିବି । କିନ୍ତୁ ବାଜା ବଜାଇ, ମନ୍ତ୍ରପଢ଼ି ମୁଁ ବିବାହ କରି ପାରିବି ନାହିଁ ବା କୋର୍ଟକୁ ଯାଇ ରେଜିଷ୍ଟ୍ରି ବିବାହ କରି ପାରିବି ନାହିଁ । ମୋ ବିରୁଦ୍ଧରେ ଗିରଫ ପରୱାନା ବୁଲୁଛି । ମୋତେ ପାଇଲେ ପୁଲିସ ଧରିନେବେ । ତେଣୁ ଆମକୁ ଲୁଚି ଲୁଚି ବିବାହ କରିବାକୁ ହେବ । ଚଣ୍ଡୀ ମନ୍ଦିରରେ ଫୁଲମାଳ ଦେଇ ବାହା ହେବା । ମୋର କେହି ନାହିଁ–ମୁଁ ଏକୁଟିଆ । ତମେ ଏଥିରେ ରାଜି ତ ? –ଏକା ନିଶ୍ୱାସରେ କହିଗଲା ଟଣିଆ ।

 

ମୁଁ ସେଥିରେ ଏକମତ–କହି ଶୋଭା ନଇଁପଡ଼ି ଟଣିଆର ପାଦ ଛୁଇଁଲା । ଟଣିଆ ଶୋଭାକୁ ନିଜ ଛାତି ଉପରକୁ ଆଉଜେଇ ନେଲା । ସେ ପ୍ରଥମ ଥର ପାଇଁ ଅନୁଭବ କଲେ ଗୋଟିଏ ନୂଆ ଅନୁଭୂତି । ଆଗରୁ କେବେ କୌଣସି ସ୍ତ୍ରୀ ଲୋକକୁ ନିଜ ଛାତି ଉପରେ ଆଉଜେଇ ନେବା ଚେଷ୍ଟା କରି ନଥିଲା ବା ଇଚ୍ଛା ନଥିଲା । ଏବେ ଏମିତି ଗୋଟିଏ ଅପ୍ରତ୍ୟାଶିତ ମୁହୂର୍ତ୍ତରେ ଶୋଭାର ପ୍ରସ୍ତା ବ ତାକୁ ଅଶେଷ ଆନନ୍ଦ ଦେଇ ଥିଲା ଏବଂ ଆନନ୍ଦ ବିହୁଳ ହୋଇ ସେ ଶୋଭାକୁ ନିଜ ପାଖକୁ ଟାଣି ନେଇ ଥିଲେ । ସେହି ଆନନ୍ଦ ତା ଦେହରେ ବେପଥୁ ଜଗେଇ ଦେଇଥିଲା । ଶୋଭାକୁ ନିଜ ଛାତି ଉପରେ ଧରି ତାର ଚିବୁକ ଉଠେଇ ନିଜ ଓଠରେ ଲଗେଇ ଦେଲା । ଶୋଭା ଆଖି ବନ୍ଦକରି ଦେଇଥାଏ । ସେ ମଧ୍ୟ ନିଜକୁ ସମର୍ପଣ କରି ସାରିଥିଲା–ଟଣିଆ ପାଖରେ ।

 

କେତେ ସମୟ ପରେ ଟଣିଆ ପ୍ରକୃତିସ୍ଥ ହୋଇ କହିଲା–ଆସନ୍ତା ଗୁରୁବାର ଦିନ ଆମେ ଚଣ୍ଡୀ ମନ୍ଦିରରେ ବିବାହ କରିବା । କିନ୍ତୁ ତମ ଭାଇ ସେଠାରେ ରହିବା ଆବଶ୍ୟକ ।

 

ମୁଁ ଭାଇଙ୍କୁ ନେଇକରି ଯିବି ।

 

ଶୋଭା ହାତଧରି ଟଣିଆ ବାହାରକୁ ଆସିଲା । ଚାରିପଟେ ଅନେଇ ରାସ୍ତା ଉପରକୁ ବାହାରିଲା । ତାର ଇଛା ହେଉଥାଏ ଶୋଭାର ହାତଧରି ରାସ୍ତାରେ ଚାଲିବ । ମୁହଁକୁ ମୁହଁ ଲଗେଇ ଗପିବ । କିନ୍ତୁ ହାତଧରି ଚାଲି ପାରିଲା ନାହିଁ । ଖୁସି ଗପ କରି ପାରିଲା ନାହିଁ । ଚୁପ୍‌ଚାପ ଶୋଭାକୁ ନେଇ ତା ଘରେ ଛାଡ଼ିଦେଇ ଆସିଲା ! ନୂଆ ଅନୁଭୂତ ତାକୁ ହାଲୁକା କରି ଦେଇଥାଏ । ସେହି ଅନୁଭୂତିକୁ ତର୍ଜମା କରିବା ପାଇଁ ଏବଂ ନୂଆ ନୂଆ କଳ୍ପନା କରିବା ପାଇଁ ସେ ସାଇକେଲ ଧରି ବାହାରି ପଡ଼ିଲେ । ତାର କୌଣସି ନିର୍ଦ୍ଦିଷ୍ଟ ଜାଗାକୁ ଯିବାର ନଥିଲା । ନୂଆ ଘର ପାଇଁ କଳ୍ପନା କରିବି ଖୋଲା ରାସ୍ତାରେ, ନିର୍ଜନ ପଡ଼ିଆରେ–ଘରର ରୁଦ୍ଧ ପରିବେଶ ସୁନେଲୀ କଳ୍ପନାର ପରିପନ୍ଥୀ । ବହୁତ ସମୟ ବୁଲିବୁଲି କରି ଘରକୁ ଆସି ଶାନ୍ତଭାବରେ ଶୋଇ ପଡ଼ିଲା ।

 

ସକାଳୁ ଉଠିଲା ବେଳେ ବହୁତ ଡେରି ହୋଇ ଯାଇଥାଏ । ରାତିରେ ଅନୁଭୂତିର ନିଶା ତା ମୁହଁରେ ଆହୁରି ଭରି ରହିଥାଏ । ନୂଆ ଘର କରିବ, ନୂଆ ଜୀବନ ଆରମ୍ଭ କରିବ ଏଇଆ ଭାବି ଭାବି ସେ ଉତ୍‌ଫୁଲ୍ଲ ହୋଇ ଉଠୁଥାଏ । ତାର ମନେ ପଡ଼ିଲା ତା ପାଖରେ ବେଶି କିଛି ଟଙ୍କା ପଇସା ନାହିଁ । ବିବାହ ପାଇଁ କିଛି ଲୁଗାପଟା, ଅତି କମ୍‌ରେ ଗୋଟାଏ ମୁଦି, ଘର ପାଇଁ ଶେଯ, ଅନ୍ୟାନ୍ୟ ଆସଭାବ ଦରକାର । ମା’ ମଲା ପରେ ଘର ପ୍ରତି କେବେ ନଜର ଦେଇ ନାହିଁ । ସିମେଣ୍ଟ ଚଟାଣ ଠାଏ ଠାଏ ଭାଙ୍ଗି ଯାଇଛି । ପାଇଖାନା ଘର ପରିତ୍ୟକ୍ତ । ସେ ସିନା ଚଳି ଯାଉଥିଲା, ବର୍ଷାଦିନେ ସନ୍ତସନ୍ତିଆ ଭୂଇଁରେ ଶୋଭା ଚାଲିବ କେମିତି ? ଚଳିବ କେମିତି ? ଘର ସଜାଡ଼ିବା ପାଇଁ ଅତି କମ୍‌ରେ ଦୁଇ ହଜାର ଟଙ୍କା ଆବଶ୍ୟକ । ଟଣିଆ ସଙ୍ଗେ ସଙ୍ଗେ ବାହାରିଲା କଣା ମାରୁଆଡ଼ି ପାଖକୁ ! ସେ ଘରେ ନ ଥିଲା । ସେଠାରୁ ତରତର ହୋଇ ଗୋପାଳ ବାବୁଙ୍କ ଘରକୁ ଗଲା ।

ସେ ଡାକି ନଥିଲେ ସୁଦ୍ଧା ଟଣିଆ ତାଙ୍କ ପାଖକୁ ଆସିଥିବା ଦେଖି ଗୋପଳ ବାବୁ ମତଲବ ଅନୁମାନ କରିନେଲେ । ମଣିଷ ଚିହ୍ନିବାରେ ସେ ଓସ୍ତାଦ । ରାଜନୀତିର ହଟଚମଟ ଭିତରେ ସେ ଅନେକ ପ୍ରକାରର ଲୋକଙ୍କୁ ଦେଖିଛନ୍ତି, ପରଖିଛନ୍ତି, ଭୂତେଇ ଦେଇଛନ୍ତି ।

କାର୍ଯ୍ୟ ବ୍ୟସ୍ତତାର ଛଳନା କରି ଘରୁ ଚାଲିଯିବା ପାଇଁ ବାହାରିଲା ବେଳେ ଟଣିଆ ଗୋପାଳ ବାବୁଙ୍କୁ ଦୁଇ ହଜାର ଟଙ୍କା ମାଗିଲା ।

କିଛି କାମ ନଥାଇ ଏତେଗୁଡ଼ାଏ ଟଙ୍କା ଦେବାପାଇଁ ଗୋପାଳବାବୁ ନାରାଜ । ଶେଷରେ ଅତି କଷ୍ଟରେ ସେ ପାଞ୍ଚଶହ ଟଙ୍କା ଦେଲେ । ନିଜ ଅଞ୍ଚଳର ବିଭିନ୍ନ ଦୋକାନରୁ ଟଣିଆ କିଛି କିଛି ଟଙ୍କା ଜବରଦସ୍ତ ଆଦାୟ କଲା । ତଥାପି ସେ ଦୁଇ ହଜାର ଯୋଗାଡ଼ କରି ପାରିଲା ନାହିଁ । ମନେ ମନେ ନିଜ ଉପରେ ରାଗ ଆସିଗଲା । ଦରକାର ବେଳେ ସେ ଦୁଇ ହଜାର ଟଙ୍କା ଯୋଗାଡ଼ କରିପାରୁ ନାହିଁ–ତାର କ’ଣ ଆଉ ସାମର୍ଥ୍ୟ ? ଏତେ ଲୋକଙ୍କୁ ବିପଦ ବେଳେ ସାହାଯ୍ୟ କରିଛି ଅଥଚ ତାର ଦରକାର ବେଳେ କେହି ସାହାଯ୍ୟର ହାତ ବଢ଼ାଉ ନାହିଁ !

ବିରକ୍ତ ହୋଇ, ଅନ୍ୟମନସ୍କ ଭାବେ ଚାଲି ଚାଲି ଆସୁଥିଲା ବେଳେ କେଶରପୁର କବରସ୍ଥାନ ପାଖରେ ହଠାତ୍‌ ସେ ଲକ୍ଷ୍ୟ କଲା ଦୁଇଜଣ ତା’ଆଡ଼କୁ ମାଡ଼ିଆସୁଛନ୍ତି । ସେମାନଙ୍କ ଭିତରୁ ଜଣେ ସାଇକେଲ ଚେନ୍‌ଟିଏ ପକେଟରୁ ବାହାର କରି ତାକୁ ଆକ୍ରମଣ କଲାବେଳେ ସେ ତଳେ ଗଡ଼ିଯାଇ ନିଜକୁ ବଞ୍ଚେଇ ନେଲା । ସାଇକେଲ ଚେନ୍‌ଲକ୍ଷ୍ୟ ସ୍ଥଳରେ ନ ବାଜିବା ଫଳରେ ଆକ୍ରମଣ କରୁଥିବା ଲୋକ ଭାରସାମ୍ୟ ହରେଇ ଭୂଇଁ ଉପରେ ଝୁଙ୍କି ପଡ଼ିଲା । ଟଣିଆ ଝଟ୍‌କରି ଉଠିଯାଇ ଦେଖିଲା ମକୁ ଗ୍ୟାଙ୍ଗର ଲମ୍ବୁ ଓ ଟିସୁ । ଗେଡ଼ ପାଖରେ ରଖିଥିବା ଲମ୍ବା ଛୁରୀଟା ବାହାର କରି ପ୍ରତିଆକ୍ରମଣ କଲା ଝୁଙ୍କି ପଡ଼ିଥିବା ଲମ୍ବୁକୁ ।

ଆକ୍ରମଣ ପ୍ରତିଆକ୍ରମଣରେ ଦେହ ଓ ମନର ସମନ୍ୱୟ ଆବଶ୍ୟକ । ବିପଦ କେତେବେଳେ ଆସିବ, ତାକୁ କେମିତି ପ୍ରତିରୋଧ କରାଯିବ, ଆକ୍ରମଣ କରାଯିବ କି ନାହିଁ, ପଛଘୁଞ୍ଚା କେତେବେଳେ ଦେବାକୁ ହେବ, ଚିତ୍କାର କରିବା ଦରକାର କି ନାହିଁ, ହାତର ଅସ୍ତ୍ର ଢାଲର କାମ କରି ପାରିବ କି ନାହିଁ, ଏ ସବୁ ନ ଜାଣିଲେ ଗ୍ୟାଙ୍ଗଯୁଦ୍ଧରେ ତିଷ୍ଠିବା କଷ୍ଟକର ।

ଝୁଙ୍କି ପଡ଼ିଥିବା ଲମ୍ବୁ ପୁଣି ନିଜକୁ ସିଧାକରି ନୂତନ ଆକ୍ରମଣ ପାଇଁ ପ୍ରସ୍ତୁତ ହେଲାବେଳେ ଛୁରୀ ତା ତଳପେଟରେ ଗଳିଗଲା । ସେ ଜାଣିବା ପୂର୍ବରୁ ଛୁରୀ ବିଜୁଳି ବେଗରେ ଆସି ଯାଇଥିଲା । ସେ ବେଶି ତତ୍ପର ଏବଂ ପ୍ରତ୍ୟୁତ୍ପନ୍ନମତି ସେ ହିଁ ଜିତାପଟ ନିଏ, ଏହି କ୍ଷେତ୍ରରେ ତାହା ହିଁ ହୋଇଥିଲା । ତତ୍ପର ଟଣିଆ ତଡ଼ିତବେଗରେ ରକ୍ତଲଗା ଛୁରୀକୁ ପେଟ ଭିତରୁ ବାହାର କରିନେଇ, ପଡ଼ି ଯାଇଥିବା ଲମ୍ବୁ ପ୍ରତି ନଜର ନଦେଇ, ଟିସୁର ଆକ୍ରମଣକୁ ମୁକାବିଲା କରିବା ପାଇଁ ଦେହକୁ ଇଷତ୍‌ ନୁଆଇଁ କୁଦି ପଡ଼ିବା ଭଙ୍ଗୀ କରି ଛିଡ଼ା ହୋଇଗଲା ।

ବିକଟ ଚିତ୍କାର କରି, ରକ୍ତର ବନ୍ୟା ଭିତରେ ମାଟିକୁ ଆଶ୍ରା କରି ନେଇଥିବା ଲମ୍ବୁ ପ୍ରତି କାହାର ନିଘା ନାହିଁ–ସେ ଯେମିତିକି ଦୁର୍ଘଟଣାଗ୍ରସ୍ତ ଗୋଟାଏ ବୁଲା କୁକୁର । ବାଟରେ ଯାଉଥିବା ଲୋକ ବାଟ କାଟି ଅନ୍ୟ ରାସ୍ତାରେ ଦୌଡ଼ି ପଳେଇଲେ । ମୁହୂର୍ତ୍ତକ ପୂର୍ବରୁ ଛୁରୀ ବାହାର କରି ବୀରଦର୍ପରେ ଯୁଦ୍ଧର ଆବାହନୀ ଗାଉଥିବା ଟିସୁର ସାହସ ପବନରେ ମିଳେଇଗଲା । ଗୋଟିଏ ସଂକଳ୍ପ, ଗୋଟିଏ ଲକ୍ଷ୍ୟ ରଖି ଆସି ଥିବା ଅନ୍ୟ ସାଥୀ ପ୍ରତି ନଜର ନ ଦେଇ ସେ ଅଣନିଶ୍ଵାସୀ ହୋଇ ଦୌଡ଼ିବାରେ ଲାଗିଲା । ଧାରୁଆ ଛୁରୀକୁ ଦୁଇ ହାତରେ ଚାପି ରଖିଥାଏ, କାଳେ ଛୁରୀର ଫଳକ ଟଣିଆକୁ ଟାଣି ଆଣିବ ତା ପାଖକୁ ।

 

ପରିତ୍ୟକ୍ତ, କ୍ଷତ ବିକ୍ଷତ ଲମ୍ୱୁ ତଳେ ପଡ଼ି ଛଟଛଟ ହେଉଥାଏ । ତା’ପାଇଁ କାହାର ଦରଦ ନାହିଁ, ସାହାଯ୍ୟ ନାହିଁ–ସେ ବିଜିତ ।

 

ଟଣିଆର ଯୁଦ୍ଧ କରିବା ଇଚ୍ଛା ନଥାଏ । ସେ ଟିସୁ ପଛରେ ଗୋଡ଼େଇଲା ନାହିଁ ବା ଛୁରୀ ଫୋପାଡ଼ିଲା ନାହିଁ । ତଳେ ପଡ଼ିଥିବା ଲମ୍ବୁକୁ ଅଳ୍ପ ସମୟ ଅନେଇ ସେ ନିଜ ଘରକୁ ଦୌଡ଼ିଲା ।

 

ଘରେ ରକ୍ତଲଗା ଛୁରୀକୁ ସଫାକରି, ହାତ ଗୋଡ଼ ଧୁଆଧୋଇ କରି ଶେଯ ଉପରେ ମୁହଁ ମାଡ଼ି ପଡ଼ି ରହିଲା । ...ମୁହଁମାଡ଼ି ସେ ଭାବୁଥାଏ କାହିଁକି ଲମ୍ବୁ ପେଟରେ ଛୁରୀ ଭୂଷିଲା ? ଛୁରୀ ନମାରି ଦୌଡ଼ି ଚାଲିଗଲା ନାହିଁ କାହିଁକି ? ଭାବୁ ଭାବୁ ତାକୁ ନିଦ ଆସିଗଲା ।

 

ବାହାରକୁ କୁଆଡ଼େ ନଯାଇ ଟଣିଆ ତା ଘର ସଜାଡ଼ିବାରେ ଲାଗିଲା । ତା ଘରେ ନା ଖଟ ଥିଲା ନା ଶେଯ । ଖାଇବା ପିଇବା ପାଇଁ ଭଲ ବାସନ କୁଶନ ମଧ୍ୟ ନଥିଲା । ବହୁ ଦିନରେ ଥରେ ସେ ଘର ଓଳିଆ ହୁଏ । ଏବେ ଲାଗିପଡ଼ି ଘର ସଫା କଲା । ଘରର ଫାଟ, ଗଡ଼ ମରାମତି କଲା । ନୂଆ ଖଟ କିଣିଆଣି ପକେଇଲା । ତାର ଅନୁଭୂତି ବିହୀନ ମନକୁ ଯାହା ପାଇଲା ସେହି ଜିନିଷ ଆଣି ଘର ସଜେଇବାରେ ଲାଗି ପଡ଼ିଲା । ବାହାଘର ମୋଟେ ଦୁଇଦିନ ଥାଏ । ସେ ଭିତରେ ସେ ଯାହା କିଛି ଯୋଗାଡ଼ କରିଥାଏ । ଯୋଗଡ଼ଯନ୍ତ୍ର ଭିତରେ ତା ପ୍ରଜାପତି ପରି ନୀଳ ଆକାଶରେ ଉଡ଼ିଥାଏ । ନୂଆ ଘର, ସମ୍ପୂର୍ଣ୍ଣ ନୂତନ ସାଥୀର ସ୍ପର୍ଶ, ବ୍ୟବହାର ବିଷୟରେ ଭାବି ଭାବି ସେ କୁରୁଳି ଉଠେ ।

 

ଗୁରୁବାର ସନ୍ଧ୍ୟାବେଳେ ଟଣିଆ ନୂଆ ପ୍ୟାଣ୍ଟ, ସାର୍ଟ ପିନ୍ଧି ଓ ଦୁଇଟା ଫୁଲମାଳ ନେଇ ଚଣ୍ଡୀ ମନ୍ଦିର ସାମନାରେ ଛିଡ଼ା ହୋଇଥାଏ । ସେ ଦିନ ବହୁତ ଲୋକ ଗହଳି । ରାସ୍ତା ଉପରେ ଚାଲି ଯାଉଥିବା ଲୋକମାନେ ଚଣ୍ଡୀଙ୍କ ଉଦ୍ଦେଶ୍ୟରେ ହାତ ଟେକି ଦେଉ ଥାଆନ୍ତି । କିଏ କିଏ ମୁଖ୍ୟ ଦୁଆର ପାଖକୁ ଆସି ମୁଣ୍ଡିଆଟିଏ ମାରି ଚାଲି ଯାଉ ଥାଆନ୍ତି । କିଏ କିଏ ଭିତରକୁ ଯାଇ ଦେବୀଙ୍କ ଦର୍ଶନ କରି ଫେରୁ ଥାଆନ୍ତି । କେତେଟା ଲଫଙ୍ଗା, ବାଳୁଙ୍ଗା ଟୋକା ମୁଖ୍ୟ ଦ୍ୱାର ପାଖରେ ସାଇକେଲ ଡେରି ଆଡ୍‌ଡ଼ା ଜମେଇ ଥାଆନ୍ତି । ଦେବ ଦର୍ଶନ ତାଙ୍କର ଉଦ୍ଦେଶ୍ୟ ନୁହେଁ । ଜୀବନ୍ତ ଦେବୀମାନଙ୍କର ଯାତାୟତ ବେଳେ ସେମାନଙ୍କ ପ୍ରତି ଟିପ୍‌ପଣୀ କରିବା, ଜନଗହଳି ଭିତରେ ପାଖକୁ ଲାଗିଯିବା ଓ ସୁବିଧା ଦେଖି ଛାତି ଉପରେ ହାତ ପକେଇଦେବା ସେମାନଙ୍କ ଉଦ୍ଦେଶ୍ୟ । ପଥରର ଦେବୀ ଅପେକ୍ଷା, ରକ୍ତ ମାଂସର ଦେବୀଙ୍କ ପ୍ରତି ସେମାନେ ବେଶୀ ଆକୃଷ୍ଟ । ଟଣିଆର ଦେବଦେବୀ ଉପରେ କେବେ ବିଶ୍ୱାସ ନ ଥିଲା । ସେ ଆଗରୁ ଚଣ୍ଡୀ ମନ୍ଦିର ଆସିଥିଲା ଅନ୍ୟ କାମରେ । ସେତେବେଳେ ମନ୍ଦିରର ପ୍ରଣାଳୀ, ଲୋକଙ୍କର ହାବଭାବ ପ୍ରତି ନଜର ନଥିଲା । ଭକ୍ତର ଆବେଗ ପ୍ରତି ଧ୍ୟାନ ନଥିଲା । ସେତେବେଳେ ସେ କେବଳ ଦେଖୁଥିଲା । ପ୍ରତିପକ୍ଷ ତାକୁ ଆକ୍ରମଣ କରୁଛି କି ନାହିଁ । ଚଣ୍ଡୀ ମନ୍ଦିର କଡ଼ ରାସ୍ତା ଦେଇ କେହି ଲୁଚିଛପି ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି କି ନାହିଁ । ଦୁଇବର୍ଷ ତଳର କଥା ମନେପଡ଼ିଗଲା ଟଣିଆର । କଣା ମାରୁଆଡ଼ି ଆଠଟା ଗୁମ୍‌ଟି ତିଆରି କରିଥାଏ–ଚଣ୍ଡୀ ମନ୍ଦିର ପାଖ ସର୍ବସାଧାରଣ ରାସ୍ତାରେ ପକେଇବା ପାଇଁ । ମୁନିସିପାଲିଟି ଲୋକଙ୍କୁ ଟଙ୍କା ପଇସା ଦିଆ ସରିଥାଏ । ସ୍ଥାନୀୟ ଲୋକମାନେ ଯାହା ଅସୁବିଧା କରୁଥାଆନ୍ତି । ଗୁମୁଟି ପକେଇବା ପାଇଁ ସୁବିଧା ଦେଉ ନ ଥାନ୍ତି । ପ୍ରତିବାଦ କରୁଥାଆନ୍ତି । କେହି ଲୋକ ଭରସି କରି ଗୁମ୍‌ଟି ଭଡ଼ାରେ ନେବାପାଇଁ ଆସୁ ନ ଥାନ୍ତି । ଟଣିଆ ଭଡ଼ା ନେବା ଲୋକ ଯୋଗାଡ଼ କରିଦେଇଥିଲା । ନିଜେ ଦଶଦିନ ଗୁମୁଟି ସବୁ ଜଗି ରହିଥିଲା–ମା କୁକୁଡ଼ା ଚିଆଁ କୁକୁଡ଼ା ଛୁଆମାନଙ୍କୁ ଜଗି ରହିଲା ପରି ନିଜ ଡେଣା ତଳେ ସମସ୍ତଙ୍କୁ ଆଶ୍ରୟ ଦେଇଥିଲା । ଆଜି ମଧ୍ୟ ସେମାନଙ୍କ ଭିତରୁ କେତେଜଣ ଗୁମୁଟିରେ ବ୍ୟବସାୟ କରୁଛନ୍ତି । ଜଣେ ଦିଜଣ ତାକୁ ଦେଖି ନ ଚିହ୍ନିଲାପରି ମୁହଁ ବୁଲେଇ ଦେଉଥାଆନ୍ତି । ସେଥିପାଇଁ ତାର ଦୁଃଖ ନ ଥାଏ । ଏ ରାଜ୍ୟ ତାର ହୋଇ ରହିନାହିଁ । ମକୁ ଏ ରାଜ୍ୟକୁ ଅଧିକାର କରିନେଇଛି । ଏମାନେ ବର୍ତ୍ତମାନ ମକୁର ଆଶ୍ରିତ । ସେମାନଙ୍କୁ ଦୋଷ ଦେଇ ଲାଭ ନାହିଁ । ଯାହା ପାଖରୁ ଅଭୟ ପାଇବେ, ମାଡ଼ ଫୌଜଦାରୀ ବେଳେ ଯିଏ ଛିଡ଼ା ହେବ, ଦରକାର ପଡ଼ିଲେ ଉପରେ କୁହାବୋଲା କରି ଗୁମୁଟି ନ ଉଠିବା ବନ୍ଦୋବସ୍ତ କରିବ ତାପାଖକୁ ନ ଯାଇ ପୁରୁଣା ବନ୍ଧୁତା, ପୁରୁଣା ସାହାଯ୍ୟ ଉପରେ କ’ଣ ବଞ୍ଚିହୁଏ-? ଏ ଦୁନିଆ ସବଳର । ଏ ଦୁନିଆର କେହି କାହାର ନୁହନ୍ତି । ଏ ଦୁନିଆ ସ୍ୱାର୍ଥପର । ସ୍ୱାର୍ଥକୁ ନ ଜଗି ପରମାର୍ଥର ଅଶ୍ରୟ ନେଲେ ପିଠିରେ ଛୁରା ଗଳିଯିବ, ଗୁମୁଟିଟା ଓଲଟିଯିବ ।

 

ବହୁତ ସମୟ ଅପେକ୍ଷା କରି ଗୁଡ଼ାଏ ଚିନ୍ତା କରୁଥିଲା ଟଣିଆ । ଶୋଭାର ଦେଖା ନ ଥାଏ । ରାସ୍ତାଟା ଉପରେ ଅପେକ୍ଷା କରିବା ବିପଦ ମନେକରି ଗୋଡ଼ ଉପରେ ବନ୍ଧା ଯାଇଥିବା ଛୁରା ଉପରେ ହାତ ମାରି ଆଣିଲା । ଧୀର ପଦକ୍ଷେପରେ ସୂତାହାଟ ପଟେ ଥିବା ପାନ ଦୋକାନ ନିକଟକୁ ଗଲା । ପାନ ଦୋକାନୀକୁ ସେ ବହୁତ ସାହାଯ୍ୟ କରିଛି । ପାନ ଦୋକାନୀ ତାକୁ ଦେଖି କିଛି କଥାବାର୍ତ୍ତା ନ କରି ପାଖ ବେଞ୍ଚ ଉପରେ ବସିବା ପଇଁ ଇସାରା ଦେଲେ । କଥା କହିଲେ କାଳେ ମକୁ ଦଳର କିଏ ଦେଖିଦେବ ପରେ ତାକୁ ଅସୁବିଧାରେ ପକେଇବ–ଏହା ଭାବି ପାନ ଦୋକାନୀ କିଛି ନ କହି ଗୋଟିଏ ସିଗାରେଟ୍‌ ବଢ଼େଇ ଦେଲା ।

 

ସିଗାରେଟ୍‌ରେ ନିଆଁ ଧରେଇ ଟଣିଆ ପୁଣି ଚିନ୍ତାମଗ୍ନ ହେଲା । କଣା ମାରୁଆଡ଼ିଠାରୁ ଟଙ୍କା ନେଇ ସେ ଜିଦ୍‌ ଲଗେଇଥିଲା ସବୁ ଗୁମୁଟି, ଉଠା ଦୋକାନ ଚଣ୍ଡୀଛକ ପାଖରୁ ଉଠିବ । ଚଣ୍ଡୀଛକ ସୁନ୍ଦର ଦେଖାଯିବ । ସରକାରଙ୍କ ତରଫରୁ ଛୋଟ ଛୋଟ ସୁନ୍ଦର ଦୋକାନ ଘର ତିଆର ହେବ । ତା’ କଥା ରକ୍ଷାକରି ସବୁ ଦୋକାନ ଦିନକ ଭିତରେ ଉଠେଇ ଦିଆଗଲା । ଛୋଟ ଦୋକାନୀମାନଙ୍କର କାକୁତି ମିନତୀ କେହି ଶୁଣିଲେ ନାହିଁ । ଅନ୍ୟ ବିକଳ୍ପ ବ୍ୟବସ୍ଥା କିଛି କରିଦେଲେ ନାହିଁ । ଅଥଚ ଦୁଇମାସ ପରେ ତା ସାହାଯ୍ୟରେ କଣା ଗୁମୁଟି ପକେଇଲା, ନୂଆ ଲୋକ ବ୍ୟବସାୟ ଆରମ୍ଭ କଲେ । ପୁରୁଣା ବ୍ୟବସାୟୀଙ୍କ ଭିତରୁ ଜଣେ ଅଧେ ତାକୁ ପଇସା ଦେଇ କଣାଠାରୁ ଗୁମୁଟି ଭଡ଼ା ନେଇଥିଲେ । ଅନ୍ୟମାନେ କିଏ କୁଆଡ଼େ ଚାଲିଗଲେ ।

 

ଦୁଇ ତିନୋଟି ସିଗାରେଟ ଟାଣିସାରି ଟଣିଆ ଦେଖିଲା ଶୋଭା ଆସୁନାହିଁ । ରାତି ଅନେକ ହୋଇ ଆସିଲାଣି–ତା ମନରେ ଆଶଙ୍କା ହେଲା । ଶୋଭା ତାକୁ ଠକି ଦେଇଛି କି ? ପ୍ରତିଶୋଧ ନେବାପାଇଁ ତାକୁ ଚଣ୍ଡୀ ମନ୍ଦିରକୁ ଆସିବା ପାଇଁ କହି ତାର ପ୍ରତିପକ୍ଷକୁ ଖବର ଦେଇ ଦେଇଛି କି ? ଭାବି ଭାବି ଚାରିଆଡ଼କୁ ଅନେଇଲା–ମକୁ ଦଳର କେହି ଆସିଛି କି ନାହିଁ ଦେଖିବା ପାଇଁ । କେହି କୁଆଡ଼େ ଦେଖାଯାଉ ନଥାନ୍ତି । ଜନଗହଳି କମି ଆସୁଥାଏ । ଜଣେ ଅଧେ ଚଣ୍ଡୀ ମନ୍ଦିରର ମୁଖ୍ୟ ଦ୍ୱାର ପାଖରେ ଯୋଡ଼ ହସ୍ତ ହୋଇ ଠିଆ ହୋଇ ଥାଆନ୍ତି । ମନ୍ଦିରଦ୍ୱାରର ଦୁଇ କଡ଼ରେ କୋଢ଼ିଆମାନେ ନିଜ ନିଜ ଭିତରେ ଝଗଡ଼ା ଲଗେଇ ଦେଇ ଥାଆନ୍ତି–ଦିନ ଭିତରେ କିଏ କାହାକୁ ପଛକୁ ଠେଲି ଦେଇଛି, ଅଧିକା ପଇସା ନେଇ ଯାଇଛି ସେ ବିଷୟରେ ଝଡ଼ ପରର ମିମାଂସା କରିବା ପାଇଁ ।

 

ସେମାନଙ୍କ ଝଗଡ଼ା ଦେଖୁ ଦେଖୁ ଟଣିଆର ଆଖି ପଡ଼ିଲା ନାଲି ଶାଢ଼ି ପିନ୍ଧି ରିକ୍‌ସାରୁ ଓହ୍ଲେଇ ଆସୁଥିବା ସ୍ତ୍ରୀ ଲୋକ ଉପରେ । ସ୍ତ୍ରୀ ଲୋକ ହାତରେ ଦୁଇଟା ଫୁଲମାଳ । ଦୂରର ପାରଦ ଆଲୁଅରେ ସେ ଦୃଶ୍ୟ ସୁନ୍ଦର ଦେଖା ଯାଉଥିଲା । ମନେ ହେଉଥିଲା ସେ ଏକ ଅଭିସାରିଣୀ । ଆଲୁଅରେ ମୁହଁ ଝଲସି ଉଠିଲା–ସେ ଯେ ଶୋଭା ! ମୁହଁରେ ଆନନ୍ଦର ଚିହ୍ନ–ଚାଲିରେ ଦାମ୍ଭିକତା । ଆନନ୍ଦରେ କୁରୁଳି ଉଠି ପାଖକୁ ଦୌଡ଼ିବାକୁ ଲାଗିଲା ଟଣିଆ ।

 

ପାଖକୁ ଗଲାବେଳେ ଦେଖିଲା ସଞ୍ଜୟ ଦାସ ଧୀରେ ଧୀରେ ରିକ୍‌ସାରୁ ଓହ୍ଲେଇ ଆସୁଛନ୍ତି–ହାତରେ ଗୋଟାଏ ଟିଣ ବାକ୍‌ସ ।

 

ନିଜକୁ ରୋକିନେଲା ଟଣିଆ–କିନ୍ତୁ ତାର ଇଚ୍ଛା ହେଉଥାଏ ସମସ୍ତଙ୍କୁ ପାଟିକରି ଶୁଣେଇବ–ଶୋଭା ଆସିଛି ତାର ଜୀବନ ସଙ୍ଗିନୀ ହେବା ପାଇଁ । ଆଉ ଶୋଭା ପାଖକୁ ଯାଇ ତାକୁ ଭିଡ଼ି ଧରି କହିବ–ଦେବି, କିଏ ତୁମେ, କେଡ଼େ ମହତ୍‌ ! କ’ଣ ଭାବି ମୋତେ ବିବାହ କରୁଛ ? କିନ୍ତୁ ସେ କିଛି କହି ପାରିଲା ନାହିଁ । ଶୋଭାର ଫୁଲମାଳ ଓ ହାତକୁ ଅନେଇ ରହିଲା । ଆଖିରେ ତାର ଲୁହ ଆସି ଯାଉଥିଲା । ମୁହଁ ବୁଲେଇ ଆଖି ପୋଛି ପକେଇଲା । ଶୋଭାକୁ ମନ୍ଦିର ଭିତରକୁ ଡାକିନେଲା ବେଳେ ଲକ୍ଷ୍ୟକଲା ସଞ୍ଜୟ ମୁହଁରେ ବିଷାଦର ଚିହ୍ନ । ତା ମନରେ ଦୁଃଖ ଲାଗିଲା ଶୋଭା ଭାଇ ପାଇଁ । କେତେ କଳ୍ପନା କରିଥିବେ ଭଉଣୀ ପାଇଁ–ଆଜି ଏମିତି ପରିସ୍ଥିତିରେ ବିବାହ ଦେବାକୁ ପଡ଼ୁଛି ।

 

ଶୋଭା ଉଦ୍ଦେଶ୍ୟରେ କହିଲା–ଭାଇ ବୋଧହୁଏ ତମେ ନିଷ୍ପତ୍ତିରେ ଏକମତ ନୁହନ୍ତି ?

 

ସେଥିପାଇଁ ତ ଏତେ ସମୟ ଲାଗିଲା । ମୁଁ ଭାଇଙ୍କୁ ବୁଝେଇ ଦେଇଛି । ଶେଷରେ ସେ ମଧ୍ୟ ମାନିଗଲେ–ବେଶ୍‌ ସରଳ ଓ ନିର୍ଲିପ୍ତ କଣ୍ଠରେ କହିଲା ଶୋଭା ।

 

ତାର କଥାବାର୍ତ୍ତାର ଢଙ୍ଗ ଖୁବ୍‌ ଭଲ ଲାଗିଲା ଟଣିଆକୁ । କିଛି ଲୁଚେଇବା ପ୍ରୟାସ ନାହିଁ-। ଜୀବନକୁ ଗୋଟାଏ କଠୋର ସଂଗ୍ରାମ ରୂପେ ଗ୍ରହଣ କରି ନେଇଥିବା ମନୋଭାବ । ତା ଜୀବନରେ ଏମିତି ଗୋଟିଏ ସଙ୍ଗିନୀର ଆବଶ୍ୟକତା ଥିଲା–ଜୀବନ ପ୍ରତି ମୋହ ନଥିବ ଅଥଚ ପଳାୟନପନ୍ଥୀ ହେବ ନାହିଁ । ସେମିତି ବଞ୍ଚିବାରେ ହିଁ ଅଛି ଚମକ, ଉତ୍ସାହ, ଆବେଗ ।

 

ଚଣ୍ଡୀଙ୍କ ସାମନାରେ ଦୁହେଁ ଦୁହିଁଙ୍କୁ ଫୁଲମାଳ ପିନ୍ଧେଇ ଦେଲେ । ଟଣିଆ ଅନେଇଲା ଚଣ୍ଡୀଙ୍କ ମୁହଁକୁ । କଳା ମୁହଁରେ ଏତେ ତେଜ, ଏତେ ଆକର୍ଷଣରେ ଶକ୍ତି ସେ କେବେ ଅନୁଭବ କରି ନ ଥିଲା । ଆଜି ମନେହେଲା ଛୋଟ ମନ୍ଦିର ଉପରେ ଆନନ୍ଦର ଲହରୀ ।

 

ମନ୍ଦିରରେ ରଖା ଯାଇଥିବା ରେଜିଷ୍ଟରରେ ଶୋଭା ଓ ଟଣିଆ ଦସ୍ତଖତ କଲେ, ସାକ୍ଷୀ ରହିଲେ ସଞ୍ଜୟ । ପକେଟରୁ ମୁଦି ବାହାର କରି ଟଣିଆ ଶୋଭା ଆଙ୍ଗୁଠିରେ ପିନ୍ଧେଇ ଦେଲା ।

 

ମନ୍ଦିର ବାହାରକୁ ଆସି ଟଣିଆ ହାତକୁ ବାକ୍‌ସଟି ବଢ଼େଇ ଦେଉ ଦେଉ ସଞ୍ଜୟ କହିଲେ–ଶୋଭା ପାଇଁ ଶାଢ଼ି, ତମ ପାଇଁ ପ୍ୟାଣ୍ଡ ସାର୍ଟ ଏବଂ ଅନ୍ୟାନ୍ୟ ଦରକାର ଜିନିଷ ରଖି ଦେଇଛି । ଭାଇ ହିସାବରେ ମୋର କର୍ତ୍ତବ୍ୟ ଶେଷ କଲି ।

 

ତରତରରେ କଥା ଶେଷ କରି ସଞ୍ଜୟ ଗୋଟିଏ ରିକ୍‌ସାରେ ବସିଗଲେ । ଟଣିଆର ଇଚ୍ଛା ହେଉଥାଏ ସଞ୍ଜୟକୁ ପଛରୁ ଡାକିବ । ତାର ସେହି ହାବଭାବ ଦେଖି ଶୋଭା କହିଲା–ଭାଇଙ୍କୁ ଡାକିବା ଦରକାର ନାହିଁ । ତାଙ୍କର ମୋର ସାଲିସ ହୋଇଥିଲା । ମନ୍ଦିରରେ ମୋର ବିବାହ ପରେ ସେ ଚାଲିଯିବେ । ଚାଲ, ଏଥର ଆମେ ଆମ ଘରକୁ ଯିବା ।

 

‘ଆମ ଘରକୁ’ ଶୁଣି ଟଣିଆ ଉତ୍‌ଫୁଲ୍ଲ ହୋଇ ଉଠିଲା । ଏବେ ତାର ଗୋଟିଏ ଘର ବୋଲି ଅଛି–ସେଥିରେ ଭାଗୀଦାର ସେ ଓ ତା’ ସ୍ତ୍ରୀ ।

 

ଗୋଟିଏ ପଦକଥା–ଅଥଚ ତା’ ଦେହରେ ରୋମାଞ୍ଚ ସୃଷ୍ଟି କଲା । ତା’ର ମନେହେଲା ତା ଦେହ ହାଲୁକା ହୋଇଯାଇଛି । ମଦର ନିଶାଠାରୁ ଆହୁରି ଉତ୍‌ଫୁଲ୍ଲ କରି ଦେଉଛି ।

 

ରିକ୍‌ସା ଡାକି ପ୍ରଥମେ ଶୋଭାକୁ ବସେଇ ଦେଇ ପାଖରେ ନିଜେ ବସି ପଡ଼ିଲା ! ରିକ୍‌ସାରେ ବସିସାରି ବାଁ ହାତଟା ଗୁଡ଼େଇ ଦେଲା ଶୋଭାର ଅଣ୍ଟା ଚାରିପଟେ । କି ଏକ ଅପୂର୍ବ ପୁଲକରେ ତା’ ଦେହ ଶୀତେଇ ଉଠିଲା । ସେ ଅନୁଭବ କଲା ଶୋଭା ମଧ୍ୟ ଥରି ଯାଉଛି । ପାଖକୁ ଟାଣି ଆଣି ରିକ୍‌ସାର ହୁଡ଼୍‍ ଭିତରେ ଶୋଭା ମୁହଁକୁ ଚୁମିବା ଚେଷ୍ଟା କଲାବେଳେ ସାମନାରୁ କାରର ତୀବ୍ର ଆଲୁଅ ସାଙ୍ଗରେ ହର୍ଣ୍ଣର ଶବ୍ଦ ଟଣିଆକୁ ପ୍ରକୃତିସ୍ଥ କଲା । ରିକ୍‌ସାବାଲା ଅନ୍ୟ ମନସ୍କ ହୋଇ ଏମାନଙ୍କୁ ଅନେଇଥାଏ–ରିକ୍‌ସା ରାସ୍ତା ମଝିରେ ଛିଡ଼ା ହୋଇଥାଏ । ହର୍ଣ୍ଣ ଶୁଣି ରିକ୍‌ସାଟିକୁ ରାସ୍ତା କଡ଼କୁ ନେଇଗଲା । ଲାଜରେ ଶୋଭା ଓ ଟଣିଆ ତଫାତ ହୋଇ ବସିଗଲେ । ଶୋଭା ନିଜ ବେକରେ ପଡ଼ିଥିବା ଫୁଲମାଳ ଦୁଇଟା ବାହାର କରି ଟଣିଆ କୋଳରେ ରଖିଦେଇ । ଟଣିଆ ସେହି ଫୁଲମାଳ ଦୁଇଟି ଉପରେ ହାତ ବୁଲେଇ ଆଣୁ ଆଣୁ ଶୋଭା ମୁହଁକୁ ଅନେଇ ରହିଲା । ତାର ମନେ ହେଲା । ସେ ମୁହଁ ବରଦାତ୍ରୀର, ମଙ୍ଗଳମୟୀର ।

 

କେତେ ସମୟ ପରେ ଟଣିଆ ପଚାରିଲା–ତମେ ମୋତେ ବାହା ହୋଇ ସୁଖୀ ହୋଇ ପାରିବ ଭାବୁଛ ?

 

ନିଶ୍ଚୟ ।

 

ମୋର ଆଚାର ବ୍ୟବହାର ବିଷୟରେ ତମେ ଜାଣିଛ, ତଥାପି ତମେ କେମିତି ଯେ ସୁଖୀ ହେବ !

 

‘‘ମୁଁ ତୁମକୁ ମୋ ବାଟକୁ ନେଇ ଆସିବି । ଦୃଢ଼ତାର ସହିତ ଟଣିଆ ଶୋଭା ମୁହଁକୁ ଅନେଇଲା । ତା ମୁହଁର ଦୃଢ଼ତାରେ ଋକ୍ଷ ଭାବର ଚିହ୍ନ ନାହିଁ, ବରଂ ପ୍ରଶାନ୍ତିର ପ୍ରଲେପ । ମା’ର ଆକଟ କରିବା ଭଙ୍ଗୀ ।

 

ସେ ଛୋଟିଆ ପ୍ରତ୍ୟୁତ୍ତର ଦେଇ କହିଲା–ପାରିବ ?

 

ପାରିବି ନିଶ୍ଚୟ ।

 

ଶୋଭାର ଦୃଢ଼ ମନୋଭାବ ଟଣିଆକୁ ବିମୁଗ୍‌ଧ କଲା । ନିଜ ଦୁଇହାତ ଭିତରେ ଶୋଭାର ଡାହାଣ ହାତକୁ ଆବେଗରେ ଚାପି ଧରିଲା । ସେ କିଛି ଭାବିବା ପୂର୍ବରୁ ତା ଆଖିରୁ ଲୁହ ବହିଗଲା ।

 

ଶୋଭା ନିଜ ପଣତ କାନିରେ ତାର ଲୁହ ପୋଛି ପକେଇଲା । ସେମିତି କାନ୍ଦୁ କାନ୍ଦୁ ଟଣିଆ କହିଲା–ତିନି ବର୍ଷ ଆଗରୁ ତମ ସହିତ ମୋର ପରିଚୟ ହୋଇଥିଲେ କେତେ ଭଲ ହୋଇଥାନ୍ତି !

 

ଶୋଭା ଛୋଟ ପିଲାକୁ ବୋଧ କଲାପରି କହିଲା–ସୁନାଟା ପରା । କାନ୍ଦ ନାହିଁ । ଏବେ ଆମର ଖୁସି କରିବା ସମୟ ।

 

ଆନନ୍ଦ ସେତେ ଅଧିକ ହୁଏ, ଆଖିରୁ ଲୁହ ସେତିକି ଯୋରରେ, ବହେ । ଶୋଭାର ମାତୃତର ପରିଚୟ, ସ୍ନେହର ପଡ଼ି ପାଇ ଟଣିଆ ଆହୁରି ଜୋରରେ କାନ୍ଦି ଉଠିଲା । ପରିସ୍ଥିତିରେ ପଡ଼ି ସେ ଋକ୍ଷ, ସ୍ନେହ–କାଙ୍ଗାଳ ହୋଇ ଯାଇଥିଲା । ନିଜକୁ ନିଜେ ବୁଝିପାରୁ ନଥିଲା । ଏବେ, ପରଶମଣିର କୁହୁକ ତା’ର ରୂଦ୍ଧ ବେଦନାକୁ ଆଖିର ଲୁହରେ ପରିଣତ କରିଦେଲା । ଛୋଟ ପିଲାଟି ପରି ବହୁତ ସମୟ ଧକେଇ ହୋଇ କାନ୍ଦିଲା । ନିଜ ପଣତ କାନିରେ ଶୋଭା ତା’ର ମୁହଁ ପୋଛି ଦେଉଥାଏ, ଆଶ୍ଵାସନା ଦେଉଥାଏ–ଭବିଷ୍ୟତର ସୁନେଲି କଳ୍ପନାର ରୂପରେଖ ଦେଉଥାଏ । ସେମାନେ ଯେ କେତେବେଳେ ଘରେ ପହଞ୍ଚି ଯାଇଥିଲେ ଜାଣିପାରି ନଥିଲେ ।

 

ଘର ଭିତରେ ଜିନିଷ ସଜଡ଼ା ସଜଡ଼ି କରି, ଖଟ ସଜେଇ ଟଣିଆ ଶୋଭାର ମୁହଁକୁ ଦୁଇ ହାତରେ ତୋଳି ଆଖି ପୁରେଇ ଅନେଇଲା ବେଳେ ବାହରେ ନିକର ପାଟି ଶୁଭିଲା–

 

ଟଣିଆ ଭାଇ, ପୁଲିସ ଆସିଲେଣି ।

 

ଅଭ୍ୟାସବଶତଃ ଟଣିଆ ଛୁରୀଟାଏ ଧରି ବାଡ଼ିପଟକୁ ପଳେଇ ଯିବାପାଇଁ ଉଦ୍ୟମ କଲେବେଳେ ତା’ର ମନେ ପଡ଼ିଲା ସେ ନବ–ବିବାହିତ । ତା ସ୍ତ୍ରୀ ତା ପାଖରେ । ଆଜି ମଧୁଶଯ୍ୟାର ଦିନ । ଥମ୍‌କରି କବାଟ ପାଖରେ ଛିଡ଼ା ହେଇଗଲା । କରୁଣ ଭାବରେ ଅନେଇଲା ଶୋଭକୁ । ଶୋଭା ମଧ୍ୟ ଆଶାୟୀ ଭାବେ ଅନେଇ ରହିଥାଏ ଟଣିଆକୁ ।

 

ବାହାରୁ ଏକ ପୁଣି ପାଟିକଲା–ଲମ୍ବୁ ଆଜି ମରିଗଲା । ସେଇଥିପାଇଁ ପୁଲିସ୍‌ ତମକୁ ଖୋଜୁଛନ୍ତି ।

 

ମୋତେ କ୍ଷମାକର ଶୋଭା । ମୁଁ ତୁମର ଅଯୋଗ୍ୟ ! ଆରମ୍ଭରୁ ତ ଦେଖିଲ ମୋ ଜୀବନ । ମୋତେ କ୍ଷମାକର–ଆବେଗରେ ଶୋଭାର ହାତ ଧରିନେଲା ଟଣିଆ । ତା ଆଖିରେ ଲୁହ ଆସିଗଲା ।

 

ଶୋଭା ଆଖିରେ ମଧ୍ୟ ଲୁହ ଆସୁଥାଏ । ସେ ନିଜର କୋହ ଚାପି ରଖି କହିଲା–ତମେ କିଛି ଚିନ୍ତା କରନାହିଁ । ଏ ଅବସ୍ଥା ବୋଧହୁଏ ରାତିରେ ଶେଷ ଅନ୍ଧକାର ପରି । ତା ପରେ ପୂର୍ବ ଆକାଶ ଫର୍ଚ୍ଚା ହୋଇଯିବ । ଆଲୁଅ ଦେଖାଦେବ । ଆଜି ତମେ ମୋ ପାଖରେ ଶପଥ କରି ସେ ବାଟ ଛାଡ଼ିବ । ନୂଆ ବାଟ ଦେଖିବ, ନୂଆ କଳ୍ପନା କରିବ ।

 

ମୁଁ ତୁମକୁ ଛୁଇଁ ଶପଥ କରୁଛି ଏ ବାଟ ଛାଡ଼ିଦେବି । ମୁଁ ଭଲ ଲୋକ ହେବି–ଏକା ନିଶ୍ୱାସରେ କହିଲା ଟଣିଆ ।

 

ବାହାରୁ ନିକର ଫୁସ୍‌ଫୁସ୍‌ କଥା ଶୁଣାଗଲେ–ପାଖେଇ ଗଲେଣି ।

 

ଟଣିଆ ଦୌଡ଼ି ଯାଉ ଯାଉ କହିଲା–ନିକ, ମୁଁ ଯେଉଁଠି ଥିବି ଭାଉଜକୁ ସେଠାକୁ ଆଣିବୁ-। ତମେ ଆସିବ ଶୋଭା । ନହେଲେ ମୁଁ ଭାଙ୍ଗି ପଡ଼ିବି । ଆଜି ରାତିଟା ବ୍ୟର୍ଥ ହେଲେ ମୋ ଜୀବନ ମଧ୍ୟ ବ୍ୟର୍ଥ ହୋଇଯିବ ।

 

ମୁଁ ଯିବ । ତମେ ଯାଅ ।

 

ଦରଦୀ କଣ୍ଠର ଦୁଇପଦ କଥା ପରେ ଟଣିଆ ଛାଇପରି କୁଆଡ଼େ ମିଳେଇଗଲା । ପରେ ପରେ ଭାରି ବୁଟ୍‌ର ଶବ୍ଦ । ପୁଲିସବାବୁମାନେ ଘର ଚାରିପଟେ ଘେରିଗଲେ । କିଏ ଜଣେ ପୁଲିସବାବୁ ପାଠିକଲେ–ଟଣିଆ ! ଘର ଚାରିପଟେ ପୁଲିସ । ବାହାରକୁ ଚାଲିଆ ।

 

ଶୋଭା କଣ କରିବ ଜାଣି ପାରିଲା ନାହିଁ । ନୂଆ ଅନୁଭୂତି । କେମିତି ଦୁଆର ଖୋଲିବ, କାହକୁ ଡାକିବ ଭାବୁ ଭାବୁ ମିନିଟେ ଦୁଇ ମିନିଟ ଅତିବାହିତ ହୋଇଗଲା । କବାଟ ବାଡ଼େଇବା । ଶବ୍ଦ ତୀବ୍ରତର ହୋଇ ଉଠିଲା । ତା ପରେ ପରେ କିଏ କହିଲା–କବାଟ ନ ଖୋଲିଲେ ଅମେ ଭାଙ୍ଗି ଦେବୁ । ଜଲ୍‌ଦି ଖୋଲ ।

 

ପ୍ରତ୍ୟୁତ୍ତର ନ ଦେଇ ଶୋଭା କବାଟ ଖୋଲିଦେଲା । ସେ ଭୁଲି ଯାଇଥିଲା ତା ଦେହରେ ନାଲୀ ଶାଢ଼ି, ଗଳାରେ ଗଜରା । ତାକୁ ଦେଖି ଜଣେ କିଏ ପୁଲିସବାବୁ ଖିଙ୍କାରୀ ଉଠିଲେ–ଶଳା, କୁଆଡ଼ୁ ଗୋଟାଏ ମାଲ ନେଇ ଆସିଛି ! କୁଆଡ଼େ ଗଲା ସେ–ଅଧିକା କଣ କୁହା ହୋଇଥାନ୍ତା କିନ୍ତୁ ଅନ୍ୟ ଜଣେ ପୁଲିସବାବୁ ତାକୁ ଚୁପ୍‌ ହେବାପାଇଁ ଇସାରା ଦେଲେ । ଘରସାର ଖୋଜିସାରି ପୁଲିସବାବୁମାନେ ଶୋଭା ପାଖକୁ ଆସିଲେ । ସେମାନଙ୍କ ଭିତରେ ଥିବା ଇନସ୍‌ପେକ୍‌ଟର ପଚାରିଲେ–ଟଣିଆ କୁଅଡ଼େ ଗଲା ? ସେ ମଣିଷ ମାରିଛି ।

 

ଏବେ ଥିଲେ । ପୁଲିସ ଆସିବା ଜାଣି ପଳେଇ ଗଲେ ।

 

ତମେ କିଏ ? ଆଗରୁ ଟଣିଆର କୌଣସି ସ୍ତ୍ରୀ ଲୋକ ସହ ସମ୍ପର୍କ ଥିବା ଆମେ ଜାଣି ନଥିଲୁ । ଏ ନୂଆ କଥା ।

 

ମୁଁ ତାଙ୍କ ସ୍ତ୍ରୀ–ଶୋଭା । ଚଣ୍ଡୀ ମନ୍ଦିରରେ ଆଜି ଆମର ବିବାହ ହେଲା ।

 

ତମେ ଜାଣି ଜାଣି ତାକୁ ବିବାହ କରିଛ ? ମେ ଜାଣିଛ ସେ ଜଣେ ଖୁଣୀ ଆସାମୀ ।

 

ସେ ଖୁଣୀ ଆସାମୀ ବୋଲି ଜାଣି ନଥିଲି । ତେବେ ତାଙ୍କର ଅନ୍ୟାନ୍ୟ କାମ ସହ ମୁଁ ପରିଚିତ ।

 

ଇନିସ୍‌ପେକ୍ଟର ଆଶ୍ଚର୍ଯ୍ୟ ହୋଇ ଶୋଭା ମୁହଁକୁ ଅନେଇଲେ । ଭାବିଲେ କି ଅଦ୍ଭୁତ ଏ ସ୍ତ୍ରୀ ଲୋକଟି । ଖୁବ୍‌ ସରଳ ଓ ନିର୍ଲିପ୍ତ ଭାବେ ଉତ୍ତର ଦେଉଛି, ମନେ ହେଉଛି ତା’ର କିଛି ଦୁଃଖ ନାହିଁ । କିଛି ସମୟ ଛିଡ଼ା ହେଲାପରେ କହିଲେ–ଠିକ୍‌ ଅଛି । କିନ୍ତୁ ଏ ପରେ ତମେ ଆଉ ଶାନ୍ତିରେ ରହି ପାରିବନାହିଁ । ଟଣିଆକୁ ପାଇବା ପର୍ଯ୍ୟନ୍ତ ଦିନ ରାତି ଆମେ ସବୁବେଳେ ଏ ଘର ଉପରେ ଚଢ଼ଉ କରିବୁ ।

 

ସେ ତ ନାହାନ୍ତି । ଆପଣ ସବୁବେଳେ ଚଢ଼ଉ କାହିଁକି କରିବେ ? ପ୍ରଶ୍ନରେ ଘୃଣା ନଥିଲା ।

 

ଇନିସ୍‌ପେକ୍ଟର ପୁଣି କିଛି ସମୟ ଅନେଇ ରହି କହିଲେ–ଆମର ନିୟମ ଏମିତି । ସେ ନିଶ୍ଚୟ ଘରକୁ ଆସି ବା ଏମିତି ତଲାସୀ କରୁ କରୁ ଟଣିଆ ଧରା ହେବ । ନିଜ ଦଳକୁ ବାହାରକୁ ଯିବା ପାଇଁ କହି ଇନିସ୍‌ପେକ୍ଟର ସବା ପଛରେ ଚାଲିଲେ ।

 

ସେ ଚାଲିଯିବା ପୂର୍ବରୁ ଶୋଭା ସାହସ ସଞ୍ଚୟ କରି ପଚାରିଲା–ସାର୍‌ । ଜଣେ ଚାହିଁଲେ କ’ଣ ଭଲ ବାଟକୁ ଆସି ପାରିବ ନାହିଁ ?

 

ଲଙ୍କାରେ ହରି ଶବ୍ଦ ଶୁଣିଲା ପରି ଆଶ୍ଚର୍ଯ୍ୟ ହୋଇ ଇନିସ୍‌ପେକ୍ଟର ବୁଲିପଡ଼ି ଶୋଭାକୁ ଅନେଇ କହିଲେ–କିଛି ଅସମ୍ଭବ ନୁହେଁ । କେହି ମା ପେଟରୁ ଗୁଣ୍ଡା, ଚୋର ବା ଖୁଣୀ ହୋଇ ଜନ୍ମ ନିଏ ନାହିଁ । ପରିବେଶ ତାକୁ ସେପରି କରିଦିଏ । ମନ ଦୃଢ଼ କଲେ ଏବଂ ପରିବେଶ ବଦଳେଇଲେ ସେ ମଧ୍ୟ ଭଲ ହୋଇଯାଇପାରେ ରତ୍ନାକର ଯେମିତି ବାଲ୍ମୀକି ହୋଇଗଲା ।

 

ମୋ ସ୍ୱାମୀକୁ ମଧ୍ୟ ମୁଁ ବଦଳେଇ ଦେବି । ଆପଣ ଦେଖିବେ ।

 

ଖୁବ୍‌ଭଲ କଥା । ଆମର ଝାମେଲା କମିଯିବ । ମେ ମଧ୍ୟ ସୁଖରେ ରହିବ । ଚେଷ୍ଟା କରି–ଏହା କହି ଇନିସ୍‌ପେକ୍ଟର ଚାଲିଗଲେ ।

 

ଶୋଭା ଅଧିକା କିଛି ଶୁଣିବା ପାଇଁ ଆଶା କରୁଥିଲା । କେଉଁ ବାଟରେ ତା ସ୍ୱାମୀକୁ ଚଳେଇବ ସେଇଥିପାଇଁ ଉପଦେଶ ଚାହୁଁ ଥିଲା । କିନ୍ତୁ ପୁଲିସବାବୁଙ୍କର ଉପଦେଶ ଦେବାପାଇଁ ସମୟ କାହିଁ ? ନିଜ କାମ ଦେଖୁ ଦେଖୁ ରାତି ଶେଷ, ପୁଣି ସକାଳ ପାଇଁ ଆୟୋଜନ । ନୂଆ ସଙ୍କଟ, ନୂଆ ପ୍ରଣାଳୀ, ନୂଆ ଧରାପଗଡ଼ । ମଣିଷ ମନ ଚିହ୍ନି ସମବେଦନାର ହାତ ବଢ଼େଇବ ପାଇଁ ଇଚ୍ଛା ଥିଲେ ମଧ୍ୟ ସମୟ ନାହିଁ । ଯେଉଁଠି ସମୟ ଥାଏ ସେଇଠି ମନ ନଥାଏ ।

 

ଇନିସ୍‌ପେକ୍ଟରଙ୍କର ସମୟ ନଥିଲା ଶୋଭାର କଥା ଶୁଣିବା ପାଇଁ । ସେ ବିଶ୍ୱାସ କରି ପାରୁ ନଥିଲେ–ଶୋଭା ନିଜ କଥାରେ ଆନ୍ତରିକତା ଦେଖେଇଛି । ଅନେକ ଲୋକ ପୁଲିସର ତଲାସୀ, ଖୋଳତାଡ଼ ବେଳେ ଭାଙ୍ଗି ପଡ଼ି, ଅନୁତାପ କରନ୍ତି କିନ୍ତୁ ପରେ ପରେ ଯେମିତିକୁ ସେମିତି-। ଇନିସ୍‌ପେକ୍ଟର ତା କଥାରେ ଗୁରୁତ୍ୱ ନ ଦେବା ଦେଖି ଶୋଭା ସାମାନ୍ୟ ଦୁଃଖ ଅନୁଭବ କଲା । ପର ମୁହୂର୍ତ୍ତରେ ନିଜ ମନକୁ ଟାଣ କରି ତଳେ ବସି ପଡ଼ିଲା ।

 

ବସି ବସି ଭବିଷ୍ୟତ ଯୋଜନା କରୁ କରୁ ଶୋଭାକୁ ଛାଇ ନିଦ ଲାଗି ଯାଇଥାଏ । ‘‘ଭାଉଜ’’ ଡାକରେ ତା ନିଦ ହଠାତ୍‌ ଭାଙ୍ଗି ଗଲା । ସେ ଦେଖିଲା ନିକ ପାଖରେ ଛିଡ଼ା ହେଇଛି ।

 

କଣ ? –ଚମକି ପଡ଼ି ପଚାରିଲା ଶୋଭା ।

 

ଟଣିଆ ଭାଇ ମୋତେ ପଠେଇଛି । ତମକୁ ନେବା ପାଇଁ । ଆସ । ଶୋଭା କିଏ ଇତସ୍ତତଃ ହେଲା–ଏତେ ରାତିରେ ଅଜଣା ଲୋକ ସାଙ୍ଗରେ ଅଜଣା ଜାଗାକୁ ଯିବ କି ନାହିଁ ? ନଗଲେ ଟଣିଆ ଭାଙ୍ଗି ପଡ଼ିବ । ତାକୁ ବାଟକୁ ଆଣି ହେବ ନାହିଁ ! –ତାକୁ ଯିବାକୁ ହିଁ ପଡ଼ିବ । ଝିଅକୁ ବାଟକୁ ଆଣିବାପାଇଁ ନିଜକୁ ଦୃଢ଼ କରିବାକୁ ପଡ଼ିବ । ସେହି ନାଲି ଲୁଗା ପିନ୍ଧି, ସବୁ ଫୁଲ ମାଳ ବେକରେ ହାତରେ ବାନ୍ଧି, ବଡ଼ ଲୁଗାଟିଏ ଘୋଡ଼େଇ ହୋଇ ଘରୁ ବାହାରିପଡ଼ିଲା ଶୋଭା । ନିକ ତାକୁ ଗୋଟିଏ ରିକ୍‌ସାରେ ବସେଇ ନିଜେ ଆଗେ ଆଗେ ସାଇକେଲ୍‌ରେ ଗଲା । ରିକ୍‌ସା ବାଲାକୁ ଫାଶୀଦିଆ ବର ପାଖରେ ବିଦା କରିଦେଇ ଆଗେ ଆଗେ ବାଟ କଢ଼େଇ ନେଲା ଗୋରା କବରକୁ । ଗୋରାକବରର ବଡ଼ ସମାଧି ଚଟାଣ ଉପରେ ବସିଥାଏ ଟଣିଆ–ଶୋଭାକୁ ଅପେକ୍ଷାକରି । ଶୋଭାକୁ ଦେଖି ଦୌଡ଼ିଯାଇ ତାକୁ ଦୁଇହାତରେ ଭିଡ଼ିଧରି କଇଁ କଇଁ ହୋଇ ପିଲାଙ୍କ ପରି କାନ୍ଦି ଉଠିଲା । ସେତିକି ବେଳେ ଏକ ଅନ୍ତର୍ଦ୍ଧାନ ହୋଇଗଲା–କର୍ତ୍ତବ୍ୟନିଷ୍ଠ ଲକ୍ଷ୍ମଣ ପରି । ନିଜ ହାତରେ ଟଣିଆର ମୁଣ୍ଡ ସାଉଁଳି ଦେଉ ଦେଉ ଶୋଭା ଆଶ୍ୱାସନା ଦେଇ କହିଲେ–ମୁଁ ଯେ ଆସି ଯାଇଛି । ତମେ ଆଉ କାନ୍ଦ ନାହିଁ । ମୋ ମନରେ ଟିକିଏ ମଧ୍ୟ ଦୁଃଖ ନାହିଁ । ତମେ ତୁନି ହୁଅ ।

 

ଆଖିରୁ ଲୁହ ଗଡ଼ି ଯାଉଯାଉ ଟଣିଆ କହିଲା–ମୁଁ ଲମ୍ବୁକୁ ମାରିବି ବୋଲି ମାରି ନାହିଁ । ସେ ମୋତେ ଆକ୍ରମଣ କଲା ମୁଁ ତାକୁ ଛୁରୀ ଚଳେଇ ଦେଲି । ଏବେ ମୁଁ ଖୁଣୀ ହୋଇଗଲି । ତମେ ମେତେ ବାହା ହୋଇ ବହୁତ ଅସୁବିଧାରେ ପଡ଼ିଲ । ମୋତେ କ୍ଷମା କର ଶୋଭା ।

 

ତମେ ଆଦୌ ବ୍ୟସ୍ତ ହୁଅ ନାହିଁ । ତମେ ଶପଥ କରିଛ ଭଲ ବାଟକୁ ଆସିବ । ଏଥର ଆମେ ଆମର ସକାଳ ଖୋଜିବା । ସେ ଖୋଜିବାରେ ମୁଁ ସାହାଯ୍ୟ କରିବି ।

 

ଟଣିଆ ଚେଷ୍ଟାକଲା ତା ସ୍ତ୍ରୀର ମୁହଁ ଦେଖିବା ପାଇଁ । ସେ ମୁହଁରୁ ଆଶ୍ୱାସନା ଓ ଆତ୍ମବିଶ୍ଵାସର ସ୍ୱର ବାହାରି ଅସୁଥିଲା । ନିଜେ ଏତେ ଋକ୍ଷ ଅଥଚ ଆତ୍ମହରା ହୋଇଛି କିନ୍ତୁ ତା ସ୍ତ୍ରୀ ତାକୁ ଆଶ୍ୱାସନା ଦେଉଛି । ବରାଭୟ–ଦାତ୍ରୀ ଦେବୀର ମୁହଁକୁ ଦେଖିବା ପ୍ରୟାସ କଲାବେଳେ ଶୋଭା ତା କୋଳରେ ନିଜ ମୁହଁକୁ ଲୁଚେଇ ଦେଲା । ଟଣିଆ ତାକୁ ଦୁଇ ହାତରେ ଟେକି ନେଲା ବଡ଼ ସମାଧିର ପଥର ଚଟାଣ ଉପରକୁ–ନିଜର ଅଭିସାର ରଚିବା ପାଇଁ ।

 

ଦୁହିଁଙ୍କର ମଧୁ ଯାମିନୀ ଆରମ୍ଭ ହୋଇଥିଲା ଗୋରାକବରର ଭୌତିକ ପରିବେଶ ଭିତରେ । ସେମାନଙ୍କର ଚନ୍ଦ୍ରାତପ ହୋଇଥିଲେ ଅନ୍ଧାର ରାତିର ଅସଂଖ୍ୟ ମିଟିମିଟି କରୁଥିବା ତାରା-। ସେ ରାତିରେ ସେହେନାଇ ବଜେଇଥିଲା ବିଲୁଆ–ଅଦୁରର ନଦୀବନ୍ଧ ପଥର ଖୋଲ ଭିତରୁ । ସେମାନଙ୍କ ପାଇଁ ବିଜୁଳି ପଙ୍ଖା ନଥିଲା–ନଦୀ ପଠାର ସୁଲୁସୁଲୁ ଶୀତଳ ପବନ ସେମାନଙ୍କୁ ମନମତାଣିଆ କରୁଥିଲା । ଦୁହେଁ ଦୁହିଙ୍କୁ ଆକଣ୍ଠ ଉପଭୋଗ କରୁଥିଲେ–ପ୍ରକୃତିର ପ୍ରାଚୁର୍ଯ୍ୟ ଭିତରେ । ଅଦୂରରେ ଫାଶୀଦିଆ ବର ପାଖରେ ଜଳୁଥିବା ବିଜୁଳି ଆଲୁଅ ସେମାନଙ୍କ ଚଉଠି ଦୀପର କାମ ଚଳେଇଥିଲେ । ନୈସର୍ଗିକ, ଶାନ୍ତ ପରିବେଶ ଟଣିଆର ମନକୁ ପରିବର୍ତ୍ତନ କରି ଦେଇଥିଲା । ସେ ଅନୁଭବ କରୁଥିଲା କ୍ରୂର ଓ ଋକ୍ଷ ଭାବ ପରିବର୍ତ୍ତେ କମନୀୟ, କୋମଳ ମନଭାବ କେତେ ଭଲ ! ପ୍ରକୃତି ପରି ସେ ମଧ୍ୟ ଚନ୍ଦନ ଲେପି ଦିଏ । ସେହି ଭାବ ଅନ୍ୟକୁ ଅକୃଷ୍ଟ କରେ–ପ୍ରକୃତିରାଣୀ, ଶୋଭା ବେଶରେ ଆସି ତା ଦେହରେ ଲହୁଣୀ ବୋଳିଦିଏ– ।

 

ଟଣିଆ କିନ୍ତୁ ନିଜ ଘର ଭିତରେ ଦାମ୍ପତ୍ୟ ସୁଖ ଉପଭୋଗ କରିପାରିଲା ନାହିଁ । ପୁଲିସ୍‌ର ଚଢ଼ଉ, ଭାରୀ ଯୋତାର ଆୱାଜ୍‌, ଅଜଣା ଲୋକର ଘରଚାରିପଟେ ପଇଁତରା ତାକୁ ଅଣନିଶ୍ୱାସୀ କରି ପକେଇଲା । ଶୋଭା ସହ ତାର ଦୈହିକ ମିଳନ ହେଲା କେଉଁଦିନ ଗୋରା କବରରେ, କେବେ କେଶରପୁର କବରସ୍ଥାନ ଭିତରେ, ଟ୍ରେନିଂ କଲେଜ ପାଖ କବର ଭିତରେ, ଖାନନଗର ନଦୀ ଗୁରୁଜର ପଥର ଖୋଲରେ, ନହେଲେ ସତୀ ଚଉର ପାଖ ପଠାରେ । ସବୁବେଳେ ଶୋଭା ହସ ହସ । ଭୌତିକ ପରିବେଶ ପ୍ରଶ୍ନ ତା’ର ନଜର ନ ଥାଏ । କେହି ଅଜଣା ଲୋକ ସେମାନଙ୍କ ରତିକ୍ଳାନ୍ତ ଦେହକୁ ଦେଖିଦେବା ଆଶଙ୍କା ନଥାଏ, ଲୋଲୁପ ଦୃଷ୍ଟିର ଅସ୍ଵାଭାବିକ ପରିବେଶ ପ୍ରତି ଭ୍ରୂକ୍ଷେପ ନ ଥାଏ ନିଜ ସ୍ଵାମୀକୁ ଖୁସି କରେଇବାରେ ବ୍ୟସ୍ତ । ତାକୁ ବାଟକୁ ଆଣିବାପାଇଁ ଉପାୟ ଖୋଜିବାର ତତ୍ପର । ନିଜର ଲକ୍ଷ୍ୟ ସେ ବାଛି ନେଇଥାଏ, ପଥପ୍ରାନ୍ତର କଣ୍ଟାଝଣ୍ଟା, ବୁଭୁକ୍ଷୁ ଆଖି ପ୍ରତି ନଜର ନଥାଏ ।

 

ସତୀଚଉରାର ଅନତିଦୂରରେ ଥିବା କାଠଯୋଡ଼ି ପଠାର ପରିବେଶ ଶୋଭାକୁ ବେଶି ମନ ମତାଣିଆ କରେ; ଟଣିଆ ସହ କଥାବାର୍ତ୍ତା । ହେବାର ସୁଯୋଗ ଦିଏ ।

 

ସୀମାହୀନ ବାଲିଶେଯ, ଛୋଟ ଛୋଟ ବାଲିକୁଦ, କୁଦ ପାଖରେ ବାମନ ଝାଉଁଗଛ, ଅରଖକୁଦ, ସନ୍ତସନ୍ତିଆ ଖାଲୁଆ ଜାଗାରେ ତଣ୍ଡି ଘାସର ଶେଯ ଶୋଭାକୁ ଉତ୍ସାହ ଦିଏ ଟଣିଆକୁ ପାଖକୁ ଟାଣି ଆଣିବାପାଇଁ–ତା’ର ଯନ୍ତ୍ରଣାଜର୍ଜରିତ, ଚିନ୍ତାଗ୍ରସ୍ତ, ଦ୍ୱିଧାଗ୍ରସ୍ତ ମନକୁ ସାନ୍ତ୍ୱନା ଦେବାପାଇଁ । ଶୋଭା ଶୁଣିଥିଲା ଝାପ୍‌ସା ଅତୀତର ‘କେଉଁ ଉପକଥା–ନିଜ ମନକୁ ଦୃଢ଼କରି କୌଣସି ଏକ ସତୀ ନାରୀ ଆଙ୍ଗୁଠି ପୋଡ଼ି ଦେଇଥିଲା ଘିଅଦୀପ ଶିଖାରେ–ଗୋରା ସାହେବକୁ ତାର ସ୍ଵାମୀପ୍ରୀତିର ପରାକାଷ୍ଠା ଦେଖେଇବା ପାଇଁ ।

 

ନିର୍ଜନ ପଠାରେ ଟଣିଆ ପାଖରେ ବସି ଶୋଭା କଳ୍ପନା କରେ ନିଜର ଦୃଢ଼ତା, ନିଜର କର୍ତ୍ତବ୍ୟନିଷ୍ଠା, ନିଜର ଆତ୍ମବିଶ୍ଵାସ କେମିତି ପ୍ରତିପାଦିତ କରିଦେବ ଟଣିଆ ପାଖରେ, ତାକୁ ପୂରାପୂରି ବାଟକୁ ନେଇ ଆସିବ । ତା’ର ମନର ଦ୍ୱନ୍ଦକୁ ପୋଛି ପକେଇବ । ସବୁବେଳେ ସୁଯୋଗ ଖୋଜେ । କଥା ପ୍ରସଙ୍ଗରେ ସତ୍ୟର ଅନ୍ୱେଷଣରେ, ଶାନ୍ତି ପ୍ରାପ୍ତିର ଆଶାରେ ଆଶାୟୀ ଘୋଡ଼ା ପିଠିରେ ବସି ଲାଲକୋଠୀରୁ ସୁସୁପ୍ତରାତିରେ ବାହାରି ଆସୁଥିବା ସାହେବ ଭୂତଠାରୁ ଆରମ୍ଭ କରି, ନିଜ ବିଶ୍ଵାସରେ ଅଟଳ, ପାଣ୍ଡିତ୍ୟରେ ନମ୍ର ଜ୍ୟୋତିଷପ୍ରବର ପଠାଣୀ ସାମନ୍ତଙ୍କ କପିଳାସ ପାହାଡ଼ର ଉଚ୍ଚତା କଳନା ବିଷୟ କହି ଶୋଭା ଚେଷ୍ଟାକରେ ଟଣିଆର ଭାଙ୍ଗି ପଡ଼ୁଥିବା ମନୋବଳକୁ ଦୃଢ଼ କରେଇବା ପାଇଁ–ତା’ ନିଜ ମୁହଁରୁ ନୂଆ ବାଟର ସନ୍ଧାନ ନେବାପାଇଁ–ନିଜର ବ୍ୟକ୍ତିତ୍ଵକୁ ନିଜେ ଆବିଷ୍କାର କରିବାପାଇଁ ।

 

ଏମିତି ଦିନେ ବସି କଥାବାର୍ତ୍ତା । ହେଉ ହେଉ ଟଣିଆ ପଚାରିଲା–ଆଉ କେତେଦିନ ଆମେ ଏମିତି ରହିବା ? ପୁଲିସ୍‌ ମୋ ନାଁରେ ପାଞ୍ଚଶହ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି ? ମକୁର ଲୋକମାନେ ମୋତେ ଧରିନେଇ ପୁରସ୍କାରଟା ନେଇଯିବେ, ଆମେ କଛି କରିପାରିବା ନାହିଁ-। ମୋ ସାଙ୍ଗ ସାଥୀ ଜେଲ୍‌ରେ ସଢ଼ିବେ, ପୋକମାଛି ପରି ମରିବେ । ମୁଁ ତମ ପାଖରେ ରହି ପାରିବି ନାହିଁ । ଅବାଟରୁ ବାଟକୁ ଆସି ପାରିବି ନାହିଁ ।

 

ବଡ଼ଦିନର ପ୍ରତୀକ୍ଷାପରେ ଟଣିଆ ମୁହଁରୁ ଭଲବାଟକୁ ଆସିବା କଥା ଶୁଣି ଶୋଭା ଖୁସିରେ ଗଦ୍‌ଗଦ୍‌ ହୋଇଉଠିଲା । ଟଣିଆକୁ ନିଜ ଉପରକୁ ଟାଣିନେଇ ନିରର୍ଥକ, ଅହେତୁକ କଥା କିନ୍ତୁ କହୁ କହୁ ପ୍ରସଙ୍ଗ କ୍ରମେ କହିଲା–କେତେଟା ପ୍ରସ୍ତାବ ଅଛି । ତମେ ରାଜି ହେଲେ ମୁଁ କହିବି ।

 

କୁହ–ଶୋଭା କୋଳରେ ମୁଣ୍ଡ ରଖି ଆଗ୍ରହରେ କହିଲା ଟଣିଆ ।

 

ତମେ ତମ ଗ୍ୟାଙ୍ଗର ମେମ୍ବର ମାନଙ୍କୁ ଛାଡ଼ି ଭଲ ବାଟରେ ଯାଇ ପାରିବ ନାହିଁ । ତମ ପ୍ରକୃତି ଯାହା ସେମାନଙ୍କ କଥା ନ ବୁଝିଲେ ଶାନ୍ତିରେ ରହି ପାରିବ ନାହିଁ । ସେଇଥିପାଇଁ ସେମାନଙ୍କ ବିଷୟରେ ମୁଁ ପ୍ରଥମେ ଚିନ୍ତା କରିଛି ।

 

ଟଣିଆ ଆଶ୍ଚର୍ଯ୍ୟ ହୋଇ ତା ସ୍ତ୍ରୀକୁ ଅନେଇଲା । ଏତେ କମ୍‌ଦିନ, ଏତେ ଅଳ୍ପ ଦେଖାସାକ୍ଷାତ ଉପରେ ତା ସ୍ତ୍ରୀ ସେ ତା ଚରିତ୍ରକୁ ଭଲ ଭାବରେ ଅନୁଧ୍ୟାନ କରି ପାରିଛି ତାହା ଭାବି ସେ ଆଶ୍ଚର୍ଯ୍ୟାନ୍ୱିତ ହେବା ସଙ୍ଗେ ସଙ୍ଗେ ଶୋଭାକୁ ମନେ ମନେ ତାରିଫ୍‌ କରିବାକୁ ଲାଗିଲା-। ଶୋଭା ସେ ନିଶ୍ଚୟ କିଛି ବାଟ ବାହାର କରିବ, ଏଥିରେ ତା’ର ସନ୍ଦେହ ନଥିଲା । ଶୋଭା କିଛି ସମୟ ଚୁପ୍‌ ରହିଯିବା ଦେଖି ସେ ଅଧୀର ହୋଇ କହିଲା–କହୁନି, କ’ଣ କରିବା ?

 

ମୁଁ ଶୁଣିଛି ଆପ୍‌ପା ପାନ ମସଲା ତିଆରି କରି ଜାଣେ । ଆଗରୁ ସେ ପାନ ମସଲା ବ୍ୟବସାୟ କରୁଥିଲା । ତା’ପାଇଁ ହଜାରେ ଟଙ୍କା ବନ୍ଦୋବସ୍ତ କରିଦେଲେ ସେ ଭଲ କାମରେ ଲାଗିଯିବ । ରୋଜଗାର ମଧ୍ୟ ଭଲ ହେବ ।

 

ଆପ୍‌ପା ବିଷୟରେ ଶୋଭା ଏତେ ଖବର ରଖିଥିବା ଜାଣିପାରି ଟଣିଆ ତା ସ୍ତ୍ରୀ ମୁହଁକୁ ଆହୁରି ଆଶ୍ଚର୍ଯ୍ୟ ହୋଇ ଅନେଇ ରହିଲା । ସେ କଣ ଉତ୍ତର ଦେବ ଜାଣି ପାରିଲା ନାହିଁ । ପର ମୁହୂର୍ତ୍ତରେ ଚିନ୍ତା କରି କହିଲା–ଠିକ୍‌ ଯେ–ହଜାରେ ଟଙ୍କା ଦେବ କିଏ ?

 

ତମେ କହିଲେ ଗୋପାଳ ବାବୁ ଧାର ସୂତ୍ରରେ ନିଶ୍ଚୟ ଦେବେ । ସେ ତମ କଥା ନିଶ୍ଚୟ ରଖିବେ ।

 

ଗୋପାଳବାବୁ ଫାଇଦା ପାଇଁ ଟଙ୍କା ଦିଅନ୍ତି । ଏମିତି କାମ ପାଇଁ କହିଲେ ସେ ହୁଏତ ଅମଙ୍ଗ ହେଇ ପାରନ୍ତି ।

 

ଗୋପାଳବାବୁ ଆପ୍‌ପାକୁ ଟଙ୍କା ଦେବେ ନାହିଁ, ତମକୁ ଦେବେ ।

 

ଗୋପାଳ ବାବୁଙ୍କୁ କହିବି । କିନ୍ତୁ ଆପ୍‌ପା ରାଜି ତ ?

 

ଆପ୍‌ପା ସାଙ୍ଗରେ ମୁଁ କଥାବାର୍ତ୍ତା କରିଛି । ସେ ରାଜି । ବେଲୁର ଇଚ୍ଛା ସେ ପାରାଦ୍ୱୀପ ଯିବ । ଆଉ କାହା ସାଙ୍ଗରେ ମିଶି ମାଛ ବ୍ୟବସାୟ କରିବ । ତାକୁ ପାଞ୍ଚଶହ ଟଙ୍କା ଦରକାର । ସେ ଟଙ୍କା ମୁଁ ଦେବି । ନିକ ପାଖରେ ପାଞ୍ଚଶହ ଟଙ୍କା ଅଛି । ଆଉ ପାଞ୍ଚଶହ ହେଲେ । ସେ ପାନ ଦୋକାନ କରିବ ।

 

ତା ପାଇଁ ପାଞ୍ଚଶହ ଟଙ୍କା ଆଣିବା କୁଆଡୁ ?

 

ସେଇଟା ତମ ଉପରେ ନିର୍ଭର କରେ ।

 

–ମାନେ ?

 

ତମେ ନିଜକୁ ଧରେଇ ଦେଲେ ନିକ ପାଞ୍ଚଶହ ଟଙ୍କା ପାଇବ ।

 

–ମୁଁ ବୁଝିପାରୁନି ।

 

ତମକୁ ଧରିବା ପାଇଁ ପାଞ୍ଚଶହ ଟଙ୍କା ଘୋଷଣା କରାଯାଇଛି । ନିକ ତମକୁ ଧରେଇ ଦେଇ କହିଲେ ସେ ପାଞ୍ଚଶହ ଟଙ୍କା ପୁରସ୍କାର ପାଇଯିବ ।

 

କଥାଟାକୁ ଅଧାରୁ ଛଡ଼େଇ ନେଇ ଟଣିଆ କହିଲା–ଆଉ ମୁଁ କ’ଣ କରିବ ? ଜେଲରେ ସଢ଼ିବି ?

 

ନାଁ, ତା ନୁହେଁ । ପୁଲିସବାବୁମାନଙ୍କ ସାଙ୍ଗରେ କଥାବାର୍ତ୍ତା କରି ତମେ ନିକ ସାହାଯ୍ୟରେ ଆତ୍ମସମର୍ପଣ କରିବ । ଭବିଷ୍ୟତରେ ଆଉ ଗୁଣ୍ଡାମୀ, ମାଡ଼ ଫୌଜଦାରୀରେ ଭାଗ ନେବ ନାହିଁ କହିଲେ ପୁଲିସ ନିଶ୍ଚୟ ସାହାଯ୍ୟ କରିବ । ସେ କାମ ମୋ ଉପରେ ଛାଡ଼ିଦିଅ ।

 

ପୁଲିସ କଣ ଏତେ ସହଜରେ ମୋତେ ବିଶ୍ଵାସ କରିବ । ଥରେ ଯିଏ ପୁଲିସ ନଜରରେ ଖରାପ ବୋଲି ପ୍ରତିପାଦିତ ହୋଇଛି ତାକୁ ସେମାନେ ଭଲ ଆଖିରେ ଦେଖି ପାରନ୍ତି ନାହିଁ, ସବୁବେଳେ ସନ୍ଦେହ କରନ୍ତି ।

 

ମୁଁ କହିଲି ନା ସେ କାମ ମୋ ଉପରେ ଛାଡ଼ିଦିଅ–ଶୋଭା କଣ୍ଠରେ ଦୃଢ଼ତା । ଶୋଭାର ଦୃଢ଼ ମନୋଭାବ ସବୁବେଳେ ଟଣିଆକୁ ବିମୋହିତ କରିଦିଏ–ସେ କହିଲା–ଠିକ୍‌ ଅଛି, ତମେ ଯାହା କରୁଛ କର ।

 

ତମେ ଜେଲରେ କିଛିଦିନ ରହିଲା ପରେ ମୁଁ ତମକୁ ଜାମିନରେ ନେଇ ଆସିବି । ଆଉ ଆମ ଘର ପୁଲିସ ଖାନତଲାସ କରିବ ନାହିଁ । ଆମେ ଚୋର, ତସ୍କରର ଜୀବନ ଯାପନ କରିବା ନାହିଁ । ଆସ୍ତେ ଆସ୍ତେ ସବୁ ସୁଧୁରି ଯିବ । ଜେଲରୁ ଖଲାସ ହେଲାପରେ ମେରିଆ ବଜାର ଛକରେ ଲୁଗା ଦୋକାନ କରିବା ।

 

ଏସବୁ ପାଇଁ ଟଙ୍କା ଆସିବ କୁଆଡ଼ୁ ?

 

ମୁଁ ମୋର ସବୁ ଗହଣା ବିକି ଦେବି । ଆମେ ନୂଆ ଜୀବନ ଆରମ୍ଭ କରିବା–ଗହଣା ଥାଇ ହେବ କ’ଣ ?

 

ଶୋଭା, ତମେ କେଡ଼େ ମହତ୍‌ । ଇଚ୍ଛା ହେଉଛି ତମର ପାଦଧୂଳି ନିଅନ୍ତି ।

 

ଦରକାର ନାହିଁ । ମୋତେ ତମ ଛାତି ଉପରେ ଆଉଜେଇ ନିଅ । ସେତିକି ମୋ ପାଇଁ ଯଥେଷ୍ଟ ପୁରସ୍କାର ।

 

ଦୁହେଁ ପ୍ରାଣଖୋଲା ହସ ହସି କାଠଯୋଡ଼ି ବାଲି ଉପରେ ଗଡ଼ି ପଡ଼ିଲେ । ତଣ୍ଡି ଘାସର ଶେଯ ତିଆରି କରି ଦେହକୁ ଦେହ ମିଶେଇଦେଲେ । ପରସ୍ପର ଉପରେ ନିଜର ସତ୍ତା ହରେଇ ଦେଲେ ।

 

ଶୋଭା ଯୋଗାଡ଼ ଯନ୍ତ୍ରରେ ଲାଗିଗଲା । ସମସ୍ତଙ୍କ କାମ ବୁଝିଦେଇ ଟଙ୍କା ପଇସା ଯୋଗାଡ଼ କରିଦେଲା । ତାପରେ ସେ ଗଲା ଇନ୍‌ସପେକ୍‌ଟରଙ୍କ ପାଖକୁ । ଶୋଭାର ପ୍ରସ୍ତାବ ଶୁଣି ଇନ୍‌ସପେକ୍‌ଟର ପ୍ରଥମେ ସନ୍ଦିହାନ ହେଲେ । ଟଣିଆର କିଛି ନୂଆ ଚାଲ୍‌ ନୁହେଁତ ? ସବୁ ଶୁଣି ସାରି ଶୋଭାକୁ ନେଇ ଗଲେ ଏସ୍‌. ପି.ଙ୍କ ପାଖକୁ । ସମସ୍ତେ କଥାବାର୍ତ୍ତା କରି ନିଷ୍ପତ୍ତି କଲେ ନିକ ଟଣିଆକୁ ନେଇଆସିବ । ଟଙ୍କା ନେଇ ନିକ ପାନ ଦୋକାନ ଦେବ । ପାନ ଦୋକାନ ଆରମ୍ଭଦିନରୁ ଟଣିଆ ଗ୍ୟାଙ୍ଗ୍‌ର ପରିସମାପ୍ତି ଘଟିବ । ଏସ୍‌. ପି. ଖୁସି–ଜଞ୍ଜାଳରୁ ରକ୍ଷା ମିଳିବ । ଇନ୍‌ସପେକ୍‌ଟର ଖୁସି–ତାଙ୍କ ଚରିତ୍ରପତ୍ର ଭଲ ହେବ । ଶୋଭା ଖୁସି–ତା ସ୍ଵାମୀକୁ ମଣିଷକରି ଗଢ଼ି ତୋଳିବ ।

 

କେବଳ ଟଣିଆର ମନ ଦ୍ୱିଧାଗ୍ରସ୍ତ, ଆଶଙ୍କାରେ ପରିପୂର୍ଣ୍ଣ । ସେ ନୂଆ ଜୀବନ ସହ ଖାପ ଖୁଆଇ ପାରିବ କି ନାହିଁ, ତାର ଏତେଦିନର ସଯନ୍ନ ବର୍ଦ୍ଧିତ ବ୍ୟକ୍ତିତ୍ଵ ଅନ୍ୟମୋଡ଼ ନେଇ ଧକ୍‌କା ଖାଇଯିବକି ନାହିଁ ? ସୁଅର ତୋଡ଼, ନୂତନ ବ୍ୟକ୍ତିତ୍ଵର କଷ୍ଟ ଭିତରେ ନିଜକୁ ସମ୍ଭାଳି ପାରିବ କି ନାହିଁ ?

 

ତାର ଚିନ୍ତିତ ମୁହଁ, କୁଞ୍ଚିତ କପାଳକୁ ଦେଖି ଶୋଭା ଅନୁମାନ, କରିନିଏ ମନ ଭିତରେ କି’ ପ୍ରକାରର ଦ୍ଵନ୍ଦ, ଝଡ଼ ଓ ଘାତ ପ୍ରତିଘାତର ସ୍ରୋତ ବହୁଥିବ । ଟଣିଆ ମନକୁ ଶାନ୍ତି ଦେବାପାଇଁ, ତା’ପାଖରେ ଖମ୍ବପରି ଛିଡ଼ାହେବା ପାଇଁ ବଦ୍ଧପରିକର ଶୋଭା ବିଭିନ୍ନ ଉପଦେଶ ଦିଏ, ଅନେକ କଥା କହେ, ଅନେକ ଉଦାହରଣ ଦିଏ । ଟଣିଆର ମନ ଅବୁଝା ହୋଇ ଆସିଲେ ତାକୁ କୋଳକୁ ଟାଣିଆଣି, କପାଳ ଉପରେ ହାତ ବୁଲେଇ କହେ–ତମେ ସବୁକାମ ମୋ ଉପରେ ଛାଡ଼ି ଦେଇଛନା-? ଦେଖ–ମୁଁ କଣ କରୁଛି ।

 

ଟଣିଆ ଅଧିକା କିଛି କହିପାରେ ନାହିଁ । ହାତର ପରଶ, କଥାର ଢଙ୍ଗ ତାକୁ ସାହସ ଦିଏ, ଆଶାଦିଏ ।

 

ଇନ୍‌ସପେକ୍‌ଟରଙ୍କ ପାଖରେ ଟଣିଆ ଆତ୍ମସମର୍ପଣ କଲାବେଳେ ଥାନାର ସବୁ ବାବୁମାନେ ଉପସ୍ଥିତ ଥିଲେ । ଏହି ସେହି ଟଣିଆ–କେତେଜଣ ତାକୁ ଆଗରୁ ଦେଖିଥିଲେ, କେତେ ଦେଖି ନଥିଲେ । ଚେହେରାରୁ ସେ ଏତେ ଦୁର୍ଦ୍ଦାନ୍ତ ମନେ ହେଉନଥିଲା । ଆତ୍ମସମର୍ପଣ ବେଳେ ସେ ଆହୁରି ବିନମ୍ର ହୋଇଯାଇଥିଲା । ଏତେ ଦିନର ନୀତିଶିକ୍ଷା କାମ ଦେଇଥିଲା । ଶୋଭାର ବିଜୟ ହେଇଥିଲା, ଦାନବ ପ୍ରକୃତି ଉପରେ ଦେବତ୍ୱର ଛାପ ସ୍ପଷ୍ଟ ହୋଇ ଉଠୁଥିଲା । ଶାନ୍ତ, ଭଦ୍ର ଭାବେ କଥାବାର୍ତ୍ତା କଲା ଟଣିଆ । ତାର ସମସ୍ତ ବୟାନ ଶୁଣିସାରି, ଟଣିଆ ସହ ଏକାନ୍ତରେ କଥାବାର୍ତ୍ତା ହୋଇ ଇନ୍‌ସପେକ୍‌ଟର ତାକୁ କୋର୍ଟକୁ ଚାଲାଣ କରିଦେଲେ ।

 

କୋର୍ଟକୁ ପଠେଇସାରି ଇନ୍‌ସପେକ୍ଟର କିଛି ସମୟ ଗୁମ୍‌ମାରି ବସିଗଲେ । ଆଖିରେ ଲୁହଜମି ଆସୁଥାଏ–ଅନ୍ୟମାନଙ୍କ ଅଜାଣତରେ ଲୁହ ପୋଛି ପକେଇଲେ । ସାମନା ରାସ୍ତାକୁ ଅନେଇଲେ । ସହରର କୋଳାହଳ ରାସ୍ତା ଉପରେ–ବୁଲା ବିକାଳି, ଗାଡ଼ି, ମଟର, ରିକ୍‌ସାର ଗର୍ଜନ ସହ ମଣିଷର ଯୁଆର । ଯାନ୍ତ୍ରିକ ପ୍ରକୃତିର ପ୍ରଭାବ ପ୍ରତିସ୍ତରରେ ଫୁଟି ଉଠୁଛି । ଏଇଠି ରହିବାପାଇଁ ଜାଗାନାହିଁ, ଖାଦ୍ୟ ପାଇଁ ଦାନାନାହିଁ, ପିନ୍ଧିବା ପାଇଁ ବସ୍ତ୍ରନାହିଁ, ଅନ୍ୟମାନଙ୍କ ଦୁଃଖ ବୁଝିବାପାଇଁ ସମୟ ନାହିଁ, ଶିକ୍ଷାନାହିଁ ସମସ୍ତେ ଅଜଣା–କେହି କାହାର ନୁହେଁ । ଅନ୍ୟକୁ ପଛରେ ପକେଇ, ଦଳିକୁଦି ଆଗକୁ କେମିତି ମାଡ଼ିଯିବ ସେହି ଇଚ୍ଛା ବଳବତ୍ତର । ସେହି ଇଚ୍ଛା ମନୁଷ୍ୟକୁ କ୍ରୂର କରିଦେଉଛି । ପିଲାଦିନରୁ ସେ ଶିଖୁଛି ନୂଆ ସଂସ୍କୃତିର ଭାବଧାରା–ପୁରାତନ ସଂସ୍କୃତି, ଦୟା କ୍ଷମା ତା’ ପାଖରେ ମୂଲ୍ୟହୀନ । ସେଥିଯୋଗୁଁ ଟଣିଆପରି ଗୋଟାଏ ହୀରା କାଚଖଣ୍ଡରେ ପରିଣତ ହୋଇଛି ।

 

ରାସ୍ତା ଉପରୁ ମୁହଁ ଫେରେଇଲେ ଥାନା ଭିତରକୁ । ତାଙ୍କର ମନେହେଲା ପ୍ରଥମଥର ପାଇଁ ଥାନା ଭିତରେ ଖଣ୍ଡ କାଚଗୁଡ଼ିକୁ ସାଉଁଟି ସୁନ୍ଦର ମୂର୍ତ୍ତି ତିଆର କରିବା ପ୍ରଚେଷ୍ଟା ହୋଇଛି । ପାଖରେ ଶୋଭା ଛିଡ଼ା ହୋଇଥାଏ–ଅନୁମତି ନେଇ ବିଦାୟ ନେବାପାଇଁ । ଇନ୍‌ସପେକ୍ଟର ଅନୁଭବ କଲେ ଶୋଭା ମୁହଁରେ ଗର୍ବ । ବିଜୟ ଏବଂ ଆତ୍ମପ୍ରତ୍ୟୟର ଚିହ୍ନ–ସୃଷ୍ଟି ପରେ ସ୍ରଷ୍ଟାର ଆତ୍ମତୃପ୍ତି–ଆଖିରେ ଲୁହ ନାହିଁ ।

 

ଇନ୍‌ସପେକ୍‌ଟର ପଚାରିଲେ–ଏତେ ବଡ଼ ସହରରେ ଏକାକୀ ହୋଇଯିବ–ଦୁଃଖ ଲାଗୁନି ?

 

କିଛି ଦୁଃଖ ନାହିଁ ସାର୍‌–ମୋ ସ୍ୱାମୀ ଭଲବାଟକୁ ଚାଲି ଆସିଲେ ଆଉ ଏକାକୀ ହେବି ନାହିଁ–ମୁଁ ଭଲରେ ରହିବି ।

 

ଇନ୍‌ସପେକ୍‌ଟରଙ୍କ ଇଛାହେଲା ଶୋଭାକୁ ଗୋଟାଏ ସାଲ୍ୟୁଟ୍‌ କରିଦେବ–ସେ ବୋଧହୁଏ ମଣିଷକୁ ନେତୃତ୍ଵ ଦେବାର ଉପଯୁକ୍ତ ପାତ୍ରୀ–କାଚକାଟି ହୀରା ତିଆରି କରିବା ଜହୁରୀ ।

 

ଯାହା କରୁଥିଲେ ତାହା ନକହି ସେ କେବଳ କହିଲେ କିଛି ଅସୁବିଧା ହେଲେ ମୋତେ କହିବ ମୋର ସାଧ୍ୟମତେ ସାହାଯ୍ୟ କରିବି– ।

 

ଶୋଭା ଧନ୍ୟବାଦ ଦେଇ ଚାଲିଗଲାବେଳେ ଇନ୍‌ସପେକ୍ଟର ପଛରୁ କହିଲେ–ତମେ ଜେଲ ଗେଟ୍‌କୁ ଯାଅ । ଟଣିଆସହ ଦେଖା କରିବ ।

 

ଇନ୍‌ସପେକ୍‌ଟର ଶୋଭା ଯିବା ବାଟକୁ ଅନେଇ ରହି ଭାବିଲେ–ସେ ଯେଉଁ କାମରେ ହାତ ଦେଇଛି ସେଥିରେ କୃତକାର୍ଯ୍ୟ ହେବତ ? ଅକୃତକାର୍ଯ୍ୟ ହୋଇ ଆଗରୁ ଅନେକ ଅମଡ଼ା ମାଡ଼ିଥିବା ଲୋକଙ୍କ ପରି ଆଣ୍ଠୁ ଗଣ୍ଠି ଛିଣ୍ଡି ଭଗ୍ନମନୋରଥ ହୋଇ ଆତ୍ମହତ୍ୟା କରିବ ନାହିଁ ତ ? –ଶୋଭାର ସାଫଲ୍ୟ ଟଣିଆ ଉପରେ ନିର୍ଭର କରିବ । ସେ ଯଦି ଜେଲ୍‌ରେ ନିଜକୁ ଦୃଢ଼ ନକରେ–କୁସଙ୍ଗର କେନ୍ଦ୍ର ସ୍ଥଳୀ ଜେଲ୍‌ରେ ସବୁ ରକମ ଦୁଷ୍କର୍ମ ଶିଖିନିଏ–ମନ ବଦଳେଇ ଦିଏ ! ତା’ହେଲେ ତାକୁ ଶୋଭା ଗୋଟିଏ ତୁଚ୍ଛ ସ୍ତ୍ରୀ ଲୋକ ପରି ମନେ ହେବ ।

 

ଭବିଷ୍ୟତରେ କଣ ହେବ–ଇନ୍‌ସପେକ୍‌ଟର ଭାବି ପାରିଲେ ନାହିଁ । ତଥାପି ଭାବିଲେ ଶୋଭାକୁ ତାଗିଦ୍‌ କରିଦେବେ । ସେ ସବୁବେଳେ ଯେମିତି ହେଲେ ଟଣିଆସହ ଯୋଗାଯୋଗ ରଖୁ । ତାର ପରୀକ୍ଷାପାତ୍ରରୁ ବିଷ ବାହାରି ପାରେ, ଅମୃତ ମଧ୍ୟ ବାହାରି ପାରେ–ଆଗରୁ ସାବଧାନ ହେଲେ ବର୍ଷ ସଞ୍ଚରି ଯିବ ନାହିଁ । ତାର ପରୀକ୍ଷା ଅସଫଳ ହେବ ନାହିଁ ।

 

ଜେଲ୍‌ଫାଟକ୍‌ସାମନାରେ ଶୋଭା ଅପେକ୍ଷା କରିଥାଏ । ଟଣିଆକୁ ଦେଖି ଆଖିରୁ ଲୁହ ପୋଛୁ ପୋଛୁ କହିଲା–ଅଳ୍ପଦିନ ଭିତରେ ମୁଁ ତମକୁ ଜାମିନରେ ନେଇଯିବି, ଥୟ ଧରିବ ।

 

ତମେତ ମୋର ଅଭୟ ଦାତ୍ରୀ । ତମେ ଯେତେବେଳେ ଅଛ, ମୋର ଚିନ୍ତା ନାହିଁ–କହି ଜେଲ ଫାଟକ ଭିତରେ ପଶିଗଲା ଟଣିଆ ।

 

ବାହାରେ ରହି ଭଲ ଲୋକ ହେବା ସମ୍ଭବ ନୁହେଁ । ଭାବି ପାରିଲା ଭିତରେ ରହିବା ଶ୍ରେୟ ମଣିଥିଲା । କିନ୍ତୁ ଜେଲ ଭିତରେ ଆହୁରି ଅନେକ ଅସୁବିଧା, ବାହାର ଦୁନିଆଠାରୁ ଅନେକ ଭୟଙ୍କର । ମକୁ ଗ୍ୟାଙ୍ଗର ଦୁଇ ତିନିଜଣ ଜେଲରେ ଥାଆନ୍ତି କୌଣସି ଏକ ଚୋରୀ କେଶ୍‌ରେ । ରାତିରେ ସମସ୍ତେ ଶୋଇଗଲା ପରେ ସେମାନେ ଆରମ୍ଭ କରିଦେଲେ ସେମାନଙ୍କ ଦୌରାତ୍ମ୍ୟ । ଖୁବ୍‍ ପିଟାପିଟି କଲେ ଟଣିଆକୁ । ଟଣିଆ କିଛି ନ କହି, କିଛି ନକରି ନିରବ ରହିଗଲା–ସେ ଯେ ଶୋଭା ପାଖରେ ଶପଥ ନେଇଛି ଭଲଲୋକ ହେବାପାଇଁ । ଏଇଟା ହେଉଛି ତାର ଶପଥ ପାଳନର ପ୍ରଥମ ପରୀକ୍ଷା !

 

ତା ପରଦିନ ସକାଳେ ଜେଲ ଓ୍ୟାର୍ଡରକୁ ପଇସା ଦେଇ ଶୋଭା ଟଣିଆକୁ ଡକେଇ ପଠେଇଲା କଥାବାର୍ତ୍ତା ହେବାପାଇଁ । ଟଣିଆ ଆସିଲା ନାହିଁ । ତା ଦେହ ଉପରର କ୍ଷତ ଦେଖିଲେ ଶୋଭା ଦୁଃଖ କରିବ, ଭାଙ୍ଗି ପଡ଼ିବ । ତା’ ଯୋଗୁଁ ଟଣିଆର ଏ ଦୁର୍ଦ୍ଦଶା ହୋଇଛି ଭାବି ମ୍ରିୟମାଣ ହେବ । ବରଂ ନ ଗଲେ ଭଲ । ସେ ଖବର ଦେଇ ତା’ ଦେହ ଖରାପ ଅଛି । ଶୋଭା ମନରେ ସନ୍ଦେହ ହେଲା, ଦୁଃଖରେ ହୁଏତ ଟଣିଆ ଭାଙ୍ଗି ପଡ଼ିଥିବ । ଜେଲ ଓ୍ୱାର୍ଡ଼ର ସହ କଥାବାର୍ତ୍ତାରୁ ଜାଣିପାରିଲା ଅପର ଦଳର ଲୋକ ରାତିରେ ଟଣିଆକୁ ପିଟାପିଟି କରିଛନ୍ତି । ସେଇଥି ପାଇଁ ସେ ଆସୁ ନାହିଁ । ଶୋଭା ଅନୁମାନ କରିନେଲା ଟଣିଆ କାହିଁକି ଆସୁନାହିଁ । ସେ ବୋଧେ ଚାହେ ନାହିଁ ଶୋଭା ମନରେ କଷ୍ଟ ହେଉ–ତା ଯୋଗୁ ସେ ମାଡ଼ ଖାଇଛି ବୋଲି ଅନୁଭବ କରୁ । ଟଣିଆ ଯେ ଭଲ ହେଇ ଆସୁଛି ଏଥିରେ ତା’ର ସନ୍ଦେହ ରହିଲା ନାହିଁ । ଏତିକି ବେଳେ ତା’କୁ ସାହାଯ୍ୟ ନ କଲେ ତା’ ମୂଳଦୁଆ ଭାଙ୍ଗି ଯିବ–ପୁଣି ଠିଆ ହେଇ ପାରିବ ନାହିଁ । ସାହାଯ୍ୟ ପାଇଁ ଶୋଭା ଛୁଟିଲା ଇନିସ୍‌ପେକ୍ଟରଙ୍କ ପାଖକୁ । ଇନିସ୍‌ପେକ୍ଟର ଜେଲରଙ୍କ ସହ କଥାବାର୍ତ୍ତା କରି ଟଣିଆ ପାଇଁ ଅନ୍ୟ ୱାର୍ଡ ବନ୍ଦୋବସ୍ତ କରିଦେଲେ । ଜେଲ ଭିତରୁ ଟଣିଆ ଅନୁଭବ କଲା ଶୋଭା ତା’ର ଧ୍ରୁବ ତାରା ହୋଇ ଯାଇଛି । ତା’ର ହଜି ଯାଇଥିବା’ ଦିଗ ଖୋଜିବାରେ ସାହାଯ୍ୟ କରୁଛି । ଘନ ଅନ୍ଧକାର ଭିତରେ ଉଜ୍ଜ୍ୱଳ ନକ୍ଷତ୍ର ହୋଇ ଆଶା ଦେଉଛି । କୃତଜ୍ଞତା, ସ୍ନେହ ଓ ଅମାପ ପ୍ରେମରେ ତା ମନ ପୂରି ଉଠିଲା ।

 

ଇନିସ୍‌ପେକ୍ଟର, ଜେଲର୍‌ ଓ ଜେଲ୍‌ର ୱେଲଫେୟାର ଅଫିସର ଶୋଭାକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଲେ । ସେମାନେ ଜାଣିପାରୁଥିଲେ ଟଣିଆ ଜୀବନରେ ଏକମାତ୍ର ଚୁମ୍ବକ ଶୋଭା–ଚୁମ୍ୱକକୁ ପାଖରେ ରଖିଲେ ଲୁହା ମଣ ହୋଇଯିବ, ଅବାଧ୍ୟ ହୋଇ ଅନ୍ୟକୁ କାଟିପକେଇବ ନାହିଁ । ସେମାନେ ଶୋଭାକୁ ସୁବିଧା ଦିଅନ୍ତି ଟଣିଆ ସହ କଥାବାର୍ତ୍ତା କରିବା ପାଇଁ–ତା ମନକୁ ଟାଣ ରଖିବା ପାଇଁ, ଉପଦେଶ ଦେବାପାଇଁ ।

 

ଜେଲ୍‌ଖାନା ଟଣିଆ ପାଇଁ କୁସଙ୍ଗର କେନ୍ଦ୍ରସ୍ଥଳୀ ନ ହୋଇ ଶିକ୍ଷାନବୀସର ପ୍ରଥମ କର୍ମଶାଳା ହେଲା । ସେହି କର୍ମଶାଳାର ଶିକ୍ଷାଗୁରୁ ହେଲେ ଜେଲର୍‌ ଏବଂ ଜେଲ୍‌ର ୱେଲ୍‌ଫେୟାର୍‌ ଅଫିସର । ପଥପ୍ରଦର୍ଶକ ହେଲେ ଅନେକ ପୂରାତନ ‘ବନ୍ଦୀ । ଜୀବନର ଅର୍ଦ୍ଧାଧିକସମୟ ସୀମିତ ପରିସର ଓ ରୁଦ୍ଧଦ୍ୱାର ଭିତରେ ରହି ସେମାନେ ଅନୁଭବ କରୁଥିବା ମାନସିକ ଯନ୍ତ୍ରଣାର ଆଭାସ ଦେଲେ । ଉପଦେଶ ଦେଲେ । ଅନୁରୋଧ କଲେ । ଦୁଷ୍କର୍ମରୁ ଦୂରେଇ ଭଲ ମନୁଷ୍ୟ ହେବାର ରଙ୍ଗୀନ ଛବି ଆଙ୍କି ବସିଲେ । ପୁଣି ଯଦି ନୂତନ ଜୀବନ ପାଇ ପାରନ୍ତେ ତା’ହେଲେ ସେମାନେ କ’ଣ କରିଥାଆନ୍ତେ ତା’ର ସ୍ୱପ୍ନିଳ ବର୍ଣ୍ଣନା କରିବାରେ ଲାଗିଲେ ଟଣିଆ ପାଖରେ ।

 

ଟଣିଆ ଭାବିଲା ତାର ଜୀବନ ଶେଷ ହୋଇନାହିଁ–କେବଳ ମୋଡ଼ ନେଇଛି । ଅନ୍ଧକାରରେ ଆବୃତ୍ତ । ଅସଂଖ୍ୟ ତାରାଖଚିତ ଆକାଶରେ ତା’ର ଧ୍ରୁବତାରା ସ୍ଥିର । ଧ୍ରୁବତାରାର ଦୀପ୍ତି ଯେମିତି ମଳିନ ନହୁଏ, ସେ ଯେମିତି ଶଙ୍କାକୁଳ ନହୁଏ, ମୁହ୍ୟମାଣ ନହୁଏ–ଏହାହିଁ ହେଲା ତା’ର ଅହରହ ଭାବନା । ରାତିର ଘନ ଅନ୍ଧକାର ଭିତରେ ଧ୍ରୁବତାରାକୁ ଖୋଜିବୁଲେ । ସ୍ୱପ୍ନରେ ଦେଖେ ଶୋଭାକୁ । ଦିନେ ଦୁଇଦିନରେ ଥରେ ଶୋଭା ହାତର ପରଶ ପାଇଁ ଓ ମୁହଁର ହସ ଦେଖି, ଅଭୟବାଣୀ ଶୁଣି ଶାନ୍ତ ହୁଏ । ଅତୀତକୁ ପଛକୁ ଠେଲିଦିଏ । ଭବିଷ୍ୟତକୁ ଅପେକ୍ଷା କରେ–କେବେ ଜେଲରୁ ଖଲାସ ହେବ !

 

ଶୋଭା ଦୌଡ଼ିଲା ଓକିଲ ପାଖକୁ । ଭଲ ଓକିଲ ଦେଇ ଟଣିଆକୁ ଜାମିନ୍‌ରେ କେମିତି ଆଣିବ ସେଥିରେ ଲାଗି ପଡ଼ିଲା । ଦଶ ବାରଟା କେଶ୍‌, ତା ସହିତ ଖୁନ୍‌ କରିଥିବା କେଶ୍‌ । ବହୁତ ଲଢ଼ିବାକୁ ପଡ଼ୁଥାଏ କୋର୍ଟରେ । କେଶ୍‌ସବୁ ତଦବିର ନ କଲେ ନ ଚଳେ । ସେଥିରେ ପୁଣି ବିଭିନ୍ନ ହାତଗୁଞ୍ଜା ଅଛି । ଓକିଲ ମୋହରର ପାଉଣା ଅଛି । ନିଜର ଯାହା କିଛି ଗହଣାଗାଣ୍ଠି ରଖିଥିଲା ସେସବୁ ବିକି ପଇସାପତ୍ର ଯୋଗାଡ଼ରେ ଲାଗି ଯାଇଥାଏ । ଏହା ସାଙ୍ଗରେ ଟଣିଆର ଲୁଗାଦୋକାନ ପାଇଁ ଆୟୋଜନ ମଧ୍ୟ ଚାଲିଥାଏ । ବ୍ୟାଙ୍କରୁ ଋଣ ଆଣିବା ଓ କାଗଜପତ୍ର, ଦୋକାନ ସଜେଇବା ସରଞ୍ଜାମ ସବୁ ନିଜେ ଯୋଗାଡ଼ କରୁଥାଏ ।

 

ଆପ୍‌ପା ଓ ନିଜ ବ୍ୟବସାୟରେ ପାରଙ୍ଗମ ହୋଇ ଯାଇଥିଲେ । ସେମାନେ ଅର୍ଥ ସାହାଯ୍ୟ ପାଇଁ ଆଗେଇ ଆସନ୍ତି । କିନ୍ତୁ ଶୋଭା ନେବା–ପାଇଁ ନାରାଜ । ସେମାନେ ଜିଗର କଲେ ଖାଲି ପଦଟିଏ କହିଦିଏ–ସେ ଆସନ୍ତୁ । ତମେ ନିଜେ ନିଜେ ବୁଝାବୁଝି କରିବ । ଦିଆନିଆ କରିବ । ମୁଁ ସେ ଭିତରେ ପଶିବ କାହିଁକି ?

 

ଚାରିମାସ ପରେ ଟଣିଆ ଜେଲରୁ ଆସିଲା ‘ଜାମିନ୍‌ରେ । ଏବେ ସେ ସବୁ କେଶ୍‌ରେ ଜାମିନ୍‌ ଆଣିଛି । ଆଉ ପୁଲିସ ତା ପିଛା କରିବ ନାହିଁ । ଜେଲ ଦୁଆର ମୁହଁରେ ଛିଡ଼ା ହୋଇଥିଲା ଶୋଭା । ଶୋଭାକୁ ଦେଖି ଟଣିଆ ଖୁସିରେ ପାଟିକରି ଉଠିଲା । ପାଖକୁ ଆସି କହିଲା–ଆଜି ମୁଁ ଦେବୀ ଦର୍ଶନ କଲି । ଏଥର ମୋ ଜୀବନ ଅନ୍ୟ ବାଟରେ ଯିବ, ମୁଁ ତୁମକୁ ସୁଖୀ କରେଇବି ଶୋଭା !

 

ପରେ ପରେ ଟଣିଆ ଚାରିଆଡ଼କୁ ଅନେଇଲା । ସେ ଆଶା କରିଥିଲା ନିକ ଓ ଆପ୍‌ପା ମଧ୍ୟ ସାଙ୍ଗରେ ଆସିଥିବେ । ସେମାନଙ୍କୁ ନ ଦେଖି ସେ ମନେ ମନେ ଭାବିଲା ଏତେ ଦିନ ଜେଲ୍‌ରେ ରହିଲାପରେ ସେମାନେ ତାକୁ ଭୁଲି ଯାଇଥିବ, ନିଜ ଧନ୍ଦାରେ ବ୍ୟସ୍ତଥିବେ । ଟଣିଆର ହାବଭାବ ଲକ୍ଷ୍ୟ କରି ଶୋଭା କହିଲା–ତମ ସାଙ୍ଗମାନଙ୍କୁ ଏଠାକୁ ଆସିବା ପାଇଁ ମନାକରି ଦେଇଥିଲେ । ମୁଁ ତ ଅଛି ତମକୁ ସାହାଯ୍ୟ କରିବା ପାଇଁ, ଅନ୍ୟମାନଙ୍କର ଉପସ୍ଥିତି ଅଦରକାରୀ । ଟଣିଆ ବୁଝିପାରି ହସିଦେଲା ।

 

ଶୋଭା ଟଣିଆର ହାତ ଧରି ରିକ୍‌ସାରେ ବସେଇଦେଲା । ତରତରରେ ନିଜେ ରିକ୍‌ସାରେ ବସି ତା’ର ପିଠି ଆଉଁସି ଦେଲା, ପଣତ କାନିରେ କପାଳରୁ ଝାଳ ପୋଛି ପକେଇଲା । ଶୋଭାର ସାନ୍ନିଧ୍ୟ 'ଟଣିଆ ମନରେ କାମନାର ଉଦ୍ରେକ କଲାନାହିଁ, ବରଂ ସେ ଭାବିଲା ନିଜେ ଛୋଟଛୁଆ ହେଇଯାଇଛି । ତା’କୁ ନୂଆ ବାଟ, ନୂଆ ଆଦର୍ଶ ଶିକ୍ଷାଦେବାପାଇଁ ଶୋଭା ନିଜ କାନି ପଣତରେ ଅତୀତରର ସବୁ କାଳିମା ପୋଛି ଦେଉଛି ଅଜଣା ପଥରେ ଭୁଲିବାପାଇଁ ଉତ୍ସାହ ଦେଉଛି ।

 

ପିଠି, ହାତ ଆଉଁସି ଦେଉଦେଉ ଶୋଇ ତା’ର ସୁନେଲୀ କଳ୍ପନାର ପେଡ଼ି ଖୋଲିବାରେ ଲାଗିଗଲା । ତାର ଆଖି ଦୂର ଭବିଷ୍ୟତ ଉପରେ କେମିତି ଘର ସଜାଡ଼ିବ, ବ୍ୟବସାୟ କରିବା ପାଇଁ କ’ଣ ସବୁ ଯୋଗାଡ଼ କରିଛି, ଟଣିଆ ପାଇଁ କି କି କାମ ରଖିଦେଇଛି । ମା’ପାଖରୁ ଗପ ଶୁଣୁଥିବା ଛୁଆପରି ଟଣିଆ ଶୋଭା ମୁହଁକୁ ଅନେଇ ରହିଥାଏ । ସେ ଆଶ୍ଚର୍ଯ୍ୟ ହେଲା ଶୋଭା ମୁହଁରେ ଅତୀତର ଦୁଃଖ, ଗ୍ଳାନି ପାଇଁ ଅନୁଶୋଚନା ନାହିଁ, ବର୍ତ୍ତମାନର ପୃଷ୍ଠଭୂମି ଉପରେ ଭବିଷ୍ୟତ ଗଢ଼ିବାର କଳ୍ପନା ରହିଛି, ଦୃଢ଼ ଆତ୍ମବିଶ୍ଵାସ ରହିଛି । ଶୋଭା ମୁହଁକୁ ଅନେଇ ତା’ କଥା ଶୁଣୁ ଶୁଣୁ ଟଣିଆ ଅନ୍ୟମନସ୍କ ହୋଇଗଲେ । ଆଖି ଆଗରେ ଭାସି ଆସିଲା ଅତୀତର କୀର୍ତ୍ତିକଳାପ–ଘରେ ଭଲଭାବେ ଖାଇବାକୁ ନପାଇ ସେ କେମିତି । ଛୋଟ ଛୋଟ ଚୋରୀ କରୁଥିଲା, ବାପା ପେଟେ ମଦ ପିଇ ରାତିରେ ଘରକୁ ଫେରି କେମିତି ତାକୁ ଅକାରଣରେ ପିଟାପିଟି କରୁଥିଲା, ନିଜେ ଭଲ ଖାଇବା ପାଇଁ, ଭଲ ପିନ୍ଧିବା ପାଇଁ, ଫୁର୍ତ୍ତି କରିବା ପାଇଁ ସାହି ପିଲାଙ୍କ ସାଙ୍ଗରେ ମିଶି କେମିତି ଛୋଟ ଛୋଟ ଚୋରୀ, ସିନେମା ଟିକେଟ୍‌ କଳାବଜାରୀଠାରୁ ଆରମ୍ଭକରି ଦାଦାଗିରି ପର୍ଯ୍ୟନ୍ତ ଅକ୍ତିଆର କରି ନେଇଥିଲା । ଅତୀତକୁ ରୋମନ୍ଥନ କରୁକରୁ ସେ ଭାବିଲା–ତା ବାପା, ମା ଯଦି ତାକୁ ଆକଟ କରିଥାନ୍ତେ, ପାଠପଢ଼ିବା ପାଇଁ ବାଧ୍ୟ କରିଥାଆନ୍ତେ ତା’ହେଲେ ସେ ଅବାଟରେ ଯାଇନଥାନ୍ତା । ସେ କଟକ ସହରର ଅସଂଖ୍ୟ, ଅନାମଧେୟ ଲୋକଙ୍କର ଜଣେ ହେଇଥାନ୍ତା । –ଆଜି ଖୁଣୀ ଆସାମୀଭାବେ ଗଣିତ ହୁଅନ୍ତା ନାହିଁ–ସୁଖରେ ଘରସଂସାର କରି ଗୋଟିଏ ସାଧାରଣ ମଣିଷ ହେଇଥାନ୍ତା । ଆଗରୁ ଯଦି କେହି ବୁଝେଇ ଦେଇଥାନ୍ତି ଅନ୍ତତଃ ଏହି ଦେବୀପ୍ରତିମା ସହ କିଛି ବର୍ଷ ଆଗରୁ ସାକ୍ଷାତ ହେଇଥାନ୍ତା, ତା’ହେଲେ ତା ଜୀବନର ରଥଚକ ମୋଡ଼ି ନେଇଥାଆନ୍ତା–ସେ ହୁଏତ ଅନ୍ୟମାନଙ୍କର ଘୃଣା, ଦେଶ ଓ ହିଂସାର ଶିକାର ହୋଇନଥାନ୍ତା-

 

ନିଜ ଅଜାଣତରେ ତା’ର ଆଖି ଲୁହରେ ପୂରିଗଲା । ଛାତି ଥରେଇ ଦୀର୍ଘ ନିଃଶ୍ୱାସ ବାହାରି ଆସିଲା ।

 

କଳ୍ପନା ଓ ବାସ୍ତବର ରଙ୍ଗୀନ୍‌ ଜାଲ ବୁଣୁଥିବା ଶୋଭା ଟଣିଆର ଅନ୍ୟମନସ୍କ ଭାବି ଲକ୍ଷ୍ୟ କରି ପାରିନଥିଲା । କିନ୍ତୁ ତାର ଓଦା ଆଖିପତା ଓ ଦୀର୍ଘ ନିଃଶ୍ୱାସ ତାକୁ ପ୍ରକୃତିସ୍ଥ କରିଦେଲା-

 

ଅଧିକା କିଛି ନ କହି, ପଣତରେ ଆଖି ପୋଛିଦେଇ ଟଣିଆ ମୁଣ୍ଡକୁ ନିଜ କୋଳରେ ରଖି, ମୁହଁ ଉପରେ ହାତ ବୁଲେଇ ଆଣିଲା । ରାଜରାସ୍ତାରେ ଯାଉଥିବା ଜନସ୍ରୋତ ପ୍ରତି ଶୋଭାର ଲକ୍ଷ୍ୟ ନାହିଁ । କିଏ କ’ଣ କହିବ ସେଥିପ୍ରତି ଭ୍ରୂକ୍ଷେପ ନାହିଁ । ନିଜ ଓଠ ଟଣିଆ କାନ ପାଖକୁ ନେଇ ଶୋଭା କହିଲା–ତମେ କଣ ଭାବୁଛି ମୁଁ ଜାଣେ । ଅତୀତ ପରା ଗତ ହୋଇ ଗଲାଣି–ତାକୁ ଓଲଟେଇ ଲାଭ କଣ–ବର୍ତ୍ତମାନ କଥା ଭାବ–ଭାବ ତମର ପୁନର୍ଜନ୍ମ ହେଇଛି–ପୁରୁଣା କଥା ସବୁ ଭୁଲି ଯାଇଛି । ଦେଖୁନା–ପାରଦ ଆଲୁଅର ଏଇ ସହର କେତେ ସୁନ୍ଦର ଦେଖାଯାଉଛି ।

 

ଏତିକି କହିସାରି ଶୋଭା ତା’ର ଓଠ ଦୁଇ ଟଣିଆର କାନ ଉପରେ ବୁଲେଇ ଆଣିଲା ।

 

ଟଣିଆ ଶୋଭା ମୁହଁକୁ ଅନେଇଲା । ଶୋଭା ଆଖିରେ ମମତା–ମାତୃତ୍ୱର ଚିହ୍ନ । ଦଶହରା ବେଳେ ପଣ୍ଡିତ ଉଚ୍ଚାରଣ କରୁଥିବା ଶ୍ଳୋକ ତା’ର ମନେ ପଡ଼ିଲେ ଯାଦେବୀ ସର୍ବଭୂତେଷୁ ମାତୃ ରୂପେଣ ସଂସ୍ଥିତା– ।

 

କୋଳରେ ସେମିତି ମୁଣ୍ଡରଖି ହଠାତ୍‌ ଶୋଭାର ଅଣ୍ଟା ଚାରିପଟେ ଦୁଇ ହାତ ଛନ୍ଦିଦେଇ ଟଣିଆ ପାଟିକରି କାନ୍ଦି ଉଠିଲା–କାନ୍ଦ ଭିତରେ ସେ ଭାବୁଥାଏ–ଶୋଭା ତାର ଜାୟା ନୁହେଁ ଜନନୀ–ତାର ପୁନର୍ଜନ୍ମର ଜଠରଧାରଣୀ ।

 

ଜେଲରୁ ଖଲାସ ହେବାର ଦୁଇଦିନ ପର୍ଯ୍ୟନ୍ତ ଘରୁ ବାହାରିବା କଥା ଭୁଲିଗଲା ଟଣିଆ । ଆଗରୁ ଦାମ୍ପତ୍ୟ ସୁଖ ଭଲଭାବେ ଉପଭୋଗ କରିପାରି ନଥିଲେ । ଭୟ, ଆଶଙ୍କା, ଅପ୍ରାକୃତିକ ପରିବେଶ ଉପଭୋଗକୁ ସୀମିତ କରି ଦେଉଥିଲେ । ନିଜ ଘର ଭିତରେ ଶୋଭା ସହିତ ଦୈହିକ ମିଳନ, ଖୋଲା ମନର ଅନାବିଳ ସ୍ନେହ, ମମତା, ପ୍ରେମ ବାହାର ଦୁନିଆର କୋଳାହଳ ଭିତରୁ ଦୂରେଇ ଦେଲା । ଏମିତିକି ନିକ ଓ ଆପ୍‌ପାର ସାନ୍ନିଧ୍ୟ ସୁଦ୍ଧା ତାକୁ ଭଲ ଲାଗୁ ନଥିଲା । ସେ ଦୁହେଁ ତାକୁ ଦେଖା କରିବା ପାଇଁ ଆସିବାରୁ ଶୁଣିଆ ମନା କରିଦେଲା । ଶୋଭା ତାକୁ ଠେଲି ଠେଲି ବାହାରକୁ ପଠେଇଲା । ବାହାରକୁ ଗଲାବେଳେ ଟଣିଆ ଯୁକ୍ତି କରୁଥାଏ–ମୋ ଘରେ ସବୁ ଅଛି, ସ୍ଵର୍ଗ ଅଛି । ମୁଁ ବାହାର ଦୁନିଆ ସହିତ ଆଉ ସମ୍ପର୍କ ରଖିବି କାହିଁକି ?

 

ହସି ହସି ବାହାରକୁ ଠେଲି ଦେଲାବେଳେ ଶୋଭା କହିଲା–ସ୍ୱର୍ଗଟା କେବଳ ଘର ଭିତରେ ଆବଦ୍ଧ ହୋଇ ରହେ ନାହିଁ–ବାହାରର ପରିବେଶ ଭିତରେ, ଦେବରୂପୀ ମଣିଷ ଉପରେ ମଧ୍ୟ କିଛି ଅଂଶ ରହି ଯାଇଛି, ତମେ ଯାଅ ।

 

ବାହାରେ ନିକ ଓ ଆପ୍‌ପା ସହ ଦୁଇପଦ କଥା ହୋଇ ଟଣିଆ ସେମାନଙ୍କୁ ବିଦା କରି ଦେଲା । ଯେଉଁ ଦୁନିଆକୁ ଛାଡ଼ି ଦେଇଛି ତାହା ସହିତ ଆଉ ସମ୍ପର୍କ ଦରକାର କ’ଣ ? ତାର ଦୁନିଆ ଶୋଭା ।

 

ଏତେ ଚଞ୍ଚଳ ଘର ଉପରକୁ ଆସିଯିବା ଦେଖି ଶୋଭା ସାମାନ୍ୟ ହସି ପଚାରିଲା–କ’ଣ ବାହାରଟା ଭଲ ଲାଗୁନି ?

 

ମୁଁ ଯେତେବେଳେ ଭିତରଟାକୁ ସୁନ୍ଦର ଭାବେ ପାଇଛି ବାହାର ସହର ସମ୍ପର୍କ କଣ ? ନୂଆ ଜୀବନରେ ମୁଁ ପୁରୁଣା ଖୋଳ ଛାଡ଼ିଦେଲି ।

 

ଶୋଭାର ଛାତି ଗର୍ବରେ ଫୁଲି ଉଠିଲା । ସେ ଜାଣିପାରୁଥିଲା ଟଣିଆ ନିଜକୁ ପୂରାପୂରି ବଦଳେଇ ଦେବାର ଦୃଢ଼ ସଙ୍କଳ୍ପ କରି ନେଇଛି । ନିଜ ଅଜାଣତରେ ତାର ବ୍ୟକ୍ତିତ୍ଵ ସମ୍ପୂର୍ଣ୍ଣ ପରିବର୍ତ୍ତିତ ହୋଇଛି । କିଛି ସମୟ ପାଇଁ ତା ମନରେ ଶଙ୍କା ହେଲା । ନୂତନ ବ୍ୟକ୍ତିତ୍ୱ ହୁଏତ ଟଣିଆକୁ ବାସ୍ତବମୁଖୀ କରେଇବ ନାହିଁ । ପର ମୁହୂର୍ତ୍ତରେ ଆଶଙ୍କାକୁ ପୋଛିଦେଇ ସ୍ଵାମୀର ହାତଧରି ନିଜ ମୁହଁ ଉପରେ ବୁଲେଇ ନେଲା ! ନିଜ ଛାତିକୁ ଟଣିଆର ମୁହଁ ଉପରେ କିଛି ସମୟ ଚାପି ରଖିଲା ।

 

ଦୁହେଁ ମନ ଖୁସିରେ ଖାଇସାରି ଉଠିଲା ବେଳେ କବାଟ ଧଡ୍‌ପଡ଼୍‌କରିବା ଶୁଣାଗଲା । ପୁରୁଣା ଅଭ୍ୟାସ ବଶତଃ ଟଣିଆ ଉଠିପଡ଼ି ବାଡ଼ିପଟକୁ ଦୌଡ଼ିବା ଉପକ୍ରମ କରି ଅଟକିଗଲା । ତା’ର ମନେ ପଡ଼ିଲା ତାକୁ କେହି ଖୋଜୁ ନାହିଁ, ପୁଲିସର ଧରପଗଡ଼ ନାହିଁ । ନିଜ ବ୍ୟବହାରରେ ନିଜେ ହସି ଉଠିଲା । ତା’ର ବ୍ୟବହାର ଦେଖି ଶୋଭା ମଧ୍ୟ ହସିଲା–ପୁରୁଣା ଅଭ୍ୟାସ ବଦଳି ଯାଇଛି–ନୂଆ କାଣ୍ଡ ହେବାପାଇଁ ଯାହା ସମୟ ଲାଗିବ ।

 

ଟଣିଆ ବାହାରକୁ ଗଲା । ବାହାରେ ଗୋପାଳବାବୁଙ୍କ ଚାକର ଅପେକ୍ଷା କରିଥାଏ । ଆଗେ ସେହି ଚାକର ଦେଖାହେଲେ ଟଣିଆ ବହୁତ କଥାବାର୍ତ୍ତା କରେ, ଖୁସି ଗପ କରେ । ଏବେ ତା ସହିତ କଥାହେବା ଇଚ୍ଛା ନଥିଲା । ଗୋପାଳବାବୁ ତାକୁ ଡକେଇବା ଶୁଣି ସେ କିଛି ନ କହି ଘର ଭିତରକୁ ଚାଲି ଆସିଲା । ତାଙ୍କ ପାଖକୁ ଯିବ କି ନଯିବ କିଛି ଉତ୍ତର ଦେଇ ନଥାଏ ।

 

ଘର ଭିତରୁ ଶୋଭା କହିଲା–ତମେ କହିଦିଅ ସେ ଯିବେ ।

 

ଚାକରଟି ଚାଲିଗଲା ପରେ ଟଣିଆ ଶୋଭା ମୁହଁକୁ ଅନେଇଲା । କାହିଁକି ଶୋଭା ଏମିତି କହିଲା ଭାବି ତା’ର କୌଣସି ସୂତ୍ର ପାଇପାରିଲା ନାହିଁ । ବାଧ୍ୟହୋଇ ପଚାରିଲା–ଗୋପାଳବାବୁ ତ ଗୁଡ଼ାଏ କୁକର୍ମ କରିବାକୁ କହନ୍ତି, ତମେ ଯିବାପାଇଁ କାହିଁକି କହିଲ ?

 

ଆମକୁ ସେ ସାହାଯ୍ୟ କରିଛନ୍ତି । ଟିକିଏ ଯାଇ ଦେଖାକରି ଆସିଲେ ଅସୁବିଧା କ’ଣ ? ବରଂ ତମ ନୂଆ ଜୀବନ ବିଷୟରେ ତାଙ୍କୁ କହିବ । ସେ କିଛି ସାହାଯ୍ୟ କରି ପାରନ୍ତି ।

 

ହାଃ–ସେ ଯେଉଁ ସାହାଯ୍ୟ କରିବେ ? –ବ୍ୟଙ୍ଗ କରି କହିଲା ଟଣିଆ ।

 

ସେମିତି ନୁହେଁ । ମଣିଷ ସବୁବେଳେ ଖରାପ ହେଇ ରହି ପାରିବ ନାହିଁ । କେତେବେଳେ କେମିତି ନିଶ୍ଚୟ ତାର ଭଲ ଗୁଣ ଦେଖାଦେବ । ହୁଏତ ଗୋପାଳବାବୁ ଉଦାର ମନୋଭାବ ନେଇ ଆମକୁ ସାହାଯ୍ୟ କରି ପାରନ୍ତି–କହିଲା ଶୋଭା ।

 

ତମେ ବୋଧେ ଏଇଠି ହାର ମାନିଯିବ ଶୋଭା !

 

କିଛି ଯାଏ ଆସେ ନାହିଁ । ତମେ ଯାଅ–କହିଲା ଶୋଭା । ଟଣିଆର ଅନିଚ୍ଛା ଭାବ ଦେଖି ଶୋଭା ମନେ ମନେ ବ୍ୟସ୍ତ ହୋଇ ଉଠିଲ । । ପ୍ରଥମେ ସେ ଅସାମାଜିକ, ଅଘଟଣ କାର୍ଯ୍ୟରେ ଜଡ଼ିଯାଇ ଅମଣିଷ ପାଲଟି ଯାଇଥିଲା । ଏବେ ମଣିଷ ହେବାକୁ ଯାଇ ଅନ୍ୟ ମନୁଷ୍ୟ ମାନଙ୍କୁ ଦୂରେଇ ଦେବାରେ ଚେଷ୍ଟା କରୁଛି । ଗୋଟାଏ ସ୍ଵଭାବର ପ୍ରାନ୍ତଦେଶରୁ ଅନ୍ୟ ସ୍ଵାଭାବର ଅଗ୍ରଭାଗକୁ ଗତିକରି ହୁଏତ ସେ ଭାରସାମ୍ୟ ହରେଇ ବସିବ–ବେଶୀ ମଣିଷ ପାଲଟି ଯାଇ ସମାଜର ସାମାଜିକ ଆବଶ୍ୟକତାଠାରୁ ଦୂରେଇ ଯିବ–ସେ ପରିପ୍ରେକ୍ଷୀ ମଧ୍ୟ ତାକୁ ଅନ୍ୟ ମୂଲ୍ୟବୋଧର ଅମଣିଷ କରି ଦେବ ।

 

ଟଣିଆକୁ ଏହି ନୂତନ ଭାବଧାରାରୁ ଦୂରେଇ ଦେବାପାଇଁ ଶୋଭା ବାଧ୍ୟ କଲା ଗୋପାଳବାବୁଙ୍କ ଘରକୁ ଯିବାପାଇଁ–ବାହାର ଦୁନିଆ ସହ ସମ୍ପର୍କ ରଖିବା ପାଇଁ ।

 

ନିଜ ଅନିଚ୍ଛା ସତ୍ତ୍ୱେ ଟଣିଆ ଗୋପାଳବାବୁଙ୍କ ଘର ଭିତରକୁ ଗଲା । ତାକୁ ଦେଖି ଗୋପାଳବାବୁ ଘର ଖୁସି । ଘର ଭିତରକୁ ଡାକି ନେଉନେଉ କହିଲେ –ବହୁତ ଦିନ ଜେଲ୍‌ରେ ରହିଗଲୁ । ଆମର କାମ ସବୁ ବାକି ରହିଯାଇଛି । ତୋ ସ୍ତ୍ରୀ ମଧ୍ୟ ମୋତେ କିଛି ଖବର ଦେଲା ନାହିଁ-। ଟଙ୍କା ପଇସା ମଗେଇଲା ନାହିଁ !

 

ଟଣିଆ କିଛି ନକହି ଚୁପ୍‌ହୋଇ ଛିଡ଼ା ହୋଇ ରହିଲା, ମନେ ମନେ ଭାବୁଥାଏ–ମଗେଇ ଥିଲେ ଗୋଟିଏ ପଇସା ଦେଇନଥାନ୍ତେ–କାମ ନଥିଲେ କି କିଛି ଦେବେ ? ତା ମୁହଁକୁ ନ ଅନେଇ ଗୋପାଳବାବୁ କହି ଚାଲିଥାନ୍ତି–ଆସନ୍ତା ସପ୍ତାହରେ ସାଲେପୁରରେ ଆମର ସାଧାରଣ ସଭାହେବ-। ବହୁତ ଲୋକ ଆସିବେ । କ୍ଷମତାସୀନ ଦଳର ଲୋକେ–ଗଣ୍ଡଗୋଳ କରିବାପାଇଁ ମସୁଧା କରୁଛନ୍ତି । ତୁ ଯାଇ ସବୁ ସଂଭାଳିବୁ ।

 

ମୁଁ ସେ ସବୁ କାମ ଛାଡ଼ି ଦେଲାଣି–ନିସ୍ପୃହ ଭାବେ କହିଲା ଟଣିଆ । ଗୋପାଳବାବୁ ଭାବୁଥିଲେ ଟଣିଆର ଏହା ଏକ କୌଶଳ, ଅଧିକା ଟଙ୍କା ଦାବି କରିବା ପାଇଁ । ତେଣୁ କହିଲେ–

 

ଦୁଇ ହଜାର ଟଙ୍କା ମିଳିବ ।

 

ମୁଁ ସତରେ ସେ ସବୁ ଭିତରେ ପଶୁ ନାହିଁ । ଏଥର ଭଲ ହୋଇଯିବା ପାଇଁ ଚେଷ୍ଟା କରୁଛି ।

 

ତୁ ମୋତେ ଥଟ୍ଟା କରୁନାହୁଁ ତ ?

 

ଆଜ୍ଞା ନାଁ ।

 

ବଡ଼ ଆଶ୍ଚର୍ଯ୍ୟ । ତୁ ଭଲ ହେବା କଥା କେବେଠୁଁ ମନକୁ ଆଣିଲୁଣି ।

 

ଜେଲକୁ ଗଲାବେଳୁ ।

 

ଭଲ ଯେ, କିନ୍ତୁ ଭଲ ବାଟରେ ଯାଇ ପାରିବୁଟି ? ତୋର ସାଙ୍ଗ ସୁଖ, ତୋର ଶତ୍ରୁମାନେ, ତୋର ଅଭିମାନ, ପ୍ରତିହିଂସା ତୋତେ କ’ଣ ଭଲ ହେବାକୁ ଦେବ ?

 

ଚେଷ୍ଟାତ କରୁଚି । –ତଥାପି ଉତ୍ତର ସ୍ପୃହାହୀନ ।

 

ଗୋପାଳବାବୁ ଅନେଇଲେ ଟଣିଆକୁ । ହଠାତ୍‌ କିଛି ବୁଝି ପାରିଲେ ନାହିଁ, କିଛି ସମୟ ଚୁପ୍‌ରହିବା ପରେ କହିଲେ–

 

ଚେଷ୍ଟାକର, ଭଲ । ମୋତେ ଦେଖୁନୁ । ମୁ ରାଜନୀତି ଛାଡ଼ିବା ପାଇଁ କେତେ ଚେଷ୍ଟା କରୁଛି । କିନ୍ତୁ ରାଜନୀତି କ’ଣ ମୋତେ ଛାଡ଼ୁଛି, ଲୋକମାନେ କ’ଣ ମୋତେ ଛାଡ଼ୁଛନ୍ତି ? ମୁଁ ସେହି ପଙ୍କ ଭିତରେ ଘାଣ୍ଟି ହେଇ ରହିଛି । ତୁ ଯଦି ପାରିବୁ ଖୁବ୍‌ ଭଲ ।

 

ମନେ ମନେ ହସିଲା ଟଣିଆ । ଗୋପାଳବାବୁ ପୁଣି ରାଜନୀତି ଛାଡ଼ିବେ ! ଛାଡ଼ିଲେ ତାଙ୍କର ଅନ୍ୟ ବେଉସା କଣ ଅଛି ? ଏବେ ଯେତେ ସବୁ ଅର୍ଥ ଖର୍ଚ୍ଚ ହୋଇଯାଉଛି ତାକୁ ଭରଣା କରିବ କିଏ ? ମନ୍ତ୍ରୀ ନ ହୋଇ ମରିଗଲେ ତାଙ୍କ ଅତୃପ୍ତ ଆତ୍ମା ଭୂତ ହୋଇ ବୁଲିବ ନାହିଁ ।

 

ଗୋପାଳବାବୁ ଟଣିଆ ମୁହଁକୁ ଅନେଇ ହସିଲେ । ପ୍ରଥମେ ଟଣିଆ ଭାବିଲା ସେ ହସ ବିଦ୍ରୁପର, ଅବିଶ୍ଵାସର । ପର ମୁହୂର୍ତ୍ତରେ ସେ ଅନୁଭବ କଲା ସେ ହସ ଏକ ଅସହାୟ ବ୍ୟକ୍ତିର–ଯାହାର ନିଜ ଉପରେ କର୍ତ୍ତୃତ୍ୱ ନାହିଁ, ନିଜ ପରିବେଶ ଉପରେ କର୍ତ୍ତୃତ୍ୱ ନାହିଁ–ସେ ବ୍ୟକ୍ତିର ଏକ ବ୍ୟକ୍ତିତ୍ଵ ବାରନାରୀର ।

 

ଗୋପାଳବାବୁ କିଛି ସମୟ ଚୁପ୍‌ରହି ପୁଣି ପଚାରିଲେ– ହଠାତ୍‌ ତୋ ମନରେ ଏମିତି ଭବାନ୍ତର ଆସିଲା କେମିତି ?

 

ଏଥର ଟଣିଆ ନିର୍ଲିପ୍ତ ଉତ୍ତର ନଦେଇ ଆଗ୍ରହର ସହ କହିଲା–ମୋ ସ୍ତ୍ରୀ ଯୋଗୁଁ ।

 

ତୋ ସ୍ତ୍ରୀ ଯୋଗୁଁ !

 

ହଁ ଶୋଭା ମୋତେ ଭଲ ବାଟକୁ ଆସିବା ପାଇଁ ଶିଖେଇଛି ।

 

ଏମିତିକି ମୁଁ ଆପଣଙ୍କ ପାଖକୁ ଆସିବା ପାଇଁ ନାରାଜ ଥିଲି, ସେ ମୋତେ ବାଧ୍ୟ କରି ପଠେଇଲା ।

 

କାହିଁକି ?

 

କହିଲା–କୌଣସି ଲୋକ ସବୁବେଳେ ଖରାପ ହୋଇ ନପାରେ,ନିଶ୍ଚୟ କିଛି ଭଲ ଗୁଣ ଅଛି ଯାହା ସମୟକ୍ରମେ ପ୍ରକାଶ ପାଏ । ଆପଣ ମୋତେ ଆଗରୁ ସାହାଯ୍ୟ କରିଛନ୍ତି, ତେଣୁ ମୋର ନ ଆସିବା ଉଚିତ ହେବ ନାହିଁ ।

 

ଗୋପାଳବାବୁ ହଠାତ୍‌ ଟଣିଆର ହାତକୁ ନିଜ ହାତ ପାପୁଲି ଭିତରେ ଛନ୍ଦି ଧରିଲେ । କଲେଜ୍‌ରେ ପଢ଼ିଲା ବେଳର ଦର୍ଶନଶାସ୍ତ୍ରର କିୟତ୍‌ଅଂଶ ମନେପଡ଼ିଗଲା–ଆଖିରେ ତାଙ୍କର ଲୁହ ଜମି ଆସୁଥିଲା ।

 

ହାତ ଛାଡ଼ି ଦେଇ ସଙ୍ଗେ ସଙ୍ଗେ କହିଲେ–ହଉ, ତୁ ଏଥର ଯା....... ଦରକାର ହେଲେ କିନ୍ତୁ ଆସିବୁ !

 

ଗୋପାଳବାବୁ ସଙ୍ଗେ ସଙ୍ଗେ ତାକୁ ବିଦା କରି ଦେବାରୁ ତା’ମନରେ କିଛି ଦୁଃଖ ହେଲା ନାହିଁ । ତା ପାଖରେ କାମ ନାହିଁ । ତେଣୁ ଅଯଥା ପାଖରେ ରଖି ସମୟ କାହିକଁ ନଷ୍ଟ କରିବେ ? ବରଂ ଅନ୍ୟ ଲୋକ ଖୋଜିବେ, କାମରେ ଲଗେଇବେ ।

 

ଟଣିଆ ଚାଲିଗଲା ପରେ ଗୋପାଳ ବାବୁ ତା ବାଟକୁ ଅନେଇ ରହିଲେ–ଆଖିରେ ଲୁହ ଭରି ହୋଇ ଯାଇଥିଲା–ପଚିଶ ବର୍ଷ ତଳେ ଦର୍ଶନ ଅଧ୍ୟାପକଙ୍କ ତର୍ଜମା ବିଷୟ ମନେ ପଡ଼ିଗଲା । ମନ ପଡ଼ିଗଲା କାଳଜୟୀ ଶଙ୍କରାଚାର୍ଯ୍ୟଙ୍କର ମାତୃବନ୍ଦନା ।

 

କୁକର୍ମୀ, କୁସଙ୍ଗୀ, କୁବୁଦ୍ଧିଃ, କୁଦାସଃ, କୁଳାଚାରହୀନଃ, କଦାଚାର ଲୀନଃ ।

 

କୁଦୃଷ୍ଟିଃ, କୁବାକ୍ୟ, ପ୍ରବଦ୍ଧଃ, ସଦାହଂ, ଗତିସ୍ତଂ, ଗତିସ୍ତ୍ୱଂ ତ୍ୱମେକା ଭବାମୀ ।

 

ସେତିକିବେଳେ ସେ ଭାବିପାରି ନଥିଲେ ଭବାନୀ ହିଁ ଏକମାତ୍ର ଗତି ଅସଦ୍‌ପଥରୁ ନିବର୍ତ୍ତାଇବା ପାଇଁ । ସେ ଭାବିଥିଲେ ଏହା ଏକ କବିଙ୍କର କଳ୍ପନା, ଭକ୍ତର ଆବେଗ, ଏକ ଅତିପଣ୍ଡିତ ପରିବ୍ରାଜକଙ୍କର ଅନ୍ୟକୁ ଆକର୍ଷଣ କରିବାର କୌଶଳ ।

 

ଆଜି ହଠାତ୍‌ ତାଙ୍କର ମନେହେଲା ଶଙ୍କରାଚାର୍ଯ୍ୟ ଏମିତି ଗୋଟିଏ ମାତୃରୂପିଣୀ ଶୋଭାକୁ ଆଦର୍ଶ ରୂପେ ଥୋଇ ତାଙ୍କ ସ୍ତୋତ୍ର ରଚନା କରିଥିବେ–ମାନବ ସମାଜର କଲ୍ୟାଣ ପାଇଁ-

 

ନିଜ ହାତକୁ ଅନେଇଲେ–ମନେହେଲା ନିଜର କଳୁଷିତ, କଙ୍କରିଳ ଜୀବନର କିଛି ଅଂଶ ହଠାତ୍‌ ଯେମିତିକି ଟଣିଆ ଉପରେ ଛାଡ଼ି ଦେଇଛନ୍ତି । ଆଉ ବେଶୀ ପ୍ରଭାବିତ କଲେ ଭବାନୀଙ୍କର ଅପମାନ ହେବ ଭାବି ସେ ତାକୁ ବିଦା କରି ଦେଇଥିଲେ । ସେ ଚାହୁଁ ନଥିଲେ ଅନୁସରିତ ଟଣିଆକୁ ପଥଚ୍ୟୁତ କରିବା ପାଇଁ । ଏତେ ଦିନ ପରେ ସେ ଅଦୃଶ୍ୟରେ, ଅନ୍ୟ ଏକ ପରିବେଶ ଭିତରେ ଗୋଟିଏ ମହୀୟସୀ ନାରୀର ପରିଚୟ ପାଇଲେ । ଆଖିର ଲୁହ ଭିତରେ ସେ ଭାବୁଥିଲେ ଶଙ୍କରାଚାର୍ଯ୍ୟଙ୍କ ପରି–ହେ ମା, ପୃଥିବୀରେ ତୁମର ବହୁସଂଖ୍ୟକ ସରଳ ସ୍ଵଭାବ ପୁଅ ଅଛନ୍ତି, କିନ୍ତୁ । ସେମାନଙ୍କ ଭିତରେ ତୁମର ମୁଁ ଗୋଟିଏ ଅଧମ ସନ୍ତାନ । ମୋତେ ତୁମେ ସାହାଯ୍ୟ କର ମା–ମୁଁ କୁପୁତ୍ର କିନ୍ତୁ ତୁମେ କୁମାତା ନୁହଁ ।

 

ଆଖିର ଲୁହ ଭିତରେ ଗୋପାଳ ବାବୁ ଦେଖିବାକୁ ଲାଗିଲେ ନିଜର ରାଜନୀତିକ ଜୀବନର ଝଡ଼ଝଞ୍ଜା, ନୀତି, ଅନୀତିର ଛବି–ଟଣିଆ ଯଦି ଭଲ ବାଟକୁ ଆସି ପାରିଲା ସେ କାହିଁକି ଆସିବେ ନାହିଁ ।

 

ଲୁହ ପୋଛି ମନସ୍ଥ କଲେ ସେ ପ୍ରଥମେ ଶୋଭାକୁ ଦେଖି ଆସିବେ । ତା ସହିତ କଥାବାର୍ତ୍ତା କରିବେ ।

 

ଟଣିଆ ସେଠାରୁ ଘର ଆଡ଼କୁ ଚାଲିଲା । ନୂଆକରି ସେ କାହାକୁ ନିଘା ନକରି, ପୁଲିସ ଆସୁଛନ୍ତି କି ନାହିଁ ନ ଦେଖି, ପ୍ରତିପକ୍ଷ ଲୋକ ଛକିଚନ୍ତି କି ନାହିଁ ଆନୁଧ୍ୟାନ ନକରି ରାସ୍ତାରେ ଆଗେଇ ଚାଲିଲା । ତାର ମନେ ହେଲା ବହୁ ଦିନ ପରେ ସେ ପିଞ୍ଜରା ଭିତରୁ ବାହାରି ଆସିଛି । ମୁକ୍ତ ହୋଇ ଡେଣା ଝାଡ଼ି ସକାଳର ସୂର୍ଯ୍ୟ କିରଣରେ ଘୁରି ବୁଲୁଛି । ତାର ଆନନ୍ଦ ବର୍ଦ୍ଧନ ପାଇଁ ରାସ୍ତାରେ କୋଳାହଳ, ଲୋକାରଣ୍ୟ, ଗୀତ, ବାଜା–ଜାକଜମକ ।

 

କିଏ ଜଣେ ପଛରୁ ତା ହାତଟାକୁ ଧରି ନେଇଥିବା ଦେଖି ଅଭ୍ୟାସବଶତଃ କ୍ଷିପ୍ରଗତିରେ ପଛକୁ ବୁଲିଗଲା । ହାବିଲଦାର ରଜାକ୍‌ ତା ହାତଟାକୁ ଧରି ରଖିଥାନ୍ତି । ତାକୁ ଚମକି ବୁଲି ପଡ଼ିବା ଦେଖି ସେ କହିଲେ–ବେଶ୍‌ ଖୁସିରେ ଯାଉଥିଲୁ, ଚମକ ପଡ଼ିଲୁ କାହିଁକି ?

 

ନାଇଁ, ତିନିଦିନ ହେଲା ଜେଲରୁ ଆସିଲା–ପ୍ରକୃତିସ୍ଥ ହୋଇ କହିଲା ଟଣିଆ ।

 

ଭଲ ହେଲା ଜେଲ ଚାଲିଗଲୁ । ନହେଲେ ବିପକ୍ଷଦଳ ତୋତେ ଜୀବନରେ ରଖିନଥାନ୍ତେ । ଏବେ ସେ କାମରେ ଆଉ ମନ ଲଗାନା । ଆଉଥରେ ଯେମିତି ଆରେଷ୍ଟ ନ ହେଉ-। ତୋତେ ଆରେଷ୍ଟ କରିବା ପାଇଁ ଉପର ହାକିମଙ୍କ ପାଖରୁ ବହୁତ ଗାଳି ଶୁଣିବାକୁ ପଡ଼ୁଛି କି ନା-? –ହେ ହେ କରି ହସୁ ହସୁ କହିଲେ ରଜାକ୍‌ ।

 

ମୁଁ ଆଉ ସେଥିରେ ମିଶୁ ନାହିଁ–କହି ଟଣିଆ ଘର ଆଡ଼କୁ ଚାଲିଲା । ରଜାକ ସହ କଥାବାର୍ତ୍ତା କରିବା ପାଇଁ ତାର ଇଚ୍ଛା ନଥାଏ । ରଜାକ୍‌ ଅନ୍ୟ ଦୁନିଆର ମଣିଷ । ସେହି ଦୁନିଆ ଠାରୁ ସେ ଦୂରେଇ ଯାଇଛି । ସେ ମିଶିବ ନୂଆ ଦୁନିଆ ଲୋକଙ୍କ ସାଙ୍ଗରେ ଯେଉଁମାନେ ଅନୁଭବ କରିଛନ୍ତି, ମଣିଷ ମନକୁ ବୁଝିଛନ୍ତି, ଅବାଟରୁ ବାଟକୁ ଆଣିବା ଚେଷ୍ଟା କରୁଛନ୍ତି–ସେ ମିଶିବ ଶୋଭାର ଦୁନିଆରେ । ସେ କାହିଁକି ଅନ୍ୟମାନଙ୍କ ସହ ଆଳାପ ଆଲୋଚନା ଜମେଇବ ?

 

ତାର ଏହି ଖାପଛଡ଼ା ବ୍ୟବହାର ଦେଖି ହାବିଲ୍‌ଦାର ରଜାକ୍‌ ଆଶ୍ଚର୍ଯ୍ୟ ହୋଇଗଲେ । ପରେ ପରେ ରାଗି ତାକୁ ଅନେଇ ମନେ ମନେ କହିଲେ–ଆଚ୍ଛା ବେଟା, ଦେଖିବା କ’ଣ କରୁଛୁ । କେତେଦିନ ଏମିତି ଚାଲିବ ।

 

ଥରେ ମଦ ପିଇବା ଆରମ୍ଭ କଲେ ମକୁ ନିଜ ଉପରେ କର୍ତ୍ତୃତ୍ୱ ରଖିପାରେ ନାହଁ । ପିଉ ପିଉ ସେ ତାର ଶୈଶବକୁ ଚାଲିଯାଏ । ନିଜେ ଅନୁଭବ କରିଥିବା ଦୁଃଖ କଷ୍ଟକୁ ମନେ ପକାଏ । ବୋତଲକୁ ପାଟି ଭିତରେ କାମୁଡ଼ି ଧରୁ ଧରୁ ସବୁବେଳେ କହୁଥାଏ–ଶାଲା ବେଇମାନ୍‌, ସବ୍‌ଶାଲା ବେଇମାନ୍‌, ଧୋକାବାଜ୍‌, ନାଦାନ୍‌ ।

 

କିଏ ବେଇମାନ, କିଏ ନାଦାନ୍‌, କିଏ ତାକୁ ଧୋକା ଦେଇଛି–କେହି ପଚାରେ ନାହିଁ । ତା ଦଳର ଲୋକ ସବୁ ତିନି ଚାରିବର୍ଷ ହେବ ତା ସହିତ ମିଳାମିଶା କରିଛନ୍ତି, ଅତୀତରେ ସେ କ’ଣ ଥିଲା, କେମିତି ଗ୍ୟାଙ୍ଗ ଗଢ଼ିଲା ସେକଥା ବୁଝିବା ପାଇଁ ସେମାନଙ୍କ ଆଗ୍ରହ ନଥାଏ । ସେମାନଙ୍କ ଆଗ୍ରହ ମଦ ପିଇବା, ପଇସା ନେଇ ଫୁର୍ତ୍ତିରେ ଉଡ଼େଇବା ଏବଂ ଦରକାର ପଡ଼ିଲେ ମଣିଷ ରକ୍ତରେ ହୋରି ଖେଳିବା ।

 

ସେ ଦିନ ସକାଳୁ ରମ୍‌ ବୋତଲକୁ ଦାନ୍ତ ଭିତରେ ଚାପିଧରି ମକୁ ପିଇବା ଆରମ୍ଭ କରି ଦେଇଥିଲା । ଅସ୍ପଷ୍ଟଭାବେ ଗାଳିଦେବା ଆରମ୍ଭ କରି ଦେଇଥାଏ । କିଛି ପଇସା ନେବା ଆଶାରେ ଆସିଥିବା ଗରୁ ରମ୍‌ ବୋତଲ ଦେଖି ଆଶାୟୀ ହୋଇ ଉଠିଲା । ସେ ମଧ୍ୟ ଦି’ଢୋକ ପିଇଯିବ । ମକୁକୁ ମାଗିଦେଲେ ରାଗିଯିବ । ସଙ୍ଗେ ସଙ୍ଗେ ଦୁଇବିଧା ବସେଇଦେବି । ପାଖରେ ବସି ତାର ବାହାଦୁରୀ, ତାର ବିପକ୍ଷ ଦଳର ଯୋଜନା, ବାହାସ୍ପୋଟ ବିଷୟ କହିଲେ ମକୁ ସବୁ ଭୁଲିଯାଇ ବୋତଲଟାକୁ ଧରେଇ ଦେବ, ନିଜର ରାଗ, କଳ୍ପନା, ଯୋଜନା ବିକ୍ଷୟ କହି ବସିବ ।

 

ମକୁ ପାଖରେ ବସି ଗରୁ ବିଭିନ୍ନ କଥାର ଅବତାରଣା କରୁ କରୁ ଅତି ସନ୍ତର୍ପଣରେ କହିଲା–ଓସ୍ତାଦ୍‌ ଟଣିଆ ଏବେ ଭଲଲୋକ ହେବାପାଇଁ ଚେଷ୍ଟା କରୁଛି । ଛୁରୀ, ଚାକୁ ପାଖରେ ରଖୁନାହିଁ । ସେ କୁଆଡେ ଗାନ୍ଧୀ ମାହାତ୍ମ୍ୟ ପାଲଟି ଗଲାଣି ।

 

କଉଁ ଶଳା, ମା....କହୁଛି, ଶଳା ବାଘ ତାର ପ୍ରକୃତି ଛାଡ଼ି କ’ଣ ମେଣ୍ଢା ହେଇଯିବ !

 

ସତରେ ଓସ୍ତାଦ୍‌ । ତା’ ସ୍ତ୍ରୀ ତାକୁ କିମିଆ କରି ଦେଇଛି । ରବୁ କହୁଥିଲା ସ୍ତ୍ରୀ ଲୋକଟା ଦଉଡ଼ା ଦଉଡ଼ି କରି ଟଣିଆ ପାଇଁ ଗୋଟାଏ ବେବ୍‌ସା ଠିକ୍‌ କରିଛି ।

 

ମକୁ ସିଧା ହୋଇ ବସି ପଡ଼ିଲା । ରମ୍‌ ବୋତଲଟା, ବଢ଼େଇ ‘ଦେଲା ଗରୁକୁ । ଗରୁ ସଙ୍ଗେ ସଙ୍ଗେ ଦୁଇଢୋକ ପିଇଗଲା । ଗରୁର ପିଇବା ପ୍ରତି ନଜର ନାହିଁ ମକୁର । ଆଖି ତା’ର ସୁଦୂର ଦିଗ୍‌ବଳୟ ଉପରେ ସୀମାବଦ୍ଧ ହୋଇଗଲା ।

 

ନାଲି ଆଖି ଆହୁରି ଲାଲ ହୋଇଗଲା । ପାଟି ସାମାନ୍ୟ ଥରି ଉଠିଲା, ଅସ୍ପଷ୍ଟ ଭାବେ ସେ ଉଚ୍ଚାରଣ କଲା–ଦୀନ୍‌କା ମୋହିନୀ ରାତ୍‌କା ବାଘିନୀ ପଲକ୍‌ ପଲକ୍‌ ଲହୁ ଚୋଷେ-ଦୁନିଆ ସବ୍‌ ବାୱାରା ହୋକର୍‌ ଘର୍‌ ଘର୍‌ ବାଘିନୀ ପୋଷେ ।

 

ସେତିକି ଗାଇ ସାରି ହୋ ହୋ ହୋଇ ହସି ଉଠିଲା ମକୁ ।

 

ଆଉ ଦୁଇଢୋକ ପିଇଦେଇ ଗରୁ ମକୁ ମୁହଁକୁ ଅନେଇ ରହିଥାଏ । କଥାର ଅର୍ଥ କିଛି ବୁଝିପାରୁ ନଥାଏ ।

 

କିଛି ସମୟ ଏମିତି ହସିବା ପରେ ପ୍ରକୃତିସ୍ଥ ହୋଇ ମକୁ ପଚାରିଲା–ସେ ମାଇକିନାର ଏଇଟା ଗୋଟାଏ ଚାଲ୍‌ ହେଇଥିବ ବେ । ଏବେ ତାଙ୍କର ଦଳରୁ ମେମ୍ବର କମିଯାଇଛନ୍ତି କିନା ! ସେଇଥିପାଇଁ ଏଇଟା ଗୋଟିଏ ଫନ୍ଦି ହେଇଥିବ । ମାଇକିନା ଗୁଡ଼ାକୁ ବିଶ୍ୱାସ ନାହିଁ, ଶଳା–ବେବ୍‌ସା କରିବ ।

 

ସେତିକି କହିସାରି ପୁଣି ଆଖି ବନ୍ଦ କରି ବସି ରହିଲା ମକୁ । ଗରୁ ବସି ତା’ପାଖରେ ମଦବୋତଲ ନିଃଶେଷ କରିବାରେ ବ୍ୟସ୍ତ । ସେଥିପ୍ରତି ମକୁର ନଜର ନଥାଏ । ବନ୍ଦ ଆଖି ସାମନାରେ ତାକୁ ତାର ଦେଖାଗଲା ସାବତ ମା’ । ପିଲାବେଳେ କେମିତି ତାକୁ ଖାଇବାକୁ ନଦେଇ ହଇରାଣ କରୁଥିଲା । ବାପା ଆଗରେ ଫେରାଦ ହୋଇ ତାକୁ ସବୁବେଳେ ମାଡ଼ ଖୁଆଉଥିଲା । ମିଛ ଅଭିଯୋଗ କରୁଥିଲା–ମକୁ କିଛି କାମ କରୁନାହିଁ । ଘରେ ବଦ୍‌ମାସି କରୁଛି, ଚୋରୀ କରୁଛି । ଏତେ ଅଭିଯୋଗ, ଏତେ କଷ୍ଟ, ଅସହ୍ୟ ଗାଳି ଭିତରେ ସେ ଅଣନିଃଶ୍ଵାସୀ ହୋଇ ଉଠୁଥିଲା । ସବୁବେଳେ ଚେଷ୍ଟାକରେ ଘରୁ କେମିତି ବାହାର ଚାଲିଯିବ । ରାସ୍ତାରେ ଘୂରିବ, ପାନ ଦୋକାନ ସାମନାରେ ଛିଡ଼ା ହେବ, ବଜାରରେ ବୁଲିବ ।

 

ବାପା ତାକୁ କେତେ ପିଟୁଥିଲା । ସେ ଖାଇ ନାହିଁ କହିଲେ ଶୁଣେ କିଏ ? ସେଇଥି ପାଇଁ ସେ ଛୋଟ ଛୋଟ ଚୋରୀ କରିଥିଲା, ବାଡ଼ିବଗିଚାରୁ ଆମ୍ବ, ପିଜୁଳୀ ଚୋରୀ କରି ଖାଇପକାଉଥିଲେ । ସେତିକି ମଧ୍ୟ ତା’ ମା’ ଆଖିରେ ଗଲା ନାହିଁ । ଧରେଇ ଦେଇଥିଲା ପୁଲିସ ପାଖରେ । ଛୋଟ ଚୋରୀରେ ସେ ଯାଇଥିଲା ଜେଲ୍‌ । ତା’ପରେ ସେ ପଛକୁ ଫେରି ଅନେଇ ନାହିଁ-

 

ଘରକୁ ଫେରିଛି ଗୋଟାଏ ଅଜଣା ବ୍ୟକ୍ତି ହିସାବରେ, ରହିଛି ଅତିଥି ଭାବେ । ତା’ ସାବତ ମା’ର ଅନାଚାର, ବ୍ୟଭିଚାର ସବୁ ଦେଖିଛି । ସେଥିରେ ସେ ପାଟି ଫିଟେଇ ନାହିଁ । ଫିଟେଇବା ଦରକାର କ’ଣ ? ଯେ ଯାହା ବାଟରେ ଅଏସ୍‌ କରୁଛନ୍ତି, ଫୂର୍ତ୍ତି କରୁଛନ୍ତି, ଜୀବନକୁ ଉପଭୋଗ କରୁଛନ୍ତି–ସେ ମଧ୍ୟ ଉପଭୋଗ କରିବ, ବଞ୍ଚିବ ।

 

ବାପା ମଲାପରେ ସେ ଘର ଛାଡ଼ି ଅନ୍ୟ ଜାଗାରେ ରହିଥିଲା–ନିଜର ଚୋରଦଳ ବଢ଼େଇବା ପାଇଁ, ସାମ୍ରାଜ୍ୟ ଲମ୍ବା କରିବାପାଇଁ ।

 

ସେହି ସମୟରେ କୁକୁଡ଼ା ଚୋରୀ କରିବା ଶିଖିଥିଲା । ରାତି ଅଧରେ ଶୋଇଥିବା କୁକୁଡ଼ା ଉପରେ ଥଣ୍ଡାପାଣି ପକେଇ, ସେମାନଙ୍କୁ କାବୁକରି ନେଇ ଆସେ । ନିଜର ସାଙ୍ଗମାନଙ୍କ ସହ ମିଶି ସେଗୁଡ଼ିକୁ ରାନ୍ଧି ଖାଇଦିଏ କିମ୍ବା କମ୍‌ ପଇସାରେ ବିକ୍ରି କରିଦିଏ । କୁକୁଡ଼ା ଚୋରୀ କରିବା ଏବଂ ତାକୁ ବଜାରରେ ବିକିବା କାଠିକରି ପାଠ । ବହୁଥର ଧରାହୋଇ ମାଡ଼ ଖାଇଲା, ପୁଣି ଜେଲ୍‌କୁ ଗଲା । ଜେଲରେ ଥିଲାବେଳେ ସେ ନାନୁର ସଂପର୍କରେ ଆସିଥିଲା । ନାନୁ ଭଦ୍ରଚୋର । ମଲା ମାଛିକି ମ’ କହେ ନାହିଁ, ପିଟାପିଟି କରେ ନାହିଁ । ସେ ହାତ ସଫେଇରେ ଓସ୍ତାଦ୍‌ । ଦୁଇଚାରିଜଣଙ୍କୁ ନେଇ ବଡ଼ ବଡ଼ ଲୁଗା ଦୋକାନକୁ ଯାଏ । ଅନ୍ୟମାନଙ୍କୁ ଲୁଗା ବାଛିବା ପାଇଁ କହି ସେମାନଙ୍କ ଆଢ଼ୁଆଳରେ ଗୋଟାଏ ଦୁଇଟା ଶାଢ଼ି ନିଜ ଢିଲା ସାର୍ଟ ଉପରେ ଭର୍ତ୍ତିକରିଦିଏ । ତାକୁ ବିକିଦେଲେ ତା’ର କିଛି ଦିନ ଚଳିଯାଏ । ପୁଣି ଅଭାବ ହେଲେ ଚୋରୀ କରେ-। ମକୁ ପ୍ରଥମେ ନାନୁ ଦଳରେ ସାମିଲ ହୋଇଯାଇଥିଲା ।

 

କଟକ ସହରରେ ଲୁଗା ଦୋକାନର ଅଭାବ ନାହିଁ, ଦାମୀ ଶାଢ଼ିର ଅଭାବ ନାହିଁ । ନାନୁ ଦଳରେ ମିଶି ସେ ସବୁ କାମରେ ଓସ୍ତାଦି ହାସଲ କରିନେଇଥିଲା ମକୁ । କିନ୍ତୁ ଲୁଗା ଦୋକାନର ପରିବେଶ ଭିତରେ, ସ୍ତ୍ରୀ ଲୋକମାନଙ୍କ ଗହଣରେ ସେ ଶ୍ୱାସରୁଦ୍ଧ ହୋଇଯାଏ ସମ୍ଭ୍ରାନ୍ତ ସ୍ତ୍ରୀଲୋକମାନଙ୍କର ତଥାକଥିତ ଭଦ୍ରତା, ଚାଲିଚଳନ, ପ୍ରବଞ୍ଚନା ତାକୁ ଅତିଷ୍ଠ କରିପକାଏ । ଥରେ ଏମିତି ଗୋଟିଏ ସ୍ତ୍ରୀଲୋକ ନିଜ ଭ୍ୟାନିଟି ବ୍ୟାଗ୍‌ଭିତରେ ଶାଢ଼ିଟିଏ ରଖୁ ରଖୁ ଧରା ପଡ଼ିଯାଇଥିଲା-। ଧରାପଡ଼ିଲା ପରେ ସ୍ତ୍ରୀଲୋକଟାର ମୁହଁ ଭୁରୁଡ଼ି ମକୁକୁ ଆଶ୍ଚର୍ଯ୍ୟ କରି ଦେଇଥିଲା-

 

ଓଃ, ଆଇ ଏମ୍‌ ସରି–କହି ସ୍ତ୍ରୀଲୋକ ସଙ୍ଗେ ସଙ୍ଗେ ଟଙ୍କା ପୁଳାଏ ବାହାରକରି ଦୋକାନୀକୁ ବଢ଼େଇ ଦେଇଥିଲା । ଜାଣି ନଜାଣିଲା ପରି ଛାତି ଉପରୁ ପଣତକାନୀ ଖସେଇ ପକେଇଥିଲା ।

 

ପୁଣି କହିଥିଲା ହସି ହସି–ମୁଁ କିଏ ବ୍ୟସ୍ତ ଥିଲିକି ନା, ଟଙ୍କା ଦେବାକୁ ଭୁଲିଯାଇଥିଲି ।

 

କେତେଟଙ୍କା ଦେଲା, ଶାଢ଼ିର ଦାମ କେତେ କିଛି ନପଚାରି ଚାଲିଯାଇଥିଲା ମତ୍ତଗର୍ବ ଠାଣିରେ । ଦୋକାନୀ ଅଧିକା କିଛି କହି ନ ଥିଲା । ଛାତିକୁ ଖାଲି ଅନେଇ ରହିଥିଲା ।

 

ସେତିକିବେଳେ ମକୁ ଓ ତା ଦଳ ଧରାପଡ଼ି ଯାଇଥାଆନ୍ତେ । କୌଣସି ଉପାୟରେ ଖସି ଯାଇଥିଲେ । ଯାହା ବା ଲୁଗାପଟା ଲୁଚେଇ ରଖିଥିଲେ ସବୁ ସେଇଠି ଫୋପାଡ଼ି ଦେଇ ଆସିଥିଲେ-

 

ଏକୁଟିଆ ବସିଲାବେଳେ ସେ ଭାବେ–ସ୍ତ୍ରୀଲୋକଟା କ’ଣ ଚୋର ନୁହେଁ ? ମୁହଁ ଟାଣ କରି ଖସିଗଲା । କ’ଣ ପାଇଁ ? ସେ ସ୍ତ୍ରୀ ଲୋକ ବୋଲି ନା ଧନ, ଆଭିଜାତ୍ୟର ପ୍ରଭାବରେ ? ନିଜେ ହୋଇଥିଲେ ମାଡ଼ ଖାଇ ନାକଦଣ୍ଡା ଫାଟି ଯାଇଥାନ୍ତା–ଟଙ୍କା ଦେଲେ ମଧ୍ୟ ଶୁଣନ୍ତା କିଏ ?

 

ଶେଷରେ ସେ ଧରାପଡ଼ିଥିଲା ଗୋଟିଏ ସ୍ତ୍ରୀ ଯୋଗୁଁ । ଧରା ପକେଇ ଦେଇଥିଲା ‘ତା’ର ଅତି ପ୍ରିୟ ମାଳିଆର ସ୍ତ୍ରୀ । ମୂଳରୁ ସେ ଭାବିଥିଲା ସ୍ତ୍ରୀ ଲୋକଟା ବଜ୍ଜାତ୍‌ ହୋଇଥିବ ଠିକ୍‌ ତା’ ସାବତ ମା’ ପରି । କଥା କଥାକେ ପାଖକୁ ଲାଗିଆସେ, ତାର କାନ୍ଧଉପରେ ହାତ ପକେଇ ଦିଏ । ମାଳିଆ ନଥିଲା ବେଳେ ତାକୁ ଭିଡ଼ି ଧରିଦିଏ । ତାର ବଦ୍‌ଗୁଣ ଜାଣି ସୁଦ୍ଧା ମକୁ ତା ଜାଲରେ ପଡ଼ିଯାଇଥିଲା–ଅଜାଣତରେ । ତା’ର ଶିକାର ହୋଇଯାଇଥିଲା–ଗରମ ରକ୍ତ ତାକୁ ଭୁଲ ବାଟରେ ନେଇ ଯାଇଥିଲା । ନିଜର ଦେହ ମନ ସବୁ ଦେଇ ଦେଇଥିଲା ମାଳିଆର ସ୍ତ୍ରୀକୁ । ଯାହା ଚୋରୀ କରେ, ଯାହା ପାଏ ସବୁ ଅଜାଡ଼ିଦିଏ ତା’ ପାଖରେ । ସେ କ’ଣ ଭାବିଥିଲା ଦିନେ ମାଳିଆର ସ୍ତ୍ରୀ ତାକୁ ଧରେଇଦେବ ପୁଲିସ ପାଖରେ ଅତି ସହଜ ଭାବରେ ନିଜର ସ୍ୱାର୍ଥ ପାଇଁ ! ତାକୁ ଦେଇଥିବା ସବୁ ଚୋରୀ ଲୁଗାପଟା ପୁଲିସ୍‌କୁ ଦେଇଦେବ । ସେ କେଉଁଠାରେ ରହେ ତାହା ମଧ୍ୟ କହିଦେବ । ପୁଣି ଫେରାଦ୍‌ ହେବ–ମକୁ ତାକୁ ଅତ୍ୟାଚାର କରିଥିଲା, ଛୁରା ଦେଖେଇ ଧମକେଇ ରଖିଥିଲା ।

 

ଧରାପଡ଼ିଲା ପରେ ସେ ଜେଲ୍‌ ଭୋଗିଥିଲା, କିନ୍ତୁ ଜେଲ୍‌ରୁ ଫେରି ଆଉ ଚୋରୀ କଲା ନାହିଁ । ନୂଆ ଅନୁଭୂତି ନେଇ ସେ ଜେଲ୍‌ରୁ ଫେରିଥିଲା । –ଚୋରୀ କରି ଲାଭ କ’ଣ ? ଧରାପଡ଼ିଲେ ଅସୁବିଧା । ବରଂ ଦାଦାଗିରି କଲେ ସୁବିଧା–କଷ୍ଟ ନକରି ଟଙ୍କା ପଇସା ମିଳିବ । ଲୋକେ ଗୋଡ଼େଇବେ–ସେ ନେତା ହେବ, ସମାଜରେ ପ୍ରତିଷ୍ଠିତ ହେବ ।

 

ନିଜ ସାହି ସାଙ୍ଗରେ ଅନ୍ୟ ସାହିର ସୀମା ବିବାଦ ଲାଗି ରହିଥାଏ ଚାରିବର୍ଷ ଧରି । ଆଗରୁ ସନ୍ତସନ୍ତିଆ ଥିବା ଜମିରେ ଏବେ ଘର ହୋଇଥାଏ । ଆଗେ ସେହି ଜମି ଇଜିମାଇଲ୍‌ ଥିଲା-। ଏବେ ଘର ହେଲା ପରେ ଚାନ୍ଦା ଆଦାୟ ପାଇଁ ଦୁଇ ସାହି ଭିତରେ କଳହ । ସାହି ଭାଇଙ୍କୁ ସାହାଯ୍ୟ କରି, ପ୍ରତିବେଶୀ, ଶତ୍ରୁ ପକ୍ଷ ସାହିକୁ ଥଣ୍ଡା କରିଦେଲା ମାର୍‌ପିଟ୍‌କରି, ଗଡ଼ମା ଫୁଟେଇ-। ନିଜ ସାହିର ସମସ୍ତେ ବାହାବା କଲେ, ଟଙ୍କା ପଇସା ଦେଲେ । ପ୍ରଥମେ ସେ ହେଲା ସାହିର ଦାଦା–ଚାନ୍ଦା ଆଦାୟର କର୍ଣ୍ଣଧାର ।

 

ସାହିରୁ ଉତ୍ତୀର୍ଣ୍ଣ ହୋଇ ସେ ହେଲା ସହରର ଅନ୍ୟ ଏକ ଦାଦା ! ଅସାମାଜିକ ଲୋକଙ୍କୁ ଏକାଠି କଲେ କମ୍‌ ପଇସାରେ ବେଶୀ କାମ କରିହୁଏ । ସେମାନଙ୍କ ପରିଶ୍ରମର ମୂଲ ଦେବା ପାଇଁ ଅନେକ ଲୋକ ବାହାରନ୍ତି–ନିର୍ବାଚନ ପାଇଁ, ସାହି ମେଢ଼ପାଇଁ, ଅନ୍ୟକୁ ଅପମାନିତ କରେଇବା ପାଇଁ, ଘର ଖାଲି କରେଇବା ପାଇଁ–ସର୍ବୋପରି ନିଜର କର୍ତ୍ତୃତ୍ୱ ଘର କରିବା ପାଇଁ । .....ଦାଦା ହେଲାପରେ ମକୁର ଖାତିର୍‌ ବଢ଼ିଲା–ସମାଜରେ ପ୍ରତିପତ୍ତି ବଢ଼ିଲା ।

 

ଏ ପ୍ରକାରର କାର୍ଯ୍ୟ ଚୋରୀରେ ଯାଏ ନାହିଁ । ଏହା ସାଧାରଣ କାର୍ଯ୍ୟ ନୁହେଁ । ସାଧାରଣ ଚୋରୀ କଲାବେଳେ ଅନେକଲୋକ ତା’ବିରୁଦ୍ଧରେ ସାକ୍ଷୀ ଦେଉଥିଲେ । ଏବେ ଦାଦା ହେଲା ପରେ ତା’ବିରୁଦ୍ଧରେ କେହି ସାକ୍ଷୀ ଦେଉନାହାନ୍ତି । ପ୍ରାଣକୁ କାହାର ଭୟ ନାହିଁ ! ନିଜ ପାଇଁ ଭୟ ନଥିଲେ ସୁଦ୍ଧା ନିଜ ପରିବାରପାଇଁ, ଆତ୍ମୀୟଙ୍କ ପାଇଁ ତ ଭୟ ରହିଛି । ସାକ୍ଷୀ ଦେଇ ଫେରିଲାବେଳେ ନିଜର ପ୍ରାଣ ବଞ୍ଚିନପାରେ, ଘରଦ୍ୱାର ଭଙ୍ଗାଭଙ୍ଗି ହୋଇ ଲୁଟ୍‌ପାଟ ହୋଇଯାଇପାରେ । ଦାଦା ହେଲାପରେ ଆଉ ସାକ୍ଷୀକୁ ଡରିବାର ନାହିଁ, ପୁଲିସ୍‌କୁ ଡରିବା ପ୍ରଶ୍ନ ଉଠୁନାହିଁ । ଯେଉଁମାନଙ୍କ ପାଖରେ ପୁଲିସ୍‌ ଶଙ୍କାକୁଳ ହୋଇ ଛିଡ଼ା ହୋଇଥାଆନ୍ତି ସେମାନଙ୍କ ସହ ହାତ ମିଳେଇଲେ ପୁଲିସ୍‌କ’ଣ ଗିରଫ କରିପାରିବ, ଅସୁବିଧାରେ ପକେଇ ପାରିବ ?

 

ସମୟେ ସମୟେ ସେହି ପୁଲିସ୍‌ବାବୁମାନଙ୍କର, ଅନ୍ୟ ପଦସ୍ଥ ସରକାରୀ ଚାକିରିଆଙ୍କର ବଦଳି, ପଦୋନ୍ନତି, ସରକାରୀ ଘର, ଜମି ଋଣ ପାଇଁ ସୁପାରିଶ କରିଦେଲେ । ସେମାନେ ମଧ୍ୟ ସାହାଯ୍ୟ କରିବେ–କହି ବୁଲିବେ–ମକୁଟା ଭଲ । ଖୁବ୍‌କାମିକା, ପରୋପକାରୀ । ଏସବୁ କାମ କରିବାପାଇଁ ଦରକାର ପଡ଼ିଲା । ଗୋଟାଏ ମୁଖା–ଭିତରେ ଗୋଟାଏ ମନୋଭାବ, ଉପରେ ଅନ୍ୟ ରକମର ଭାବ । ଦ୍ୱୈତ ଭାବ, ଦ୍ୱୈତ ମୁଖା, ଦ୍ୱୈତ ଚାଲିଚଳନ କରିବାପାଇଁ ମକୁକୁ କିଛି ଅସୁବିଧା ହୋଇନଥିଲା ।

 

ସାମାଜକ ମୁଖା ପିନ୍ଧି ଅସାମାଜିକ କାର୍ଯ୍ୟ କରିବାପାଇଁ ତାକୁ ଆଦୌ କଷ୍ଟ ହୋଇନଥିଲା । ସେ ଥିଲା ନାନୁର ଶିକ୍ଷାନବୀସ । ମନରେ ଗୋଟାଏ ପ୍ରକାରର ଚିନ୍ତା କରି ମୁହଁ ଉପରେ ଆଉ ଗୋଟାଏ ଚିହ୍ନ କେମିତି ଫୁଟେଇ ହୁଏ, ମଣିଷକୁ ମାରିଦେଇ ତା’ପାଇଁ ଲୁହ କେମିତି ଗଡ଼େଇହୁଏ–ସବୁ ଅକ୍ତିଆର୍‌ କରିନେଇଥିଲା । ସେହି ଶିକ୍ଷା ବଳରେ ମାଳିଆର ସ୍ତ୍ରୀକୁ ଘର ପଛପଟ ପିଜୁଳୀ ଗଛରେ ଝୁଲେଇ ଦେଇପାରିଥିଲା–ତାହା ସେ ଅପମୃତ୍ୟୁ ତାହା ମଧ୍ୟ ପ୍ରମାଣ କରେଇ ଦେଇ ପାରିଥିଲା–କିଛି ପ୍ରଭାବ ପକେଇ, କିଛି କଥା କହି, କିଛି ପଇସା ଖର୍ଚ୍ଚ କରି ।

 

ମାଳିଆ ସ୍ଵୀକୁ ମାରିଲା ପରେ ସେ କୌଣସି ସ୍ତ୍ରୀ ଲୋକ ପାଖକୁ ଯାଏ ନାହିଁ .... ତଥାପି ତାର ଭୟ ସ୍ତ୍ରୀଲୋକ ଗୁଡ଼ାକ ତା’ର ଗତିପଥର ଅନ୍ତରାୟ–ତା’ର ଜୀବନ ନୌକାରେ ଝଡ଼ର ସୃଷ୍ଟି କାରଣୀ ।

 

ତା’ର ସହଚର ଛୁରୀ ଏବଂ ମଦ । ସେ ଦୁଇ ଭଲ ତ ନିଜେ ଭଲ ।

 

ମକୁ ହାତ ବଢ଼େଇଲା ରମ ବୋତଲ ପାଇଁ । ଗରୁ ବୋତଲର ସବୁ ରମ୍‌ ନିଃଶେଷ କରିଦେଇଥାଏ ।

 

ଖାଲି ବୋତଲ ଦେଖି ହସିଲା ମକୁ । ...କିବେ ସକାଳୁ ସକାଳୁ ତୁ ମଧ୍ୟ ଆରମ୍ଭ କରିଦେଲୁ । ସେ ମାଇକିନିଆର ଚାଲ୍‌ତୋତେ କାବୁ କରିଦେଇଛି ନା କ’ଣ ?

 

ନାହିଁ ଓସ୍ତାଦ୍‌ । ମୁଁ ସେ ସ୍ତ୍ରୀ ଲୋକଟାକୁ ଦେଖିଛି । ତା’ରକାହାକୁ ଡରଭୟ ନାହିଁ । ତାକୁ ଦେଖିଲେ ମନେହେବ ଗୋଟାଏ ଦେବୀ ଏଇ ସହରକୁ ଆସିଯାଇଛି ।

 

ହାତ୍‌ ଶଳା ! ଦେବୀ ଆସିଯାଇଛି । ଶଳା ଦେବୀ ଗୁଡ଼ାକ ରାତିରେ ସୈତାନ୍‌ପାଲଟି ଯାଉଛନ୍ତି ଟି ! ଦେଖିନୁ ତାଳଦଣ୍ଡା କେନାଲ କୂଳରେ.....ହାରାମ୍‌ଜାଦା ମତେ ଦେବୀ ଦେଖଉଛି ।

 

ଗରୁ ଅଧିକା କିଛି କହିବାପାଇଁ ସାହସ କରୁନଥାଏ–ତା’ର, ମନେ ପଡ଼ିଗଲା କିଛିଦିନ ତଳର ଘଟଣା–ଦଶଟଙ୍କା ଦେଇ କେନାଲ କୂଳର ସନ୍ତସନ୍ତିଆ ଘରେ ହେଁସ ଖଣ୍ଡକ ଉପରେ ସେ ଟିକିଏ ଉତ୍ତାପ ଟାଣି ନେଇଥିଲା ଗୋଟାଏ ସ୍ତ୍ରୀଲୋକ ପାଖରୁ । ପରେ ପରେ ସେ ସ୍ତ୍ରୀଲୋକ ଅଧିକା ପଇସା ମାଗିଥିଲା–ଦେବାକୁ ମନା କରିବାରୁ ସେ ପାଟିକରି ଚତୁର୍ଦ୍ଦିଗ କମ୍ପେଇ ଦେଇଥିଲା, ପିନ୍ଧିବା ଲୁଗା ସବୁ ଟାଣିନେଇ ସୁଧୁ ଲଙ୍ଗଳା କରି ରାସ୍ତାରେ ଛାଡ଼ି ଦେଇଥିଲା । ପୁଲିସ୍‌ ଆସିଲେ–ମଦଖାଇ ଅଶୋଭନୀୟ ଆଚରଣ କରୁଥିବା ଅଭିଯୋଗରେ ତାକୁ ଥାନାକୁ ନେଇଗଲେ–ହୋ ହୋ କରି ହସିଲେ, ବିଦ୍ରୂପ କଲେ । ସେ ଅବା କହିବ କ’ଣ ? ଶେଷରେ ମକୁ ଆସି ଥାନାରୁ ଖଲାସ୍‌କରି ନେଇଥିଲା– । ସେହି ଘଟଣା ମକୁ ମନେ ପକେଇ ଦେଉଛି ଭାବି ଗରୁ ଚୁପ୍‌ହୋଇଗଲା ।

 

କିଛି ସମୟ ଚୁପ୍‌ ରହିବା ପରେ ମକୁ ପଚାରିଲା–ଟଣିଆ ଗ୍ୟାଙ୍ଗ୍‌ର ଅନ୍ୟମାନେ କୁଆଡ଼େ ଗଲେ ?

 

ସେମାନେ ସବୁ ବେବସାୟରେ ଲାଗିଗଲେଣି । ଭଲ ରୋଜଗାର ମଧ୍ୟ କରୁଛନ୍ତି ।

 

ବୁଝିଲୁ । ଏଇଟା ଗୋଟାଏ ଫନ୍ଦି । ଏବେ ତାଙ୍କ ଦଳ ପାବାରରେ ନାହାନ୍ତି ନା ଟଙ୍କା ପଇସା ନଥିବ । ସେଥିଯୋଗୁ ବ୍ୟବସାୟ କରିବା ପାଇଁ ଚେଷ୍ଟା କରୁଥିବେ । ପଇସାପତ୍ର ହେଇଗଲେ ପୁଣି ଫୁଟାଣି ବାହାରିବ...ହେଃ ପ୍ରକୃତ କିଏ କୁଆଡ଼େ ଛାଡ଼ୁଛି ?

 

ଆମେ ଶୁଣିଥିଲ ସେ ସତରେ ଭଲ ହେଇ ଯାଇଛି–ଆଗ୍ରହରେ କହିଲା ଗରୁ ।

 

ଯା, ଯା । ମୋତେ ସେଗୁଡ଼ାକ ଶୁଣେଇବୁ ନାହିଁ । ପ୍ରକୃତି କିଏ ଛାଡ଼ୁଛିରେ ? ଦେଖୁନୁ ନେତା ହେଲାପରେ ମଧ୍ୟ ଲୋକଗୁଡ଼ାକ ନିକୁଛିଆ ପ୍ରକୃତି ଛାଡ଼ୁ ନାହାନ୍ତି–କଟକ ସହରରେ କେହି ଚୋର ବାବାଜୀ ହେଲାଣି ? ଛୁରୀ ଧରିବା ଲୋକ କେବେ ମାଳା ଗଡ଼େଇ ପାରିବ । ତୁ ଶଳା ସେ ମାଇକିନିଆ ପାଲରେ ବୋଧେ ପଡ଼ିଗଲୁଣି ସେଇଥିପାଇଁ ବତୀପେଲା କଥା କହୁଛି । –ଖିଙ୍କାରୀ ହେଲା ମକୁ ।

 

ସେମିତି ନାହିଁ ଓସ୍ତାଦ୍‌ । ଆମେ ଖାଲି ଖବରଟା ଦେଉଥିଲ–କିଏ ଶଙ୍କି ଯାଇ କହିଲା ଗରୁ ।

 

ଠିକ୍‌ ଅଛି, ଯା । ଟଣିଆକୁ ମାରିବା ବନ୍ଦୋବସ୍ତ କର । ତାକୁ ଜଲଦି ଖତମ ନକଲେ ସେ ମାଇକିନିଆଟା କ’ଣ ନାଇଁ କଣ କରି ପକେଇବ–ଆମେ ସହର ଉପରେ ପୁରା କବ୍‌ଜା କରି ପାରିବ ନାହିଁ ।

 

ଗରୁକୁ ସାମାନ୍ୟ ନିଶା ହୋଇ ଯାଇଥାଏ । ସେ ଚାଲିଗଲା ବେଳେ ନିଜକୁ ନିଜେ ପଚାରୁଥାଏ–ଲୋକ କ’ଣ ସତରେ ଭଲ ହେଇ ଯିବ ? ମୁଁ ଶଳା କ’ଣ ମଦ ଛାଡ଼ିଦେବି ନା ମାଇକିନିଆ । ....କିଏ ଜାଣେ ।

 

ଗରୁ ଗଲାପରେ ମକୁ ଯୋଜନା କରିବାକୁ ଲାଗିଲା–ଏଥର ସେ ଗୋଟାଏ ଘର ତିଆରି କରିବ, ଗାଡ଼ି ଗୋଟାଏ କିଣିବ । ଏତିକି ବେଳୁ ଘର ଗାଡ଼ି ନକଲେ, ଭଡ଼ାରେ ନ ଲଗେଇଲେ ନିଜେ ଟଣିଆ ପରି ହେଇଯିବ । ଖାଇବାକୁ ମିଳିବନି, ମୁଣ୍ଡ ଗୁଞ୍ଜିବା ପାଇଁ ଜାଗା ନଥିବ । ରାଜନୀତିରେ କାହାକୁ ବିଶ୍ଵାସ ଅଛି ? –ଏହି ପବନ ଚାଲିଗଲେ ପଚାରିବ କିଏ ? ବୟସ ବଢ଼ିଗଲେ ଦାଦାଗିରି ମଧ୍ୟ କମିଯିବ !

 

ପର ମୁହୂର୍ତ୍ତରେ ଭାବିଲା–ଘର କରିବା ପୂର୍ବରୁ ଟଣିଆକୁ ଖତମ କରିବାକୁ ହେବ । ନହେଲେ ନଚଳେ । ସେଇଟା ତା କାମରେ ବହୁତ ବାଧା ଉପୁଜେଇ ଦେଉଛି । ମିଛ ମିଛରେ ଭଲ ଲୋକ ହେଇଗଲା କହିଲେ ଡି.ଏସ.ପି.ଟା ତାକୁ କିଛି କରିବ ନାହିଁ, ନିଜ ଦଳକୁ ଅସୁବିଧାରେ ପକେଇବ । ସବୁବେଳେ ଚଢ଼ାଉ କରିବ ।

 

ସେ ସ୍ତ୍ରୀ ଲୋକଟା ଯଦି ଅନ୍ୟ କିଛି ବୁଦ୍ଧି ଦେଇ ଟଣିଆକୁ ତା ବିରୁଦ୍ଧରେ ଲଗେଇଥିବ ତା’ହେଲେ ନିଜେ ଟଣିଆ ଛୁରୀରେ ଟଳି ପଡ଼ିବ–କିଏ ଜାଣେ ବାଘପରି ଲୁଚି ରହିଥିବ କେଉଁଠି–ମଉକା ପାଇଲେ ଝାମ୍ପ ଦେବ । ସହରର ଜଙ୍ଗଲ ଉପରେ ତାକୁ ଠାବ କରି କିଛି କରିବାକୁ ପଡ଼ିବ ।

 

ମକୁ ଚଞ୍ଚଳ ହୋଇ ଉଠି ଡାକ ପକେଇଲା–ଆବେ ଟିସୁ–କୁଆଡ଼େ ଗଲୁ ।

 

ଘର ଆଗରେ କାର୍‌ଟିଏ ଥୁଆ ହୋଇଥିବା ଦେଖି ଟଣିଆ ଟିକିଏ ବିଚଳିତ ହେଲା । ପୁଲିସବାଲା କଣ ତାକୁ ଗିରଫ କରିବାକୁ ଆସିଲେ କି ?

 

ଘର ଭିତରକୁ ଯାଇ ମାନିନୀକୁ ଦେଖି ସେ ଆହୁରି ଆଶ୍ଚର୍ଯ୍ୟ ହୋଇଗଲା । ମାନିନୀ ଶୋଭା ସଙ୍ଗରେ ଗପ ଲଗେଇ ଦେଇଥାଏ–ସତେ ଯେମିତିକି ସେ ଦୁହେଁ ପିଲାଦିନୁ ସାଙ୍ଗ । ଟଣିଆକୁ ଦେଖି ମାନିନୀ ଦୌଡ଼ି ଆସି ଗୋଡ଼ତଳେ ମୁଣ୍ଡିଆ ମାରିଲା ।

 

ହଠାତ୍‌ ତୁ କୁଆଡ଼େ ? କଣ କିଛି ଅସୁବିଧା ହେଇଛି କି ?

 

ନାଇଁ ଭାଇ ଅସୁବିଧା ନାହିଁ । ଆମେ ଖୁବ୍‌ ଭଲରେ ଅଛୁ । ମୋ ସ୍ଵାମୀ ବଡ଼ କଣ୍ଟ୍ରାକ୍ଟର ହେଲେଣି । ଭାବିଲି ତୁମକୁ ଦେଖିଯିବ ।

 

ଖୁବ୍‌ଭଲ କଥା । ଶୋଭା, ମାନିନୀକୁ କିଛି ଜଳଖିଆ ଦିଅ ।

 

ସେ କ’ଣ ଖାଇବା ମତଲବରେ ଆସିଛନ୍ତି କି ? ହସି ହସି କହିଲା ଶୋଭା ।

 

ଭାଇ, ତମେ ଏବେ ବ୍ୟାଙ୍କକୁ ଯିବ ବୋଲି ଭାଉଜ କହୁଥିଲେ, କିଛି ଯଦି ମନେ ନ କରିବ ମୁଁ ତମକୁ, କଛି ଟଙ୍କା ଦେବି । ତମେ ପରେ ଫେରେଇ ଦେବ ।

 

ଟଣିଆ ଚୁପ୍‌ରହିବା ଦେଖି ସେ ପୁଣି କହିଲା–ମୁଁ ଜାଣେ ତମେ ଆଦୌ ହଁ ଭରିବ ନାହିଁ-। ତଥାପି ମୋର କିଛି କର୍ତ୍ତବ୍ୟ ନାହିଁ–ଭଉଣୀ ହିସାବରେ ?

 

ଅଛି । ଦରକାର ବେଳେ ମୁଁ କହିବି । ତମେ ଦୁହେଁ କଥାବାର୍ତ୍ତା କର । ମୁଁ ବ୍ୟାଙ୍କକୁ ଯାଉଛି–କହି ଟଣିଆ ଶୋଭା ପାଖରୁ କାଗଜପତ୍ର ନେଇ ଚାଲିଗଲା ।

 

ଟଣିଆର ଯିବା ବାଟକୁ ମାନସ କିଛି ସମୟ ଅନେଇ ରହିଲା । ଭାଇର ଆତ୍ମମର୍ଯ୍ୟାଦାରେ ନିଜେ ଗୌରବାନ୍ୱିତ ହେଲା, ଆଖି ତାର ଉଜ୍ଜ୍ୱଳ ହୋଇ ଉଠିଲା । କେତେ କଷ୍ଟରେ ଦୁହେଁ ଚଳୁଛନ୍ତି, ଅଥଚ କାହା ପାଖରେ ହାତ ପାତି ନାହାନ୍ତି !

 

ମୁହଁ ବୁଲେଇ ଶୋଭାକୁ ଅନେଇଲା । ତା ମୁହଁରେ ମଧ୍ୟ ପରି–ତୃପ୍ତିର ହସ । ମାନିନୀ ଅନୁଭବ କଲା ଶୋଭା ବ୍ୟକ୍ତିତ୍ୱର ଛାପ ଟଣିଆ ଉପରେ ବହୁ ପରିମାଣରେ ପ୍ରତିଫଳିତ । ସେ ଶୋଭାର ହାତ ଧରି କହି ଉଠିଲା–ଭାଉଜ ! ତମ ଯୋଗୁହିଁ ଭାଇ ଏତେ ଭଲ ବାଟକୁ ଆସି ପାରିଲେ । ମୁଁ ଚେଷ୍ଟା କରିଥିଲି, ପାରି ନଥିଲେ । କେତେଟା ଦିନ ଭିତରେ ତମେ ତାଙ୍କ ଚାଲିଚଳନ, ମନୋଭାବ ସବୁ ବଦଳେଇ ଦେଇପାରିଛ । ମତେ ଟିକିଏ ବୁଝେଇ ଦିଅନ୍ତ ନାହିଁ–ବିକାଶକୁ କାବୁ କରି ରଖନ୍ତି ।

 

ମୋ ପାଖକ ପଠେଇ ଦିଅ । କିଛିଦିନ ମୋ, ପାଖରେ ରହିଲେ ମେଣ୍ଢା କରିଦେବି ।

 

ଦୁହେଁ ଖୁବ୍‌ ଜୋରରେ ହସି ଉଠିଲେ ।

 

ବହୁ ସମୟ ଖୁସି ଗପ ପରେ ମାନିନୀ ଚାଲିଗଲା । ଗଲାବେଳେ ଭାବୁଥାଏ ଯଦି ନରାଜରୁ ଫେରିଲା ପରେ ପରେ ଟଣିଆ ଶୋଭାକୁ, ବାହା ହେଇଯାଇଥାନ୍ତା ତାହେଲେ ଖୁଣୀର କଳଙ୍କ ଲାଗି ନଥାନ୍ତା । ପାରାଦ୍ୱୀପରେ ବ୍ୟବସାୟରେ ଲାଗିଯାଇଥାନ୍ତା । ଏମିତି ପରିସ୍ଥିତି ହେଇ ନଥାନ୍ତା ।

 

ବ୍ୟାଙ୍କରେ ପହଞ୍ଚିଲା ବେଳେ ଟଣିଆର ସାମାନ୍ୟ ଡେରି ହୋଇ ଯାଇଥାଏ । ଆଗରୁ ସେ କେବେ ବ୍ୟାଙ୍କ ଭିତରକୁ ଯାଇ ନଥିଲା । ସବୁବେଳେ ସେ ଭାବେ ବ୍ୟାଙ୍କ ବଡ଼ ଲୋକଙ୍କ ପାଇଁ-। ଭିତରେ ପଶି ଲକ୍ଷ୍ୟକଲା । ଅନେକ ଲୋକ ଚଳପ୍ରଚଳ ହେଉଛନ୍ତି ତା ଭିତରେ । କେଉଁଠି ଟଙ୍କା ଗଣା ହେଉଛି, କେଉଁଠାରେ କାଗଜ ତଦାରଖ ହେଉଛି । ତାର ଜାଲିର ଘେର, କାଚର କାନ୍ଥ, ଚକ୍‌ଚକ୍‌ କରୁଥିବାର ଟେବୁଲ, କଥାବାର୍ତ୍ତାର ଠାଣି, ଆଦବ୍‌କାଇଦା ଦେଖି ଟଣିଆ ଭାବିଲା ଲକ୍ଷ୍ମୀ ଦେବୀଙ୍କ ପାଇଁ ଜାଗାଟି ପ୍ରକୃଷ୍ଟ । ଟଙ୍କା ଧାରଦେବା, ଟଙ୍କା ଜମା ରଖିବା ପାଇଁ ମଧ୍ୟ ଗୋଟାଏ ଶିଷ୍ଟାଚାର ଆବଶ୍ୟକ । ସାହି ମୁଣ୍ଡର ତେଲ ଚିକିଟା ମହାଜନ ଗାଦୀଠାରୁ ଏହା ଭଲ । ଏଠାରେ ଆତ୍ମୀୟତା ନାହିଁ କିନ୍ତୁ ଆଭିଜାତ୍ୟ ରହିଛି । ବ୍ୟାଙ୍କ ମ୍ୟାନେଜରଙ୍କ ପାଖରେ ପହଞ୍ଚିବା କ୍ଷଣି ମ୍ୟାନେଜର କହିଲେ–ବର୍ତ୍ତମାନ ବହୁତ ଡେରି ହେଇ ଗଲାଣି ଆପଣ କାଲି ଆସନ୍ତୁ, ମୋର ଅନ୍ୟ କାମ ଅଛି ।

 

କଣ କରିବ ଟଣିଆ ଜାଣି ପାରିଲା ନାହିଁ । ଶୋଭା ଦେଇଥିବା ଦୁଇ ହଜାର ଟଙ୍କା ମଧ୍ୟ ସାଙ୍ଗରେ ଆଣିଛି । କୋଡ଼ିଏ ହଜାର ଟଙ୍କା ଋଣ ପାଇଁ ଦୁଇ ହଜାର ଟଙ୍କା ଆଗତୁରା ଦେବାକୁ ହେବ ବୋଲି ଶୋଭା ଅନ୍ୟମାନଙ୍କ ପାଖର ଖବର ନେଇଥିଲା । ଅବଶିଷ୍ଟ ଯାହା ସୁନା ଗହଣା ଥିଲା ସବୁ ବିକି ଟଙ୍କା ସାଇତି ରଖିଥିଲା ସେ ଜେଲରୁ ମୁକୁଳିବା ଯାଏଁ । ଏବେ ସେହି ଟଙ୍କା ନେଇ ଯିବ କୁଆଡ଼େ ? ଟଣିଆ ଅଡ଼ୁଆରେ ପଡ଼ି ସେମିତି ଛିଡ଼ା ହୋଇ ରହିଲା । ତାକୁ ନଯିବା ଦେଖି ମ୍ୟାନେଜର ସାମାନ୍ୟ ବିରକ୍ତ ହୋଇ ଉଠିଲେ । ଉଚ୍ଚ ଗଳାରେ କହିଲେ–ଆପଣଙ୍କୁ କହିଲି ନା, ବର୍ତ୍ତମାନ ଡେରିହେଇ ଗଲାଣି–ଯାଆନ୍ତୁ । ଆଉ ଛିଡ଼ା ହେଲେ କାହିଁକି ?

 

ଟଣିଆ ଅନୁନୟ କରି କହିଲା–ସାର୍‌ ମୋର ଟିକିଏ ଡେରି ହେଇଗଲା । ଆପଣ ମୋତେ ସାହାଯ୍ୟ କରନ୍ତୁ ।

 

ଏତିକିବେଳେ ବ୍ୟାଙ୍କର ଅନ୍ୟଜଣେ କର୍ମଚାରୀ ଭିତରକୁ ପଶି ଆସି ତାକୁ ଦେଖି ଚମକି ପଡ଼ିଲା । ମ୍ୟାନେଜର୍‌ଙ୍କୁ ରୁମ୍‌ର ବାହାର ପଟକୁ ନେଇଗଲା । ବାହାରେ ସେମାନଙ୍କର କଥାବାର୍ତ୍ତା ଟଣିଆ ଶୁଣିପାରୁଥାଏ ।

 

ବ୍ୟାଙ୍କ କର୍ମଚାରୀ କହୁଥାଏ–ସାର୍‌ । ସେ ଲୋକଟା ଟଣିଆ । କଟକର ଦୁର୍ଦ୍ଦାନ୍ତ ଗୁଣ୍ଡା । ସେ ଯାହା କହୁଛି କରି ଦିଅନ୍ତୁ । ନହେଲେ ଛୁରା ଚଲେଇ ଦେବ ।

 

ମ୍ୟାନେଜର୍‌ଙ୍କର ଖାଲି ‘‘ଏଁ’’ ଟିଏ ଶୁଣି ପାରିଲା ଟଣିଆ । ସଙ୍ଗେ ସଙ୍ଗେ ନିଜ ରୁମ୍‌ଭିତରକୁ ଆସି ମ୍ୟାନେଜର ଟଣିଆକୁ ବସିବା ପାଇଁ କହିଲେ ଏବଂ କ୍ଷମା ମାଗିବା ଭଙ୍ଗୀରେ ହସି ହସି କାଗଜପତ୍ର ସବୁ ଜଲଦି ଜଲଦି ଦେଖା ଦେଖି କରିନେଲେ । କାଗଜପତ୍ର ଦେଖୁଦେଖୁ ରୁମାଲ୍‌ରେ ମୁହଁ ପୋଛି ପକାଉଥାଆନ୍ତି, ଟଣିଆ ହାତକୁ ଅନାଉଥାଆନ୍ତି । କାଗଜ ସବୁ ଉପର ଠାଉରିଆ ଦେଖି ଦେଲେ–ସବୁ ଠିକ୍‌ଅଛି । ଆପଣ ଦୁଇଦିନ ପରେ ଆସନ୍ତୁ । ଟଙ୍କା ନେବେ । ମୁଁ ଆପଣଙ୍କୁ ଆଗରୁ ଜାଣିନଥିଲି । ନହେଲେ ସବୁ ଠିକ୍‌ ଠାକ୍‌ କରିଦେଇ ଥାଆନ୍ତି–ଟିକିଏ ଦାନ୍ତ ଦେଖେଇ କହିଲେ ମାନେଜର ।

 

ନୂଆ ବ୍ୟବହାର ଟଣିଆକୁ ଅଡ଼ୁଆରେ ପକେଇଲା । ତାକୁ ହସ ମାଡ଼ୁଥାଏ । ହସକୁ ଚାପିରଖି କଛି ସମୟ ଛିଡ଼ାହେଲା । ଶୋଭା ଦେଇଥିବା ଟଙ୍କା କେମିତି ଦେବ ଚିନ୍ତାକରୁଥିଲା ବେଳେ ମ୍ୟାନେଜର୍‌ କହିଲେ–ଆପଣ ଯାଆନ୍ତୁ । ମୁଁ ସବୁ ଠିକ୍‌କରି ରଖିଥିବି । ଆପଣ ଟଙ୍କା ନେଇଯିବେ । କିଛି ଅସୁବିଧା ହେବନାହିଁ ।

 

ଆଗରୁ ସମସ୍ତଙ୍କ ପାଖରୁ ଧମକ ଦେଇ ଟଙ୍କା ଛଡ଼େଇ ଆଣିଛି, ନାଲି ଆଖିର କରାମତିରେ ଟଙ୍କାସବୁ ତା ପାଖକୁ ଚୁମ୍ବକପରି ଟାଣି ହେଇ ଆସିଛି । ଆଜି ନିଜେ କେମିତି ଟଙ୍କା ଦେବ ଭାବୁ ଭାବୁ ଟଣିଆ ଇତସ୍ତତଃ ହେଲା । ପରେ ପରେ ଭାବିଲା–ଯେମିତି ହେଲେ ଟଙ୍କା ଦେବ–ଶୋଭା ଯେ କହିଛି ।

 

ଛିଡ଼ାହୋଇ ପଡ଼ି ପକେଟ୍‌ରେ ହାତ ପୁରେଇଲା ଟଙ୍କା ବାହାର କରିବାପାଇଁ । ମ୍ୟାନେଜର୍‌ କରୁଣ ଆଖିରେ ତା ପକେଟ୍‌କୁ ଅନେଇ ଥାଆନ୍ତି–କାଳେ ସେ ଛୁରୀ ବାହାର କରିବ ? ପୂର୍ବରୁ କରିଥିବା ଖରାପ ବ୍ୟବହାର ପାଇଁ ଭୁଷି ଦେବକି ? ଛୁରୀପରି ବର୍ଷେ ଟଙ୍କା ବାହାରିବା ଦେଖି ସୁଦ୍ଧା ମ୍ୟାନେଜର୍‌ ଥରିବାରେ ଲାଗିଲେ ।

 

ଟଣିଆ ଥଙ୍ଗ ଥଙ୍ଗ ହୋଇ କହିଲା–ଆପଣଙ୍କ ପାଉଣା ।

 

କି ପାଉଣା ? ମୋର କିଛି ପାଉଣା ନାହିଁ । ଆପଣ ଟଙ୍କା ରଖନ୍ତୁ । ବ୍ୟବସାୟରେ ଲଗାନ୍ତୁ । ମୁଁ କିଛି ପାଉଣା ନିଏ ନାହିଁ । ଆପଣମାନଙ୍କର ସେବାହିଁ ମୋର କାମ୍ୟ । –ଏକା ନିଶ୍ୱାସରେ କହିଗଲେ ମ୍ୟାନେଜର୍‌ । ତାଙ୍କର ତଥାପି ଅବିଶ୍ଵାସ, ଟଙ୍କା ପରେ ପରେ ଛୁରୀ ବାହାରିବ–ପୈତୃକ ପ୍ରାଣଟା ଚାଲିଯିବ ।

 

ଟଣିଆ ବୁଝି ପାରୁଥିଲା ତା’ ନାଁର କରାମତି । କିନ୍ତୁ ସେ ପୁରୁଣା ନାଁର ଅପବାଦ ନେଇ ବଞ୍ଚିବାକୁ ଚାହେଁ ନାହିଁ ତେଣୁ ଆଉଥରେ କହିଲା–ଏ ଟଙ୍କାଟା ଆପଣ ରଖନ୍ତୁ ।

 

କିଛି ଦରକାର ନାହିଁ ଭାଇ । ମୁଁ ସେମିତି ଲୋକ ନୁହେଁ । ସେ ଟଙ୍କା ବ୍ୟବସାୟରେ ଲଗାନ୍ତୁ–ମ୍ୟାନେଜର୍‌ ଛେପ ଢୋକି ଢୋକି କହିଲେ । କରୁଣ ଆଖି ନେଇ ଟଣିଆକୁ ଅନେଇଲେ ।

 

ଅଧିକା କିଛି କହିବା ନିଷ୍ପ୍ରୟୋଜନ ମନେକରି ଟଣିଆ ସେଠାରୁ ଚାଲିଆସିଲା । ଆସିଲା ବେଳେ ତା ମନରେ କିଛିକ୍ଷଣପାଇଁ ଦ୍ୱନ୍ଦ୍ୱ ଆସିଗଲା–ପୁରୁଣା ପଥ ଛାଡ଼ି ଠିକ୍‌ କରିଛି କି ନାହିଁ ? ଜେଲ୍‌ରେ ତାକୁ ବହୁତ ଲୋକ ବୁଝେଇବାପାଇଁ ଚେଷ୍ଟା କରିଥିଲେ–ନୂଆବାଟ ତା’ ପାଇଁ କଣ୍ଟା ବିଛେଇ ଦେବ, ତାକୁ କେହି ସାହାଯ୍ୟ କରିବେ ନାହିଁ । ଆଜିର ବ୍ୟବହାର ସେମାନଙ୍କ କଥାକୁ ସତ ବୋଲି ପ୍ରତିପାଦିତ କରିଦେଇ ନାହିଁ ତ ? ପରେ ସେ ଭାବନାକୁ ମନରୁ ଜୋର୍‌ରେ ଠେଲି ବାହାର କରିଦେଲା–ନିଷ୍ପତ୍ତି ନେଇଛି ପୁରୁଣା ସହ ସଂପର୍କ ରଖିବ ନାହିଁ–ଆଜି କାହିଁକି ଦ୍ୱନ୍ଦ୍ୱ । ଚାରିଆଡ଼େ ଅନେଇ ମନକୁ ଖୁସି କରିବାରେ ଲାଗିଲା ।

 

ଝଙ୍କାଳିଆ ଆମ୍ବଗଛ ଉପରେ ଲୁଚକାଳି ଖେଳୁଥିବା କୋଇଲିକୁ ଠାବ କରିବାପାଇଁ ଚେଷ୍ଟା କଲା । ଚେଷ୍ଟାକଲା ଟୁଣୁଟୁଣୁକା ଔଷଧ ବିକୁଥିବା ଲୋକର ସ୍ୱରକୁ ଅନୁକରଣ କରିବା ପାଇଁ ।

 

ଖୁସିରେ ଅସ୍ପଷ୍ଟ ସ୍ଵରରେ ଗୀତ ଗାଇ ଗାଇ ଚାଲିଲା ଟଣିଆ । ଅତୀତକୁ ଛାଡ଼ିଦେଇ ସେ ଭବିଷ୍ୟତର ସୁନେଲୀ କଳ୍ପନା କରିବାରେ ଲାଗିଗଲା । ବ୍ୟବସାୟ ପାଇଁ କ’ଣ ସବୁ ଦରକାର–ସୋ, କେଶ୍‌କେମିତି ହେବ, କଲିକତାର ଭଲ ବ୍ୟବସାୟୀଙ୍କ ସହ କେମିତି ଯୋଗାଯୋଗ ରଖିବ, ଶୋଭା ସାଙ୍ଗରେ କଥାବାର୍ତ୍ତା କରି ଦୋକାନ ଖୋଲିବା ଦିନ ସ୍ଥିର କରିବ । ପାଞ୍ଚଶହ, ହଜାରେ ଖର୍ଚ୍ଚ କରିବ ଖିଆ ପିଆରେ । ସେଥିରେ ପ୍ରଚାର ମଧ୍ୟ ହେବ, ଶୁଭକାଂକ୍ଷୀ ମାନେ ଖୁସି ହେବେ । ଗୋପାଳବାବୁଙ୍କୁ ନିମନ୍ତ୍ରଣ କରିବ ଉଦ୍‌ଘାଟନ ପାଇଁ ।

 

ମସଜିତ୍‌ଗଳି ପାଖରେ ରୋକିଗଲା । ସାମନା ଦୋକାନ କଡ଼ରେ ଛିଡ଼ା ହୋଇଥାଏ ଗରୁ । ହାତରେ ତା’ର ଛୁରୀ । ତାକୁ ଆକ୍ରମଣ କରିବା ଉପରେ । ଟଣିଆ ଭାବିଲା ସେଠାରୁ ଦୌଡ଼ି ପଳେଇଯିବ । କିନ୍ତୁ ଦୌଡ଼ିଲେ ମଧ୍ୟ ପଛରୁ ଗରୁ ଛୁରୀ ଫୋପାଡ଼ି ତାକୁ ଘାଏଲ କରିଦେବ । ତା’ର ଇଚ୍ଛା ହେଉଥାଏ ନିଜର ବେଲ୍‌ଟ ବାହାର କରି ଗରୁର ମୁକାବିଲା କରିବ । କିନ୍ତୁ ଶୋଭା ପାଖରେ କରିଥିବା ଶପଥ ତାକୁ ସେଥିରୁ ନିବୃତ୍ତ କଲା । ସେ ସେମିତି ଛିଡ଼ାହୋଇ ସାଧାରଣ ଭାବେ ଅନେଇଲା ଗରୁକୁ । ନିଜ ଖାଲି ହାତ ଦୁଇଟା ତା ଆଡ଼କୁ ଦେଖେଇଥାଏ ।

 

ଏତିକିବେଳେ ଜଣେ କନଷ୍ଟେବଲ ପୁରୁଣା କଲେଜ ରୋଡ଼ରୁ ବାହାରି ଆସିବା ଦେଖି ଗରୁ ମସଜିଦ ଲେନ ଭିତରକୁ ଦୌଡ଼ି ଚାଲିଗଲା । ଟଣିଆ ଦୀର୍ଘ ନିଶ୍ୱାସ ପକେଇ ଘରକୁ ଗଲା ।

 

ତାକୁ ବିବ୍ରତ ଓ ଅସ୍ତବ୍ୟସ୍ତ ଥିବା ଦେଖି ଶୋଭା ସବୁ କାମ ଛାଡ଼ି ପାଖକୁ ଚାଲି ଆସିଲା-। ତାର ଆଶଙ୍କା–ନୂଆ ପରିବେଶ ଉପରେ ହୁଏତ ଟଣିଆ ହଠାତ୍‌ ଖାପ ଖୁଆଇ ପାରିବ ନାହିଁ–ମନର ଜୋର କମିଯିବ । ପୁଣି ପୁରୁଣାକୁ ଚାଲିଯିବା ପାଇଁ ଚେଷ୍ଟା କରିବ । ଟଣିଆଠାରୁ ଆକ୍ରମଣରେ କାହାଣୀ ଶୁଣି ଏବଂ ତାର ଅଭୟ ମୁଦ୍ରାର ଭଙ୍ଗୀ କଥା ଶୁଣି ଶୋଭା ଖୁସି ହୋଇଗଲା । ଘର ଭିତରେ ଟଣିଆକୁ ଟେକି, କୋଳକରି ଚାରିଆଡ଼େ ବୁଲେଇ ନେବାପାଇଁ ଚେଷ୍ଟା କଲା–ତା ମାନସ ସନ୍ତାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଯାଇଛି–ସେ କୃତକାର୍ଯ୍ୟ ହୋଇଛି ।

 

ଖିଆପିଆ ଭୁଲି ସୋ କେଶ୍‌ତିଆରି କରିବା, ବ୍ୟାଙ୍କରୁ ଟଙ୍କା ଉଠେଇବା, ବ୍ୟବସାୟୀଙ୍କ ସହ ଚିହ୍ନା ପରିଚୟ ହେବାରେ ଟଣିଆ ଲାଗି ଯାଇଥାଏ । ସେ ଅନୁଭବ କରି ପାରୁଥିଲା ସେ ଭାଙ୍ଗିବା ସହଜ କିନ୍ତୁ ଗଢ଼ିବା କଷ୍ଟ । ସଭା ସମିତି ଭଣ୍ତୁର କରିବା, ଲାଇନରେ ଥିବା ଲୋକଙ୍କୁ ତଡ଼ିଦେଇ ସିନେମା ଟିକେଟ ନେଇଯିବା ବଡ଼ ସହଜ । କିନ୍ତୁ ନିଜେ ବ୍ୟବସାୟରେ ଗୋଡ଼ଦେଇ ପ୍ରତ୍ୟେକ କାମ ତଦାରଖ କରିବା କେତେ କଷ୍ଟ । ସେଇଟା ଭଣ୍ଡୁର ହୋଇଗଲେ ଯେ କି ମର୍ମାନ୍ତିକ ଦୁଃଖ ଅନୁଭବ ହେଉଥିବ ତାହା ଏତିକିବେଳେ ସେ ଅନୁଭବ କରି ପାରୁଥିଲା ।

 

ତା’ର ଆହୁରି ଅସୁବିଧା ହେଉଥିଲା–ମକୁ ଦଳର କାର୍ଯ୍ୟକଳାପ । ତାକୁ ସେମାନେ ଗୋଡ଼େ ଗୋଡ଼େ ଜଗିଥିଲେ, ସୁବିଧା ପାଇଲେ ଆକ୍ରମଣ କରିବା ପାଇଁ । ଅତି ସାବଧାନରେ ଚଳି ମଧ୍ୟ ଦିନେଦିନେ ଯନ୍ତାରେ ପଡ଼ିଲା ପରି ମନେ କରେ । ରାସ୍ତାରେ ଗଲାବେଳେ ଚାରିଆଡ଼କୁ ନିଘା ରଖିବାକୁ ପଡ଼େ ।

 

ସୋ କେଶ୍‌ର କାମ ଦେଖିସାରି ପିଠାପୁରରୁ ଆସିଲାବେଳେ ସନ୍ଧ୍ୟା ହୋଇ ଆସୁଥାଏ । ସେ ଜଲଦି ଜଲଦି ନୂଆ ରାଉସାପାଟଣା ପାଖ ଦେଇ ଆସିଲାବେଳେ ଲକ୍ଷ୍ୟକଲା ମକୁ ଓ ତା ଦଳର ତିନି ଚାରିଜଣ ଶିବ ବଜାର ପାଖରେ ଛିଡ଼ା ହୋଇଛନ୍ତି । ମକୁ ବେଶ୍‌ ଫୁଲି ଯାଇଥାଏ । ଦାମିକା ପେଣ୍ଟ ସାର୍ଟ ପିନ୍ଧିଥାଏ । ତା ବେଶଭୂଷା ସୂଚେଇ ଦେଉଥାଏ ତାର ଆର୍ଥିକ ସ୍ୱଚ୍ଛଳତା । ଟଣିଆର ମନେହେଲା ସେମାନେ ତା ବାଟ କରି ଛିଡ଼ା ହୋଇଛନ୍ତି, ଆକ୍ରମଣ କରିବା ପାଇଁ । ଆଗକୁ ନଯାଇ ସଙ୍ଗେ ସଙ୍ଗେ ରାଉସାପାଟଣା ନର୍ଦ୍ଦମା ପୋଲତଳେ ଲୁଚି ରହିଲା ।

 

ପୋଲତଳେ ଲୁଚିରହି ସେ ଲକ୍ଷ୍ୟ କରି ଥାଏ ମକୁ ଓ ତା ସହିତ ଥିବା ଯୁବକମାନଙ୍କୁ । ସେମାନଙ୍କ ଭିତର ବାରି ହୋଇଯାଉଥାଏ କାଳୁ–ତା ଦଳର ପୂର୍ବତନ ସଭ୍ୟ । କାଳୁ ଯେ କେମିତି ମକୁର ଆଧିପତ୍ୟକୁ ସ୍ୱୀକାର କରିଛି ଏହା ଭାବି ଟଣିଆ ବିସ୍ମିତ ହେଲା । ନର୍ଦ୍ଦମାର ଗନ୍ଧ ଶୁଙ୍ଘୁ ଶୁଙ୍ଘୁ ସେ ଭାବୁଥାଏ ସମୟ, ବୟସ ଏବଂ ଭୋଗଲାଳସା ବୋଧହୁଏ ମଣିଷକୁ ବଦଳେଇଦିଏ–ଆଶା ବୋଧହୁଏ ଭୀରୁ କରିଦିଏ, ଗୋଡ଼ାଣିଆ କରିଦିଏ ।

 

କାଳୁର ଅତୀତକୁ ମନେ ପକେଇଲା । ସାମାନ୍ୟ କେତେଟା ଟଙ୍କା ବାପା ନ ଦେବାରୁ ତାକୁ ପିଟି ଘରୁ ବାହାରି ଆସିଥିଲେ । ଟଣିଆର ଆଶ୍ରୟ ଲୋଡ଼ିଥିଲା । ଉଦ୍ଧତ ସ୍ୱଭାବର ପିଲା । କାହାର ଆଧିପତ୍ୟ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନଥାଏ । ତାର ରୁକ୍ଷ ବ୍ୟବହାର, ଅନ୍ୟ ସହ ଅସହଯୋଗର ମନୋଭାବ ଦେଖି ଦିନେଦିନେ ଟଣିଆ ପଚାରିଦିଏ–ତୁ ଏମିତି ବ୍ୟବହାର କାହିଁକି କରୁଛୁ ?

 

କାଳୁର ଉତ୍ତର ସଂକ୍ଷିପ୍ତ । ସେ କହେ–ମୋ ବାପା ମା’ର ପୁଅ ଯଦି ହେଇଥାଆନ୍ତୁ, ଘରେ ପ୍ରତିଦିନ କଳିତକରାଳ ଦେଖିଥାଆନ୍ତୁ, ନିଜପାଇଁ ଯଦି ସବୁ ଜିନିଷ ଲୁଚେଇ ରଖନ୍ତୁ, ନିଜର ଫୁର୍ତ୍ତିପାଇଁ ପିଲାମାନଙ୍କୁ ଦୁର୍‌ଦୁର୍‌, ମାର୍‌ମାର କରିଥାଆନ୍ତୁ, ତା’ହେଲେ ଜାଣନ୍ତୁ ମୁଁ କାହିଁକି ଏମିତି ହୋଇ–ମୋ ମନ କାହିଁକି ବିଷାକ୍ତ ହେଇଛି ।

 

ଏସବୁ ଉତ୍ତରକୁ ତର୍ଜମା କରିବା ଇଚ୍ଛା କରି ନଥିଲା ଟଣିଆ । ପ୍ରତ୍ୟେକ ପରିବାରରେ ଅଭାବ, ଅସୁବିଧା, ଅଘଟଣ ରହିଛି–ତା’ର ଚକ ଭିତରେ ପେଶି ହୋଇଯାଇଥିବ କାଳୁ । ଅବସ୍ଥାର ରଥଚକ୍ର ତଳେ ନିଜେ ଯେମିତି ହେଇ ଯାଇଥିଲା । ସେ ଚେଷ୍ଟା କରିଥିଲା କାଳୁ କେମିତି ଗ୍ୟାଙ୍ଗର ଅନ୍ୟମାନଙ୍କ ପ୍ରତି ସ୍ନେହ ଓ ଦରଦ ଦେଖାଉ—କିନ୍ତୁ ପାରି ନଥିଲା । ଶେଷରେ କାଳୁ ଦଳରୁ ବାହାରି ଯାଇଥିଲା–ନିଜେ ଏକୁଟିଆ ଘୂରି ବୁଲୁଥିଲା ଗୋଟିଏ ଅତୃପ୍ତ ଆତ୍ମାପରି । ମଝିରେ କିଛିଦିନ ସରକାର ଛାପାଖାନାର ଟାଇପ ସବୁ ଚୋରି କରୁଥିଲା, ଚହଟେଶ୍ଵର ମନ୍ଦିରରେ ରହୁଥିଲା-। ପୃଥିବୀର ସବୁ ମଣିଷଙ୍କୁ ଗାଳି କରୁଥିଲା । ଆଜି ମକୁ ସହ ବୁଲିବା ଦେଖି ଭାବିଲା ସହରଟା ହିଁ ଏମିତି–ଏଇଠି ଅମଣିଷ ମଣିଷ ହେଇପାରେ, ମଣିଷ ବର୍ବର ହେଇପାରେ । ଗୋଟିଏ ବାଟ, ଗୋଟିଏ ଚିନ୍ତାଧାରାରୁ ଅନ୍ୟବାଟ, ଅନ୍ୟ ଚିନ୍ତାଧାରକୁ ଯାଇପାରେ । ନିଜେ ଦଳପତି ହେବାର ଗୁଣ ଥାଇ ସୁଦ୍ଧା ଦଳର ଅନାମଧେୟ ସଭ୍ୟ ହୋଇପାରେ–କିଛି ଗୁଣ ନଥାଇ ମଧ୍ୟ ଜଣେ ଦଳପତି ସାଜିପାରେ ।

 

ଏବେ ବାହାରିଲେ ମକୁ ଯେତିକି ହିଂସ୍ର ହୋଇ ଆକ୍ରମଣ କରିବ ତା’ଠାରୁ କାଳୁ ବେଶୀ ହିଂସ୍ର ହେବ ଭାବି ମଶା ଓ ପଙ୍କ ଭିତରେ ଟଣିଆ ପୋତି ହୋଇ ରହିଲା ।

 

ପୋଲ ଉପରେ ଅସଂଖ୍ୟ ଗାଡ଼ି, ମୋଟର, ରିକ୍‌ସାର ଶବ୍ଦ, ମଦୁଆର ପ୍ରାଣଖୋଲା ହସ-। ନର୍ଦ୍ଦମା କଡ଼ରେ ବେଶ୍ୟା ସହ ସଉଦା–ଉଲଗ୍ନ ପ୍ରେମ–ଏସବୁ ଦେଖି ସେ ଚୁପ୍‌ହୋଇ ବସିଥାଏ । ଭାବୁଥାଏ ଏହି ରାସ୍ତାର ନାଁ ପାଗଳ ଗାରଦ ରୋଡ୍‌ ରଖିଥିବା ବ୍ୟକ୍ତି ଭବିଷ୍ୟତର ଅସ୍ୱାଭାବିକ ପରିସ୍ଥିତିକୁ ସ୍ପଷ୍ଟ ଦେଖି ପାରିଥିଲା । ତାର ନାମକରଣ ଯଥାର୍ଥ ହୋଇଛି–ଏଇଠି ସମସ୍ତେ ପାଗଳ । ପଙ୍କ ଭିତରେ ହାତ ମୁଠାମୁଠା କରୁକରୁ ଟଣିଆ ଅନୁଭବ କରୁଥାଏ ତା’ ମୁଣ୍ଡ ଗରମ ହୋଇ ଉଠୁଛି–ହୁଏତ ସେ ମଧ୍ୟ ପାଗଳ ହୋଇଯିବ ।

 

ମକୁ ଓ କାଳୁ ଦଳ ସହ ବହୁ ସମୟ ଅପେକ୍ଷାକରି ଚାଲିଗଲେ । ସେମାନେ ଗଲାପରେ ନାଳ ପୋଲତକୁ ଟଣିଆ ବାହାରିଲା । ହାତରେ ମୁଠାମୁଠା ପଙ୍କ–ନାକ, ମୁହଁ, ଦେହ ପଙ୍କରେ ବୁଡ଼ି କଳା ଦେଖା ଯାଉଥାଏ । ନିଜ ଉପରେ ନଜର ନଦେଇ ସେ ଚାରିଆଡ଼କୁ ଅନେଇଲା–କାଳେ କିଏ ତା ଉପରେ ନଜର ରଖିଥିବ । ବହୁ ଲୋକ ତାକୁ ଅନେଇଥିବା ଦେଖି ନିଜ ହାତ ଓ ଦେହକୁ ଅନେଇଲା । ହଠାତ୍‌ ନିଜ ଉପରେ ରାଗ ଆସିଗଲା । କାହିଁକି ସେ ଭଲ ହେବାପାଇଁ ଚିନ୍ତାକଲା ? ଭଲ ହେବାପାଇଁ ଚେଷ୍ଟାକରି ଆଜି ସେ ପାଗଳ ପରି ବେଶ ହୋଇଛି, ତାତ୍ସଲ୍ୟର ପାତ୍ର ହେଇଛି । ଯିଏ ସମସ୍ତଙ୍କୁ ଡରେଇ, ଥରହର କରି, ବିଦ୍ରୂପ କରି ରଖିଥିଲା ଆଜି ସେ ନିଜେ କୁକୁରପରି ଲାଙ୍ଗୁଡ଼ ଜାକି ଲୁଚି ରହୁଛି, ନିଜକୁ ଅନ୍ୟମାନଙ୍କ ପାଖରୁ ଦୂରେଇ ଦେବାକୁ ଚେଷ୍ଟା କରୁଛି । ନିଜେ ଭଲ ହେବାପାଇଁ ଚିନ୍ତାକଲେ କ’ଣ ଭଲ ହୋଇପାରିବ, ଯଦି ଅନ୍ୟମାନେ ସାହାଯ୍ୟ ନ କରନ୍ତି–ପୂର୍ବର ଶତ୍ରୁ, ଯଦି ବୈରଭାବ ଭୁଲିନଯାଏ, ବରଂ ଭଲ ହେବାର ଗ୍ଲାନି ଅପେକ୍ଷା ରାସ୍ତାରେ ଛୁରୀ ମାରି, ଅନ୍ୟକୁ ଡରେଇ ମରିଗଲେ ଭଲ । କେହି କହିବ ନାହିଁ ଟଣିଆ ଭୀରୁ, କାପୁରୁଷ ।

 

ଘରେ ପହଞ୍ଚି ବିରକ୍ତ ହୋଇ ଶୋଭାକୁ କହିଲା–ମୁଁ ଆଉ ଭଲ ହେଇ ପାରିବି ନାହିଁ । ମୁଁ ମଧ୍ୟ ଏଥର ଛୁରା ନେବି । ନହେଲେ ମକୁ ଦଳକୁ ମୁକାବିଲା କରିପାରିବ ନାହିଁ । ସେମାନଙ୍କ ଔଦ୍ଧତ୍ୟ ଖୁବ୍‌ ବଢ଼ିଯାଇଛି ।

 

ତାକୁ ବିବ୍ରତ ଓ ବିରକ୍ତ ହୋଇଥିବା ଏବଂ ପଙ୍କ ବୋଳି ହୋଇଥିବା ଦେଖି ଶୋଭା କିଛି ନ କହି ଟଣିଆକୁ ନେଇ ଗାଧୋଇ ଦେଇ । ତା’ ଦେହରୁ ନର୍ଦ୍ଦମାର ମଇଳା ପୋଛି ପକେଇଲା । ତାକୁ ପୋଛାପୋଛି କଲା ବେଳେ ଟଣିଆ ଭାବୁଥାଏ ସେ ଯେମିତି ଗୋଟାଏ ଛୋଟ ଶିଶୁ ହୋଇଯାଇଛି । ପୋଛାପୋଛି କରିସାରି ଖାଇବା ବାଢ଼ିଦେଇ, ଶୋଭା ପଚାରିଲା–କ’ଣ ରାଗ ଥଣ୍ଡା ହେଲା ?

 

ସେତେବେଳକୁ ଟଣିଆର ବିରକ୍ତ ଉଭେଇ ଯାଇଥିଲା । ସେ କହିଲା–ମୁଁ ରାଗି ନାହିଁ ଯେ–ଭାବୁଥିଲି ଆମକୁ ଅନ୍ୟମାନେ ଶାନ୍ତିରେ ରହିବାକୁ ଦେବେ ନାହିଁ । ସେଇଥିପାଇଁ ମୁଁ ଚିନ୍ତିତ ଥିଲି । କେତେଦିନ ଏମିତି ଲୁଚିଛପି ଚଳିବି–କେତେଦିନ ଧୈର୍ଯ୍ୟ ଧରିବି–କହିଲ ଆମେ ଆଉ କ’ଣ କରିବା ? କେମିତି ଚଳିବା ?

 

ମୁଁ କହିବି–କହି ଶୋଭା ଟଣିଆକୁ ଟାଣି ଟାଣି ଶେଯ ଉପରକୁ ନେଇଗଲା । ନିଜ କୋଳରେ ଟଣିଆର ମଥା ରଖି କହିଲା–ଏଥର ତମେ ଚୁପ୍‌ଚାପ ଶୋଇପଡ଼ । ଉଠିଲେ ତମେ ନିଜେ ଜାଣି ପାରିବ ଆମେ କେମିତି ଚଳିବା, ଶୋଇଲ ।

 

ଟଣିଆ ବାଧ୍ୟ ଶିଶୁଟିଏ ପରି ଶୋଭା କୋଳରେ ମୁଣ୍ଡ ରଖିଲା । ମୁହୂର୍ତ୍ତକ ମଧ୍ୟରେ ସେ ଅନୁଭବ କଲା ଯେମିତିକି କାଉଁରୀ ପରଶରେ ତାକୁ ନିଦ ଆସିଯାଉଛି ।

 

ସକାଳୁ ଉଠି ସେ ଦେଖିଲା ସାରାରାତି ଶୋଭା କୋଳରେ ସେ ଶୋଇପଡ଼ିଛି । ରାତିର ଗ୍ଲାନି, ଅବସାଦ କିଛି ନଥିଲା ।

ତାକୁ ଉଠିବା ଦେଖି ଶୋଭା ପଚାରିଲା–କଣ ଆଉ କିଛି ଭାବନା ଅଛି ?

 

ନାଁ, ଶୋଭା । କିଛି ଭାବନା ନାହିଁ–ଏବେ ଅନୁଭବ କରୁଛି ଭିନ୍ନ ମୋଡ଼ ନେଲାବେଳେ ମନକୁ ଟାଣ କରିବାକୁ ହେବ । ମୁଁ ଟିକିଏ ଭାଙ୍ଗି ପଡ଼ୁଥିଲି । ଆଉ ଏମିତି କେବେ ଭାବନା କରିବ ନାହିଁ । ତମେ ଥିଲେ ମୁଁ ଗଡ଼ ଜିଣିଯିବ ।

 

ଏବେ ଗଡ଼ ଜିଣା । ଆଜି କୋର୍ଟରେ ତାରିଖ ଅଛି । ସେଠାରୁ ଆସିଲେ ଆଜି ରାତିରେ କଲିକତା ଯିବ ।

 

ଆବେଗରେ ଟଣିଆ ଶୋଭାକୁ ନିଜ ବାହୁ ପାଶରେ ଆବଦ୍ଧ କରି ରଖିଲା । ଜେଲରୁ ବାହାରିବା ତିନି ମାସ ହୋଇ ଗଲାଣି, ଅଥଚ ସେ କେବେ ଶୋଭାର ଭଲ ମନ୍ଦ କଥା ପଚାରି ନାହିଁ-। ଶୋଭା ତା ପାଇଁ ସବୁ ଜଳାଞ୍ଜଳି ଦେଇଛି । ସେ କେଡ଼େ ମହତ୍‌ । ତାର ଇଚ୍ଛା ହେଉଥାଏ ଶୋଭାକୁ ନେଇ ଆକାଶରେ ଉଡ଼ିବ, ଦୁନିଆର ସବୁ ଜିନିଷ ଆଣି ତା ପାଖରେ ଠୁଳ କରିବ-। କେତେ ଯେ ସମୟ ଶୋଭାକୁ ଧରି ସେମିତି ରହିଥିଲା ସେ ନିଜେ ଜାଣିପାରି ନଥିଲା । କଣ ସବୁ ତା ସହିତ କଥାବାର୍ତ୍ତା କରିଥିଲେ । ସେ ନିଜେ ଜାଣିପାରୁ ନଥିଲା । ବହୁତ ସମୟ ଖୁସି ଗପ ପରେ ଶୋଭା କହିଲ–ଏଥର ମୋତେ ଛାଡ଼ । କଚେରୀକୁ ଯିବା ସମୟ ହେଲାଣି ।

 

ଟଣିଆ ଜାଣିପାରୁ ନଥିଲା ଶୋଭା ପାଖରେ କି ପ୍ରକାରର କିମିଆ ଅଛି । ତାକୁ ଦେଖିଲାକ୍ଷଣି, ତାକୁ ଛୁଇଁଲାକ୍ଷଣି ଟଣିଆ ମନରେ ଅପୂର୍ବ ଆନନ୍ଦ ଆସିଯାଏ । ସେ ସମୟ ମଧ୍ୟ ଭୁଲିଯାଏ । ନିଜକୁ ନିଜେ ଭୁଲିଯାଏ ।

 

ତରତରରେ ଯାଇ ହାଜିରା ଦେଇ କଚେରୀ ଛାଡ଼ିଲା ବେଳକୁ ଦିନ ଗୋଟାଏ । ସାଇକେଲରେ ଜୋରରେ ପେଡାଲ ମାରିଲା, ଜଲଦି କେମିତି ଘରେ ପହଞ୍ଚିବ । ଶୋଭା ନଖାଇ ଅପେକ୍ଷା କରିଥିବ ।

 

କଚେରୀ ହତା, ପାଖ ବରଗଛ, ରାସ୍ତାର ଦୁଇ କଡ଼ରେ ଧାଡ଼ି ଧାଡ଼ି ହୋଇ ବସିଥିବା ବହି ଦୋକାନ, ଫଳ ଦୋକାନ, ଟୁଣୁଟୁଣୁକା ଔଷଧ ପସରା, ଭାଗ୍ୟଫଳର ସ୍ତୂପୀକୃତ ଗ୍ରନ୍ଥ, ପେଟେଣ୍ଟ ମେଡ଼ିସିନର ଟେବୁଲ, ହରଭାଗ୍ୟର ହାତପସରା, ଦାନ୍ତନିକୁଟା, ଭୀରୁ କୁକୁରର ଦାନ୍ତନେଫେଡ଼ା ପ୍ରତି ତା’ର ନଜର ନାହିଁ, ତାର ଏକମାତ୍ର ଇଚ୍ଛା ଘରେ କେମିତି ଜଲ୍‌ଦି ପହଞ୍ଚିବ ।

 

ଲୋକ, ଗାଡ଼ି, ରିକ୍‌ସା, ସାଇକେଲ ଓ ପସରାର ଜଙ୍ଗଲ ଉପରେ ନିଜର ସାଇକେଲ ଚଳେଇ ଆଗକୁ ଚାଲିବା କଷ୍ଟକର । ଟିକିଏ ଅସାବଧାନ ହେଲେ କାହା ଦେହରେ ଆଘାତ ଲାଗିଯିବ । ମାଡ଼ ଫୌଜଦାରୀ ହୋଇଯିବ, ଲୋକ ଜମିଯିବେ । ସେହି ଅଣଓସାରିଆ, ଗହଳିଆ ରାସ୍ତା ଭିତରେ ନିଜର ସାଧ୍ୟମତେ ସାଇକେଲ ଚଳାଇଲା ।

 

ମସଜିଦ ପାଖଦେଇ ସାଇକେଲ ଚଳେଇଲା ବେଳେ ଭିତରୁ ଶୁଣାଗଲା ନମାଜ । ମୁଜ୍ଜା ଗୁରୁଗମ୍ଭୀର ସ୍ଵରରେ ଆଲ୍ଲାଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରୁଥିଲେ–ହେ ଆଲ୍ଲା, ଗଲିଆତ୍‌ ଏବଂ ତାର ପ୍ରବଳ ପରାକ୍ରମୀ ଅନୁଚରଙ୍କ ପ୍ରତିରୋଧ କରିବା ପାଇଁ ଶକ୍ତି ଦିଅ, ସାହସ ଦିଅ–ସହିଷ୍ଣୁ, ଧୈର୍ଯ୍ୟବାନ ହେବାର ବାଟ ଦେଖାଅ । ଯେଉଁମାନଙ୍କ ମନରେ ଅବିଶ୍ୱାସର ବୀଜ ବପନ ହୋଇଛି ସେମାନଙ୍କୁ ଉପଯୁକ୍ତ ପଥ ଦେଖାଅ ।

 

ଟଣିଆର ହଠାତ୍‌ ମନେହେଲା ଶାନ୍ତି ଓ ମୈତ୍ରୀର ପ୍ରଲେପ ଅଦୃଶ୍ୟ ଭାବେ ଉଡ଼ି ଆସୁଛି ମସଜିଦ୍‌ଭିତରୁ । ମସଜିଦ୍‌ଭିତରକୁ ଅନେଇ ଅନେଇ ଯାଉଯାଉ ସାଇକେଲରେ ହେଣ୍ଡଲକୁ କେହି ଧରିନେବା ଅନୁଭବ କରି ଚମକିପଡ଼ି ସାମନାକୁ ଅନେଇଲା । ଗରୁ ତା ସାମନାରେ ଛିଡ଼ା ହୋଇ ସାଇକେଲ ଅଟକେଇଥାଏ । ଟିସୁ ଛୁରୀ ବାହାର କରି ପାଖରେ ଛିଡ଼ା ହୋଇଥାଏ । ଲମ୍ବା ଛୁରୀ ଦେଖି ପାଖଆଖର ଲୋକ ଦୌଡ଼ିବାରେ ଲାଗିଲେ । ସାମନା ଦୋକାନର କବାଟ ଧଡ୍‌ଧାଡ଼୍‌ବନ୍ଦ ହୋଇଗଲା । ଏତେବଡ଼ ଜନଗହଳି ରାସ୍ତା ହଠାତ୍‌ ଶୂନଶାନ୍‌ ହୋଇଗଲା । ପାଖ ମସଜିଦରୁ କେବଳ ଶୁଣାଯାଉଥାଏ ନମାଜର ସ୍ୱର ।

 

ଟଣିଆ ସାଇକେଲରୁ ଓହ୍ଲେଇପଡ଼ି କିଛିକ୍ଷଣ ହତଭମ୍ଭ ହୋଇ ଛିଡ଼ାହେଲା । ଗରୁ ସାଇକେଲକୁ ଛାଡ଼ିଦେଇ କମର ପାଖରୁ ଛୁରା ବାହାର କଲା । ସାଇକେଲ ତଳେ ପଡ଼ିଯାଇ ଖୁବ୍‌ଜୋର ଶବ୍ଦ କଲା–ଚାରି ଦିଗକୁ ଯେମିତିକି ଜଣେଇ ଦେଉଥାଏ ହିଂସାର ଆଗମନୀ । ପୁଣି ଚମକିପଡ଼ି ଟଣିଆ ଗରୁ ମୁହଁକୁ ଅନେଇଲା–ବିଦ୍ରୁପ, ପ୍ରତିହିଂସାର କୁଟୀଳ ରେଖା ସ୍ପଷ୍ଟ ହୋଇ ଉଠୁଥାଏ ତଳ ଓଠ ପାଖରେ । ଟଣିଆର ପ୍ରଥମେ ଇଚ୍ଛା ହେଲା ଗଳି ଭିତର ଦେଇ ଦୌଡ଼ି ପଳେଇବ ବେଶ୍ୟାପଡ଼ା ଭିତରକୁ ପରେ ପରେ ଭାବିଲା–ଦୌଡ଼ି ପଳେଇ ଲାଭ କ’ଣ ? ଦୁଇ ଦୁଇଟା ଲମ୍ବା ଛୁରୀ ତା ପିଠିପଟେ ସେ ଗଳିଯିବ, ନିଜେ ସେ ଭଲ ବାଟରେ ଆଗେଇଛି ତାହା ପ୍ରତିପାଦିତ ହେବ ନାହିଁ ।

 

ନିଜକୁ ପ୍ରକୃତିସ୍ଥ କରି ଟଣିଆ କହିଲା–ଭାଇ, ମୁଁ ଆଉ ଗୁଣ୍ଡା ଗର୍ଦ୍ଦିରେ ନାହିଁ । ମୋତେ କାହିଁକି ମାରିବ ? ମୁଁ ତୁମର ଦୁସ୍‌ମନ ନୁହେଁ–ମୁଁ ଏବେ ଭଲବାଟରେ ଚାଲିଛି ।

 

ଛୁରୀର ଅଗ୍ରଭାଗକୁ ଚାରିପାଖରେ ବୃତ୍ତକାରରେ ବୁଲଉ ବୁଲଉ ତାତ୍ସଲ୍ୟ କରି ଗରୁ କହିଲା–ଶଳା ଭେଲିକି ଦେଖଉଛି, ମକୁ ଯାହା କହୁଥିଲା । ଠିକ୍‌ ଫେରେ ପଇସା ହେଇଗଲେ ଆମ ଉପରେ ବଦଲା ନେବୁ, କର୍‌ଶଳାକୁ ଖତମ୍‌ ।

 

ଗରୁ ଉହୁଙ୍କି ଆସିଲାବେଳେ ଟଣିଆ ଦୁଇହାତ ଯୋଡ଼ି ଅନୁନୟ କରି ଆସୁଥିଲା । ତା ପାଟିରୁ ଭଲ ଶବ୍ଦ ବାହାରୁ ବାହାରୁ ଛୁରୀଟା ପେଟରେ ଗଳିଗଲା, ସଙ୍ଗେ ସଙ୍ଗେ ଗରୁ ଛୁରୀ ବାହାର କରି ଆଣିଲା । ଅଳ୍ପ ସମୟ ପୂର୍ବର ନମସ୍କାର ମୁଦ୍ରା ଅସହାୟ ମୁଦ୍ରାରେ ପରିଣତ ହେଲା । ଆର୍ତ୍ତନାଦ କରି ଟଣିଆ ନିଜର ଦୁଇ ହାତରେ କ୍ଷତ ଜାଗାକୁ ଚିପିଧରି ତଳକୁ ଝୁଙ୍କି ପଡ଼ିଲା । ତାର ଆଙ୍ଗୁଠି ଭିତର ଦେଇ ରକ୍ତର ସ୍ରୋତ ବହି ଚାଲିଥାଏ । ଆଙ୍ଗୁଠି ସବୁ ରକ୍ତ ସ୍ରୋତ ବନ୍ଦ କରିବା ପାଇଁ ଅସମର୍ଥ । ଯେଉଁ ହାତ ଅସଂଖ୍ୟ କ୍ଷତ ସୃଷ୍ଟି କରି ପାରୁଥିଲା ଆଜି ସେହି ହାତ ନିଜର କ୍ଷତ ବନ୍ଦ କରିବାରେ ଅସମର୍ଥ ।

 

କିଛିକ୍ଷଣର ନିରବତା ପରେ ମସଜିଦ୍‌ଭିତରୁ ଦୁଆର ପ୍ରଥମ ଆବେଦନ ଶୁଣାଗଲା–

 

ରୁବ୍ଦନା ଆତିନା ଫିଦ୍ଦୁନିୟା ତଉଁନ ତଉଁ ୱାଫିଲ୍‌ ।

 

‘‘ଦୁଆ’’ର ଆବେଦନ କେହି ଶୁଣି ପାରିଲେ ନାହିଁ–ପ୍ରତିହିଂସାରେ ପରିପୂର୍ଣ୍ଣ ହୃଦୟ ବିଚଳିତ ହେଲା ନାହିଁ । ସର୍ବଶକ୍ତିମାନ ମୂକ ହୋଇ ଯାଇଥିଲେ ।

 

ଟଣିଆ ଆଗକୁ ଦୌଡ଼ିବାରେ ଲାଗିଲା । କ୍ଷୀଣ ସ୍ଵରରେ କହୁଥାଏ–ମୋତେ ବଞ୍ଚାଅ, ମୋତେ ବଞ୍ଚାଅ । ମୁଁ ଭଲ ଲୋକ ହେବାପାଇଁ ଚେଷ୍ଟା କରୁଛି । ମୋତେ ମାରନାହିଁ ।

 

ତାର ଅନୁନୟ କେହି ଶୁଣିଲେ ନାହିଁ । କେହି ସାହାଯ୍ୟର ହାତ ବଢ଼େଇଲେ ନାହିଁ । ମୁହୂର୍ତ୍ତକ ଭିତରେ ସବୁ ଦୋକାନ ବଜାର ବନ୍ଦ ହୋଇଗଲା । ରାସ୍ତାକଡ଼ରେ ବସି ଛିଡ଼ା ତିଆରି କରୁଥିବା ବୁଢ଼ା ଲୋକଟି ଗୋଟିଏ ଛିଣ୍ଡା’ ଛତା ଖୋଲିଦେଇ ତା ଭିତରେ ମୁଣ୍ଡଗୁଞ୍ଜି ବସିଗଲା । ସେ କାହିଁକି ଏହି ହିଂସା ଦ୍ୱେଷର ସାକ୍ଷୀ ହେବ–ସେ କାହିଁକି ବିପଦକୁ ବରଣ କରିବ । ଯେଉଁମାନେ ସେହି ପଙ୍କରେ ଚକି ହେଉଛନ୍ତି ସେମାନେ ଶ୍ଵାସରୁଦ୍ଧ ହୁଅନ୍ତୁ ।

 

ପେଟ ଫୁଲି ଉଠୁଥାଏ । ଗୋଡ଼ ଆଉ ଆଗକୁ ବାହାରୁନଥାଏ । ଟଣିଆ ଥରଥର ହୋଇ ପାଦ ଆଗକୁ ବାହାରି କଲାବେଳେ ଟିସୁ ଦୌଡ଼ିଆସି ପିଠିପାଖ ପଞ୍ଜରାହାଡ଼ ପାଖରେ ଖୁବ୍‌ଜୋରରେ ତାର ଲମ୍ବା ଛୁରୀଟାକୁ ଭୁଷିଦେଇ ବାହାର କରିନେଲା । ଅଳ୍ପ ସମୟପାଇଁ ଛୁରୀଟିକୁ ଅନେଇ, ପୈଶାଚିକ ହସ ଫୁଟେଇ ଦୌଡ଼ି ଚାଲିଗଲା ଗଳି ଭିତରକୁ । ତା ପଛରେ ରକ୍ତର ଛିଟା ଦୌଡ଼ିଲା କିଛି ବାଟ । ଖରାରେ ଧକାଉଥିବା ବୁଲା କୁତୀଟା ପୈଶାଚିକ ହସ ଓ ଦୌଡ଼ର ଶବ୍ଦରେ ଲାଙ୍ଗୁଡ଼ ଜାକି ବେଶ୍ୟାପଡ଼ା ନର୍ଦ୍ଦମା ଭିତରେ ମୁଣ୍ଡ ଲୁଚାଇଦେଲା ।

 

ପଛରେ ଆଘାତ ପାଇ ସାମନାକୁ ଝୁଙ୍କି ଦୌଡ଼ୁଥିବା ଟଣିଆ ଅଳ୍ପ ସମୟ ପାଇଁ ସିଧା ହୋଇଗଲା । ସେତେବେଳେ ଦୁଆର ଦ୍ୱିତୀୟ ପାଦ ବିଗଳିତ କଣ୍ଠରେ ଭାସି ଆସୁଥିଲା–ଆଖେରତି ହସନ୍‌ତଉଁ ୱାକିନା ଆଦା ବନ୍ନାର ।

 

ମୁହଁ ଉପରକୁ କରି ମସଜିଦ୍‌ଭାସି ଆସୁଥିବା ଦୁଆ ସେମିତିକି ଟଣିଆ ଶୁଣୁଥିଲା । ପର ମୁହୂର୍ତ୍ତରେ ବିକଟ ଚିତ୍କାର କରି ତଳେ ପଡ଼ିଗଲା ।

 

ବିକଟ ଚିତ୍କାର ପରେ ପରେ ନିଶୂନତାର ରାଜୁତି–ସାରା ସୃଷ୍ଟିର ମଙ୍ଗଳ ପାଇଁ ପ୍ରାର୍ଥନା କରୁଥିବା ମୁହ୍ଲାମଧ୍ୟ ନିରବ ହୋଇ ଯାଇଥିଲେ । ଦୁଆର ଆବେଦନ ହିଂସ୍ର, ନିର୍ଜନ ରାଜରାସ୍ତା ଉପରେ ଧକ୍‌କା ଖାଇ ଅନନ୍ତ ଆକାଶରେ ମିଳେଇ ଯାଇଥିଲା ।

ନିରବ, ମସୃଣ, କଳା ରାଜରାସ୍ତା ଉପରେ ରକ୍ତ ପିଚ୍‌ପିଚ୍‌କରି ବୋହିଗଲା ଟଣିଆର ସାମନା ଓ ପଛପଟୁ–ପରିବେଶକୁ ବୀଭସ କରିଦେଇ । ବୀଭତ୍ସ ପରିବେଶର ଅଦୃଶ୍ୟ ପିଶାଚ ତା’ର କାୟା ବିସ୍ତାର କରି ଚତୁର୍ଦ୍ଦିଗରେ ବ୍ୟାପିଗଲା । ତାର ପ୍ରଭାବରେ ଦୋକାନୀ, ଗ୍ରାହକ, ପଥଚାରୀ ଚେଷ୍ଟାକଲେ ଲୁଚିଯିବା ପାଇଁ–ଆଖିରେ ତା, କାଳେ ପିଶାଚ ଶ୍ୱାସରୁଦ୍ଧ କରିଦେବ–ହତ୍ୟା କରିଦେବ ।

ମଝିରେ ମଝିରେ ଟଣିଆର ବୁକୁଫଟା କରୁଣ ଚିତ୍କାର ପାଖଆଖ ଲୋକଙ୍କର ହୃଦୟତନ୍ତ୍ରୀକୁ ଥରେଇ ଦେଉଥାଏ, ଦୟାଦ୍ର ହୋଇ ନୁହେଁ–ଭୟର ବଶବର୍ତ୍ତୀ ହୋଇ ।

ଚିତ୍କାର, ଅଶରୀରୀର ଭୟର ପ୍ରଭାବ ଅନୁଭବ କରି ପାରିଲା ମାନିନୀ, ପାଖ ଦୋକାନରେ ଚୂଡ଼ି ବାଛୁ ବାଛୁ । ଦୋକାନୀ ଅସ୍ତବ୍ୟସ୍ତ ହୋଇ ଦୋକାନ ବନ୍ଦକରିବା ଦେଖି ସେ ବାହାରକୁ ଚାଲି ଆସିଲା ।

ବାହାରେ ଚିତ୍କାର ଶୁଣି ରାସ୍ତାକୁ ଅନେଇଲା । ରାସ୍ତା ଉପରେ ଛଟପଟ ହେଉଥାଏ ଟଣିଆ ।

ତାକୁ ଗରୁ ପୁଣି ଆକ୍ରମଣ କରିବାପାଇଁ ଉଦ୍ୟତ ହେଉଥିବା ଦେଖି ମାନିନୀ ‘‘ଭାଇ” ବୋଲି ଚିତ୍କାର କର ପାଖକୁ ଦୌଡ଼ି ଆସିଲା ।

ଗୋଟିଏ ସ୍ତ୍ରୀ ଲୋକ ପାଖକୁ ଦୌଡ଼ି ଆସିବା ଦେଖି ଗରୁ ଛୁରାଟିକୁ ତଳେ ପକେଇ ଦେଇ ଗଳି ଭିତରକୁ ଦୌଡ଼ି ପଳେଇଲା ।

ଯନ୍ତ୍ରଣାରେ ଚିତ୍କାର କରୁଥିବା ଟଣିଆର ମୁଣ୍ଡକୁ ନିଜ କୋଳକୁ ନେଇ ମୁହଁରୁ ବାହାର ଆସୁଥିବା ରକ୍ତର ସ୍ରୋତକୁ ପଣତକାନିରେ ପୋଛି ଦେଉଦେଉ ମାନିନୀ ଭାଇ, ଭାଇ ବୋଲି ପାଟି କରୁଥାଏ । ଦୋକାନ କବାଟ ଅଳ୍ପ ଖୋଲି ଦୋକାନୀମାନେ ରାସ୍ତା ଉପରକୁ ଅନେଇ ଥାଆନ୍ତି–କିନ୍ତୁ କେହି ପାଖକୁ ଆସୁନଥାନ୍ତି–କାଳେ ପୁଣି ଆକ୍ରମଣ ହେବ ଭାବି ।

ଏତେବଡ଼ ରାଜରାସ୍ତା ଉପରେ ଟଣିଆର ଆର୍ତ୍ତଚିତ୍କାର ଏବଂ ମାନିନୀର ବୁକୁଫଟା କାନ୍ଦ ଛଡ଼ା ଆଉକିଛି ଶୁଣାଯାଉନଥାଏ ।

ସେହି ଚିତ୍କାର ଭିତରେ ଟଣିଆ କହି ଉଠିଲା–ପାଣି, ପାଣି ।

ତା’ ଚିତ୍କାର ସହ ତାଳଦେଇ ମାନିନୀ ପାଟିକଲା–ପାଣି, ପାଣି । କିନ୍ତୁ କେହି ଅନୁରୋଧ ରକ୍ଷା କଲେ ନାହିଁ । କେହି ପାଣି ଆଣି ଦେଲେ ନାହିଁ ।

ବୁଲାକୁତୀଟି ନର୍ଦ୍ଦମା ମୁହଁ ଉପରୁ ଉଠେଇ ଆକାଶକୁ ଅନେଇ କରୁଣ ବିଳାପ କଲା । ସେ ବିଳାପ ଥିଲା ମଣିଷ ସମାଜପ୍ରତି ଏକ ଆକ୍ଷେପ ।

ମାନିନୀ ଟଣିଆର ମୁଣ୍ଡକୁ ତଳେ ଥୋଇ ଦେଇ ଦୌଡ଼ିଲା ପାଖ ହୋଟେଲକୁ । ଗ୍ଲାସରେ ପାଣି ନେଇ ଆସିଲା ଟଣିଆ ପାଖକୁ । ସେତେବେଳ ଟଣିଆ ରକ୍ତରେ ଜୁଡ଼ୁବୁଡୁ ହୋଇସାରିଥାଏ । ଧୀରେଧୀରେ ମୁଣ୍ଡକୁ ନେଇ ନିଜ କୋଳରେ ରଖି ଟିକିଏ ପାଣି ପିଆଇଦେଲା । କାନୀ ପଣତକୁ ଓଦାକରି ମୁହଁ ପୋଛି ପକେଇଲା ।

ପାଣି ପିଇସାରି ଟଣିଆ ଆଖି ଖୋଲିଲା । ମାନିନୀକୁ ଦେଖି କଷ୍ଟ ଭିତରେ ଓଠରେ ହସ ଫୁଟେଇବା ଚେଷ୍ଟାକଲା । ସେହି ଚେଷ୍ଟା ଫଳରେ ତା ମୁହଁ ବିକ୍ତୃତ ହୋଇ ଉଠିଲା । ମାନିନୀ ନିରର୍ଥକ ଭାବେ ମୁହଁକୁ–ପୋଛିବାରେ ଲାଗିଲା ।

ପାଟିଭିତରୁ ରକ୍ତର ସ୍ରୋତ ବୋହି ଚାଲିଥାଏ । ରକ୍ତର ସ୍ରୋତ ଭିତରେ ଅତିକଷ୍ଟରେ ରହି ରହି ଟଣିଆ କହିଲା–ମାନିନୀ, ଶୋଭାରୁ କହିଦେବୁ ମୁଁ ହାତ ଉଠେଇନି । ତା କଥା ମାନିଛି–ମୁଁ ଭଲ ହେଇଯାଇଛି । କିନ୍ତୁ ଆଜି ମୋର ଯାହା ଅବସ୍ଥା ମୋ ଛୁଆର ନହେଉ– । ଶୋଭା– !

ଅଧିକା ଆଉ କିଛି କହି ପାରିଲା ନାହିଁ ପାଟିରୁ ଭସ୍‌ଭସ୍‌କରି ରକ୍ତ ବାହାରି ରାସ୍ତା ଉପରକୁ ଗଡ଼ିଗଲା । ପରେ ପରେ ମୁଣ୍ଡଟା କୋଳରୁ ତଳକୁ ଗଡ଼ିଯାଇ ରାସ୍ତା ଉପରେ ଆଶ୍ରୟ ନେଲା । ସାମନା କ୍ଷତ ଜାଗାକୁ ଚାପି ଧରିଥିବା ହାତ ଦୁଇଟି ନିର୍ଜୀବ ହୋଇ ତଳକୁ ଖସିଗଲା । ନିର୍ଜନ ରାଜରାସ୍ତା ଉପରେ ରକ୍ତର ସ୍ରୋତ ବହିଗଲା । ସେହି ସ୍ରୋତ ଯେମିତିକି ଚେଷ୍ଟା କରୁଥାଏ କଟକ ରାସ୍ତାଘାଟରୁ ସରୁ ଗୁଣ୍ଡାମୀ, ସବୁ ଛୁରା, ଚାକୁର ବ୍ୟବହାର, ବାଦ ବିସମ୍ବାଦ, ହିଂସାଦ୍ୱେଷକୁ ଧୋଇ ପକେଇବ, ପୋଛି ପକେଇବ ।

Image